ଲୁହର ସଂସାର

 

 

 

 

 

 

 

 

 

 

 

ଲୁହର ସଂସାର

ଶ୍ରୀ ଯମେଶ୍ୱର ତ୍ରିପାଠୀ

 

Oh, woman lovely woman

Nature made thee

To temper man, we had been

brutes without you.

Angels are painted fair

to look like you,

there’s in you all that we

believe of heaven

Amazing brightness, purity truth,

eternal joy and ever lasting love.

 

–ott way–

 

 

 

 

 

 

 

 

 

 

ଯେଉଁମାନେ ମୋତେ ଭୂଲ ବୁଝନ୍ତି

ସେଇମାନଙ୍କ ହାତରେ......

 

।। ଏକ ।।

 

‘‘ଲତା–ଲତା ମ–ଆଲୋ ତତେ କ’ଣ ଶୁଭୁ ନାହିଁ ? ତୋ କାନରେ କ’ଣ ପଥର ପଶିଛି କିଲୋ ? ମାଆଲୋ ମୋର କି ନିଦ ମ ସତେ ! ମାଈକିନା ଝିଅଗୁଡ଼ାକ କ’ଣ ଏତେବେଳ ଯାଏଁ ଗଡ଼ କାଠପରି ଶୋଇଥିବେ ମ ? ହଁ–ଲୋ ହଁ, ନ ଶୋଇବୁ କାହିଁକି ସପନପୁରୀର ରାଜକୁମାର ପାଇଁ ରାତିସାରା ଉଜାଗର ରହି–କେତେ ଆଖି ପାଣି ଝରାଇ କେତେ ଜାଗର ଜାଳି ଜାଳି ପାହାନ୍ତା ପହରକୁ ଟିକେ ନିଦ ଆସିଯାଇଛି କିନା ? ହଁ–ହଁ ଆହୁରି ଶୁଅଲୋ......’’ ଏହା କହି ଶଇଳ ମୋତେ ହଲାଇଦେଲା ।

 

ଛାଇ ନିଦଟା ମୋର ଚାଉଁକିନା ଭାଙ୍ଗିଗଲା । ଆଖି ଦୁଇଟାକୁ ମଳି ମଳି ଅଳସ ଭାଙ୍ଗୁ ଭାଙ୍ଗୁ କହିଲି, ‘‘କିଲୋ ଶଇଳ କେତେବେଳୁ ମ ? ଓହୋ ଏତେବେଳ ହୋଇଗଲାଣି ! ମଥାନ ଉପରେ ଆସି ଖରା ପଡ଼ିଗଲାଣି ! ଆଜିକାଲି ବଡ଼ ଅଳେସେଇଟେ ହୋଇଗଲିଣି ଲୋ....ମତେ ଛିଗୁଲେଇ କରି ସେ କହିଲା, ହଁ– ତୋର ତ ଅଳସେଇ ହେବାର ବଅସ ଲୋ, ହବୁ ନାଇଁ କିପରି-? ଧୀର ଧୀର କରି ପାହୁଣ୍ଡ ଗଣିଲେ ସିନା ତୋତେ ରାଜଗମନୀ କହିବେ; କିନ୍ତୁ ମୋ ପରି ଡଗଡଗୀ କିଏ ଅଛି ? ସେଇଥିପାଇଁ ପରା ଗନ୍ଧିଆ ଭାଇ, ବଂଶୀ ଭାଇ ଗାଁ ଗଡ଼ିଆରୁ ତୁ ଗାଧୋଇ ସାରି ଆସିଲାବେଳେ ଏତେ କଣେଇ କଣେଇ ଚାହାନ୍ତି–ମୁରୁକି ମୁରୁକି ହସନ୍ତି ନୁହେଁ-?’’

 

‘‘ଛିଃ–ତୋର ଖାଲି ସଦାବେଳେ ଏଇକଥା–କିଏ କାହାକୁ ଚାହିଁଲା–କାହାକୁ ଦେଖି ହସିଲା ସେଆଡ଼କୁ ତୋର କାହିଁକି ଏତେ ନଜର କହିଲୁ ଶୁଣେ ?’’ ଲୁଗାପଟା ସଜାଡ଼ି ନେଇ ମୁହଁ ଉପରେ ପଡ଼ିଥିବା କେଇକେରା ଅଲରାବାଳକୁ ସଜାଡ଼ୁ ସଜାଡ଼ୁ କହିଲି ।

 

ଶଇଳ ମୋତେ ଚିଡ଼େଇ କରି କହିଲା, ‘‘ଉଠ୍‌ ମ କେତେ ଖୋଳେଇ ହେଉଛି–ହକ୍‌ କଥା କହିଲେ ତ ହାକିମ ଚିଡ଼ନ୍ତି ଆଉ ତୁ....ସତକଥା କହେ ବୋଲି ତ ଶଇଳ ଆଜି କଳିହୁଡ଼ୀ, ଡବଡବୀ ।

 

‘‘ହଉ ହଉ, ଚାଲ ଚାଲ–ସେ ବକ୍ତୃତା ରଖିଦେଇଥା ସଭାସମିତି ହେଲେ ମୁଖସ୍ଥ କରିଥା କହିବୁ ଯେ ଭୋଟ ପାଇ ମନ୍ତ୍ରୀ ହେବୁ ।’’ ଥଟ୍ଟାରେ ଏତକ ତାକୁ କହି ତା’ ସାଙ୍ଗରେ ଦାନ୍ତକାଠି ଧରି ଗାଁ ଗଡ଼ିଆକୁ ଗାଧୋଇବା ପାଇଁ ବାହାରିଲି ।

 

ଗଲାବେଳେ ବୋଉ ପଛରୁ କହି ଉଠିଲା–ଲତା, ଟିକେ ସଅଳ ଆସିବୁ ଲୋ–ନ ହେଲେ ଘସି ମାଜି ହୋଇ ଦଶଟାବେଳକୁ ଫେରିବୁ ଯେ ମା’ ବୁଢ଼ୀ ରାନ୍ଧି ରଖିଥିବ–ଗେଫାମାରି ପୁଣି କାଞ୍ଚିଗାତ ଖେଳି ଚାଲିଯିବୁ–ରାଜଜେମାଙ୍କର ଯାଏ କେତେ ଆସେ କେତେ ! ହାଣ୍ଡିକୁ ଚାଉଳ ଆସୁଛି କୁଆଡ଼ୁ–ଭାତ ହେଉଛି କିପରି–ସେ ଚିନ୍ତା କାହିଁକି ସେ କରିବେ ? ମଠରେ ଖାଇ ଖଟରେ ଶୋଉଛନ୍ତି କିନା ? କୋଉ ରାଜା ଘରେ ବାପା ତାଙ୍କର ଝିଅକୁ ଦେବେ କେଜାଣି ସେଥିପାଇଁ ଏଇଦିନୁ ଏଡ଼େ ଉପର ମୁହିଁ–ଉପୁଡ଼ଙ୍ଗରୀ କରିଦେଇଛନ୍ତି–ଝିଅଙ୍କୁ ତ ପଦେ କଥା କହିଲେ ବାପାଙ୍କ ଆଗରେ ସକ ବାହାରି ପଡ଼ିବ–ଆଉ ମା’ ତ ସବୁଥିରେ ଦୋଷୀ... !

 

ବୋଉ କଥାକୁ ନ ଶୁଣି ଶଇଳ ସାଙ୍ଗରେ ଚାଲିଲି–କାରଣ ବୋଉର ନିତି ପ୍ରତି ଏଇମିତି କଥା ଶୁଣି ଶୁଣି ବଡ଼ ଦିହଘସିଆ ହୋଇ ଯାଇଥାଏ । ମୁଁ ଭାବେ ବୋଉର କହିବାର କଥା ସେ କହୁଛି–ଆଉ ମୋର ଶୁଣିବାର କଥା ମୁଁ ଶୁଣୁଛି ।

 

ଆମ ଗାଁରେ କୁଣ୍ଠିଆ ଗାଡ଼ିଆ...

 

କାଚ କେନ୍ଦୁପରି ପାଣି ପୂରି ରହିଥାଏ । ସକାଳର ସୁଲୁ ସୁଲୁ ପବନରେ ପାଣି ଉପରେ ଛୋଟ ଛୋଟ ଲହରୀଗୁଡ଼ିଏ ଢେଉ ଭାଙ୍ଗି ଭାଙ୍ଗି କୂଳରେ ଆସି ବାଡ଼େଇ ହେଉଥାନ୍ତି । କଇଁ ଫୁଲଗୁଡ଼ାକ ଫୁଟି ପୋଖରୀଯାକ ଭର୍ତ୍ତି ହୋଇଯାଇଥାଏ । ସବୁବର୍ଷ ପ୍ରତି ପୁନିଅ ପରବରେ ଆମ ଗାଁ ପୋଖରୀରୁ ତଳସାଇ, ମହାନ୍ତି ସାଇ ପ୍ରଭୃତିର ପିଲାମାନେ ଫୁଲତୋଳି ଆସନ୍ତି । ଆମ ସାଇର ଝିଅମାନେ ମଧ୍ୟ ଏଇ ଦିଇଟା ଫୁଲ ପାଇଁ ଖୁଦୁରୁକୁଣୀ, କୁଆଁ ରପୁନିଅଁରେ ଆର ସାଇ ପିଲାମାନଙ୍କ ସଙ୍ଗେ ଖୁବ୍‌ କଳିକଜିଆ ଲଗାନ୍ତି–ଦେଖାଇ ଶିଖାଇ କରି ଢଗ ମେଲନ୍ତି–ରାସ୍ତାରେ ଚଲେଇ ଦିଅନ୍ତି ନାହିଁ–ମୋର ମନେପଡ଼ିଲା ଆରବର୍ଷ ଖୁଦୁରୁକୁଣୀ ଓଷା କଥା–ମୁଁ କୂଳରେ ବସି ଦାନ୍ତ ଘଷୁ ଘଷୁ ଶଇଳକୁ କହିଲି–ହଇଲୋ ଦେଖିଲୁଣି, କାଆଲି ପରି ଲାଗୁଛି ଆରବର୍ଷ ଏଇ ଦିଇଟା କଇଁଫୁଲ ପାଇଁ ଆର ସାଇ ଓ ଆମ ସାଇ ଭିତରେ କି କଳିଗୋଳ ନ ହେଲା ! ଶେଷରେ କୋଟ କଚେରୀକୁ ଦୌଡ଼ି ଦୌଡ଼ି ଦୁଇ ସାଇଲୋକଙ୍କର ଗୋଡ଼ରୁ ପାଣି ମଲା–ଅଥଚ ଆଜି ବଣ ପରି କଇଁଫୁଲଗୁଡ଼ାକ ଫୁଟିଛି ଯେ କେହି ଟିକେ ଆଡ଼ ଆଖିରେ ପଚାରୁନାହାନ୍ତି ଲୋ ।

 

ହସି ହସି ସେ କହିଲା–ଆଲୋ ହୁଣ୍ଡୀ–ଏଡ଼େଟିଏ ହେଲୁଣି–ଶଅର ଘର ହୋଇଥିଲେ ହେଁସେ ପୁଅ ଝିଅ ନେଇ ଘରସଂସାର କରନ୍ତୁଣି–ଏତକ ବୁଝିପାରୁ ନାହୁଁ ଲୋ ? ଆଲୋ, ବାହାଘରବେଳେ ସିନା ବାଇଦ ସୁନ୍ଦର–ଯେତେବେଳେ ଯାହାନା.....

 

ତା’ ମୁହଁରେ ଏତକ ଶୁଣି ମତେ ବଡ଼ ହସ ଲାଗିଲା–ହସୁ ହସୁ ପଚାରିଲି–ଆଲୋ, ମୋଠାରୁ ଛଅମାନ ବଡ଼ ହୋଇ ସଦାବେଳେ ତତେ ଅପା ବୋଲି ଡାକିବାକୁ ଜିଦ୍‌ଧରୁ, ଆଚ୍ଛା କହିଲୁ–ତୋର କେତେ ହେଁସେ ପିଲାଛୁଆ ଗଡ଼ଗଡ଼ୋଉଛନ୍ତି ? ବାହାଘର ସରିଗଲେ ମନ ଖୁସିରେ କେହି ବାଇଦ ବଜାଇଲେ କ’ଣ ଅସୁନ୍ଦର ଦିଶିବ ?

 

ମୋ କଥାରେ ଚିଡ଼ି ଉଠି ଶେଳ କହିଲା–କି ପ୍ରକୃତି କିଲୋ ତୋର ? ସବୁ କଥାରେ ଖାଲି ଯୁକ୍ତି–ଏଣିକି ତୋତେ ମୁଁ ଆଉ କଥାରେ ପାରିବି ନାହିଁ–ତୋତେ କଅଣ ତୋର ଚାରି ଖୁରାକୁ ମୋର ଓଳିକି ଲୋ......

 

ହସି ହସି ପାଣି ଆଞ୍ଜୁଳାଏ ଧରି କହିଲି–ଆଲୋ, ମୁଁ ମଣିଷଟାଏ ମ–ମୋର ଦୁଇଟା ଗୋଡ଼ ଅଛି କିନ୍ତୁ ତୋର....କହି ପାଣି ଆଞ୍ଜୁଳାକ ତା’ ଦେହକୁ ଫୋପାଡ଼ି ଦେଇ ଟୁବ୍‌ କରି ପାଣି ଭିତରେ ବୁଡ଼ିଗଲି ।

 

ଟିକକ ଟିକକ କଥାରେ ଶଇଳକୁ ମୁଁ ଏପରି ଚିଡ଼ାଇ ଦିଏ–ସେ ରାଗି ଉଠିଲେ ମୁଁ ହସିଉଠେ–ହେଲେ ଏତେ ରଗାରଗି ମୁହଁ ଫଟାଫଟିରେ ଦିନେ ଜଣେ ଜଣକୁ ନ ଦେଖିଲେ ବାୟାଣିପରି ହୋଇଯାଉ । ମୁଁ ତୋ କଥା ଧରେ ନାହିଁ କି ସେ ମୋ କଥାକୁ ଧରେ ନାହିଁ–ସେଥିପାଇଁ ଶଇଳ ସାଙ୍ଗରେ ଗାଁର ସବୁ ଝିଅମାନଙ୍କ ଭିତରେ ମୋର ମନ ମିଳେ ବେଶୀ.....

 

ଶୀତରେ ଥରିଉଠି ମୋତେ ପାଣିରେ ବୁଡ଼ାଇବା ପାଇଁ ସେ ପାଣି ଭିତରକୁ ଡେଇଁପଡ଼ିଲା–ମୁଁ ଯେମିତି ପାଣି ଉପରକୁ ଉଠି ତାକୁ ଦେଖିଛି ସେମିତି ତା’ ଆଡ଼କୁ ଚାହିଁ ଚାହିଁ ଚିତ୍‌ ପହଁରା ଦେଇ ଆରପାଖ କୂଳରେ ପହଁଚି ଓଦାଲୁଗା ଚିପୁଡ଼ି ଠିଆହେଲି ।

 

ଶୈଳ ରାଗରେ ଗରଗର ହୋଇଉଠିଲା–ତାପରେ ମୋର ମୁଣ୍ଡ ଓଦା ହେବାର ଦେଖି କହିଲା–ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ ! ଚାଲ ଚାଲ ଘରକୁ, ଚାଲ ଲୋ ଟୋକି–ମାଉସୀ ଆଜି ଦେବେ ଯେ....

 

ମନେମନେ ଭୟରେ ଥରିଉଠିଲି । ଭାବିଲି ସତେ ମୁଁ କ’ଣ ନ କଲି ! ବୋଉ ମୋତେ ବାରମ୍ବାର ମନା କରିଥିଲା ମୁଣ୍ଡ ଓଦା କରିବା ପାଇଁ ଆଉ ମୁଁ ଅଲକ୍ଷଣୀ କରି ବସିଲି କଅଣ ? ବୋଉ ମୋତେ କ’ଣ ଆଜି ବାସ ଦେବ ?

 

ଡରି ଡରି ଶୈଳ ଓ ମୁଁ ତରତର ହୋଇ ଦାଣ୍ଡେ ଦାଣ୍ଡେ ପଳାଇ ଆସିଲୁ–ଘରକୁ ମୁଁ ପଶି ଯାଉ ଯାଉ ତଳ ଖଞ୍ଜାଆଡ଼ୁ ବୋଉର ଆଖି ମୋ ଉପରେ ଯେମିତି ପଡ଼ିଛି ସେମିତି ସିଆଡ଼ୁ ରାଗରେ ଗର୍ଜି ଉଠି କହି କହି ଆସିଲା–କି ଉପୁଡ଼ଙ୍ଗରୀ ଟୋକିଟାଏ କିଲୋ ? କୋଉ ଗୁଣକୁ ଏତେ ସେରନ୍ତୀ ହୋଇଛୁ ମ ? ଦେଖୁଛୁ ତ ବାପର କିପରି ଅବସ୍ଥା–ତୋ କଥା ଭାବୁ ଭାବୁ ମୁଣ୍ଡରୁ ତା’ର ହାତ ବାହାରୁ ନାହିଁ କି ତୁଣ୍ଡକୁ ଭାତ ଯାଉ ନାହିଁ–କି ଖରା, କି ତରା ସଦାବେଳେ ଆମମାନଙ୍କ ପାଇଁ ନ ଖାଇ ନ ପିଇ ଦୌଡ଼ି ଦୌଡ଼ି ସେ ହେଲାଣି କଅଣ–ସୁନାପାତିଆ ପରି ଗୋରା ତକ ତକ ଦେହ ଶୁଖିଶାଖି କଳା ଅଙ୍ଗାର ଦିଶିଲାଣି–ଏଡ଼େଟିଏ ହେଲୁଣି ଏକଥା ଟିକେ ଭାବି ପାରୁନାହୁଁ ? ଏବେ ପରା ନିମୁନିଆରୁ ଉଠିଛୁ–ସୁଅ ପରି ଟଙ୍କା ଖର୍ଚ୍ଚ କରି କରି, କେତେ ଡାକ୍ତର ବଇଦ ଲଗାଇ ଏବେ ପରା ବାପା ତୋର ଯମ ମୁହଁରୁ ଫେରାଇ ଆଣିଛି–ଆଉ ତୁ ପାଣିରେ ପାଣିକୁଆ ଭଳି ବୁଡ଼ି ବୁଡ଼ି ଏତେବେଳକୁ ଆସୁଛୁ । ଦେଖାଯାଉ ଆଜି ତୋର ଦିନେକୁ ତ ମୋର ଦିନେ–ଏହା କହି ଖଣ୍ଡେ ବତାଫାଳିଆ ଧରି ଉଞ୍ଚେଇଚି ଏଇ ସମୟରେ କାହା ଦେହରେ ଧକ୍‌କା ଖାଇ ମୁଁ ପଛକୁ ଚାହିଁଦିଏ ତ ମୋ ପଛରେ ଠିଆ ହୋଇଛନ୍ତି ସୁର ଭାଇ......ହସି ହସି ସେ ବୋଉକୁ କହିଲେ, ଆଜିକାଲି କ’ଣ ତୁମ କଥା ସେ ମାନୁ ନାହିଁ କି ମାଉସୀ ? ଯେମିତି ତାଙ୍କୁ ଦେଖିଦେଇଛି ଦେହ ମୋର ଶୀତେଇ ଉଠିଲା–ମୁଣ୍ଡ କ’ଣ ହୋଇଗଲା–ଲାଜରେ ତାଙ୍କଠାରୁ ଦୂରେଇ ଯାଉ ଯାଉ ଦେଖିଲି ବୋଉର ସେ ପୂର୍ବରାଗ ମୋ ଉପରୁ ଚାଲିଯାଇ, ତା’ ହାତରୁ ବତାଫାଳିଆଟା ଖସି ପଡ଼ିଲାଣି–

 

ମୋତେ ପଛରୁ ଠେଲିଦେଇ ଶଇଳ କହିଉଠିଲା–ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ ଲୋ–

 

ମିଛରେ ତା’ ଉପରେ ରାଗିଉଠି ମୁହଁକୁ ବୁଲାଇ ନେଇ କହିଲି–ଉହୁଁ........

 

ସେ ମୋତେ ଖତେଇ ହେଲାପରି ‘‘ହୁଁ’’ କହି ଦୌଡ଼ି ଦୌଡ଼ି ତାଙ୍କ ଘରକୁ ଚାଲିଗଲା....ସେତେବେଳକୁ ଦିନ ଆଠଟା ବାଜିଲାଣି.......

 

ତରତରରେ ଘର ଭିତରକୁ ପଶିଯାଇ ଶାଢ଼ିଟା ପାଲଟି ପକାଉ ପକାଉ ଭାବିଲି–ପ୍ରକୃତରେ ବୋଉ କ’ଣ ଭାବିନଥିବ ?

 

ଆଗପଛ ଚାହିଁ ଯିବା ମୋ ଦେଇ ଆଉ ହେଲାନି–ଓଦା ଲୁଗାରେ ସୁର ଭାଇଙ୍କ....

 

ପୁଣି ଥରେ ସୁର ଭାଇଙ୍କ ଆଗରେ ଯିବାକୁ ଲାଜ ମାଡ଼ିଲା–ପାଦ ବଳିଲା ନାହିଁ–ମନେମନେ ରାଗିଉଠି ଭାବିବାକୁ ଲାଗିଲି–କେଡ଼େ ଦୁଷ୍ଟ, କି ବେଖିଆଲି ମଣିଷଟିଏ ମ ? ହଠାତ୍‌ ଘର ଭିତରକୁ ପଶି ଆସୁଛନ୍ତି ଯେ ଆଗକୁ ପଛକୁ ସୁଦ୍ଧା ଟିକେ ଅନଉଁ ନାହାନ୍ତି । ଛିଃ–କେଡ଼େ ବେସରମୀ ଲୋକଟିଏ ମ ?

 

ବୋଉ ଆଜି କଅଣ ଭାବି ନଥିବ.....

 

ଲାଜରେ ପାଦ ମୋର ଚଳୁନଥାଏ ସେ ଘରୁ ବାହାରି କୁଆଡ଼େ ଯିବାପାଇଁ ।

 

କାନ୍ଥରେ ବଡ଼ ଦର୍ପଣ ଆଗରେ ଠିଆହୋଇ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ କାହିଁକି କେଜାଣି ମନର ମନା ନ ମାନି ମୋ ଆଖିଦୁଇଟା ତାଙ୍କ ଆଡ଼େ ଥରେ ଥରେ ଘୂରିଆସୁଥାଏ.....ବୋଉ ତ ମୋର ବଡ଼ ଗପୁଡ଼ି, ଗପୁଥିବ ଯଦି ଗପୁଥିବ....ଖାଇବା ପିଇବା ନ ହେଲେ ମଧ୍ୟ ଚଳେ–ସୁରଭାଇ ସାଙ୍ଗରେ ଏଣୁତେଣୁ କେତେ କ’ଣ ଗପ ସେ ଲଗାଇ ଦେଇଥାଏ.....

 

ଏଇ କାଆଲି ପରି ପାଞ୍ଚବର୍ଷ ହେଲା ସେ କଟକ ପଢ଼ିବାକୁ ଯିବା ଭିତରେ ତାଙ୍କର ଏତେ ପରିବର୍ତ୍ତନ ହୋଇଯାଇଛି । ପିଲାଦିନର ସେ ଖାସୁରା ଖାସୁରା କାଛୁକୁଣ୍ଡିଆ ଦେହ ତାଙ୍କର କୁଆଡ଼େ ଲୁଚିଗଲାଣି–ତା’ ବଦଳରେ ହାତ ଗୋଡ଼ଗୁଡ଼ିକ ବଳିଲା ବଳିଲା, ପୂରିଲା ପୂରିଲା ଗାଲ ଦିଓଟି, ଗୋରା ତକତକ୍‌ ଦେହ ସବୁ ଝଟକି ଉଠିଲାଣି । କୁଞ୍ଚୁକୁଞ୍ଚିଆ ଘନ କାଳିଆ ବାଳଗୁଡ଼ିକ ମୁଣ୍ଡରେ ତାଙ୍କର ଦୁଇଆଡ଼କୁ ଲହରୀ ଭାଙ୍ଗିଲା ପରି କୁଣ୍ଡିଆ ହୋଇଥାଏ । ଗେଡ଼ା ଦେହକୁ ପତଳା ସିଲକ୍‌ ପଞ୍ଜାବୀ ବଡ଼ ମାନୁଥାଏ ।

 

ତଥାପି କାହିଁକି ରାଗରେ ଆଖିଦୁଇଟା ମୋର ଆପଣାଛାଏଁ ଫେରିପଡ଼ିଲା–ଏତେଦିନପରେ ଗାଁକୁ ଫେରିଲେ ସୁଦ୍ଧା ହସିକରି ପଦେ କଥା କହିବାକୁ ଇଚ୍ଛା ହେଲାନାହିଁ–ଆଜି ଯେଉଁ ଭୁଲ କରି ବସିଲି ସେଥିପାଇଁ ମୁଁ ମୋ ଅପେକ୍ଷା ତାଙ୍କୁ ବେଶୀ ଦୋଷ ଦେଉଥାଏ–ମୁଁ ଭାବୁଥାଏ ମୁଁ, ତ ଆଉ ଦଶ, ପନ୍ଦର ବର୍ଷ ତଳର ଲତା ହୋଇ ଆଜି ନାହିଁ ଯେ ଯେତେ ଯାହା କଲେ କେହି କିଛି ଭାବିବେ ନାହିଁ ? ପିଲା ଭାବି ସବୁ ଦୋଷକୁ କ୍ଷମା ଦେଇଦେବେ ? ସେତେବେଳେ ଯେତେ ବଡ଼ ବଡ଼ ଦୋଷ କରି କ୍ଷମା ପାଇଥିଲେ ସୁଦ୍ଧା ଆଜି ପରା ଟିକକ ଟିକକ ନିହାତି ସାମାନ୍ୟ କଥାରେ ଦୋଷଧରି ବସିବେ ?

 

ଏଇ ସମୟରେ ବୋଉ ଡାକ ପକାଇଲା–କିଲୋ ଲତାସୁରକୁ ଏଠାରେ ବସାଇଦେଇ ତୁ ଘର ଭିତରେ କ’ଣ କରୁଛୁ କି ? ପୁଅଟା କେତେବେଳୁ ଆସି ବସିଲାଣି ଯେ, ତାକୁ ପାନ ଖଣ୍ଡିଏ କି ଜଳଖିଆ ଦିଇଟା ଦେବା ତୋ ହାତରେ ଆଉ ହେଲାନାହିଁ–ଆସୁଛୁ ନା...

 

ବୋଉ ଡାକରେ ଆଖି ଫେରାଇ ଚାହିଁଦେଇ ଦେଖେ ତ–ସୁର ଭାଇଙ୍କ ମୁହଁରେ ସେ ସରସତା ନାହିଁ–କିପରି ଶୁଖିଲା ଶୁଖିଲା ଦିଶି ଝାଉଁଳି ପଡ଼ିଛି–ବୋଉ କଥାରେ ସମତା ରଖିବାପାଇଁ କିପରି ବାଧ୍ୟହୋଇ ହସୁଛନ୍ତି ସିନା କିନ୍ତୁ ମନେମନେ ଭାବୁଛନ୍ତି କେତେ କଅଣ... ?

 

ବୋଉ ପାଟିରୁ କଥା ନ ସରୁଣୁ ସଙ୍ଗେ ସଙ୍ଗେ ସେ କହିଲେ–ନାଇଁ ମାଉସୀ ପାନ ମୁଁ ତ ଖାଏ ନାହିଁ–ତାପରେ ମୋର କେତେ କାମ ଅଛି । ଯାଉଛି–ପରେ ଆସିବି–ଏହା କହି ଉଠି ଠିଆହେଲେ ।

 

ବୋଉ ତାଙ୍କର ହାତଧରି ଅଟକାଇ କହିଲା, ନାଇଁମ ପୁଅ–ଟିକିଏ ବସ । ଏତେଦିନପରେ ଆସି ଦଣ୍ଡେ ବସୁ ନ ବସୁଣୁ କ’ଣ ନା ମୋର କାମ ଅଛି–ଇମିତି କି କାମଗୁଡ଼ିକ ତେଣେ ପଡ଼ିଛି କି ?

 

ଧୀରେ ଧୀରେ ଚାଲୁ ଚାଲୁ ସେ କହିଲେ, ନାଇଁ–ସେପରି କିଛି ଗୁଡ଼ିଏ ବଡ଼ କାମ ଯଦିଓ ନାହିଁ ତେବେ ସକାଳେ ଗାଡ଼ିରୁ ଆସି ଘରେ ପାଦ ଦେଉ ନ ଦେଉଣୁ ଏଇଆଡ଼େ ବୁଲି ଆସିଲି । ଏତେବେଳ ହେଲାଣି–ଡେରି ଦେଖି ତେଣେ ବାପା ବ୍ୟସ୍ତ ହେଉଥିବେ–ମୁଁ ତ ମାସେ ଖଣ୍ଡେ ଗାଁରେ ଅଛି–ସମୟ ଦେଖି ଆସିବି ଯେ...ଏହା କହି ଧୀରେ ଧୀରେ ସେ ଦାଣ୍ଡ ପିଣ୍ଡାରୁ ଓହ୍ଲାଇଲେ–ଗଲାବେଳେ କିପରି କ’ଣ ମନରେ ଭାବି ଫେରିପଡ଼ି ପଛକୁ ଟିକିଏ ଚାହିଁ ଦେଇଥିଲେ–

 

ଦେଖିଲି–କି କରୁଣ କି ମିନତୀଭରା ସେ ଚାହାଣୀ ! ଏବେ ବି ମଧ୍ୟ ମୋ ମନରୁ ମୁଁ ସେ ଚାହାଣୀକୁ ପାଶୋରି ଦେଇପାରୁ ନାହିଁ ।

 

ବୋଉ ତାଙ୍କୁ ବାଟୋଇ ଦେଇ ଫେରିଆସିଲା–ମୁଁ ସେ ଘରେ ସେଇପରି ବସି ରହିଥାଏ–ମୋ ପାଦ ଚଳୁ ନଥାଏ କି ସୁରଭାଇଙ୍କୁ ରହିବାକୁ କହିବାକୁ ଜିଭ ଲେଉଟୁ ନ ଥାଏ.....

 

ମନମାରି, ନିଜର ଦୋଷ ପାଇଁ କି ଆଉ କେଉଁଥିପାଇଁ ସେ ଚୁପ୍‌ ହୋଇ ଧୀରେ ଧୀରେ ଚାଲିଗଲେ....

 

ମୁଁ କେବଳ ତାଙ୍କ ଗଲା ବାଟକୁ ଚାହିଁ ରହିଥାଏ....

 

।। ଦୁଇ ।।

 

ସୁର ଭାଇ ଚାଲିଗଲାପରେ ମନଟା କାହିଁକି କେଉଁଥିରେ ଲାଗିଲା ନାହିଁ–ଘରର କାମଦାମରେ ବୋଉ ସଙ୍ଗେ ମିଶି ମଧ୍ୟ ପଛକଥାକୁ ଭୁଲି ହେଲା ନାହିଁ । ମୁଁ ଖାଲି ଭାବିବାକୁ ଲାଗିଲି–ପିଲାଟି ଦିନରୁ ମା’ ଛେଉଣ୍ଡ ବୋଲି ମା’ର ଆଦର ସିନିହ ପାଇବା ଆଶାରେ କାଳେ ସକାଳେ କେବେ କିମିତି ଗାଁକୁ ଆସିଲେ ଛୁଟି ଆସନ୍ତି ଆମ ଘରକୁ–ମୋ ବୋଉ ସଙ୍ଗରେ, ମୋ ସାଙ୍ଗରେ ହସି ଖେଳି ଛୁଟିଟା କଟାଇ ଦେଇ ଫେରି ଯିବାପାଇଁ....

କିନ୍ତୁ ତାଙ୍କର ଏଥର ସେ ଯେଉଁ ଆଶା, ସେ ଯେଉଁ ଉତ୍କଣ୍ଠା, ଆନନ୍ଦ ତା’ ଉପରେ ମୁଁ କ’ଣ ନ କଲି ?

ମନେମନେ ନିଜକୁ ଅପରାଧୀ ଭାବି ବହୁତ ଧିକ୍‌କାରିଲି, ନିନ୍ଦିଲି । ଭାବିଲି ସେ ତ ଜାଣିଶୁଣି ଏ ଭୁଲ କରି ନାହାନ୍ତି–ଅତି ଆନନ୍ଦରେ ନାଚି ନାଚି ଘର ଭିତରକୁ ପଶି ଆସୁଥିଲେ, ସେ ବା କାହିଁକି ଏତେ ଆଡ଼କୁ ନଜର ଦିଅନ୍ତେ–

ଛୋଟ ଛୋଟ ଅଦରକାରୀ କଥାଗୁଡ଼ାକୁ ଭାବି ଭାବି ମନେମନେ ଖୁବ୍‌ ବଡ଼ କରିଦେବା, ତାପରେ ନିଜେ ଦୋଷକରି ପର ଉପରେ ଲଦିବା ଏ ଦୁଇଟି ମୋର ପିଲାଦିନର ଜନ୍ମଗତ ଅଭ୍ୟାସ-। ଦୋଷ କରିଲି ମୁଁ–ତାଙ୍କୁ ଏଥିପାଇଁ କ୍ଷମା ମାଗିବା ବଦଳରେ ଓଲଟି ମୁଁ ତାଙ୍କୁ ରାଗ ଆଉ ଅଭିମାନରେ ପାଟି ଫିଟାଇଲି ନାହିଁ କି ତାଙ୍କ ଆଗରେ ଗଲି ନାହିଁ । ସେଇ ପିଲାଦିନର ଧୂଳିଘରର ସାଥୀ ସୁର ଭାଇ ଆଜି ମୋ ବିଷୟରେ କ’ଣ ଭାବି ନଥିବେ ? କେତେ ଆଡ଼ୁ କେତେ ପ୍ରକାର ଭାବନା ମୋ ସମ୍ବନ୍ଧରେ ତାଙ୍କ ମୁଣ୍ଡରେ ଖେଳିନଥିବ ? ଶେଷରେ ଭାବିଥିବେ–ଆଜିକାଲି ଲତାଟା ବଡ଼ ଗରବଣୀ ହୋଇଗଲାଣି ଯେ ମଣିଷକୁ ଦେଖିଲେ ଟିକେ ଆଡ଼ ଆଖିରେ ସୁଦ୍ଧା ଚାହୁଁ ନାହିଁ ।

ମନ ମୋର ନିଜ ଅର୍ଜିଲା ଦୋଷ ପାଇଁ ବିଳପି ଉଠିଲା ।

ଦିନେ ଗଲା–ଦୁଇଦିନ ଗଲା–ତଥାପି ସୁର ଭାଇଙ୍କର ଆମ ଘରେ ପାଦ ପଡ଼ିଲା ନାହିଁ–ଗାଁରେ କେଉଁଠି କୁଆଡ଼େ ଥାଆନ୍ତି ଯେ ଦେଖା ସୁଦ୍ଧା ମିଳୁ ନ ଥାଏ ।

ସେଦିନ ମଗୁଶିର ମାସ ଗୁରୁବାର ହୋଇଥାଏ–ବୋଉ ଓ ମୁଁ ସକାଳୁ ଲାଗିପଡ଼ି ଛୁଞ୍ଚିପତ୍ର, ସରୁ ଚକୁଳି, ଏଣ୍ଡୁରି ପ୍ରଭୃତି କେତେ କିସମର ପିଠା ତିଆରି କରି ରଖିଥାଉ–ଅଳ୍ପ କେତେ ପିଠୋଉ ଆଉ ବଳିଥାଏ ତାକୁ ମୋତେ କରିବାକୁ ଛାଡ଼ିଦେଇ ସେ ସୁର ଭାଇଙ୍କୁ ଡାକିବା ପାଇଁ ତାଙ୍କ ଘରକୁ ଚାଲିଗଲା–ବହୁତ ଖୋଜାଖୋଜି କରି ପ୍ରାୟ ଘଣ୍ଟାକ ପରେ ତାଙ୍କର ହଜାର ‘‘ନାହିଁ’’ ‘‘ନାହିଁ’’କୁ ନ ଶୁଣି ଜୋର କରି ଧରି ଘେନି ଆସିଲା–ମୁଁ ବୁଝିପାରେ ନାହିଁ କାହିଁକି ବୋଉ ତାଙ୍କୁ ଏତେ ଭଲପାଏ ଆଦର ସ୍ନେହ କରେ ।

ମୁଁ ଏହା ଭିତରେ ପିଠା ସବୁ କରି ସାରିଥିଲି । ବୋଉ ମଝିଘରେ ତାଙ୍କୁ ବସାଇ ଦେଇ ଗୋଟିଏ ଥାଳିରେ ଆପଣା ହାତରେ ସବୁ ସଜାଡ଼ି ନେଇ ତାଙ୍କ ଆଗରେ ଥୋଇଦେଇ ତା’ର ଗପ ଲଗାଇଦେଲା ।

ମନ ହେଉଥାଏ ଯାଇ ସୁର ଭାଇଙ୍କୁ ଭରସିକରି କଥା ପଦେ କହି ଦୋଷ ମାଗି ନେବି–ପୁଣି ପୂର୍ବପରି ହସି ଖେଳି ଦିନଗୁଡ଼ିକ କଟେଇଦେବି; କିନ୍ତୁ କାହିଁକି ତାଙ୍କୁ ଦେଖି ଲାଜରେ ମୁଁ ସଢ଼ି ଯାଉଥାଏ ତାଙ୍କ ଆଗକୁ ଯିବାକୁ ସାହସ ହେଉ ନ ଥାଏ ।

 

ଗପୁ ଗପୁ ମଝିରେ ବୋଉ ଡାକ ପକାଇଲା ଲତା ମ ଆଲୋ ପାଣି ଗିଲାସେ ଦେଇ ଯା.....କ’ଣ ସେ ଘରଟାରେ ପଶି କରୁଛୁ କି ? ସବୁ କାମ ମୁଁ କଲେ ଯାଇ ହେବ ନ ଦେଲେ ନାହିଁ-

 

ଦେଖିଲି ଆଉ ଉପାୟ ନାହିଁ । ବାଧ୍ୟହୋଇ ପାଣି ଗିଲାସେ ନେଇ ତାଙ୍କ ପାଖରେ ଥୋଇଦେଇ ବୋଉର ପିଠି ଆଢ଼ୁଆଳରେ ଠିଆହୋଇ ରହିଲି ।

 

ଖାଉ ଖାଉ ମଝିରେ ମଝିରେ ବୋଉର ଅଜାଣତରେ ତାଙ୍କ ଆଖି ସେ ମୋ ଆଡ଼େ ବୁଲାଇ ନେଉଥାଆନ୍ତି । ବୁଢ଼ିଆଣୀ ସୂତାପରି ତାଙ୍କ ଆଖିରୁ କେତେଗୁଡ଼ିଏ ପ୍ରଶ୍ନ ମୋ ଦେହରେ ଛନ୍ଦି ହୋଇ ଯାଉଥାଏ ।

 

ତଥାପି ସେ କରୁଣ, ମିନତୀଭରା ଚାହାଣୀରୁ କି ଇଙ୍ଗିତ ପାଇଲି କେଜାଣି ମନହେଲା ଯାଇ ସୁର ଭାଇଙ୍କର ପଦ ତଳେ ପଡ଼ି କହନ୍ତି, ସୁର ଭାଇ ସବୁ ଦୋଷ ମୋର । ସାନ ଭଉଣୀଟା ଅଜାଣତରେ ଭୁଲ କରି ପକାଇଲା ବୋଲି ତୁମେ କ’ଣ ତାକୁ କ୍ଷମା ଦେବ ନାହିଁ ? ଅଭିମାନରେ ଏଇମିତି ବସିରହି କଥାପଦେ ବି କହିବ ନାହିଁ ? ଯେତେ ଭୁଲ କଲେ ସୁଦ୍ଧା ମୁଁ ପରା ତୁମଠାରୁ ସାନ....

 

କିନ୍ତୁ ମନ ଭିତରର ଏତେଗୁଡ଼ାଏ ଭାବନା ମନେମନେ ଜନ୍ମ ନେଇ ଭିତରେ ଭିତରେ ମରି ଯାଉଥାଆନ୍ତି– କୌଣସି ଗୋଟିଏ କଥାକୁ ରୂପ ଦେଇ ବାହାର କରିବାକୁ ସାହସ ହେଉ ନଥାଏ ।

 

ସେ ଖାଇସାରି, ହାତ ଧୋଇ ପିଢ଼ାରେ ଆସି ବସିଲେ–ବୋଉର ଗପର ସୁଅ ବାଧା ନପାଇ ସେଇମିତି ଚାଲିଥାଏ । ଖାଇସାରି ଚାଲିଯାଇଥାନ୍ତେ କିନ୍ତୁ ବୋଉର ଗପଲାଗି ବସିବାକୁ ବାଧ୍ୟହେଲେ–ମନ ସୁଖ ନ ଥିଲେ, ଆଦର ନ ଥିଲେ ସେ ଖାଇବା କ’ଣ ଖାଇବାରେ ଲେଖା । ଦି’ତିନି ଖଣ୍ଡ ପିଠା ଖାଇ ସବୁ ସେମିତି ଥାଳିରେ ଥୋଇଦେଇ ଥାଆନ୍ତି ।

 

ବୋଉ ମୋତେ ଆକଟାଇ କରି କହିଲା–ଖୁଣ୍ଟଟା ପରି ପଛରେ ଠିଆହୋଇଛୁ କ’ଣ ? ତୋତେ ଦିଶୁନାହିଁ । ପୁଅଟା ଖାଇସାରିଲାଣି ଖଣ୍ଡେ ପାନ ଦେବା କି କ’ଣ...

 

ବୋଉ କଥା ଶୁଣି ଥରିଲା ଥରିଲା ପାଦରେ ପିଣ୍ଡା ଉପରେ ବସି ପାନ ଖଣ୍ଡିଏ ଭାଙ୍ଗୁ ଭାଙ୍ଗୁ କହିଲି–ବୋଉ ପାନରେ ଖଇର ଦେବି ?

 

ମୋ କଥା ଶୁଣି ବୋଉ ରାଗି ଉଠି କହିଲା–ମୁଁ କ’ଣ ପାନ ଖାଇବି ଯେ କହିବି ? ସୁରକୁ କ’ଣ ଏତେ ଲାଜ ମ–କେବେ ତ ଦିନକ ପାଇଁ ନୁହେଁ–ଦିନ ଦିପହରେ ଲାଜ ତୋ ଦେହରୁ କୁଆଡ଼େ ଚାଲିଯାଏ ଆଉ ଆଜି ସୁର ଆଗରେ ଏତେ କାହିଁକି ମ ?

 

ଏତେ ସମୟ ପରେ ତାଙ୍କ ମୁହଁରୁ ଟିକେ ହସ ବାହାରିଲା । ହସି ହସି ସେ କହିଲେ–କେବେଠାରୁ ଏ ଲାଜ ଶିଖିଲାଣି ମ ? ଯାହାହେଉ ମାଉସୀ ଆମର ଖୁବ୍‌ ଚତୁରୀ–ତା’ ଶାଶୁଘରୁ କାହାଠାରୁ ପଦେ ଅଧେ ଶୁଣିବେ କାହିଁକି ସେଥିପାଇଁ ଝିଅଙ୍କୁ ଆଗରୁ ଲମ୍ବ ଓଢ଼ଣା ପକାଇବା ଶିଖାଇ ଦେଲେଣି । ହଁ, ହଁ ଲତା ମ ଭଲ କରି ଲାଜ କରିବୁ–ନ ହେଲେ ଆମକୁ ଦାଣ୍ଡରେ ପାଞ୍ଚ ପଚିଶଙ୍କ ଠାରୁ ବୋଲଣା ଶୁଣାଇବୁ–ହେଲେ ସବୁ ଲୁଚିଲା ଯେ ଗୋଡ଼ଟା ତ....

 

ମୁଁ ଫେଁ କରି ହସି ଉଠିଲି–ଲାଜ କୁଆଡ଼େ ପଦେ କଥାରେ ପାଣି ଫାଟିଗଲା–ତାପରେ....

 

ଠିକ୍‌ ଏତିକି ବେଳକୁ ବୋଉ କହିଲା–ଆରେ ପୁଅ ଆଜିକାଲି ଯୁଗ ଯାହା ହେଲାଣି ଏଥିରେ ଝିଅମାନଙ୍କଠାରୁ ଲାଜ ମହତ କୁଆଡ଼େ ଚାଲିଗଲାଣି । ଆଜିକାଲି ତ ଝିଅମାନେ ବାହା ନ ହେଉଣୁ ଚିଠି ଦିଆନିଆ, ସିନେମା ଦେଖା, ଏକାଠି ହାତ ଧରାଧରି ହୋଇ ବୁଲିଯିବା ଇମିତି କେତେ କ’ଣ କଲେଣି–ୟା’ ନା ଫେର କ’ଣ ନା ରାଜିରୁଜା ବାହାଘର–କହୁଛନ୍ତି ଯାହା ସହିତ ଚିରଦିନ ପାଇଁ ସଂସାର କରିବୁ ତା’ର ମତିଗତି ନ ଜାଣି କିପରି....

 

କିନ୍ତୁ ପୁଅ ମିଛ କହୁନାହିଁ– କହୁଥିଲେ ଛାତି ଫାଟିଯିବ–ମୋର ମନେଅଛି ମୋରି ବାହାଘର ବିଷୟ ନେଇ ଶଶୁର ଯେତେବେଳେ ଆମ ଘରକୁ ଗଲେ ସେତେବେଳେ ଲାଜରେ ମୁଁ ଯାଇ ଆମ ଧାନ କୋଠିତଳେ ଲୁଚିଲି ଖୋଜି ଖୋଜି ମୋତେ ରାତି ଅଧକୁ ପାଇଲେ...ଆଉ ଆଜିକାଲି–ବାପା ମା’ଙ୍କୁ ତ ଛାଡ଼ିକରି ଶାଶୁଘରକୁ ଗଲାବେଳେ ଝିଅଙ୍କ ଆଖିରୁ ପାଣି ଟୋପେ ବାହାରୁ ନାହିଁ–ଅଥଚ ଆମେସବୁ ଶାଶୁଘରକୁ ଯିବାର ମାସକ ପୂର୍ବରୁ ଶଶୀଦେଇ କାନ୍ଦ, କାନ୍ଦଣା ଲହରୀ ପଢ଼ି କାନ୍ଦି କାନ୍ଦି ଅଥା ହୋଇଯାଇଥାଉ–ପୁଣି ଆଜିକାଲି କ’ଣ ନଭେଲ ବାହାରିଛି–ବୋପା ମା’ଙ୍କ ଆଗେ ଅଳି କ’ଣ ନା ନଭେଲ କିଣିବୁ–ପୁଣି ପୁଅ ସେ ବହିରେ କି ମିଠା ଲାଗିଛି ଯେ, ପଢ଼ିଲାବେଳେ ଭୋକ ଶୋଷ ମଧ୍ୟ ପାଶୋରି ଦେଉଛନ୍ତି !

 

ବୋଉ କଥା ଶୁଣି ସୁର ଭାଇ ହସି ହସି କହିଲେ–ମାଉସୀ, ସବୁକଥା କ’ଣ ସବୁଦିନ ସମାନ ରହେ ? କହିଲ ଦେଖି–ସେତେବେଳେ ଟଙ୍କାରେ ଧାନ କେତେ ନଉତି ହୋଇଥିଲା ଆଉ ଆଜି......ସେତେବେଳେ ପରା ରଜା ରାଇଜ ଥିଲା ଯେ ଟିକକ କଥାରେ ଉଁ କି ଚୁଁ କରି ପାଟି ଫିଟାଇ ହେଉ ନଥିଲା–ରଜା ଯେତେ ଭୁଲ କଲେ ସୁଦ୍ଧା ଠିକ୍‌ ବୋଲି କହିବାକୁ ହେଉଥିଲା–ତୁମେ କ’ଣ କେବେ ସପନରେ ସୁଦ୍ଧା ଭାବିଥିଲ ଯେ ଏଇ ରାମ ମଳିକ ପୁଅ ଦୟା ଭୋଟ ପାଇଁ ଯାଇଁ ରାଇଜ ବୁଝିବ ବୋଲି ? ପୁଣି ମନେ ପକାଇଲେ ଚ୍ୟାଉ ପଟ୍ଟନାୟକଙ୍କ ନ ଶୁଣିଲେ ଗର୍ଭଣୀ ଗାଈ ଯେଉଁଠି ବାଟ ଆଡ଼େଇ ଚାଲି ଯାଉଥିଲା ସେଇ ପଟ୍ଟନାୟକଙ୍କୁ ସାମାନ୍ୟ ଗାଡ଼ିଆର ମାଛ କେଇଟା ପାଇଁ ପାଣସାହି ଲୋକେ ତାଙ୍କ ମୁହେଁ ମୁହେଁ କେତେ କଥା କହି ନ ଗଲେ ! ତେଣୁ.....

 

ବୋଉ ମୋର ଅବଶୋଷରେ ଦୀର୍ଘନିଃଶ୍ୱାସ ଟାଣି କହିଲା–‘‘ହଁରେ ପୁଅ–କିସ ପୁଣି ଦେଖା ନ ଯାଏ ଜୀଇଥିଲେ ଜୀବରେ ?’’

 

ମୁଁ ଗୁଆକାତିରେ ଗୁଆ କାଟୁ କାଟୁ ମୋ ହାତ କେତେବେଳେ ତାଙ୍କ କଥାବାର୍ତ୍ତା ଭିତରେ ବନ୍ଦ ହୋଇଯାଇଛି–ସେ ଆଡ଼କୁ ମୋର ଟିକେ ଖିଆଲ ନଥିଲା–

 

ହଠାତ୍‌ ବୋଉ ତା’ କଥା କହିସାରିଲା ପରେ ସୁର ଭାଇ ମୋ ଆଡ଼କୁ ଫେରି ଚାହିଁଦେଲେ–ମୁଁ ତ ପୋଡ଼ାମୁହିଁ ଆଗରୁ ତାଙ୍କୁ ଚାହିଁ ରହି କଥା ଶୁଣିବାରେ ଲାଗିଥିଲି । ତେଣୁ ତାଙ୍କର ସେଇ ଦୁଇଟା ଆଖି ଯେତେବେଳେ ମୋ ଆଖି ସହିତ ମିଶିଗଲା ସେତେବେଳେ ଆପଣା ଛାଏଁ ଛାଏଁ ମୋ ଆଖିଦୁଇଟା ତଳକୁ ନଇଁ ଆସିଲା । ଦିହ କ’ଣ ହୋଇଗଲା–ବିଜୁଳିପରି ଦେହସାରା ମୋର ଶିହରଣ ଖେଳିଗଲା, ଦେହ ମୋର ଗରମ ହୋଇ ଉଠିଲା–ସେଠାରେ ଆଉ ମୁଁ ବସିପାରିବି କି ନାହିଁ ଭାବିପାରିଲି ନାହିଁ ।

 

ପ୍ରକୃତରେ ପଢ଼ିଥିଲି, ଶୁଣିଥିଲି ସିନା କିନ୍ତୁ କେବେ ଅନୁଭବ କରି ନଥିଲି । ସେ ଦୁଇଟା ଆଖିରେ ପୁଣି ଏତେ ମାଦକତା, ଏତେ ମାୟାମମତା, ଏତେ କୁହୁକ, ଏତେ ଗୁପତ ମନର ସାଇତା କଥା ଥାଏ ତା’ ମୁଁ ବୁଝିପାରି ନ ଥିଲି । ଆଜି ଯେତେବେଳେ ନୂଆ କରି ପହିଲି ପ୍ରଥମରେ ମୋ ଜୀବନରେ ଘଟିଲା ବଡ଼ ଖୁସି ଲାଗୁଥାଏ ମୋତେ–ମନହରିଣୀ ମୋର ଭାବନାର ଅନନ୍ତ ବାଲୁକା ଶଯ୍ୟାରେ ଚିରା ମାରି ଚରିବୁଲିବାକୁ ଲାଗିଲା–

 

ବୋଉ କହିଲା–ସୁରଭାଇଙ୍କୁ ପାନ ଦେଲୁନା ?

 

ମୋର ହୋସ୍‌ ଫେରିଆସିଲା–ଚମକି ପଡ଼ି କହିଲି–ମୁଁ ତ ପଚାରିଲି ଯେ କେହି କିଛି କହିଲ ନାହିଁ ଆଉ....

 

ମୋର ସେତେବେଳର ଅବସ୍ଥା, ମନର କଥା ସବୁ ସେ ବୁଝି ପାରିଥିଲେ ହସିହସି କହିଲେ, ହଉ ଏତେ ଯଦି ଇଚ୍ଛା, ଅଖଇରିଆ ସାଦା ପାନ ଖଣ୍ଡେ ଦେ....କେହି ବୋଉର ଅଜାଣତରେ ଛୋଟ ଗୋଡ଼ିଟିଏ ମୋ ଦେହକୁ ଫିଙ୍ଗିଦେଲେ । ଚମକି ଉଠିଲି ମୁଁ...

 

ଆଜି ଏ ସବୁ ଭାବିଲାବେଳେ ଆଖି କଣରେ ମୋର ଜକେଇ ଆସୁଛି ଲୁହ–ଚିତ୍ତ କପୋତୀ ମୋର ବାହୁନି ବାହୁନି କାନ୍ଦିଉଠୁଛି–ସମସ୍ତେ କହନ୍ତି ଅତୀତ ଯାହା ଯାଇଛି ତାକୁ ଭାବି ଲାଭନାହିଁ–ଯାହା ଯାଇଛି । ଚିରଦିନ ପାଇଁ ଯାଇଛି–ପକାଇଲା ଛେପକରି ଅତୀତକୁ ଫେରି ଚାହିଁବା ଅପେକ୍ଷା ବର୍ତ୍ତମାନ ଓ ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ଆଗେଇ ଚାଲିବା ମଣିଷର କର୍ତ୍ତବ୍ୟ...କିନ୍ତୁ ମୁଁ ସେମାନଙ୍କୁ କହିବି ସେମାନଙ୍କର ଧାରଣା ନିହାତି ଭୁଲ୍‌, ଚଳନ୍ତି ନିତି ଦୁନିଆ ସଙ୍ଗରେ ତାଙ୍କର କୌଣସି ସମ୍ପର୍କ ନାହିଁ–ଆମେ ଯଦି ଆଜି ଅତୀତର କୋଣାର୍କକୁ ଫେରି ଚାହିଁବା ନାହିଁ, ପକାଇଲା ଛେପ କହି ପାଦରେ ତାକୁ ଆଡ଼େଇଦେବା ତେବେ ନୂତନ ଉନ୍ନତତର କୋଣାର୍କର ସୁଜନା ପାଇଁ ଆମେ ପ୍ରେରଣା ପାଇବା କେଉଁଠି ? ଯାହା ଅତୀତ ଯେତେ ବିରାଟ, ତାହାର ହୃଦୟ ସେତେ ମହତ୍‌ ଓ ଉଦାର ପୁରାତନର ଭୁଲ ଠିକ୍‌ ଉପରେ ନିର୍ଭର କରି ନୂତନର ଭିତ୍ତି କଳ୍ପନା କରାଯାଏ ସିନା...

 

ହଁ କ’ଣ ହେଲା ନା ସେଠାରୁ ପାନ ଖଣ୍ଡିଏ ଖୁବ୍‌ ଯତ୍ନରେ ଭାଙ୍ଗି ଥାଳିଆରେ ଆଣି ତାଙ୍କ ପାଖରେ ଥୋଇଦେଲି । ସେ ପାନଖଣ୍ଡି ଧରି ଉଠି ଠିଆହେଲେ–ଗଲାବେଳେ ବୋଉ ପଚାରିଲା–ସୁର କେତେଦିନ ଛୁଟି ହୋଇଛି କି ?

 

ଅନ୍ୟମନସ୍କ ଭାବରେ ସେ ଉତ୍ତର ଦେଲେ–ହଁ ମାଉସୀ ଛୁଟି ସେମିତି କିଛି ବେଶୀଦିନ ନୁହେଁ–ତଥାପି ଯେତିକି ଦିନ ହୋଇଛି ସେଥିରେ ପଢ଼ାପଢ଼ିରେ ଏତେ ଜୋର ଯେ....

 

ବୋଉ ତାଙ୍କ ପଛେ ପଛେ ଦାଣ୍ଡପଟକୁ ଯାଉଯାଉ ପଚାରିଲା–ଆଉ କେତେବର୍ଷ ତୁମର ପଢ଼ା କି ?

 

ହଁ ଏବର୍ଷ ବି.ଏ. ଟା ପାଶ୍‌ ପରେ....ତେଣିକି ଦେଖାଅଛି...

 

ମୁଁ ବୋଉକୁ ହସି ହସି କହିଲି–ସେ କ’ଣ ବୁଢ଼ା ହେବା ପର୍ଯ୍ୟନ୍ତ ପଢ଼ୁଥିବେ କିଲୋ ? ପ୍ରଥମଥର ପାଇଁ ଏଇତକ କଥା ତାଙ୍କ ଉଦ୍ଦେଶ୍ୟରେ ବୋଉକୁ ମଝିରେ ରଖି କହିଲି । କାହିଁକି ନା ତାଙ୍କ ମୁହଁକୁ ଚାହିଁ କହିବାର ସାହସ କିମ୍ବା ଦମ୍ଭ ମୋର ନଥିଲା...

 

ବୋଉ ମୋତେ ଆକଟାଇ ଓ ତାଙ୍କୁ ପ୍ରଶଂସା କରି କହିଲା–ହଁ ମ ପୁଅଟାକୁ ମୋର ଇମିତି କେତେଗୁଡ଼ାଏ ବଅୟ ହୋଇଯାଇଛି ଯେ ତୋ ଆଖିରେ ସେ ବୁଢ଼ା ହୋଇଗଲାଣି–କାଲି ପରା ଦୁହେଁ ଲଙ୍ଗଳା ହୋଇ ମୋରି ଆଖିଆଗରେ ବାରି ଜାମୁକୋଳି ଗଛରୁ କୋଳି ପାରି ଖାଉଥିଲ ? ଆଉ ଆଜି...

 

ମୁଁ ମୁରୁକି ମୁରୁକି ହସି କହିଲି–କାଆଲି ବୋଲି ତ ଦଶ; ପନ୍ଦର ବର୍ଷର କଥା ହେଲାଣି...

 

ମୋ କଥାଶୁଣି ସେ ପାହାଚରୁ ଓହ୍ଲାଉ ଓହ୍ଲାଉ କହିଲେ– ‘‘ତୁ ବି ଏଇ ସମୟ ଭିତରେ ବୁଢ଼ୀ ହୋଇଗଲୁଣି ନା ?

 

ତାଙ୍କର ଏ କଥା ପଦକରେ ସେ କି କଥା ରଖିଥିଲେ କେଜାଣି କାହିଁକି ମୋତେ ବଡ଼ ଭଲଲାଗିଲା–ଦେହ ମୋର ଉଲସି ଉଠିଲା–

 

ବୋଉ ତାଙ୍କୁ କହିଲା–କ’ଣ ଶୁଣୁଛ ସେ ଭାଟୁରୀଟା କଥାରୁ ଯାଆମ ଯାଅ–ଆଜି ବହୁତ ବେଳ ହୋଇଗଲାଣି–ବୋଉ ତୁମର ମୋତେ କେତେ ଗାଳି ଦେଉଥିବେ । ହଁ–ସମୟ ସୁବିଧା ଦେଖି ଟିକିଏ ଇଆଡ଼େ ବୁଲି ଆସୁଥିବ–ଏକୁଟିଆ ଲୋକ କିନା–ତୁମ ସାଥିରେ କ’ଣ ମନପୂରାଇ ଦି ପଦ କଥା ହୋଇପାରିଲି କି ? ଘରଧନ୍ଦା ମୋତେ ଏମିତି ଅଚାବୁହା କରି ପକାଇଲାଣି ଯେ, ଗଲା ଅଇଲା କାହା ସଙ୍ଗରେ କ’ଣ ଟିକିଏ ଭଲ ମନ୍ଦରେ ଦୁଃଖ ସୁଖ ହୋଇପାରୁଛି କି ?

 

ସେ ଯାଉଁ ଯାଉଁ ତାଙ୍କର ସେ ଅମାନିଆ ଆଖିଟା ଆମ ଘରଆଡ଼େ ଫେରି ପଡ଼ୁଥାଏ–ସତେ ଯେପରି ଭୁଲରେ କ’ଣ ଛାଡ଼ିଗଲେ–ତାଙ୍କ ଚାହାଣୀରୁ ବୋଉ ମାୟାମମତା, ଖୋଜି ପାଇଲାବେଳେ ମୁଁ ପାଉଥିଲି ଆଉଗୋଟିଏ କଥାର ସନ୍ଧାନ ସେ–ଉ–ଟି....

 

।। ତିନି ।।

 

ଜୀବନରେ ଯେ ନୂଆକରି କିଛି ପାଏ ତାକୁ ସେ ଅପୂର୍ବ ପରି ଲାଗେ । କୋଟିନିଥି ପାଇଲା ପରି ଭାବେ । ସେଇ ଆନନ୍ଦରେ ସେ ଆତ୍ମହରା ହୋଇ ସବୁ ଭୁଲିଯାଏ । ଜୀବନର ପହିଲି ପ୍ରଭାତରେ ମୁଁ ଯେଉଁ ନୂଆ ବିଷୟର ସନ୍ଧାନ ପାଇଲି ସେଥିଲାଗି ଭାବନାରେ ସୁନେଲି ରାଇଜରେ ମନପକ୍ଷୀ ମୋର ଡେଣା ହଲାଇ ଦିଗ୍‌ବିଦିଗ ହରାଇ ଉଡ଼ିବାକୁ ଲାଗିଲା । ପ୍ରାଣ ମୋର ଅପୂର୍ବ ପୁଲକରେ ଫୁଲି ଉଠିଲା–ପୁଣି ପରକ୍ଷଣରେ ଭାବିଲି ମୁଁ ସିନା ଏପରି ଆନନ୍ଦରେ ବିଭୋର ହୋଇଉଠୁଛି କିନ୍ତୁ ସୁର ଭାଇ....

 

ଦେଖିଲି ଲୁହାକୁ ଚୁମ୍ବକ ଟାଣିଲାପରି ମିଛରେ କେତେ କାମରେ ଆଳ ଦେଖାଇ ସେ ନିତି ପ୍ରତି ବୁଲିବାକୁ ଆସନ୍ତି । ହସି ଖେଳି, ଗପିଗପି ଫେରିଯାଆନ୍ତି ।

 

ମଣିଷ ଭବିଷ୍ୟତ ପ୍ରତି ଦୃଷ୍ଟି ନଦେଇ, ବର୍ତ୍ତମାନର ସୁଖରେ ଏପରି ଭୋଳ ହୋଇଯାଏ ଯେ, ଯାହାଦ୍ୱାରା କି ଦିନେ ତାକୁ ପଛରେ ଅନୁତାପ କରିବାକୁ ପଡ଼ିବ, ଦୁଃଖ ଭୋଗିବାକୁ ପଡ଼ିବ, ସେ ସଂଭୋଗରେ ବୁଡ଼ିରହି ଭଲ ମନ୍ଦ, ଆଗପଛ ଭାବିପାରେନା । ସୁଖ ବିଚାରକୁ ତା’ ମନ ଗଗନରୁ କୁଆଡ଼େ ଦୂରେଇ ଦିଏ–ଭାବେ ସେ ଯାହା କରୁଛି ସବୁ ଭଲ–ସେ ଯେପରି ଅଛି ସେଇପରି ଭାବରେ ସବୁଦିନ ପାଇଁ ରହିବ ଜୀବନଟା କେବଳ ବିଳାସ ଆଉ ସଂଭୋଗ ପାଇଁ....କିନ୍ତୁ ତା’ର ସେ ଆଶା....

 

ମୋର ଅବସ୍ଥା ସେତେବେଳେ ଠିକ୍‌ ସେଇପରି ଥିଲା–ପ୍ରୀତିର କାଉଁରୀ ପରଶ ନୂଆକରି ପାଇ ମୁଁ ଏସବୁ ଭାବନାରୁ ଦୂରରେ ଥିଲି–ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନଥିଲି ଯେ, ଜିନିଷଟା ଆମେ ଯେତେ ସୁଜା, ସରଳ ବୋଲି ଭାବିବାକୁ ଲାଗୁ ସେଇଟା ପ୍ରକୃତରେ ସେପରି ନୁହେଁ....

 

।। ଚାରି ।।

 

ଦିନ ଦିନକର ସାମାନ୍ୟ ଘଟଣା ପଥର ବୁକୁରେ ଦାଗ ହୋଇ ରହିଯାଏ । ସକାଳୁ ନିଇତି ସୂର୍ଯ୍ୟ ଉଅଁନ୍ତି, ଦିନ ହୁଏ, ପୁଣି କିଛି ସମୟ ପରେ ତୋଫା ଆକାଶରେ ଜନ୍ମନିଏ ସୁନ୍ଦର କୁଲୁକୁଲିଆ ଜହ୍ନମାମୁ.....ରାତି ହୁଏ । ଏଇପରି ଦିନ ଯାଇ ରାତି ଆସେ–ବସନ୍ତ ଯାଏ–କୋଇଲି ତା’ର ବୁକୁ ଉଛୁଳା ‘କୁହୁ’ ଡାକ ଧରି ଶାଗୁଆ ବନ ଗହନରେ କୁଆଡ଼େ ଛପିଯାଏ । ତାପରେ ଆସେ ଖରା–ଟାଇଁ ଟାଇଁଆ ତାଳୁଫଟା ଖରା–ତତଲା ବାଲିରେ କଅଁଳ ରକ୍ତ ମାଂସର ପାଦଗୁଡ଼ିକ ଆମର ପୋଡ଼ି ଫୋଟକା ହୋଇଯାଏ–ଏଇପରି ପରିବର୍ତ୍ତନର ଢେଉ ଛୁଟି ବର୍ଷ ଯାଇ ଫେର ନୂଆବର୍ଷ ଆସେ; କିନ୍ତୁ ମନରୁ ମୋର ସେ ଦାଗ ଲିଭେ ନାହିଁ । ଦିନକୁ ଦିନ ଆହୁରି ଉଜୁଳିଉଠେ–ଅନ୍ତରର ଅତଳ ଗହ୍ୱରରେ ମୁଁ ଗୁମୁରି ଗୁମୁରି କାନ୍ଦିଉଠେ । ଭାବିଥିଲି ହଁ ନୂଆ ନୂଆ ଇମିତି କେତେଦିନ ମନ ଦୁଃଖ ହେବ, କାନ୍ଦି କାନ୍ଦି ଦିନଗୁଡ଼ିକ ଅସର ହୋଇଉଠିବ; କିନ୍ତୁ ପୁଣି ପୁରୁଣା ହୋଇଗଲେ ମନ ବୁଝିଗଲେ ସବୁ ଠିକ୍‌ ହୋଇଯିବେ ଠିକ୍ ଯେପରି ଘା’ଟା ଶୁଖିଗଲେ ତା’ ଦାଗଟା କିଛି ଦିନ ରହେ ତାପରେ ଲିଭିଯାଏ । ସେପରି ମୁଁ ପୁଣି ପଛକଥାକୁ ପଛରେ ପକାଇ ହସି ହସି ମୋର ସୁନାରସଂସାର ଗଢ଼ିଚାଲିବି । ମୋ ବୋଉ ମାଉସୀଙ୍କ ପରି ଘର କାମରେ ବ୍ୟସ୍ତ ରହିବି ଯେ ପଛ କଥାକୁ ଭାବିବାକୁ ଫୁରସତ ନଥିବ । କିନ୍ତୁ ଯେତେ ଚେଷ୍ଟାକଲେ ସୁଦ୍ଧା ସେ ଚିନ୍ତାପୋକ କ’ଣ ସହଜରେ ମୋ ମୁଣ୍ଡରୁ ବାହାରି ଯାଉଛି କି ? ଦିନକୁ ଦିନ ଏଇ କଳାବାଳ ଗୁଡ଼ିକ ଯେତିକି ଧଳା ପାଲଟିବା ପାଇଁ ଆଗେଇ ଚାଲିଚନ୍ତି ସେତିକି ସେତିକି ସେ ପଛ କଥାଗୁଡ଼ାକ ଆଖିଆଗରେ ମୋର ଜୀବନ୍ତ ହୋଇ ଠିଆ ହେଉଛନ୍ତି । ଅନ୍ତର ମୋର ସେତିକି ସେତିକି ବ୍ୟଥାରେ ବିଥେଇ ଉଠୁଚି ।

 

ଭଗବାନଙ୍କ ସୃଷ୍ଟି ତ ଏଇପରି–ମଣିଷ ଯାହାକୁ ଛାଡ଼ିବି ଛାଡ଼ିବି ଭାବେ ତାକୁ ସହଜରେ ଛାଡ଼ିପାରେନା । ଦିନକୁଦିନ ସେଇଗୁଡ଼ିକ ଚେର ମେଲାଇ ତା’ ମୁଣ୍ଡରେ ଖେଳିଯାଆନ୍ତି ।

 

ସୁର ଭାଇ ଚାଲିଯିବା ପରେ ପରେ ମନକୁ ବହୁତ ଧିକ୍‌କାରେ । ଭାବେ କି ଭୁଲ୍‌ ମୁଁ ନ କରୁଛି ! କ୍ଷଣକ ପାଇଁ ଉତ୍ତେଜିତ ହୋଇ ମୁଁ କାହିଁକି ମୋର ଦୁର୍ବଳତାକୁ ଦେଖାଇ ଦେଉଛି ? ସେ କ’ଣ ଭାବୁ ନଥିବେ–କିନ୍ତୁ ପୁଣି ଯେତେବେଳେ ହସ ହସ ମୁହଁରେ ସୁର ଭାଇଙ୍କୁ ପାଖରେ ପାଏ ଏସବୁ କଥା ଭୁଲିଯାଏ–ହସି ହସି ମୋ ଗପ ମେଲି ବସେ...ହୃଦୟର ଦମ୍ଭ, ଟାଣ ସବୁ ଚୁରମାର ହୋଇଯାଏ ଘଡ଼ିକେ ।

 

ଏହା ଭିତରେ ଦୀର୍ଘ ଦୁଇଦିନ ଚାଲିଗଲା । ସୁରଭାଇ ଆଉ ଆମ ଘରକୁ ଆସି ନଥାନ୍ତି–ଏଥିପାଇଁ ମନରେ ମୋର ନାନାପ୍ରକାର ଚିନ୍ତା ଆସି ପହଞ୍ଚୁଥାଏ । ମନ କୌଣସି କାମରେ ଲାଗୁ ନଥାଏ । କିପରି ସାଙ୍ଗଛଡ଼ା ଲାଗୁଥାଏ । କାହିଁକି ଭାରୀ କାନ୍ଦ ମାଡ଼ୁଥାଏ ମୁଁ ବୁଝିପାରୁ ନଥାଏ...ଭାବେ ସୁର ଭାଇ ମୋତେ ଭୁଲ୍‌ ବୁଝିଛନ୍ତି–ମୋର ଚପଳତାରେ ସନ୍ଦେହ କରିଛନ୍ତି–ନହେଲେ ସେ ନ ଆସନ୍ତେ କାହିଁକି ? ଏଇପରି କେତେ କ’ଣ ଭାବେ କିଛି କୂଳ କିନାରା ପାଇ ପାରେନାହିଁ–ସାମାନ୍ୟ ଦିନ ଦୁଇଟା ଯାହାକି କାନ କୁଣ୍ଡାଇଲା ପରି ସେଇଲାଗେ କେତେବେଳେ ଚାଲି ଯାଇଥାନ୍ତା ଜାଣି ହୋଇନଥାନ୍ତା ସେ ପୁଣି ମୋ ପକ୍ଷରେ ଅସର ହୋଇଉଠିଲା...ବ୍ୟଥାରେ ପ୍ରାଣ ବିକଳି ଉଠିଲା ।

 

ସଂସାରରେ ସମସ୍ତଙ୍କ ମୁହଁରେ ହସ ଉକୁଟାଇ ପୃଥିବୀକୁ ଫେରିଆସିଲା ସେଇ ଦୋଳପୁନିଅଁ । ତାରି କଅଁଳ ପରଶରେ, ମଲାଗଛ ଜୀଇଉଠିଲା । ମନ ଆନନ୍ଦରେ ନୂଆ ହୋଇ କଅଁଳ ପତର ମେଲି ହସିଉଠିଲା । ଗାଁର କୁଆଁର କୁମାରୀମାନେ ମୁହଁରେ ଖିଲିଖିଲି ହସ, ଅନ୍ତରରେ ଉଛୁଳା ଆନନ୍ଦ ଆଉ ଦେହରେ ନୂଆ ନୂଆ ପୋଷାକ ପିନ୍ଧି ଚିତ୍ରିତ ପ୍ରଜାପତି ଗାଁର ଏ ମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଘୂରି ବୁଲିଲେ । ହାତରେ ରଙ୍ଗ ଆଉ ପିଚ୍‌କାରୀ ଧରି ହୁରି ଖେଳର ସୁର କରିଦେଲେ ।

 

ମୋର ମନେପଡ଼ିଲା କେଉଁ ଅତୀତ ଯୁଗରେ ହୁଏତ ସତ କି ମିଛ କହି ହେଉ ନାହିଁ, ଭଗବାନ ଶ୍ରୀକୃଷ୍ଣ ରୂପରେ ନନ୍ଦ ଗୋପାଳ ଘରେ ଜନ୍ମ ନେଇ ତାଙ୍କର ପ୍ରେୟସୀ ଅଲୀଅଳ ଗୋପନନ୍ଦିନୀ ଶ୍ରୀରାଧା ସଙ୍ଗରେ ଏଇ ପୁନିଅଁରେ ଖେଳିଥିଲେ ହୁରି–ହୁଏ ତ ତାରି ସ୍ମରଣିକା ଆଜିର ଏଇ ହୁରିଖେଳ–କି ଦୀନା କି ଅନାଥିନୀ, କି ରାଜା କି ପ୍ରଜା, କାହାରି ଭିତରେ ତଫାତ୍‌ ରଖେ ନାହିଁ । ମନଖୋଲା ପ୍ରୀତି, ସ୍ନେହ, ଆଦର ନେଇ ମନରୁ ସମସ୍ତ ଅହଙ୍କାର, ଆଭିଜାତ୍ୟ ଗର୍ବକୁ ଦୂରକରି ମଣିଷକୁ ମଣିଷ ଭାବରେ ଦେଖିବାକୁ ଦିଏ ।

 

ହେଲେ ଏତେ ଆନନ୍ଦ, ଏତେ ଉତ୍ସବରେ ମୁଁ ଭାଗ ନେଇ ପାରୁ ନଥିଲି–ମନ ମୋର କିମିତି ଲାଗୁଥିଲା । ଉଦାସିଆ ଆଖିରେ ମୁକୁଳା ଆକାଶକୁ ଝରକା ପାଖରେ ଠିଆହୋଇ ଚାହିଁ ରହିଥିଲି । ଏଇ ସମୟରେ ପଛରୁ ଶଇଳ କେତେବେଳେ ଛପି ଛପି ଆସି ମୋ ଦେହକୁ ପିଚକାରୀରେ ଗୁଡ଼ାଏ ରଙ୍ଗ ପାଣି ପିଚ୍‌କରି ଛାଡ଼ିଦେଲା । ମୁଁ ଚମକିପଡ଼ି ଚାହିଁଦିଏ ତ ସେ ଠିଆହୋଇ ହସୁଚି । ଏତେ ମନ ଦୁଃଖରେ ବି ମୁଁ ଫେଁ କରି ହସିଉଠିଲି–ଦଉଡ଼ି ଆସି ମୋ ମୁହଁରେ ଗୁଡ଼ାଏ ଫଗୁ ବୋଳୁ ବୋଳୁ ସେ କହିଲା–ଆଜି କାହିଁକି ରାଜକୁମାରୀଙ୍କ ମନ ଭଲ ନାହିଁ–ମୁହଁ ଶୁଖିଯାଇଛି କି ? ପ୍ରୀତିର କାଉଁରୀ ପରଶ ଦେଇ ରାଜକୁମାର କ’ଣ କଳା ଘୋଡ଼ାରେ ଚଢ଼ି କୁଆଡ଼େ ଦେଶ ଜୟ କରି ବାହାରିଗଲା କି ? ସତରେ ଲୋ ! ରାଜକୁମାରଟାର ଟିକିଏ ଅକଲ ନାହିଁ–ବୁଦ୍ଧି ନାହିଁ–ଭଗବାନ ତାକୁ ମଣିଷଟିଏ କରି ଗଢ଼ିଲେ ଯେ ସ୍ନେହ, ମମତା କ’ଣ ଟିକେ ତା’ ହୃଦୟରେ ସୁଦ୍ଧା ଦେଲେ ନାହିଁ । ହଇଲୋ ସେ କିମିତିଆ ଲୋକ କିଲୋ–ଅଭିଆଢ଼ୀ କୁଆଁରୀ ଝିଅର ହୃଦୟ ଜୟ କରିସାରି ସେ ଦେଶ ଜୟ କରିଗଲା କାହିଁକି । ଯଦି ତା’ର ଯିବାର ଥିଲା ତେବେ ରାଜକୁମାରୀକୁ ସଙ୍ଗରେ ନେଲା ନାହିଁ କାହିଁକି ? ଯୁଦ୍ଧରେ ହୁଏତ ଦେହରେ ଶର ଗୋଟିଏ ଫୋଡ଼ି ହୋଇଗଲେ ରାଜକୁମାରୀ ତ ତା’ର ସେଇ କଅଁଳ ହାତରେ କ୍ଷତରୁ ରକ୍ତଟିକେ ପୋଛି ପାରିଥାଆନ୍ତା ! କହୁନୁ–ଏୟା ନୁହେଁ ? ଏହା କହି ମୋତେ ପୁଳାଏ ଚିମୁଟିଦେଲା ।

 

ମୁଁ ହସିଉଠି କହିଲି–ତୁ ତ ସବୁ କହି ଚାଲିଛୁ–ପାଲା ହୋଇଛି ଯେ ମୁଁ ପାଳି ଧରିବି ?

 

ଆନନ୍ଦରେ ସେ ଡେଇଁପଡ଼ି କହିଲା, ହଁଲୋ ହଁ କଥା ତ ଆସି ଏଠାରେ–ମୁଁ ଯାଇ ତେଣେ ଗାଁସାରା ପଚାରି ବୁଲୁଛି କଥା କ’ଣ–ଲତା କାହିଁକି ଆସିନାହିଁ ? ସତରେ ମ ରାଜକୁମାରଙ୍କ ବିରହ ବ୍ୟଥା ତ ଆମ ଅଲିଅଳ ଚଂପକବରନୀ, ଗଜଗମନୀ ଷୋଳବୟସୀ ରାଜକୁମାରୀଙ୍କୁ ଖୁବ୍ ବାଧୁଛି ଏକା ! ସେଇଥିପାଇଁ ଜୀବନସାଥୀ ତ ପାଖରେ ନାହିଁ ହୋରି ଖେଳିବୁ କାହା ସଙ୍ଗରେ ? ଏହା କହି ହସି ହସି ଗେଲରେ ମୋ ଓଠକୁ ହଲାଇଦେଲା ।

 

ଦର୍ପଣ ଆଗରେ ଠିଆହୋଇ ମୁହଁରୁ ଫଗୁଗୁଡ଼ାକ ପୋଛୁ ପୋଛୁ ଶଇଳକୁ ଚିଡ଼ାଇବାପାଇଁ କହିଲି–ହଁ ଲୋ ଦୁନିଆ ତ ଏଇପରି–ଆଉ ତୁ କେଉଁଠୁ ଆସିଲୁ ? ଯାହା କହନ୍ତି ନା ‘‘ମୁଁ ମରୁଥାଏ ତୋରି ପାଇଁ ନା ତୋର ମୋଠି ଦୟା ନାଇଁ’’ ମୁ ଶଇଳ ଶିଳ କହି ପାଣି ପିଉନାହିଁ ଆଉ ତୁ ମୋ ସାଥୀ ଛାଡ଼ି ସାରିଲୁଣି–କହିଲୁଣି ଜୀବନ ସାଥୀ ନାହାନ୍ତି ତ ଖେଳିବୁ କାହା ସାଙ୍ଗରେ-? ପହିଲି ଜୀବନରୁ ତୁ ତେବେ ମୋର ସାଥୀ ହୋଇନଥିଲୁ । ଅଭିମାନରେ ମୋର ନାକପୁଡ଼ା ଦୁଇଟା ଫୁଲିଉଠିଲା ।

 

ହସି ହସି ମୋ ଗାଲକୁ ଟିପିଦେଇ କହିଲା, ଅଜାଣି ଘରର ଭାତ ଖାଇଛୁ କିନା ବୁଝିପାରୁଥିବୁ କି ? ଏ କଥାତକ ତଣ୍ଟି ଏ ପାଖରୁ ନା ସେ ପାଖରୁ ?

 

ଆଚ୍ଛା, ତୁ କ’ଣ ବୋଲି ଭାବୁଛୁ ? ତା’ ଆଡ଼କୁ ଦଣ୍ଡକ ପାଇଁ ଚାହିଁ ଫେର୍‌ ମୁହଁ ବୁଲାଇନେଲି ।

 

କଥାର ସୁଅକୁ ସେଇ ଘଡ଼ିକେ ସେ ବଦଳାଇଦେଲା । ବଡ଼ ଆଶ୍ଚର୍ଯ୍ୟ ପ୍ରକୃତିର ପିଲା ସେ–ସେଇଲାଗେ କୋଉ କଥାର କୋଉ ଅର୍ଥ କରି ବସିବ ତା’ ସହଜେ ବୁଝିହେବ ନାହିଁ.....ମୁଁ ତ କହିଲି ଜୀବନ ସାଥୀ ନାହିଁ ଖେଳିବୁ କାହା ସାଙ୍ଗରେ ? ଆଚ୍ଛା କି ଭୁଲ, କି ଅପରାଧଟା ମୁଁ କରି ବସିଲି ଯେ ମାନିନୀ ଶ୍ରୀରାଧାଙ୍କର ଏତେ ଅଭିମାନ ! ମୁଁ ତୋର ଜୀବନ ସାଥୀ ଆଉ ତୁ କ’ଣ ମୋର ନୁହଁ ? ସେଇକଥା ତ ମୁଁ କହିଲି ଯେ–ମୁଁ ତ ନଥିଲି ତୁ ଖେଳନ୍ତୁ କାହା ସାଥୀରେ ? ଏଥିରେ ମୁଁ ତୋତେ କେଉଁ ପର କରିଦେଲି ଆଉ ତୁ ମୋତେ ଅବା କେଉଁ ଆପଣାର କରି ରଖିଛୁ-! ମୁଁ ସିନା କଥାକୁ ଧରୁ ନାହିଁ–କାରଣ ଭଗବାନ ଆମକୁ କୋଉ ଗୁଣ ଦେଇଛନ୍ତି ଯେ ଆମେ ପର ଉପରେ ମାନ ଅଭିମାନ କରିବୁ ? ନା ଦେଇଛନ୍ତି ରୂପ, ଯୌବନ, ଗୁଣ, ଧନସଂପତ୍ତି ଆଉ ବଡ଼ିମା-। ସେଥିପାଇଁ ସିନା ମୁଁ ମାନ ଅପମାନ ଭୁଲି ତୁମ ଘରକୁ କୁକୁର ପରି ଦଉଡ଼ୁଛି-? ଆଖି ତା’ର ଅଭିମାନରେ ଛଳ ଛଳ ହୋଇଉଠିଲା ।

 

ବଡ଼ ଦୁଃଖ ଲାଗିଲା ମୋତେ । କାନ୍ଦ କାନ୍ଦ ହୋଇ ତା’ ହାତ ଧରିପକାଇ କହିଲି; ଶିଳ ସବୁଦୋଷ ମୋର ହୋଇଛି । ତୁ ଯଦି ମୋ କଥାକୁ ଟିକକରେ ଧରିବୁ ମୁଁ ହସିବି, ଖେଳିବି କାହାସାଙ୍ଗରେ ? ପ୍ରକୃତରେ ଗଲା କେଇଦିନ ହେଲା କାକରରେ ଶୋଇ ଥଣ୍ଡାହୋଇ ଦେହଟା କିପରି ଛେଚିକୁଟି ହେଉଥିଲା, ସେଇଥିପାଇଁ ତୁମ ଘରକୁ ଯାଇପାରି ନଥିଲି । କେବଳ ସେଇଥିପାଇଁ ଏତେ ଆନନ୍ଦରେ ମିଶି ହସି ପାରୁ ନାହିଁ । ଶଇଳ ମୋ ରାଣ ଖା–ମୁଁ ଗର୍ବ, ଅଭିମାନରେ ତୋତେ ଯେ ପଚାରୁ ନାହିଁ ତା’ ନୁହେଁ । ମୁଁ....ମୁଁ......ଆଉ ତେଣିକି କହିପାରିଲି ନାହିଁ–କଇଁ କଇଁ ହୋଇ କାନ୍ଦିଉଠି ତା’ କୋଳରେ ମୁହଁ ଲୁଚାଇଲି ।

 

ମୋ ଆଖିରୁ ସେ ଲୁହ ପୋଛିଦେଇ କହିଲା–ଛୋପରୀ ଟୋକି–ବେଲି କାଢ଼ୁଛି ? ପୁନିଅଁରେ ହସିବା କ’ଣ ଖାଲି.....ଉଠଲୋ–ଉଠ୍‌–ଚାଲ୍‌ ଚାଲ୍‌–କହି ମୋ ହାତ ଧରି ଭିଡ଼ି ଭିଡ଼ି ଘରୁ ନେଇ ଚାଲିଗଲା । ମୁହଁରେ ମୋର ଲାଗିଥିଲା ସେଇ ରଙ୍ଗ–ଶାଢ଼ିରେ ରଙ୍ଗ ପାଣିର ଛିଟିକା ।

 

କଟକରେ ଓକିଲ ଗିରୀଶ୍‌ ବାବୁଙ୍କ ପାଖରେ ବାପା ମୋର ମୋହରିର କାମ କରନ୍ତି । ମାସକୁ ଦରମାକୁ ବାଦ ଦେଲେ ଶାଗ ଦିନେ ଶାଗ କେରାଏ–ମୁଗ ଦିନେ ମୁଗ ଦିଇଟା ହୋଇ ଉପୁରୀ ଟଙ୍କା ଓ ଜିନିଷ ବହୁତ ମିଳେ । ସେଥିପାଇଁ ମାସିକିଆ ଦରମାକୁ ଆମର ଖାତିର ନଥାଏ; କି ଆମେ ତାକୁ ଚାହିଁ ବସିନଥାଉ–କାରଣ ଖାଇବାକୁ ଘରେ ଆମର ତିନୋଟି ପେଟ ଆଉ ଚାକର ଦାମା । ସେଥିରେ ପୁଣି ମାଲିମକଦ୍ଦମା ନେଇ ବାପା ମୋର ମାସକରୁ ପଚିଶ ଦିନ ଘରେ ନ ଥାନ୍ତି-। ଘରେ କ’ଣ ଅଛି କି ନାହିଁ.....ସେ କଥା ତାଙ୍କ ମୁଣ୍ଡରେ ପଶେ ନାହିଁ–ଖାଲି ଯାହା ଯୁଆଡ଼ୁ ପାଆନ୍ତି ବୋଉ ପାଖରେ ଫୋପାଡ଼ି ଦେଇ ସେ ନିଶ୍ଚିନ୍ତ ହୁଅନ୍ତି । ତେଣିକି ବୋଉ ତା’ର କର୍ତ୍ତବ୍ୟ କରେ–ଘର ଚଳାଏ । ସାଇ ଭିତରେ କରଜ ଲଗାଇ ବେଶ୍‌ ଦୁଇପଇସାର ବାଟ ସେ ବି ଦେଖୁଥାଏ-। ଯାହା କହନ୍ତି କରଣ ଘରର ପୁଅ ଲହରୀ ଗଣି ପଇସା ନିଏ–ସେ ସବୁ ଠିକ୍‌ ଆମରି ଘରେ ଦେଖିବାକୁ ମିଳେ । ବୋଉ ମୋର ବଡ଼ ହିସାବୀ, ବଡ଼ ଚତୁରୀ । ତା’ ପାଖରୁ ଅଧଲାଏ ହୁଡ଼ାଇ ନେବାର କାହାକୁ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ । ଗାଁରେ ଏକୁଟିଆ କିପରି ରହିବୁ ଏଥିପାଇଁ ବୋଉ କାହାକୁ ମଉସା, କାହାକୁ ଭାଇ, କାହାକୁ ଅପା କରି ସମସ୍ତଙ୍କ ସଙ୍ଗେ ମିଳିମିଶି ବେଶ୍‌ ଚଳିଯାଏ-

 

ହେଲେ ଯେତେ ମିଳିମିଶି ଚଳିଲେ ସୁଦ୍ଧା ଗାଁରେ ଏଇମିତି କେତେଜଣ ଲୋକ ଥାଆନ୍ତି ଯେଉଁମାନେ ଆମ ଆଗରେ କିଛି କହି ନ ପାରି ଭିତରେ ଭିତରେ ଆମରି ଶିରୀ ଦେଖି ହିଂସାରେ ଆମ ଉପରେ ରକତ ଚାଉଳ ଚୋବାଉଥାନ୍ତି । ମନେମନେ ଭାବନ୍ତି ଆମର ଦୁଃଖ, ଆମର ଅସୁବିଧା ଦେଖି ସେ କିପରି ଟିକିଏ ହସିଉଠନ୍ତେ ।

 

ଦୁନିଆର ଆରମ୍ଭ କାଳରୁ ପ୍ରତି ଯୁଗେଯୁଗେ ଏଇପରି ଦଳେଦଳେ ଲୋକ ଥାଆନ୍ତି । ସାଧୁ, ମହାପୁରୁଷମାନେ ସତ୍ୟ, ଅହିଂସା, ଶାନ୍ତି ମୈତ୍ରୀର ବାଣୀ ପ୍ରଚାର କଲେ ମଧ୍ୟ ତାଙ୍କର ହୃଦୟ ବଦଳିଯାଏ ନାହିଁ କି ବଦଳିବ ନାହିଁ–ଚିରଦିନ ରହିବ । କାରଣ ଦୁନିଆରେ ଯଦି ସମସ୍ତେ ସତ୍ୟବାଦୀ, ସମସ୍ତେ ଅହିଂସା ପରାୟଣ ହେବେ ତେବେ ଭଗବାନଙ୍କର ସୃଷ୍ଟିର ବୈଚିତ୍ର୍ୟ ରହିବ ନାହିଁ । ମନୁଷ୍ୟ ଯାହା ଯେତେବେଳେ କଦବା କିପରି ତାଙ୍କୁ ସ୍ମରଣ କରୁଛି ତା’ ମଧ୍ୟ କରିବ ନାହିଁ । ସାନ ବଡ଼ ତଫାତ୍‌ ନ ଥିଲେ, ଖଟା ଓ ମିଠା ଭିତରେ ତଫାତ୍‌ ନ ଥିଲେ ମନୁଷ୍ୟ ଖଟା କ’ଣ, ମିଠା କ’ଣ ବୁଝିପାରନ୍ତା ନାହିଁ । ମନୁଷ୍ୟ ଖଟାର ତିକ୍ତତା ବୁଝିପାରିଛି ବୋଲି ମିଠାର ଏତେ ଆଦର କରିବସେ ସିନା !

 

ଆମର ଧନସମ୍ପତ୍ତି ଦେଖି ହିଂସାରେ ତାଙ୍କର ଅନ୍ତର ଜଳିପୋଡ଼ି ଯାଏ–ମନେମନେ ଖାଲି ହାଇଁପାଇଁ ହେଉଥାଆନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଆମର ଧନ ଅପହରଣ କରିବାକୁ ଚେଷ୍ଟା କରୁଥାଆନ୍ତି । କିନ୍ତୁ ସମାଜର ଆଇନକାନୁନ୍ ନିକଟରେ ବାଧା ପାଇ ଫେରି ଆସୁଥାନ୍ତି–ମନରେ ତାଙ୍କର ଯେତେ ଆଶା ସବୁ ସକାଳ ସୂର୍ଯ୍ୟର ସୁନେଲି କିରଣରେ କୁହୁଡ଼ି ଉଭେଇଗଲା ପରି କ୍ଷଣକରେ ମିଳେଇ ଯାଏ–ଚୋରି କଲେ କିମ୍ବା ଆମର ଅନିଷ୍ଟ କଲେ ଧରାପଡ଼ିଲେ ଜେଲ ଯିବେ, ଦଣ୍ଡ ପାଇବେ ଏଇ ଡର ଆମକୁ ଓ ଆମର ଧନକୁ ନିରାପଦରେ ରକ୍ଷା କରିଥାଏ ।

 

ଗାଁରେ କେହି ତ କାହା ମୁଖରେ ବାଡ଼ବତା ଦେଇପାରିବେ ନାହିଁ । ଯାହାର ଯାହା କହିବାର କଥା ସେ କହିଚାଲିବ । ସେଥିପାଇଁ ଖେଳର କଥାରେ ମୁଁ ମନ ଦୁଃଖ ନକରି ଭାବିଲି ଗାଁର ଦଶ ପଚିଶ ଜଣଙ୍କ ମୁହଁରୁ ଶୁଣିଛି ବୋଲି ସେ ସିନା କହିଲା–ନ ହେଲେ....

 

ମୁହଁକୁ ତଳକୁ ପୋତି, ନାକରେ ଲୁଗାଦେଇ ମୁଁ ଡେଇଁ ଡେଇଁ ଶୈଳ ସାଥିରେ ଚାଲିଯାଏ....ନାକରେ ମୋର ଛୁଟିଥାଏ ଅକଳନ୍ତି ଭାବନାର ସୁଅ ।

 

‘‘ଆଗରେ ସାପଟାଏ–କୁଦି ପକାଇବ’’–ହଠାତ୍‌ ଏତିକି ଶୁଣି ଚମକିଉଠି ମୁଁ ଡେଇଁପଡ଼ିଲି । ଫେରି ଚାହିଁ ଦିଏ ତ ସୁରଭାଇ ପରେଶ୍‌ ପିଣ୍ଡାରେ ଠିଆହୋଇ ମୋ ଆଡ଼େ ଚାହିଁ ହସି ହସି ଗଡ଼ି ଯାଉଛନ୍ତି–ଲାଜରେ ମୁହଁକୁ ତାଙ୍କର ଥରକରୁ ଦି’ଥର ପାଇଁ ଚାହିଁ ପାରିଲି ନାହିଁ । ମୋତେ କିମିତି ଅଡ଼ୁଆ ଅଡ଼ୁଆ ଲାଗିଲା.....ଶୈଳକୁ ଠେଲିଦେଇ କହିଲି–‘‘ଟୋକୀ ଶୀଘ୍ର ଚାଲୁଛୁ ନା ଫେର୍‌....’’

 

ଶୈଳ ହସି ହସି କହିଲା–ଫେର୍‌–ଫେରୁନୁ–ଆଉ କ’ଣ ଆସିବାକୁ ଇଚ୍ଛା ହେଉଛି କି ? ଦୁଷ୍ମନ୍ତଙ୍କୁ ଦେଖି ଆମ ଶକୁନ୍ତଳାଙ୍କ ଲୁଗାରେ କଣ୍ଟା ଲାଗିଯିବଣି କି କ’ଣ ଦେଖେ ? କହି ମୋ ପଣତ କାନିଟା ଧରି ଟାଣିନେଲା ଆଗକୁ....

 

ସଦାବେଳେ ଶୈଳ ପ୍ରତ୍ୟେକ କଥାର ଅନ୍ୟ ଅର୍ଥ କରି ମୋତେ ଯେତିକି ରଗାଏ–ସେତିକି ମଧ୍ୟ ହସାଏ....

 

ତାଙ୍କ ଘର ପାଖ ହୋଇ ଆସିବାରୁ ସେ ଓ ମୁଁ ତାଙ୍କ ଘର ଭିତରେ ପଶିଗଲୁ–ତାଙ୍କ ଘରେ ପହଞ୍ଚିବା ପରେ ମାଉସୀ ବହୁତ ଆଦର କରି ଅନେକ ପ୍ରକାର ପିଠା ଆଣି ଥାଳିରେ ବାଢ଼ିଦେଇ କହିଲେ, ଆଲୋ ଶଇଳ ଏ ବର୍ଷକ ଲତା ସାଙ୍ଗରେ ବସି ହସି ଖେଳି ଖାଇଥା–ପୁଣି ଜୀଇଥିଲେ ଯାଇ କେବକୁ ତା’ର ଠିକଣା ନାହିଁ । ପରଘରୀ ହେଲାଠାରୁ–ରଜାର ରଜାର ସିନା ଭେଟ ଅଛି କିନ୍ତୁ ମାଈକିନା ଝିଅଙ୍କର ଭେଟ ନାହିଁ ଲୋ....ଦିଅ ଦୁହେଁ ବସି ଖାଉଥାଅ କି ମୁଁ ଦିଇଟା ଧାନ ଶୁଖେଇଦେଇ ଆସୁଛି–କହି ଉଷୁନା ଉଷୁଆଁ ଧାନକୁ ଆଟୁରେ ଶୁଖାଇବା ପାଇଁ ଚାଲିଗଲେ ।

 

ଖାଉ ଖାଉ ଶୈଳ କହିଲା, ଲତାମ–ଏଇ ପୁରୁଷ ଜାତିଟା କେଡ଼େ ବେହିଆ ମ ? ନିରୋଳାରେ ଝିଅଟିଏ ଦେଖିଲେ ଏତେ ଚୁପି ଚୁପି କଣେଇ କଣେଇ କରି ଚାହାନ୍ତି କାହିଁକି ମ ?

 

‘‘ଚାହିଁବାଟା କ’ଣ ଏକା ପୁରୁଷ ଜାତିର ଦୋଷ–ସ୍ତ୍ରୀର ନୁହେଁ ?

 

‘ଆଚ୍ଛା ସେ ଯଦି ଚାହିଁଲେ ତୁମେ ତ ନ ଚାହିଁଲେ ଗଲା ?’

 

ଶଇଳ ମୋ ପାଟିରେ ଖଣ୍ଡେ ପୁର ଏଣ୍ଡୁରି ପିଠା ଗୁଞ୍ଜିଦେଇ କହିଲା, ଆସିଲାବେଳେ ସୁରଭାଇ ତୋତେ ଏତେ କଣେଇ କଣେଇ ଚାହୁଁଥିଲେ କିନ୍ତୁ ମୁଁ ତ ଦେଖିଛି ତୁ ଆଦୌ ଦଣ୍ଡକପାଇଁ ସୁଦ୍ଧା ଫେରି ଚାହିଁନୁ ।

 

ତା’ ମୁହଁରୁ ଏ ପଦକ ଶୁଣି ଦେହ ମୋର ଉଲୁସି ଉଠିଲା–ମନେମନେ ହସୁ ହସୁ ଭାବିଲି–ମୁଁ ଚାହୁଁଥିଲି କି ନାହିଁ ତା’ ତୁ କେଉଁଠୁ ବୁଝିପାରିବୁ ? ତାକୁ ପେଲିଦେଇ କହିଲି–ଯାଃ–ତୋର ସଦାବେଳେ ଖାଲି ସେଇ ଏକଇ କଥା......

 

।। ପାଞ୍ଚ ।।

 

ସାରା ଦି’ ପହରଟା ଇନ୍ଦୁ, ବିନ୍ଦୁ ଆଉ ନେତ ନୂଆଉ ଓ ମୁଁ ଚାରିଜଣ ମିଶି କଉଡ଼ି, ତାସ୍‌ ଖେଳି ଖେଳି କଟାଇଦେଲୁ–ନେତ ନୂଆଉ ଆମ ଗାଁକୁ ନୂଆ କରି ଆସିଥାନ୍ତି–ବଡ଼ ଲାଜକୁଳୀ ଆହୁରି ମଧ୍ୟ ଥଟ୍ଟୁଳୀ–ଖେଳ ଭିତରେ ଆମକୁ ସବୁ ନଣନ୍ଦ ହିସାବରେ ଥଟ୍ଟାକରି ହସାଇ ହସାଇ ବେଦମ୍‌ କରି ପକାଉଥାନ୍ତି–ଖରା ଟିକିଏ କମିଯିବାରୁ ମୁଁ ଶୈଳକୁ କହିଲି, ବୋଉ ତେଣେ ବିରକ୍ତ ହେଉଥିବ । ଏତେବେଳ ହେଲାଣି ତେଣେ ଆମ ଘରେ କେତେ କାମ କରିବାକୁ ପଡ଼ିଥିବ । ଚାଲ୍‌ ଚାଲ୍‌ ଜଲ୍‌ଦି ବାହାରିଯିବା.....

 

ନେତ ନୂଆଉ ସାଙ୍ଗଟିଏ ପାଇଲେ ସହଜେ ଛାଡ଼ନ୍ତି ନାହିଁ । ପରକୁ ହସି ହସି କଥାରେ ସେଇ ଘଡ଼ିକେ ଆପଣାର କରିପକାନ୍ତି । ତାଙ୍କର ନାହିଁ ନାହିଁ–ମୋର ହଁ ହଁ ହେଉ ହେଉ ଅଧଘଣ୍ଟାଏ ବିତିଗଲା । ତାପରେ ଶୈଳ ଓ ମୁଁ ଫେରିଆସିଲୁ ଆମ ଘରକୁ । ଶୈଳ ପାଖରେ ଥିଲା ବୋଲି ମୋତେ କିଛି କହିଲା ନାହିଁ–କାରଣ ଶଇଳ ଆଗରେ ସେ ରାଗିଲେ ଶଇଳ ଆଉ ଆମ ଘରେ ପାଦଦେବ ନାହିଁ–ଏଇ ଆଶା ଆଉ ଆଶଙ୍କାରେ ।

 

ବୋଉ ମୋତେ କହିଲା, ଆଜି ସଞ୍ଜବେଳକୁ ସୁରକୁ ଖାଇବାକୁ ଡାକିଛି–ପଢ଼ା ପିଲାଟା ଛୁଟିରେ ଆସିଛି–ଦିନେ କି ଦୁଇଦିନ ରହି ଚାଲିଯିବ–ଫେର୍‌ କେବକୁ.....କଣ୍ଠ ତା’ର ନରମି ଆସିଲା-। କହିଲା–ମା’ ମଲା ପିଲାର ସଂସାରରେ କେହି ନାହାନ୍ତି ଲୋ ? ଘରେ ତ ସାବତ ମା’ ସାତ ପରଠାରୁ ବଳେ–ପୁଅ ତ ତା’ର ଦେହକୁ କଣ୍ଟା । ବାକି ଦାଦା ଖୁଡ଼ୀ–ଭିନେ ହେବା ଭାଇ ତ ପଡ଼ିଶା ଘରକୁ ଯୋଗାଏ ନାହିଁ–ଭାଇ ଭଗାରୀ ସେ ବା ତା’ କଥା କାହିଁକି ଭାବିବେ ? ଖାଲି ନାଇଁ ନାଇଁ ଜୀଇ ବସିଛି ନିଜର ବୁଢ଼ା ବାପଟା–ସେ ତ ଅଣ୍ଡିରା ଚଣ୍ଡିରା ଲୋକ ତାଙ୍କ ହାତରେ ଅବା କେଉଁ ମଲାକଙ୍କଡ଼ା ଓଲଟାଇ ହେଉଛି ? ମା’ମଲା ଦିନଠାରୁ ‘ମାଉସୀ’ ‘ମାଉସୀ’ କହି ପଛରେ ଗୋଡ଼ାଇ ଥାଏ–ସେଥିପାଇଁ ତାକୁ ଦେଖିଲେ କାହିଁକି ଭାରୀ ମାୟା ମମତା ମନରେ ଆସେ । ଭଗବାନ କିପରି ତାକୁ ଆଇଁଷ ଦେଇ ବଞ୍ଚାଇ ରଖନ୍ତୁ । ଏତେ ପଢ଼ିଲାଣି–ଏତେ ବିଦେଶ ବୁଲିଲାଣି ହେଲେ ମନରେ କ’ଣ ତା’ର ଟିକିଏ ରାଗ କି ଗର୍ବ ଅଛି କି ? ଏଡ଼େ ଶାନ୍ତ, ସୁଧୀର ପିଲା ଯେ ହଲିଲା ପାଣିକୁ ଗୋଡ଼ ବଢ଼ାଇବ ନାହିଁ କି ମାଛିକୁ ‘ମ’ କହିବ ନାହିଁ । ଶହେ ହାତ ଦୂରରୁ ଦେଖିଲେ ମାଉସୀ କହି ମୁଣ୍ଡ ନୁଆଇଁ ପ୍ରଣାମ କରିବ । ତୁ ସେ ଚାଉଳ ଆଉ ବିରି ଦିଇଟା ବାଟୁଥା କି ମୁଁ ଆସୁଛି ।

 

ବୋଉର ଏ ଅନର୍ଗଳ ପ୍ରଶଂସାରେ ପଦେ କି ଦି ପଦ କ’ଣ କହିବାକୁ ଜିଭଟା ଟକ ଟକ ହେଉଥିଲା । କିନ୍ତୁ ଅବସ୍ଥା ଦେଖି ଚୁପ୍‌ ରହିଲି । ମୁଁ ଜାଣିଥାଏ ବର୍ତ୍ତମାନ ଯଦି ବୋଉର ପଦେ କଥାରେ ପାଟି ଫିଟାଇବି ନା–ସେ ଲଙ୍କାରେ ନିଆଁ ଲଗାଇଦେବ । ତେଣୁ ସବ୍‌ସେ ଚୁପ୍ ଭଲା....

 

ଶୈଳକୁ କହିଲି–ବସ୍‌ମ ବସ । ଦୁହେଁ ଲାଗିଯିବା ଯେ ଘଡ଼ିକେ ସାରିଦେବା ।

 

ଶୈଳ ମୋ ସାଙ୍ଗରେ ପିଠୋଉ ବାଟି ଦେଇ ଚାଲିଗଲା । ମୁଁ ଚୁଲି ଲଗାଇ ଡାଲମାଟା ବସାଇଦେଇ ରୋଷାଇ ଘର ପିଣ୍ଡାରେ ସପଟା ପକାଇ ବସିପଡ଼ିଲି । ଏଡ଼େବଡ଼ ଖଞ୍ଜାଟାରେ ଏକୁଟିଆଟା ଥିବାରୁ ମୋତେ ବଡ଼ ମାଡ଼ି ମାଡ଼ି ପଡ଼ୁଥାଏ । ଡର ଲାଗିବାରୁ ଦାଣ୍ଡ ଦୁଆରଟା କିଳି ଦେଇ ଚାଲି ଆସିଲି । ସଞ୍ଜ କେତେବେଳୁ ହୋଇଗଲାଣି । ରୂପା ଥାଳି ପରି ପୁନିଅଁ ଜହ୍ନ ଆକାଶରେ ଉଠେ ଜୋଚ୍ଛନାରେ ଦୁଆର ଆମର ଉଛୁଳାଇ ପକାଉଥାଏ । ସଞ୍ଜୁଆ ସୁଲୁ ସୁଲୁ ପବନ ଆମ ପଡ଼ିଶା ଘର ବାଡ଼ିରୁ ହେନାର ବାସନା ଚୋରାଇ ଆଣି ଅଗଣାରେ ଲୁଚୁକାଳି ଖେଳୁଥାଏ । ମୁଁ ମୁକୁଳା ଆକାଶକୁ ଚାହିଁ ରହି ସଞ୍ଜବତୀ ଗୁଡ଼ା ବଳିବାରେ ଲାଗିଥିଲି ।

 

ଏଇ ସମୟରେ ଦାଣ୍ଡ ଦୁଆରେ ଖଟ୍‌ ଖଟ୍‌ ଶବ୍ଦ ଶୁଣି ବୋଉ ଆସିଲାଣି ଭାବି ଚାଲିଗଲି କବାଟଟା ଫିଟାଇ ଦେବାକୁ କିନ୍ତୁ ଖିଡ଼ିକି ଫିଟାଇଦେଲା ମାତ୍ରକେ ଘରକୁ ହସି ହସି ପଶିଆସିଲେ ସୁର ଭାଇ–ପାଦ ମୋର ଅଟକି ଗଲା–ଛାତି ଦୁଲୁକିଲା–ଥର ଥର ହାତରେ ଆପଣା ଛାଏଁ କବାଟଟା ଦେଇଦେଲି ।

 

ସେ ଆଗେ ଆଗେ ଘର ଭିତରକୁ ପଶିଯାଇ ବୋଉକୁ ଖୋଜି ନ ପାଇ ମୋତେ ପଚାରିଲେ, ମାଉସୀ କାହାନ୍ତି କି ?

 

କଅଣ କହିବି ଭାବୁ ଭାବୁ ମୋ ପାଟିକୁ ଭାଷା ଆସିଲା ନାହିଁ, ଚୁପ୍ ହୋଇ ଠିଆହେବାର ଦେଖି କଅଁଳ ସ୍ୱରରେ ମୋ ହାତଟି ଧରିପକାଇ କହିଲେ–ମୋ ଉପରେ ରାଗିଛ କି-? କଥା କହୁନୁ–ହଁ–ହଁ ମୁଁ ଜାଣେ ତୁ କାହିଁକି ରାଗିଛୁ !

 

ମୁଁ ଟିକିଏ ଅଭିମାନିଆ କରି କହିଲି–ଜାଣିଛ ତ ସବୁ ପଚାରୁଛ କାହିଁକି ?

 

ଆକୁଳ ଭାବରେ ସେ କହିଲେ–ଲତା, କେତେଗୁଡ଼ାଏ ପଢ଼ା ଦିଆ ହୋଇଥିଲା ତାକୁ ସବୁ ସାରୁ ସାରୁ ଦି ଦିନ ତୁମ ଘରକୁ ଆସି ପାରିନାହିଁ ବୋଲି ତୁ ମୋ ଉପରେ ରାଗ କରିଛୁ ? ନୁହେଁ.....

 

ଦେହସାରା ମୋର ଶିହରଣ ଖେଳି ଉଠୁଥାଏ । ତଥାପି ନିଜର ଅନିଚ୍ଛାରେ ତାଙ୍କର ହାତକୁ ଫିଙ୍ଗିଦେଇ କହିଲି–ପରୀକ୍ଷା ପରା ମୁଣ୍ଡ ଉପରେ–ପାଠ ନପଢ଼ି କ’ଣ ଏଠାକୁ ଫେଲ୍‌ ହେବାକୁ ଆସିଛ ? ଯାଅନା....ବୋଉ ଘରେ ନାହିଁ....ବୁଢ଼ୀଟିଏ ଆସି ହେଲାଣି ତା’ର ଟିକିଏ କ’ଣ ଅକଲ ଅଛି–ପଢ଼ା ପିଲାଟାକୁ କ’ଣ ନିମନ୍ତ୍ରଣ କରି ନ ଥିଲେ ହୋଇନଥାନ୍ତା–ପରୀକ୍ଷା ମୁଣ୍ଡ ଉପରେ.......

 

ହସି ହସି ସେ ମୋର ଗାଲରେ ଆସ୍ତେ କରି ଗୋଟିଏ ଚଟକଣି ମାରି କହିଲେ–କେବେଠାରୁ ତୁ ଏପରି ପୁରୁଖା ବୁଢ଼ୀ ହୋଇଗଲୁଣି ମ ?

 

ଆଖିବୁଜି ଠିଆହୋଇ ଭାବୁଥାଏ ସୁର ଭାଇ ମୋତେ ଏଇପରି ଚାପୁଡ଼ା ମାରୁଥାଆନ୍ତେ କି, ଆଉ ମୁଁ ଯୁଗ ଯୁଗ ପାଇଁ ସବୁ ସହି ଚୁପ ହୋଇ ଠିଆ ହୋଇଥାଆନ୍ତି ।

 

ସୁର ଭାଇ ଠିଆ ହୋଇଛନ୍ତି ଦେଖି ତରତରରେ ପିଣ୍ଡା ଉପରୁ ସପଟା ଆଣି ଅଗଣାରେ ପକାଇଦେଇ କହିଲି, ସୁର ଭାଇ ବସ–

 

ସେ ନିଜେ ବସୁ ବସୁ ମୋ ହାତ ଟାଣି ବସାଇ ଦେଇ କହିଲେ, ବସୁନୁ ମାଉସୀ ତ ଘରେ ନାହାନ୍ତି କି କାମଗୁଡ଼ା କରି ପକାଇବୁ କି ?

 

ଯଦିଓ କେତେ ଗୁଡ଼ାଏ କାମ କରିବାକୁ ଥାଏ ତଥାପି କାହିଁକି ତାଙ୍କ ପାଖରେ ବସିପଡ଼ିଲି ।

 

ରାଣୀ ଫୁଲ ପରି ଅଗଣାସାରା ପୁନିଅଁ ଜହ୍ନର ତୋଫା ଜୋଛନା ବିଚ୍ଛାଡ଼ି ହୋଇ ପଡ଼ିଥାଏ । ସଞ୍ଜୁଆ ପବନରେ ରୂପ ଗରବୀ ଗୋଲାପ ଫୁଲଟା ଆମରି ଆଗରେ ନାଚି ଉଠୁଥାଏ । ଆମକୁ ଉପାହାସ କରି ବାଦୁଆ କୋଇଲିଟା ବାଡ଼ି ଆମ୍ବଗଛର କଅଁଳ ପତ୍ର ଗହଳରୁ ଡାକି ଉଠୁଥାଏ କୁହୁ–କୁହୁ–

 

ଖୋଲା ଆକାଶକୁ ମୁକୁଳା ଜହ୍ନ ଆଲୁଅରେ ଦୁହେଁ ଚାହିଁ ରହିଥାଉ, ମନରେ ଆମର କେତେ ଗୁପ୍ତ କଥା ପଚାରିବାକୁ ଇଚ୍ଛା ହେଉଥାଏ କିନ୍ତୁ କାହିଁକି କାହା ପାଟି ଫିଟି ପାରୁ ନ ଥାଏ । କେତେବେଳକୁ କଥା ଢୋକି ଢୋକି ସେ କହିଲେ, ‘ଲତା ବଇଶାଖ ମାସର ଟାଇଁ ଟାଇଁଆ ତାଳୁ ଫଟା ଖରାରେ ବାଟୋଇଟିଏ କ୍ଳାନ୍ତ ହୋଇ ଆଶ୍ରା ନେଲା ବାଟ ପାଖର ଗୋଟିଏ ନିରୋଳା ଆମ୍ବଗଛ ତଳେ, ଶୋଷରେ ହଂସା ତା’ର ଉଡ଼ିଯାଉଛି; ଏଇ ସମୟରେ ସେ ଦେଖିଲା ଆଖିଆଗରେ ତା’ର ଥୁଆହୋଇଛି ମାଠିଆଏ ପାଣି ସେ ପିଇବ କି ନାହିଁ ?

 

ମୁଁ ତାଙ୍କ କଥାର ମର୍ମ ବୁଝିପାରି କହିଲି, ହଁ ପିଇବ ନାହିଁ କାହିଁକି; କିନ୍ତୁ ଯଦି ପିଇବ ସବୁ ପିଇବ ସିନା–ଅଇଁଠା କରି ଛାଡ଼ିଗଲେ ଆଉ ଯେ ପିଇବ ତା’ର ରୋଗ ହେବ, ହୁଏତ ସେ ସବୁ ପିଇବ କିମ୍ବା ବାକିତକ ସଙ୍ଗରେ ନେବ ଯେହେତୁ ବାଟରେ କାଳେ ତା’ର ଦରକାର ହୋଇପାରେ......

 

ସେ ଚୁପ୍‌ ରହିଲେ.....

 

ମୁକୁଳା ଜହ୍ନ ଆଲୁଅ ତଳେ ମନରେ ଅଫୁରନ୍ତ ଆନନ୍ଦ, ପ୍ରାଣରେ ଉତ୍କଣ୍ଠା ଓ ସବୁଜ ଜୀବନରେ ବ୍ୟାକୁଳତା ନେଇ ଦୁଇଟି ତରୁଣ ତରୁଣୀ କେତେ ସମୟ ପର୍ଯ୍ୟନ୍ତ ଏକାଠି ନୀରବ ରହିପାରନ୍ତି ???

 

ଖୋଲା ଆକାଶରୁ ଆଖି ତାଙ୍କର ଫେରାଇ ଆଣି ଦୁଇହାତରେ ମୋ ମୁହଁକୁ ତୋଳିଧରି କହିଲେ, ଛିଃ–ମୁଁ କେଡ଼େ ବୋକାଟାଏ–ମୋ ପାଖରେ ଏପରି ଗୋଟିଏ ଚାନ୍ଦ ମୁହଁ ଥାଉ ଥାଉ ମୁଁ ପୁଣି ଆକାଶର ନିର୍ଜୀବ ଚାନ୍ଦକୁ ଚାହିଁ ରହିଛି–?

 

ଏଇ ସମୟରେ ବୋଉ ଆସି ଦୁଆର ଖଟ୍‌ ଖଟ୍‌ କଲା । ବାଧ୍ୟହୋଇ ସେ ମୋତେ ଛାଡ଼ି ଅଲଗା ହୋଇଗଲେ । ତରତରରେ ଡାଲିଟା ଓହ୍ଲାଇ ଦେଇ ଲମ୍ବା ‘ହଁ’ ମାରି ତୁଳସୀ ମୂଳେ ସଞ୍ଜ ଦେଲି; କାରଣ ଏତେବେଳ ପର୍ଯ୍ୟନ୍ତ ସଞ୍ଜଦିଆ ହୋଇ ନ ଥିବାର ଦେଖିଲେ ସେ ମୋତେ ବିରକ୍ତ ହେବ–ସଞ୍ଜ ଦେଇ ମୁଣ୍ଡିଆ ମାରିଲି–ସୁର ଭାଇ ମଧ୍ୟ ମୋ ସହିତ ତାଙ୍କର ମୁଣ୍ଡ ନୁଆଁଇଲେ । କହିଲେ–ତୁଳସୀ ସାକ୍ଷୀ ରହିଲେ....

 

ଲାଜରେ ତାଙ୍କ ମୁହଁକୁ ଚାହିଁପାରିଲି ନାହିଁ–ଦୌଡ଼ି ଦୌଡ଼ି ବୋଲକୁ କବାଟ ଫିଟାଇବାକୁ ଯାଉ ଯାଉ କହିଲି, ଛି–କେଡ଼େ ଦୁଷ୍ଟ ମ ତମେ.....

 

।। ଛଅ ।।

 

ଚାହୁଁ ଚାହୁଁ ନଈ ସୁଅ ଧାଇଁଲା ପରି ସମୟଗୁଡ଼ା ଚାଲିଗଲା ଜଣାପଡ଼ିଲା ନାହିଁ–

 

ଛୁଟି ସରିଯିବାରୁ ସୁର ଭାଇ କଟକ ଚାଲିଗଲେ । ମୋର ମନେଅଛି ଯିବା ପୂର୍ବଦିନ ଆମ ବାରିର ଝରା ବଉଳ ଗଛତଳେ ମୋଠାରୁ ବିଦାୟ ନେବାକୁ ଆସିଥିଲେ । ଆଖି ତାଙ୍କର ଲୁହରେ ଛଳ ଛଳ ହୋଇ ଉଠୁଥାଏ । ଥରିଲା ଥରିଲା ଗଳାରେ ମୋ ହାତ ଧରି ସେଥିରେ ଗୁଞ୍ଜିଦେଲେ ଖଣ୍ଡେ କାଗଜ–କହିଲେ ଚିଠି ଦେବୁ...

 

ଦୁଃଖରେ ଅନ୍ତର ମୋର ଭାଜି ପଡ଼ିଲା–ବୁକୁ ଫଟାଇ କୋହ ଉଠିଲା–କଇଁ କଇଁ ହୋଇ କାନ୍ଦି କାନ୍ଦି ଘର ଭିତରକୁ ଚାଲି ଆସିଲି ।

 

ଦୁନିଆରେ ମଣିଷ ଯାହାଠାରୁ ଦଣ୍ଡକ ପାଇଁ ସ୍ନେହ, ସୁଆଗ ପାଇଥାଏ–‘ଆହା’ ପଦ ଶୁଣିଥାଏ ତାକୁ ସେ ଯୁଗ ଯୁଗ ଧରି ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଭୁଲିପାରେନା–ଜୀବନରେ ତା’ର ଏଇ ବିଚ୍ଛେଦଟା ମର୍ମନ୍ତୁଦ ହୋଇଉଠେ ।

 

ଶୋଇଲା ଘରେ ମାଣ୍ଡିରେ ମୁହଁ ମାଡ଼ି ଶୋଇ ରହିଲି । ଆଖିରୁ ମୋର ଧାରା ଶ୍ରାବଣର ବରଷା ପରି ଲୁହଧାର ଛୁଟି ଚାଲିଲା । ମନ ଗଗନରେ କେତେ ଚିନ୍ତା ବାଦଲ ଭାସି ଚାଲିଲେ । ମୁଁ ଖାଲି ଭାବୁଥାଏ–ସୁର ଭାଇ ଏ ଦୁଇଦିନ ପାଇଁ ଆସି କାହିଁକି ଏ ମୋହ ମମତା ଲଗାଇ ଦେଇ ଗଲେ ? ଅଜଣା କଥାକୁ ଜଣାଇ ଦେଇଗଲେ । ଯେତେଦିନ ପର୍ଯ୍ୟନ୍ତ ଜାଣି ନଥିଲି ସେତେଦିନ ପର୍ଯ୍ୟନ୍ତ ଖୁସିରେ ଥିଲି । କିନ୍ତୁ ଏଣିକି.....ନିଆଁ ରୂପରେ ଆତ୍ମହରା ହୋଇ ପୋକ ଯେଉଁ ପର୍ଯ୍ୟନ୍ତ ଆସି ପାରି ନଥାଏ ସେପର୍ଯ୍ୟନ୍ତ ସେ ସୁଖରେ ବଞ୍ଚି ରହିପାରିଥାଏ । କିନ୍ତୁ କେଇ ମୁହୂର୍ତ୍ତ ପାଇଁ ସେ ଆଗପଛ ନ ଦେଖି ଦଉଡ଼ି ଆସି ନିଆଁରେ ପଡ଼ି କି କଲବଲ ହୋଇ ସନ୍ତୁଳି ହୋଇ ନ ମରେ ? ସିମିତି ଅଚଖା ବଉଳ, ଓଠରପଶା ନ ପିଇଥିଲି, ଯେତେଦିନ ସେତେଦିନ ପର୍ଯ୍ୟନ୍ତ.....ଆଉ ଭାବି ପାଇଲି ନାହିଁ–ମୁଣ୍ଡ ମୋର କିମିତି ଗୋଳମାଳ ହୋଇଉଠିଲା ।

 

ସୁଖ ଜିନିଷଟାକୁ ଭଗବାନ ଏତେଶୀଘ୍ର ଦିଅନ୍ତି କାହିଁକି ପୁଣି ଫେରାଇ ନିଅନ୍ତି କାହିଁକି ? ଭାବୁ ଭାବୁ ଭାବିଲି–ପ୍ରକୃତରେ ମୁଁ ଭୁଲ କରିଛି । ଜୀବନ ନଉକା ମନ ପବନରେ ଚହଲି ଚହଲି ଦିଗ ଦିଦିଗ ଶୂନ୍ୟ ହୋଇ ଭାସି ଚାଲୁଥିଲାବେଳେ ବିବେକ ଆହୁଲା ଧରି ମୋର ଅନ୍ତତଃ ତାକୁ ସମ୍ଭାଳି ନେବାର ଥିଲା । ସୁରଭାଇ–ଯୁବକ ସେ । କ୍ଷଣିକ ଉତ୍ତେଜନାରେ ସେ ପାଗଳ ହୋଇ ଉଠିଲାବେଳେ ମୋର ଅନ୍ତତଃ ଭାବିବାର ଥିଲା । ମୋର ନିଜସ୍ୱକୁ ନିଃଶେଷ କରିବା ପୂର୍ବରୁ ମୋର ସତର୍କ ହେବାର ଉଚିତ ଥିଲା । କଲେଜ ପଢ଼ୁଆ ଯୁବକ ସେ–ପ୍ରତ୍ୟେକ ଦିନ ରଙ୍ଗିନ ରଙ୍ଗିନ ସ୍ୱପ୍ନରେ ମଜଗୁଲ୍‌ ଥିବେ–କଟକର ଚାକଚକ୍ୟ, ଆଡ଼ମ୍ବର ଦେଖି ସବୁଜ ପଲ୍ଲୀର କଅଁଳ ଧାନଗଛର ମନମତାଣିଆ ସୁବାସ ତାଙ୍କର ମନରୁ ଚାଲିଯିବଣି । ଘୋଡ଼ାଗାଡ଼ିରେ ବସି ପିଚୁ ରାସ୍ତାରେ ଗଲାବେଳେ ଗାଁର ଦୀନା ବେହେରାର ଖଣ୍ଡିଆ ଶଗଡ଼ ଖଣ୍ଡକର ମାୟା ଭୁଲି ଯିବେଣି । ହିନ୍ଦି ସିନେମାର କୃତ୍ରିମ ସଙ୍ଗୀତ ଶୁଣି ସେ ହୁଏତ ‘‘ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି...’’ର ସୁମଧୁର ସଙ୍ଗୀତକୁ ଭୁଲିଯିବେଣି–ମୁଣ୍ଡକୁ ମୁକୁଳା କରି, କୁଞ୍ଚିକରି ଲୁଗା ପିନ୍ଧି, ସ୍ନୋ ପାଉଡ଼ର ମାଖି, ଚପଲମାଡ଼ି ଚାଲିଯାଉଥିବା କଲେଜ ପଢ଼ୁଆ ଯୁବତୀଙ୍କୁ ଦେଖି ତାଙ୍କର ତରଳ ଯୁବକ ପ୍ରାଣ ଚହଲି ଉଠୁଥିବ–ଦେହରେ ଶିହରଣ ଖେଳି ଯାଉଥିବ ସେତେବେଳେ ସେ ଅବା କାହିଁକି ହାତେ ଓଢ଼ଣାଦିଆ, କଜଳବତୀ, ହଳଦିମାଖି, ଲାଜକୁଳୀ ମଫସଲ ଗାଉଁଲି ଝିଅ କଥା ଭାବିବେ–ସବୁଦିନ ତ ସମାନ ନ ଥିବ ତେଣୁ କାଲି ଯଦି ଏଇକଥା ଘଟେ ତେବେ ତାଙ୍କର ପାଦତଳେ ଜୀବନର ନିଜସ୍ୱ ଯାହା କିଛି ଦେଇସାରି ଦୁନିଆରେ ଆଶ୍ରା ନେବି କେଉଁଠି ? ମନ କପୋତୀ ମୋର ବାହୁନି ଉଠିଲା.....

 

ପୁଣି ପରକ୍ଷଣରେ ଭାବିଲି, ନା–ନା–ସୁରଭାଇ ମୋର ସେପରି ହେବେ ନାହିଁ–ଏଇ ମାଟି, ପାଣି, ଏଇ ଧୂଳିଆ ଦାଣ୍ଡରେ ଗଡ଼ି ଗଡ଼ି ସେ ଆଜି ମଣିଷ ହେବାକୁ ଯାଉଛନ୍ତି–ଦୁନିଆରେ ପାଦ ମିଳାଇ ଚାଲିବାକୁ ଚେଷ୍ଟା କରୁଛନ୍ତି–ଯେଉଁ କଣ୍ଟିଆ ଗାଡ଼ିଆରେ ବନ୍‌ଶୀ ପକାଇ ମାଛ ଧରିବାରେ ଉଦୁଉଦିଆ ଦିପହର ସାରା ବିତାଇ ଦେଇଛନ୍ତି ସେଥିପାଇଁ ମାଡ଼ ଖାଇ ଖାଇ ପିଠିରୁ ରକ୍ତର ଧାରା ବୁହାଇ ଦେଇଛନ୍ତି ଅଥଚ ତାକୁ ଭୁଲିପାରି ନାହାନ୍ତି–ସେ ଆଜି କଟକ ମାଡ଼ି ଏସବୁ ଭୁଲିଯିବେ ! ନା–ନା–ତା’ କଦାପି ହୋଇପାରିବ ନାହିଁ–ଜନମଭୁଇଁ–ଏନ୍ତୁଡ଼ିଶାଳ ଏହାକୁ ଜୀବନରେ କେହି କେଭେ ଭୁଲିପାରି ନାହାନ୍ତି । କର୍ତ୍ତବ୍ୟର ସୁଅରେ ହୁଏତ କିଏ କେଉଁଠି ଆଶ୍ରା ନେଇପାରିଥାଆନ୍ତି କିନ୍ତୁ କାଲି ସେଇ ଚମଧୁଡ଼ୁଧୁଡ଼ୁ ପଞ୍ଜରା କାଠି ଗୁଡ଼ାକୁ ଧରି ଜନମଭୂଇଁକୁ ଫେରିଆସିବେ–ଗାଁର ଏନ୍ତୁଡ଼ିଶାଳ ଯେଉଁଠି ଦିନେ ସେମାନେ ହସି ଉଠିଥିଲେ ସେଇଠି ଲିଭାଇଦେବେ ଶେଷ ହସ ଟିକକ–ସଜଫୁଟା ମୁହଁ ତାଙ୍କର ମଉଳି ଯିବ.....

 

ଦୁଃଖ ଓ ବ୍ୟାକୁଳତାରେ ତକିଆଟାକୁ ଛାତିରେ ଭିଡ଼ି ଧରିଲା । ଥଣ୍ଡା ଲାଗିବାରୁ ଦେଖିଲି–କେତେବେଳେ ଆଖି ପାଣିରେ ତକିଆ ଉପର ଓଦାହୋଇ ମୋ ଶାଢ଼ି ଭିତରେ ଥିବା ସୁରଭାଇଙ୍କ କାଗଜ ଖଣ୍ଡକ ଭିଜିଗଲାଣି–

 

ତରତରରେ ଆଖିରୁ ଲୁହଗୁଡ଼ା ପୋଛି ପକାଇଲି । ଭିଜା କାଗଜରୁ ସୁରଭାଇଙ୍କର ଗୋଲ ଗୋଲ ଅକ୍ଷର କେଇପୁଞ୍ଜା ମୋର ଆଗରେ କଥା କହିଲା ପରି ଲାଗିଲା–

 

ଶ୍ରୀ ସୁରେଶଚନ୍ଦ୍ର ପଟ୍ଟନାୟକ ରେଭେନ୍‌ସା କଲେଜ ଓ ଓ୍ୱେଷ୍ଟ ହଷ୍ଟେଲ–ରୁମ ନଂ ୨୩ କଟକ–୩

 

ଜୀବନର ଶ୍ରେଷ୍ଠ ସମ୍ପଦ–ଭବିଷ୍ୟତର ସର୍ବସ୍ୱ ଭାବି ସୁଟକେଶରେ ସାଇତି ରଖିଲି । ଭାବିଲି ଠିକଣା ତ ଅଛି–ଯଦି ସେ ପ୍ରକୃତରେ ହୃଦୟ ଦେଇ ଭଲ ପାଉଥିବେ, ମୋର ଅନ୍ତରକୁ ଚିହ୍ନିଥିବେ–ତେବେ ସେ ପତ୍ର ଦେବେ ନାଇଁ କି ?

 

–ଘରୁ ଆସି ଘର କାମରେ ଲାଗିପଡ଼ିଲି–

 

।। ସାତ ।।

 

ମଣିଷ ବୁଝେ–ପୁରୁଷର ନାରୀଟିଏ ଓ ନାରୀର ପୁରୁଷଟିଏ ନିହାତି ଦରକାର । ଜନ୍ମର ପହିଲି ପ୍ରଭାତରୁ ସେ ପାଖରେ ଅନ୍ୟ କାହାର ଅନ୍ତୁଡ଼ିଶାଳରେ ‘କୁଆଁ କୁଆଁ କାନ୍ଦିଉଠି ନିଶ୍ଚୟ ପୁରୁଷ ପାଇଁ ନାରୀଟିଏ ଜନ୍ମ ହୋଇଥିବ; ତଥାପି ଜଣକ ପାଇଁ ଜଣେ କାହିଁକି ଝୁରି ଝୁରି ମରେ ? ପାଗଳ ହୋଇଉଠେ । ଯଉବନର ମଦୁଆ ନିଶାରେ ଘାରି ହୋଇ ଜଣେ କାହିଁକି ଗାଇଉଠେ–

 

‘‘ପାଖରେ ନାହିଁ ପଣତକାନି

ପୋଛିବି କାହିଁ ଆଖିର ପାଣି

ପାଖରେ ନାହିଁ ଜୀବନ ସାଥୀ

ବୁଝିବ କିଏ ବୁକୁର ତାତି ?

ଫଗୁଣେ ଆଜି କୋଇଲି ଡାକେ

ଭଅଁର ସଜ କୁସୁମ ଚାଖେ

ବିରହୀ ସିନା ମରଇ ଏଥି

ଆସଗୋ ଆସ ପରାଶ ସାଥୀ…..’’

 

ଗାଉଁଲି କଥାରେ କହନ୍ତି–ବାପ ମା’ ଗୁଣେ ପିଲାଗୁଡ଼ିକ ଗୁଣର ହୁଅନ୍ତି–ଆଜିକାଲିକାର ବିଜ୍ଞାନର ମତ ମଧ୍ୟ ସେଇୟା । ତେଣୁ ଗୁଣୀ ପୁତ୍ରର ଜନନୀ ହେବା ପାଇଁ କେଉଁ ନାରୀର ଅନ୍ତର ଥରିଉଠେ ନାହିଁ ? ଦୁନିଆରେ ଭଲ ଶୁଣିବାକୁ ସମସ୍ତେ ଆପ୍ରାଣ ଚେଷ୍ଟା କରନ୍ତି, ହୁଏତ ଚେଷ୍ଟା ପରେ କିଏ ସଫଳ ହୋଇପାରେ ତ କିଏ ବିଫଳ ହୋଇପାରେ, କିନ୍ତୁ ସମସ୍ତେ ଚେଷ୍ଟା କରନ୍ତି ।

 

ତାପରେ ଯେ ପିଲାଛୁଆ ଜନ୍ମ କରିଦେଲା ପରେ ଜୀବନର କର୍ତ୍ତବ୍ୟ ସରିଗଲା, ଯୌବନର ସାର୍ଥକତା ଆସିଗଲା ତା’ ନୁହେଁ । ସଂସାରରେ ଜୀବନର ସ୍ୱାଦ ଅନୁଭବ କରିବା ପାଇଁ ଜୀବନ ସଂଗ୍ରାମରେ କ୍ଷତ ବିକ୍ଷତ ହୋଇ ଶାନ୍ତି ପାଇବା ପାଇଁ, ଆଉ ଜୀବନକୁ ମଧୁମୟ, ଶାନ୍ତ, କୋମଳ କରିବା ପାଇଁ ନାରୀ ଚାହେଁ ତା’ର ମନମୁତାବକ ପୁରୁଷ ଆଉ ପୁରୁଷ ଚାହେଁ ତା’ର ମନଲାଖି ନାରୀ ।

 

ଜଗତକୁ ଭଗବାନଙ୍କର ସର୍ବଶ୍ରେଷ୍ଠ ଅବଦାନ ନାରୀ ଆଉ ପୁରୁଷ ।

 

ଚାହିଁ ଚାହିଁ ଦୀର୍ଘ ପାଞ୍ଚଦିନ ବିତିଗଲା–ଆଖିରୁ ମୋର ପାଣିମଲା ତଥାପି ଚିଠି ଆସିଲା ନାହିଁ ।

 

ସେଦିନ ସକାଳୁ ମନଟା ଆଦୌ ଭଲ ଲାଗୁନଥାଏ, ଚାଉଁ ଚାଉଁ କରି ଟିକକ କଥାରେ ଚମକି ପଡ଼ୁଥାଏ । ସବୁ ବିଷୟର କିପରି ଖାପ୍‌ଛଡ଼ା ଜଣାପଡ଼ୁଥାଏ । ଯେପରି ମୋର କାମରେ କେଉଁଠି ଭୁଲ୍‌ ରହିଯାଉଛି ବୋଉ ଦେଖିଲେ ଗାଳିଦେବ ତେଣୁ ଏଇ ଆଶଙ୍କା ଆଉ ଡରରେ ଗୋଟିଏ କାମ କରିବାକୁ ଡେରି ହୁଏ । ପୁଣି ଠିକ୍‌ କାମ ଭୁଲ୍‌ କରି ବସେ । ମନ ଚିଡ଼ି ଗଲାବେଳେ ଭାବେ ସୁରଭାଇ ତୁମର କି ଦୋଷ ମୁଁ କରିଥିଲି କି ?

 

ଦିନ ବାରଟା ହେବ କି କ’ଣ ବୋଉ ଖାଇସାରି ବିଶିଦାଦାଙ୍କ ଘରକୁ ଚାଲି ଯାଇଥାଏ ମୁଁ ଖଟ ଉପରେ ଗଡ଼େଇ ତଡ଼େଇ ହୋଇ ଗୋଟାଏ କେଉଁ ଅସିଆ କାଳର ପତ୍ରିକା ଉପରେ ଆଖି ବୁଲାଉଥାଏ ଏଇ ସମୟରେ ଦାଣ୍ଡ ଦୁଆରେ ଯଦୁ ମାମୁଁଙ୍କର ପାଟି ଶୁଭିଲା । ଯଦୁ ମାମୁଁ ମୋ ବୋଉର ଲେଖାଯୋଖା ଭାଇ ହେବେ । ଡାକ ଘରେ ପିଅନ କାମ କରନ୍ତି । ଆମ ଘରର ଯେତେ ଚିଠିପତ୍ର ସବୁ ମୋରି ନାଁରେ ଆସେ; କାରଣ ବାପା ତ ସବୁଦିନ ପାଇଁ ବିଦେଶୀ ବାକି ବୋଉ....

 

ତାଙ୍କ ଡାକ ଶୁଣି ଧଡ଼୍‌ପଡ଼ ହୋଇ ପତ୍ରିକାଟା ଫୋପାଡ଼ି ଦେଇ କବାଟ ଫିଟାଇ ଚିଠି ଖଣ୍ଡ ଆଣିଲି । ଆଶା ଓ ନିରାଶା ଭିତରେ ପଡ଼ି ଅଧେ ଆନନ୍ଦ ଓ ଅଧେ ଆଶଙ୍କାରେ ଚିଠି ଖଣ୍ଡକ ଖୋଲିଲି......ଦୁଇଟି ନେଳିଆ କାଗଜରେ ସୁରଭାଇଙ୍କର ହସ୍ତାକ୍ଷର ଦେଖି ମନ ମୋର ଆନନ୍ଦରେ ନାଚି ଉଠିଲା । ହସି ହସି ତରତରରେ ପଢ଼ି ଚାଲିଲି–

 

ଲତା–

 

ମୋର ସ୍ନେହ ନେବୁ । ତୋତେ କ’ଣ ବୋଲି ସମ୍ବୋଧନ କରିବି ସ୍ଥିର କରି ନ ପାରି ଏଇ ଦୁଇ ଅକ୍ଷରରେ ଡାକିଲି । ସପନପୁରୀର ଅଲିଅଳ ରାଜଜେମା କିମ୍ବା ସପନପୁରର ରାଜକୁମାର ଆମେ ଦୁହେଁ–ଗାଁର ପଥର ଢିପ ଉପରେ ଧୂଳିଭାତ ନେଇ ବୋହୂବୋହୂକା ଖେଳୁଥିବା ସୁର ଆଉ ଏତା ଆମେ ଦୁହେଁ–ତେଣୁ ଏପରି ବାଜେ ଧରଣର ଲୋକଦେଖାଣିଆ ଡାକ ଡାକିବାକୁ ଭଲ ଲାଗିଲା ନାହିଁ । କେଜାଣି କାହିଁକ ସେଇ ପୁରୁଣା ଆଦରିଣୀ ଲତା ହିସାବରେ ଡାକିବାକୁ ଭଲଲାଗିବାରୁ ମୁଁ ଲେଖିଲି ।

 

ତୋ ପାଖରୁ ଆସିବା ପରେ ଚିଠି ଦେବାରେ ଟିକିଏ ଡେରି ହୋଇଯାଇଛି । ସେଥିପାଇଁ ମୁଁ କେତେଦୂର ଦୋଷୀ ଭାବି ଠିକ୍‌ କରି ପାରୁ ନାହିଁ । କାରଣ ତୋ ପାଖର ପତ୍ର ପାଇବା ଆଶାରେ ଚାହିଁ ରହିଥିଲି ।

 

ତୁ ଭାବିପାରୁଥାଉ ତୋ ପାଖରୁ ଆସି ମୁଁ ଏଠାରେ ଖୁବ୍‌ ଖୁସିରେ ଅଛି । ମନ ଫୁର୍ତ୍ତିରେ ବୁଲି, ହଷ୍ଟେଲର ସାଙ୍ଗମାନଙ୍କ ସହ ମିଶି ତୋତେ ଭୁଲିଗଲିଣି । କିନ୍ତୁ ଲତା ସବୁ ଠିକ୍‌ ତା’ର ବିପରୀତ । ଜୀବନଟା ବଡ଼ ଦୁର୍ବିସହ ହୋଇଉଠୁଛି । ବେଳେବେଳେ ସେଦିନ ରାତିକଥା ମନେପଡ଼ିଲେ କୋହ ଉଠୁଛି–ପରୀକ୍ଷା ଆଉ ଅଳ୍ପଦିନ ପରେ ହେବ । ପଢ଼ିବାକୁ ଭାରି ଇଛାହୁଏ । ମନକୁ ଠିକ୍‌ କରି ବହି ମେଲାଇ ପଢ଼ିବସେ । କିନ୍ତୁ ବହିର ଅକ୍ଷରଗୁଡ଼ାକ ଉପରେ ତୋରି ଛବି ହସିଉଠେ । ତୋର ହସ ହସ ମୁହଁ ଦେଖିବାକୁ ପାଏ । ଦେହ ଉଲୁସି ଉଠେ, ମୁଣ୍ଡ କ’ଣ ହୋଇଯାଏ, ବହି ବନ୍ଦ କରି ଖଟ ଉପରେ ପଡ଼ିରହି ଭାବିବାକୁ ଲାଗେ । ଭାବି ଭାବି ଶେଷରେ ଏତେ ଖରାପ ଲାଗେ ଯେ ମୁଣ୍ଡଟାକୁ ଚିପି ଧରେ ।

 

ସାଙ୍ଗମାନେ ମୋର ଏପରି ଅବସ୍ଥା ଦେଖି ହସି ଉଠନ୍ତି । କେତେ କ’ଣ ଟାହି ଟାପରା କରି କହନ୍ତି । ସବୁ ଶୁଣେ–ଶୁଣିବା ଖାଲି ସାର ହୁଏ । କିଛି ଉତ୍ତର ଦେଇପାରେ ନାହିଁ । ପ୍ରକୃତରେ ଲତା ଦିନ ଦୁଇଟାରେ ତୁ ମୋତେ ଯେ କି ଆପଣାର କରି ପକାଇଲୁ ଭାବିଲେ ଆଶ୍ଚର୍ଯ୍ୟ ହୁଏ । ତୁ ତ ଜାଣୁ ପିଲାଦିନରୁ ସ୍ନେହ କାଙ୍ଗାଳ ମୁଁ–ଦୁନିଆରେ ଆଦର, ଶରଧା କାହାଠାରୁ ନ ପାଇଲା ବେଳେ ଯେତେବେଳେ ମାଉସୀଙ୍କର ସେଇ ମା’ ତୁଲ୍ୟ ସ୍ନେହ ପାଏ ଆଖି ଆଗରେ ମୋର ଭାସିଉଠେ ବୋଉର ଆଦରବୋଳା ମୁହଁଟି । ଆଖି ମୋର ଲୁହରେ ଛଳ ଛଳ ହୋଇଉଠେ । ଠିକ୍ ଏହି ସମୟରେ କିଏ ଯେପରି ମୋର ଅନ୍ତର ଭିତରୁ କହିଉଠେ, ‘‘କିରେ ମା’ ବଦଳରେ ମାଉସୀ ପାଇଛୁ, ସେଥିରେ ତୋର ଫେର ଦୁଃଖ–ମନ ମୋର କ’ଣ ହୋଇଯାଏ–ପୁଣି ମୁହଁରେ ଫୁଟିଉଠେ ହସ । ହୃଦୟରେ ଆନନ୍ଦର ଜୁଆର ଖେଳିଉଠେ । ମନେପଡ଼େ ସେଦିନର ପୁର ଏଣ୍ଡୁରି, ଡାଲମା କଥା । ବିଦେଶରେ ହଜାର ପ୍ରକାର ଲେଡ଼ିକିନ୍‌, ରୋଷ୍ଟ ଖାଇଲେ ସୁଦ୍ଧା ସେଇ ଡାଲମାରୁ ଯେଉଁ ସୁଆଦ ପାଏ ତାହା ଏ ବିଦେଶୀ ଖାଦ୍ୟ ସଙ୍ଗେ ସମାନ ନୁହେଁ ।

 

ତୁଳସୀ ସାକ୍ଷୀ ଅଛନ୍ତି–ସଞ୍ଜଦୀପ ଆମର ଅଗ୍ନିସାକ୍ଷୀ । ଜୀବନରେ ଯେତେ ଝଡ଼ଝଁଞ୍ଜା ଆପଦ ବିପଦ ଆସିଲେ ସୁଦ୍ଧା ଆମେ ଯେପରି ଭାଙ୍ଗି ନ ପଡ଼ିବା । ଅଧିକ କ’ଣ ଲେଖିବି ? ମନର କଥାକୁ କାଗଜ, କାଳି କଲମରେ କି ରୂପ ଦେଇହୁଏ ? ମୋର ମନର କଥା, ଅନ୍ତରର ବ୍ୟଥା ସବୁ ବିରହୀ କବି ଅଶୋକ ସାହୁଙ୍କ କବିତାରୁ ବୁଝିବୁ–

 

ବୁକୁର ଦରଦ ବୁଝିବା ଲୋକ ମିଳେନି

ଥିଲେ ଅବା ଥିବେ କୋଟିକେ ଗୋଟିଏ ଜଗତେ,

ଖୋଜି କହିବାକୁ ଚିତ୍ତ ଯେତିକି ବଳେନି

ନ କହିଲେ ଚିତ୍ତ ଲୋଡ଼ଇ ତେତିକି ଆରତେ ।

 

ପୁଣି କେବେ ଦେଖାହେବ ଭାବିପାରୁ ନାହିଁ–ଆଉଥରେ ଜୀବନରେ କେବେ ତୋ ସଜଫୁଟା ଗୋଲାପ ମୁହଁରୁ ଅଭିମାନିଆ କଥାପଦେ ଶୁଣିବି ?

 

ପତ୍ର ପାଇ ପତ୍ର ଦେବୁ ।

 

ତୋର

ସୁରଭାଇ

 

ଚିଠିଟି ପଢ଼ିଲି–ଥରେ କାହିଁକି ବହୁଥର ଆଖିଟା ସେଇ ଚିଠି ଉପରେ ଘୂରିଆସିଲା । ଆନନ୍ଦରେ ମନ ମୋର ଫୁଲିଉଠିଲା । ନିଜକୁ ନିଜେ ଧିକ୍‌କାର କରି ଭାବିଲି, ଦେବତା ଭଳି ସୁର ଭାଇଙ୍କୁ ମୋର ମୁଁ କ’ଣ ଭାବିନଥିଲି ! ମନ ଆନନ୍ଦରେ ଚିଠିଟା ବ୍ଳାଉଜ ଭିତରେ ଗୁଞ୍ଜିଦେଇ ଘରସାରା ବୁଲିବାକୁ ଲାଗିଲି ।

 

ବୋଉ ଆସିବାରୁ ତାକୁ କହିଲି–ବୋଉ ସୁରଭାଇ ଚିଠି ଦେଇଛନ୍ତି । ବୋଉ ତ ମୋର ପଢ଼ି ଜାଣେନା–ତେଣୁ ଘରର ସମସ୍ତ ଚିଠିପତ୍ର ମୁଁ ପଢ଼େ । ବୋଉ କହିଲା ମୁଁ ଚାଉଳ ତକ ରଖିଦିଏ କି ସଞ୍ଜକୁ ନିରୋଳ ବେଳେ ପଢ଼ି ଶୁଣାଇବୁ ।

 

।। ଆଠ ।।

 

ସୁର ଭାଇଙ୍କ ପାଖକୁ ପତ୍ର ଦେବି ଭାବି ମୋର ଦୁଇଦିନ ବିତିଗଲା । ଶେଷରେ ଦିନେ ବାଧ୍ୟହୋଇ ଚିଠି ଲେଖିବାକୁ ଠିକ୍‌ କଲି । କାଗଜ କଲମ ଧରି ଖଟରେ ଘଣ୍ଟାଏ କାଳ ପଡ଼ିରହି ଭାବିବାକୁ ଲାଗିଲି କ’ଣ ଲେଖିବି । ବଡ଼ ଅସ୍ଥିର ହୋଇ କେତେ ସମୟ ଗଲାପରେ ଯେତେବେଳେ ମୁଁ କାଗଜକୁ ଚାହେଁ ସେତେବେଳେ ଦେଖିଲି କେବଳ ଗୁଡ଼ାଏ ଗାର, ଗାଈ, ଗଛ ଚିତ୍ରଛଡ଼ା ମୁଁ ଆଉ କିଛି ଲେଖିପାରିନାହିଁ । ବହୁତ ଭାବି ଭାବି ଶେଷରେ ଲେଖିଲି....

 

ସୁରଭାଇ–

 

ମୋର ନମସ୍କାର ନେବ । ତୁମର ପତ୍ର ପାଇଛି କିନ୍ତୁ ଘର କାମରେ ବ୍ୟସ୍ତରହି ତୁମ ପାଖକୁ ଖଣ୍ଡିଏ ପତ୍ର ଦେଇପାରିଲି ନାହିଁ । ତେଣୁ ତୁମେ ବୋଧହୁଏ ଭାବିଥିବ ମୁଁ ତୁମକୁ ଭୁଲିଗଲିଣି । କିନ୍ତୁ ତୁମ ଚିଠିର ପ୍ରତ୍ୟକ ଅକ୍ଷରରେ ଯେପରି ତୁମର ସେଇ ହସ ହସ ମୁହଁଟା ଦେଖିବାକୁ ପାଏ । ଥରେ କାହିଁକି ବହୁତ ଥର ସେ ପତ୍ରଟି ପଢ଼ିଲିଣି ତଥାପି କାହିଁକି ଆହୁରି ପଢ଼ିବାକୁ ଇଚ୍ଛାହୁଏ । ଲୋଭ ଛାଡ଼ିପାରେନା । ମନ ସନ୍ତୁଷ୍ଟ ହୁଏନା ।

 

ପ୍ରକୃତରେ ସୁରଭାଇ ତୁମକୁ ମୁଁ ଭୁଲ୍‌ ବୁଝିଥିଲି । ମନରେ ତୁମପ୍ରତି କେତେଆଡ଼ୁ କେତେକଥା ଚିନ୍ତିଥିଲି । କିନ୍ତୁ ଆଜି ତୁମେ ନିଜେ ମୋର ସେ ଭୁଲକୁ ମୋତେ ଦେଖାଇ ଦେଇଥିବାରୁ ମୁଁ ବଡ଼ ଅନୁତପ୍ତା ।

 

ଜୀବନରେ ତୁମର ମୋର ମିଳନ କେବେ ସମ୍ଭବ ହେବ ଭାବିପାରୁନାହିଁ; ଆଶାୟୀ ହୋଇ ସେ ଶୁଭଲଗନକୁ ଚାହିଁ ରହିଛି–ଯେଉଁଦିନ ସଂସାରର ନୀଳ ଦରିଆରେ ଆମେ ସ୍ୱାଧୀନ ଭାବରେ ମେଲିଦେବା ଆମର ଜୀବନତରୀ । ଆକାଶରେ କଳା ମଇଁଷିଆ ମେଘକୁ ଦେଖି କିମ୍ୱା ଝଡ଼ ବତାସିକୁ ଦେଖି ଆମେ ଯେପରି ଭାଙ୍ଗି ନପଡ଼ି ସବୁ ବାଧାବିଘ୍ନକୁ ହସି ହସି ସହି ନେଇ ବୋହିଚାଲିବା ଆମର ଜୀବନ ନଉକା ବିବେକ ଆହୁଲାରେ....ଆଜିକାଲି ଆକାଶରେ ଚାନ୍ଦ ଉଠିଲେ ମୁଁ ତାକୁ ଚାହିଁପାରେନା । ମୋତେ ଲାଗେ ସତେ ଯେପରି ସେ ମୋତେ ପରିହାସ କରି ହସିଉଠୁଛି–ଭଗବାନ କ’ଣ ଆମର ମନର ବେଦନାକୁ ବୁଝିବେ ନାହିଁ ?

 

ଆଜିକାଲି ମନ ମୋର ଯାହା ହେଉଛି ତା’ ମୁଁ ଜାଣେ । କାଗଜ କଲମ ଧରି ପୃଷ୍ଠାପରେ ପୃଷ୍ଠା ଲେଖିଲେ କ’ଣ ମନ ଶାନ୍ତି ହେବ । ବହୁତଆଡ଼ୁ ବହୁତ କଥା ଆଣି ଲେଖିଛି–ବହୁତ ପାଠ ପଢ଼ିଛ–ନିଜେ ଲେଖକ ତେଣୁ ଏଣୁତେଣୁ କେତେକଥା ଆଣି ଲେଖିଛ । କିନ୍ତୁ ମୁଁ ତୁମର କୋଉଗୁଣକୁ ଅବା ସରିହେବି ଯେ ! ଗାଁର ପ୍ରାଇମେରୀ ସ୍କୁଲର ଦୁଆରବନ୍ଧ ଟପି ମୁଁ ତ ଅନ୍ୟଆଡ଼େ ଦେଖିନାହିଁ । ତେଣୁ କୂଅ ଭିତରେ ଥାଇ ବେଙ୍ଗ ଯେପରି ଭାବେ ଯେ ପୃଥିବୀଟା କୂଅପରି–ସେଇପରି ତୁମର ଓ ମୋର କଥା–

 

ବେଳେବେଳେ ଉଦାସିଆ ହୋଇ ଭାବେ ଆଜିକାଲିକାର କଲେଜପଢ଼ୁଆ ବାବୁମାନେ କ’ଣ ଗାଁର ଅପାଠୁଆ, ଅଶିକ୍ଷିତା, ଗାଉଁଲି ଝିଅଙ୍କୁ ନେଇ ତାଙ୍କର ଘରକୁ ସରଗରେ ପରିଣତ କରିପାରିବେ ? ଏଇ ପ୍ରଶ୍ନ ଏବେ ମଧ୍ୟ ମୋ ମନରେ ଲାଗିରହିଛି । ପରୀକ୍ଷାର ବେଳ ଆସୁଛି ଯେ....

 

ମେଘ ସିନା ବରଷିଲେ ଫୁଲ ଫୁଟେ–ମହକରେ ବୁକୁ ତା’ର ଉଚ୍ଛୁଳିପଡ଼େ । କିନ୍ତୁ କାକର ବରଷା ହେଲେ କ’ଣ ଫୁଲ ଫୁଟେ କି ? ସେଇପରି କ୍ଷଣକ ପାଇଁ ସିନା ଚିଠିରେ ମନ ଭୁଲିଯିବ–କିନ୍ତୁ ତାପରେ....

 

ଅଧିକ କ’ଣ ବା ଜାଣେ ଯେ ଲେଖିବି–ଏତେଗୁଡ଼ାଏ ଲେଖିଥିବାରୁ ମନରେ ମୋର ଭୟ ହେଉଛି–ତୁମ ପଢ଼ାରେ ବାଧାହେବଣି ବୋଲି ଚିଡ଼ିବ । ଭବିଷ୍ୟତରେ ତୁମର ପଢ଼ା ମୁଁ ନିଷ୍ଫଳ କରିଦେଲି ଦୋଷ ଦେବ–

 

ମୋରାଣ ତୁମକୁ, ମନଦେଇ ପାଠପଢ଼–ନିଜର ଭବିଷ୍ୟତ ଓ ଘରର ଅବସ୍ଥା ପ୍ରତି ଦୃଷ୍ଟି ଦେଇଥିବ–ନିଜେ ତ ସବୁ ଜାଣୁଛ ଅଙ୍ଗେ ଲିଭାଉଛ । ଥରେ କ’ଣ ଫେଲ ହେଲେ ମାଉସୀ ଆଉଥରେ ପଢ଼ାଇବେ ? ତେଣୁ ସବୁକଥା ଭୁଲିଯାଇ ପଢ଼ାରେ ମନଦିଅ–ମୋର ଏତକ ଅଳି ରକ୍ଷାକରିବ ବୋଲି ମୋର ଆଶା ।

 

ଗାଁର ଖବର ସବୁ ଭଲ । ତୁମ ପରୀକ୍ଷା କେବେ ସରିବ ? ପରୀକ୍ଷା ପରେ ଗାଁରେ ତୁମକୁ ଦେଖିବା ପାଇଁ ଚାହିଁ ରହିଲି ।

 

ତୁମର ଆଦରିଣୀ

ଲତା

 

ଚିଠି ଲେଖିସାରି ପଢ଼ି ବସିଲି–ନିହାତି ଖରାପ ଲାଗିଲା । ମୋତେ ଜଣାଗଲା ଯେପରି ସେଥିରେ ଭୁଲ ମାଳ ମାଳ ହୋଇ ଗୁନ୍ଥାହୋଇଛି । ଭାବିଲି ଚିରିଦେବି; କିନ୍ତୁ କ’ଣ ମନରେ ଭାବି ତକିଆତଳେ ରଖି ତା’ ଉପରେ ଶୋଇପଡ଼ିଲି...

 

X X X

 

ସେହିବର୍ଷ ପରୀକ୍ଷାରେ ସୁରଭାଇ ବି.ଏ. ପାଶ୍‌କରି ଗାଁକୁ ଆସିଥାଆନ୍ତି । ପ୍ରତ୍ୟେକଦିନ ଆମ ଘରଆଡ଼େ ବୁଲି ଆସନ୍ତି । ବୋଉସଙ୍ଗେ ଦୁଃଖ ସୁଖ ହୋଇ, ମୋ ସଙ୍ଗରେ ଟାହି ଟାପରା ହୋଇ ଘରକୁ ଫେରନ୍ତି । ମୁଁ ଜାଣିପାରେନା । କାହିଁକି ତାଙ୍କ ଡାକ ଶୁଣିଲେ ଅଧବାଟରୁ ମୋ ହାତରୁ କାମଖସେ–ମୁଁ ଅଟକି ରହି ଠିଆହୁଏ । ବୋଉର ଲତା ଡାକ ଆଉ ତାଙ୍କର ଲତା ଡାକ ଭିତରେ ମୁଁ କିପରି ଗୋଟାଏ ପାର୍ଥକ୍ୟ ଦେଖିବାକୁ ପାଏ । ଆଜିକାଲି ମୋତେ ଦେଖି ଖାଲି ହସନ୍ତି-। କିଛି କହନ୍ତି ନାହିଁ । ତାଙ୍କର ସେଇ ଲାଜ ଲାଜ ହସତଳେ ତାଙ୍କର ମନର ସାଇତା କଥା ମୋ ପାଖରେ ଅବୁଝା ରହେ ନାହିଁ ।

 

ଗାଁକୁ ବାପା ମଧ୍ୟ ଆସିଥାନ୍ତି । ସେଥିପାଇଁ ମୁଁ ଟିକେ ଭାରୀ ସତର୍କରେ ଚାରିଆଡ଼କୁ ଜଗିରଖି ଚଳୁଥାଏ । ବାପା ମୋର ଯଦିଓ ମୋତେ ସନ୍ଦେହ କରନ୍ତି ନାହିଁ ତଥାପି କାହିଁକି ତାଙ୍କୁ ଦେଖିଲେ ବଡ଼ ମାଡ଼ି ମାଡ଼ି ପଡ଼େ । ମୁଁ ପୂର୍ବପରି ଖୋଲା ହୋଇ ଚଳିପାରେ ନାହିଁ....

 

ବାପାଙ୍କର ସଦାବେଳେ ଉଚ୍ଚ ଆଶା ଓ ବଡ଼ ବଡ଼ କଳ୍ପନା । ବଡ଼ ଆଦର୍ଶବାଦୀ ହେଲେ ମଧ୍ୟ ତାଙ୍କର ଭିତର ଓ ବାହାର ଏକ ନୁହେଁ । ଭିତରେ ପ୍ରକାରେ ଥିବେ ତ ବାହାରକୁ ପ୍ରକାରେ କାର୍ଯ୍ୟ କରୁଥିବେ । ଆଦର୍ଶବାଦୀ କିମ୍ୱା ସଂସ୍କାରକ ସେ ସିନା ଦାଣ୍ଡକୁ କିନ୍ତୁ ଆମଘର ବିଷୟରେ ପୂରା ରକ୍ଷଣଶୀଳ । ପୁରୁଣା ଢଙ୍ଗଢାଙ୍ଗ, ଚାଲିଚଳନ ଇତ୍ୟାଦି...ବାର ଦିଅଁ ଦେବତ କରି କରି ମୋତେ ପାଇଥିବାରୁ ଦିଅଁ ଦେବତା, ବ୍ରାହ୍ମଣ, ବଇଷମ, ଧର୍ମ ପୁରାଣରେ ସେ ଭାରି ବିଶ୍ୱାସୀ....

 

ଗାଁକୁ ଆମର କେବେ କେମିତି ଆସିଲେ ସଦାବେଳେ ସେଇ ଘରେ ଥିବେ । ବାହାରକୁ ଟିକିଏ ବାହାରନ୍ତି ନାହିଁ । ବାହାର ଲୋକଙ୍କ ସହ ଖୁବ୍‌ କମ୍‌ ମିଶନ୍ତି–ଯଦି କଦବା କିଏ ମାଲିମକଦ୍ଦମା ବିଷୟରେ କଥା ହେବାକୁ ଆସିଲା ଦୁଇ ଚାରିପଦ କଥାରେ କାମ ସାରି ତାକୁ ବାହୁଡ଼ାଇ ଦିଅନ୍ତି । ନିଜର ମାନ ମର୍ଯ୍ୟାଦା, ବ୍ୟକ୍ତିତ୍ୱ ଉପରେ ତାଙ୍କର ଭାରି ନଜର । ସବୁ କଥା ପଛେ ଜୀବନରେ ସହିପାରନ୍ତି କିନ୍ତୁ ସେଥିରେ ଟିକେ ଆଞ୍ଚ ଆସିଲେ ଆହତ ସିଂହପରି ଗର୍ଜିଉଠନ୍ତି । ନିଜର ଦୁର୍ବଳତାକୁ ପରଆଗରେ ମେଲି ନ ଦେବାପାଇଁ ସେ ଖୁବ୍ ସତର୍କ ଥାଆନ୍ତି ।

 

ରାତିରେ ବାପା ଖାଇବସି ଥାଆନ୍ତି, ମୁଁ କ’ଣ ଘରେବସି ସେ ମୋ ପାଇଁ ଆଣିଥିବା ଖାତା ଆଉ ବହି କେତେଖଣ୍ଡ ମୋ ସୁଟ୍‌କେଶ୍‌ରେ ସଜାଡ଼ି ରଖୁଥାଏ । ବୋଉ ବାପାଙ୍କ ପାଖେ ବସି ଏଣୁତେଣୁ ଗପୁଥାଏ–ଏଇ ସମୟରେ ହଠାତ୍‌ ମୁଁ ଶୁଣିପାରିଲି ବୋଉ ବାପାଙ୍କୁ କହୁଛି, ‘‘ହଇଏ, ଲତାପାଇଁ କ’ଣ କେଉଁଠି ଠିକ୍‌ କଲଣି ? ଝିଅ ଘିଅ କେତେଦିନ ପାଖରେ ରଖିବ ? ବେଶୀ ରଖିଲେ ଗନ୍ଧାଏ ।

 

ସୁଟ୍‌କେଶ୍‌ ସଜଡ଼ା ସେତିକିରେ ରହିଲା–ମନ ରହିଲା ଯାଇ ସେମାନଙ୍କ କଥାବାର୍ତ୍ତା ଉପରେ...

 

ବାପା ମୋର ତାଚ୍ଛଲ୍ୟ କରି କହିଲେ–ହଁ ହେ ବୁଝିବା, ଅଛି ତ...ବୋଉ ଚିଡ଼ିଉଠି କହିଲା ତମର ତ ଏଇ ହେଳାସିଆ, ବେଖିଆଲି କଥାକୁ ମୋତେ ଚିଡ଼ିଲାଗେ । ସବୁ କଥାକୁ ଖାଲି କରିବା–କରିବା...

 

ବାପା ହସି ହସି କହିଲେ–ଆଚ୍ଛା ମୁଁ ଯଦି କରି ନ ପାରୁଛି ତୁମେ ତୁମର ବୁଝି ଠିକ୍‌ କରୁନ । ଲତା କ’ଣ ମୋର ଏକା ଝିଅ ତୁମର ନୁହେଁ....

 

ଘଡ଼ିକେ ରାଗ ତା’ର କୁଆଡ଼େ ଚାଲିଗଲା । ହସୁ ହସୁ କହିଲା, ଲତା କାହିଁକି ତୁମର ଏକା ହେବମ ? ଜନମ କଲାବେଳକୁ କଷ୍ଟ ପାଇବି ମୁଁ; ଆଉ ଦାଣ୍ଡକୁ ବାହାରିଲାବେଳକୁ ପଟ୍ଟନାୟକଙ୍କ ଝିଅ ଲତା–କି ଅବୁଝା ଲୋକଗୁଡ଼ାକ ମ ! ସେ ଯାହାହେଉ ତୁମେ କ’ଣ ମୋ କଥା କରିବ ? ମୁଁ କହୁଥିଲି ଏଇ ଆମର ସୁର ମ–ଗୁଣ ବାବୁଙ୍କ ପୁଅ, ତା’ ପାଇଁ ଆମ ଲତାଟି ବିଷୟରେ କଲେ କିପରି ହୁଅନ୍ତା ? ପିଲାଟିକୁ ତ ଦେଖିଛ....ଜାଣିଛ–

 

‘‘ତୁମ ମନକୁ ଯଦି ପାଉଛି କରୁନ......’’

 

ବୋଉ ମୋର ଟିକେ ଦୁଃଖ କରି କହିଲା,‘‘–ହଁ ମୋର କୋଉ ଛଅଟା କି ନଅଟା ଗଡ଼ିଯାଉଛନ୍ତି ଯେ ଝିଅଟିକୁ ଦୂରରେ ଦେବି–ଏଇ ଗାଁରେ ଦେଲେ ଭଲ ମନ୍ଦରେ ଟିକେ ଦେଖିପାରିବି, ମଲାବେଳେ ତା’ ମୁହଁକୁ ଚାହିଁ ଆଖି ବୁଜିବି । ଏଇଥିପାଇଁ କରିବା କଥା । ତା’ ପରେ ସୁର ହେଲା ଶିକ୍ଷିତ ପାତ୍ର । ଉଚ୍ଚ କୁଳର ପିଲା ।’’

 

ବାପା ବୋଉ କଥାରେ ଏକମତ ହୋଇ କହିଲେ, ପାତ୍ରଟି ଅବଶ୍ୟ ମନ୍ଦ ନୁହେଁ ତେବେ ଗୁଣନିଧି ବାବୁ ରାଜିହେଲେ ତ ?

 

ବାପାଙ୍କ ପାଖରେ ବୋଉର ପ୍ରସ୍ତାବ ଶୁଣି ମନ ମୋର ଆନନ୍ଦରେ ନାଚିଉଠିଲା । ଭାବିଲି, ପ୍ରକୃତରେ ଝିଅମାନଙ୍କର ମନକଥା ମା’ ଛଡ଼ା ଆଉ କିଏ ଜାଣିବ ?

 

ମହାପ୍ରଭୁଙ୍କୁ ଡାକିବାରେ ଲାଗିଲି–ମା’ ବାଉତୀଙ୍କୁ ଭୋଗ ଯାଚି ମନେମନେ କହିଲି, ଗୁଣ ମଉସା କିପରି ରାଜି ହୋଇଯାଆନ୍ତୁ ।

 

ସଂପଦ ବେଳେ ଖୁବ୍‌ କମ୍‌ ଲୋକ ଦିଅଁ ଦେବତାଙ୍କୁ ଡାକନ୍ତି ପୁଣି ବିପଦ ପଡ଼ିଲେ ଦିଅଁ ଦେବତାଗୁଡ଼ିକ ମଧ୍ୟ ପଥର ପାଲଟି ଯାଆନ୍ତି....

 

ବାପା ହାତଧୋଇ ସାରିଲାରୁ ବୋଉ ପାନଖଣ୍ଡିଏ ତାଙ୍କ ହାତକୁ ବଢ଼ାଇଦେଇ କହିଲା, ଏ ବିଷୟରେ ଟିକେ ଯାଇ ଗୁଣ ବାବୁଙ୍କ ସଙ୍ଗେ କଥାହବଟି ? ବାପା ଦାଣ୍ଡକୁ ଚାଲିଗଲେ–ବୋଉ ବାସନ ଉଠାଇବାରେ ଲାଗିଲା ।

 

ମନ ଆନନ୍ଦରେ ତକିଆଟା ଧରି ଖଟରେ ଗଡ଼ିବାରେ ଲାଗିଲି ।

 

।। ନଅ ।।

 

ସାମାନ୍ୟ ତାଳପତ୍ର ଖଣ୍ଡିଏ ତା’ର ଯେ ଏତେ ଗୁଣ, ଏତେ କରାମତି ତା’ ମୁଁ ଆଜିପର୍ଯ୍ୟନ୍ତ ଜାଣିନଥିଲି । ମଣିଷର ଭବିଷ୍ୟତ ଯେ ଏଇ ମଣିଷ ଗଢ଼େ ଓ ତାହା ଯେ ଭାଗ୍ୟର ଲିଖନ ବୋଲି ଗୃହୀତ ହୁଏ ଏ ବିଶ୍ୱାସ ମୋର ନଥିଲା ।

 

ତା’ ପରଦିନ ସକାଳୁ ବାପା ଗୁଣ ମଉସାଙ୍କ ଘରକୁ ବାହାରିଲେ । ତାଙ୍କ ଯିବା ପଛେ ପଛେ ମା’ ବାଉତୀଙ୍କୁ କେବଳ ମନେମନେ ଡାକୁଥାଏ–ତାଙ୍କ ଫେରିବା ସମୟକୁ ଏକ ଧ୍ୟାନରେ ଚାହିଁ ରହିଥାଏ । ମନ ମୋର କେଉଁଥିରେ ଲାଗୁନଥାଏ ।

 

ଉଦୁଉଦୁଆ ଦି’ ପହରକୁ ବାପା ଫେରିଲେ ତାଙ୍କଘରୁ ମୁହଁ ତାଙ୍କର ସେତେ ହସ ହସ ଦେଖା ଯାଉନଥିଲେ ମଧ୍ୟ ପୂର୍ବରୁ ସେ ଜ୍ୟୋତି ମୁହଁରୁ ତାଙ୍କର ଲିଭି ନଥିଲା । ଗୋଡ଼ ହାତ ଧୋଇ ସେ ଜଳିଖିଆ କରିବସିଲେ । ପାଖରେ ତାଙ୍କର ଗରମ ଦୁଧ ଗିଲାସେ ଥୋଇଦେଇ କୋଠି ଅଢ଼ୁଆଳରେ ଛପି ରହିଲି ତାଙ୍କର କଥା ଶୁଣିବା ପାଇଁ ।

 

ବୋଉ ତ ମୋର ବଡ଼ ଡବଡ଼ବୀ–ଆଗପଛ ଭଲମନ୍ଦ ଏସବୁ ବିଷୟ ଭାବିବା ତା’ ଜାତକରେ ନାହିଁ । ଖାଲରେ ପଡ଼ୁକି ଢିପରେ ପଡ଼ୁ ସେ ତା’ର କହି ଚାଲିବ । ପାଟିକୁ ରୁଟିଖଣ୍ଡେ ନ ନେଉଣୁ ସେ ପଚାରି ଉଠିଲା, ଗୁଣବାବୁ କ’ଣ କହିଲେ.....

 

ବାପା ଟିକେ ଚିଡ଼ିଉଠି କହିଲେ, ଆଃ–ମଣିଷକୁ ଗଣ୍ଡେ ଶାନ୍ତିରେ ଖୁଆଇ ଦେବନାହିଁ ସୁଦ୍ଧା । ଝିଅ ଜନମ କରିବା କି ପାପ ହେ ଭଗବାନ୍‌ ! ନା ଭିତରେ ଶାନ୍ତି–ନା ବାହାରେ ଶାନ୍ତି–ଯୁଆଡ଼େ ଯାଅ ଖାଲି କାଉ ଶାଗୁଣା ପରି ଖୁଂପି ଖୁଂପି ମଣିଷକୁ ଦରମରା କରିପକାଇବେ । ଏହା କହି ପାଟିକୁ ନେଉଥିବା ରୁଟି ଖଣ୍ଡକ ଥାଳିରେ ରଖିଦେଇ ହାତଟେକି ଚୁପ୍‌ ହୋଇ ବସି ରହିଲେ ।

 

ମନ ମୋର ବୋଉ ଉପରେ ଚିଡ଼ି ଉଠିଲା । ଭାବିଲି, କି ବୋକୀଟାଏ ମ–ଟିକିଏ ଅକଲ ନାହିଁ । ଲୋକର ସୁବିଧା ଅସୁବିଧା ଦେଖିବ ନାହିଁ ଖାଲି ଆଗ ତାହାରି କାମ କଲେ ଯାଇ ହେବ ନ ହେଲେ ନାହିଁ–ଏଣେ ପର ପଛେ ତା’ ଲାଗି ମରିଯାଉ ସେଥିପ୍ରତି ତା’ର ଖିଆଲ ନାହିଁ; ଅଥଚ କିନ୍ତୁ ତା’ କାମଟି ଆଗ ହେଉ ।

 

ଏଥିପାଇଁ ମୋତେ ବେଳେବେଳେ ତାକୁ ବଡ଼ ରାଗ ଲାଗେ; ତଥାପି କାନକୁ ଡେରି ଶୁଣିବା ପାଇଁ ରହିଲି ।

 

ବୋଉ ତ କିଛି ବୁଝେ ନାହିଁ, ନିଜର ହଜାର ଦୋଷ ଥିଲେ ସୁଦ୍ଧା ସେ ଅଯଥାରେ ଅଭିମାନ କରିବସିବ । ବାପାଙ୍କର ଏପରି ଅବସ୍ଥା ଦେଖି ସେ କହିଉଠିଲା, ଆମ ପାଟିରୁ ତ ଆଜି କାଲି ‘ମିଁ’’ କରି ପଦେ କଥା ବାହାରିଲେ ସବୁ ଅଡ଼ୁଆ । ହଉ ତୁମର ଯାହା ଇଚ୍ଛା ତା’ କର । ଆମକୁ ପଛେ ନ କହିଲେ ନାହିଁ କିନ୍ତୁ ସେ ଯାହାହେଉ ମୋରାଣ ରୁଟି ଦିଖଣ୍ଡ ଖାଅ । ଉପାସରେ ରହ ନାହିଁ । ମୁଁ ସିନା ଦୋଷ କଲି ରୁଟି ଖାଇବ ନାହିଁ କାହିଁକି ?

 

ବାପା ଟିକିଏ ହସିଲେ, ତା’ ପରେ ଖାଇବା ଆରମ୍ଭ କଲେ ।

 

ଖାଉ ଖାଉ କହିଲେ, ବୁଝିଲ ଲତାବୋଉ–ଏଡ଼େବଡ଼ ପରିବାର ଭିତରେ କ’ଣ ମଣିଷଟିଏ କାହାକୁ ଦେଖିବାକୁ ପାଇଲି । ସମସ୍ତେ ଖାଲି ପଶୁ–ପଶୁ ।

 

ବୋଉ ଅଭିମାନରେ ଚାଲିଯିବାକୁ ବସିଲା–ବାପା ହସି ହସି କହିଲେ, ବସୁନା ବସ, ଶୁଣୁନା.....

 

ବୋଉ ବସିଲା । ବାପା କହି ଚାଲିଲେ, ଗୁଣନିଧିକୁ ଯାଇ ଏ ବିଷୟରେ ପ୍ରସ୍ତାବ ଦେଲି-। ସେ ଏକଥା ଶୁଣି କହିଲେ–ହଁ ଲତା କ’ଣ ବୁଢ଼ୀ ହୋଇଯାଉଛି ନା ସୁର ଆମର ବୁଢ଼ା ହୋଇଯାଉଛି । ଅପେକ୍ଷା କରନ୍ତୁ, ପଢ଼ା ପିଲାଟା ପଢ଼ୁଛି । ପଢ଼ା ସରୁ ତା’ ପରେ ଦେଖିବା-। ପୁଣି ତୁମେ ଆମେ କ’ଣ ଆଉ କୋଉ ଗାଁର ହୋଇଛେ ଯେ ଏକଥାଟା ଆମକୁ ବଳେଇ ପଡ଼ିବ-। ମୁଁ ତାଙ୍କର ଏ ଖାପଛଡ଼ା କଥା ଶୁଣି ଟିକେ ନରମି କହିଲି ହଁ, ଯାହା କହିଲେ ସତ, ତଥାପି ଆମର ଯଦି କଥାଟା ପକ୍‌କାକରି ଦେଇଥିବା ତେବେ ଭବିଷ୍ୟତକୁ ଅଡ଼ୁଆ ନଥିବ । ଏଇଥିପାଇଁ କହୁଥିଲି ନା.....

 

ଏହା ଶୁଣି କବାଟ ଆଢ଼ୁଆଳରୁ ସୁରବୋଉ କହି ଉଠିଲେ–ଏତେ ଲୁଚାଛପା କାହିଁକି । ପୁଅକୁ ତ ବାହା କରିବାର କଥା କରିବ ନ ହେଲେ ମନା କରିଦେବ । ପୁଅକୁ କ’ଣ ତୁମର ବିଭା ହେବାକୁ ବଅସ ହୋଇନି–କରଣ ଘରେ କ’ଣ ପୁଅକୁ ବୁଢ଼ା କରି ବାହାଦେବ କି ? ତାପରେ ତୁମର ଯେଉଁ ପିଢ଼ା ଫିଟି ଧନ ଉଜୁଡ଼ି ଯାଉଛି ନା ସେଥିରେ ପୁଣି ପୁଅକୁ ଆହୁରି ପଢ଼ାଇ ଓକିଲ, ଦିପୋଟୀ କରିବ । ଯାହା କହନ୍ତି ନା ‘ଜାଣି ଘୋଡ଼ାର ଶିଙ୍ଘ ନାହିଁ ଶିଙ୍ଘ ଥିଲେ ଘୋଡ଼ା ରଖନ୍ତା ନାହିଁ-।’ ଏତିକି ପଢ଼ୁ ପଢ଼ୁ ତ ତାଙ୍କ ଆଖିରେ ମା’–ମା’ ନୁହେଁ, ବାପା–ବାପା ନୁହେଁ–ପୁଣି.... ।

 

ଗୁଣବାବୁ ସେଠାରୁ ଟିକେ ଏପାଖ ସେପାଖ ହୋଇ କଥା ଢୋକି ଢୋକି କହିଲେ, ହଁ ନ କରିବା କାହିଁକି, ତେବେ ତ ଗୋଟାଏ ପରମ୍ପରା ଅଛି–ଜାତକପତ୍ର ଶୁଝିବ....ବୋଉ ମଝିରେ ମୁଣ୍ଡ ଟୁଙ୍ଗାରି କହିଲା–ସେଇୟା ନୁହେଁ ଆଉ କ’ଣ ? ଯେତେବେଳେ ସେ ପୁଅ ଦେଇ ଝିଅ ନେବେ ଆଉ ଆମେ ଝିଅ ବଦଳରେ ପୁଅ ପାଇବା ସେତେବେଳେ.... ।

 

ବାପାଙ୍କ କଥା ମଝିରେ ବାଧାଦେଲେ ସେ ଚିଡ଼ନ୍ତି–ତେଣୁ ମୁହଁଟାକୁ ବିକୃତ କରି ସେ କହିଲେ–ଆଃ–ସେଠାରୁ କ’ଣ ହେଲା ନା ଶୁଣୁନା–ଜାତକପତ୍ର ଶୁଝିବ, ଫେର୍‌ ଦାଣ୍ଡ ସୁନ୍ଦରକୁ ଦାଣ୍ଡ ସୁନ୍ଦର ହେବ । ମୁଁ ତାଙ୍କର କଥାର ମର୍ମ ବୁଝିପାରି କହିଲି–ସବୁ କଥାକୁ ସବୁ ହେବ ନା....

 

ତାପରେ ସୁରବୋଉ କହିଲେ, ସେୟା ନୁହେଁ କ’ଣ–ସେ ତ କିଛି ଆମକୁ ଦେଇପକାଇବେ ନାହିଁ–ତାଙ୍କର ଝିଅ ଜୁଆଁଇଙ୍କୁ ଦେବେ । ସେମାନେ ସାରିବେ–ସେଇଟା ତାଙ୍କ ପକ୍ଷରେ ଗୌରବ ସିନା ।

 

ଆହେ ଶୁଣୁଶୁଣୁ ଗୁଣବାବୁ ଦାବି କରି ବସିଲେ ଘଣ୍ଟା, ସାଇକେଲ, ସୁନା ୨୫ ଭରି ଏମିତି କେତେ କଅଣ–

 

ବୋଉ ମୋର ଟିକେ ମନମାରି ପଚାରିଲା–ଆଚ୍ଛା, ଆମେ ଏତକ ନ ଦେଲେ ସେ ଆମ ଘରେ ସମ୍ବନ୍ଧ କରିବେ ନାହିଁ–ପୁଣି ଛିଗୁଲେଇ କରି କହିଲା–ମଲା ମୋର, ସୁର ଆମର ଲତାକୁ ବିଭା ହେବ ନା ଏଇ ଘଡ଼ି ସାଇକେଲକୁ ? ଏହା କହି ସେ ଥଟ୍ଟାରେ ହସିଦେଲା ।

 

‘‘ହଁ ସେୟା ନୁହେଁ ଆଉ କ’ଣ ? ତଥାପି ମୁଁ ତାଙ୍କୁ କହିଛି ମୋର ତ ଛ’ଟା ନାହିଁ ନଅଟା ନାହିଁ–ଝିଅ ବୋଲି ଗୋଟିଏ–ପୁଅ ସେଇ ଆଉ ଝିଅ ବି ସେଇ । ତେବେ ମୋର ସଖ୍ୟକୁ ଚାହିଁ ଯାହା ପାରିବି ଦେବି । କଥା ତ ଏଇପରି ଅଛି–କାଲି ଜାତକପତ୍ର ଶୁଝିଲେ ତେଣିକି ଦେଖାଅଛି–

 

ତା’ ପରଦିନ ସକାଳୁ ।

 

ବାପା ଆଲମିରାରୁ ଜାତକ ଖଣ୍ଡିକ କାଢ଼ି ପୁର ପଣ୍ଡିତଙ୍କ ସାଙ୍ଗରେ ସୁରଭାଇଙ୍କ ଘରକୁ ଗଲେ । ସେ ଯିବା ପରେ ପରେ ମୋ ଆଖି ଆଗରେ ଯେତେ ଦିଅଁ ଦେବତା ଅଛନ୍ତି ସମସ୍ତଙ୍କୁ ମନେମନେ ଡାକି ଭୋଗ ଯାଚିଗଲି । ତା’ ପରଠାରୁ କୌଣସିଥିରେ ଆଉ ମନ ଲାଗିଲା ନାହିଁ । ମନଟା ଖାଲି ଛକପକ ହେଲା । ଓଲେଇ ବିଲେଇ ଭଳି ଘରର ଏ ପାଖରୁ ସେ ପାଖକୁ ବୁଲିବାକୁ ଲାଗିଲି ।

 

ମଣିଷର ଏ ପ୍ରକୃତି ଦେଖିଲେ ହସମାଡ଼େ । ସୁଖବେଳେ ଖିରୀ, ପୁରୀ, ଧନ ଦଉଲତରେ ଭାସୁଥିଲାବେଳେ ଭଗବାନଙ୍କ ଉପାସନା ତ ଦୂରର କଥା ତାଙ୍କର ନାମ ସୁଦ୍ଧା ମନରେ ନ ଥାଏ । କିନ୍ତୁ ଯେତେବେଳେ ବିପଦ ଆସେ, ଆଖିକୁ ବୁଦ୍ଧିବାଟ ଦିଶେ ନାହିଁ ସେତେବେଳେ ଦୁନିଆଯାକର ଦିଅଁ ଦେବତାଙ୍କ ନାମଧରି ଡାକନ୍ତି । ଭୋଗ ଯାଚିବାକୁ ଲାଗନ୍ତି । ଭାବନ୍ତି, ସତେ ଯେପରି ଭଗବାନ ବଡ଼ ଲାଞ୍ଚୁଆ, କିଳାପୋତିଆ । ଖାଇବାକୁ ନ ପାଇଲେ ସେ ଯେପରି ଦୁଃଖୀର ଦୁଃଖ ଅପସାରଣ ପାଇଁ ଆଗେଇ ଆସିବେ ନାହିଁ । ନିଷ୍ଠୁର ହୋଇ ରହିବେ । ପ୍ରତ୍ୟେକଙ୍କର ଯଦି ଗୋଟାଏ ପ୍ରତିଶୋଧମୂଳକ କିମ୍ବା ପ୍ରତିକ୍ରିୟାଶୀଳ ମନ ଥାଏ, ଆଉ ଯଦି ଭଗବାନ ସେଥିପାଇଁ ଅଭିମାନରେ ନ ଶୁଣନ୍ତି ତେବେ ସେତେବେଳେ ସେ ହୁଅନ୍ତି ନିର୍ଜୀବ, କାଠ ପଥରରେ ଗଢ଼ା । ମଣିଷର ଦୁଃଖ ଦୈନ୍ୟ ସହିତ ତାଙ୍କର ସଂପର୍କ ନାହିଁ । ମଣିଷ ହାତରେ ରୂପ ପାଇ ସେ ପୁଣି କରିବେ ମଣିଷର ଭାଗ୍ୟ ନିୟନ୍ତ୍ରଣ ? ସୃଷ୍ଟି ପୁଣି କରିବ ସ୍ରଷ୍ଟାର ଚାଳନା ? ଏଥିପାଇଁ ମଣିଷ ଯେଉଁ ଜନ୍ତୁଟି ସେ କମ୍‌ ନୁହେଁ । ସମୟ ପଡ଼ିଲେ ଚରଣ ଧରିପାରେ ତ ସୁବିଧା ଦେଖି ଚୁଟି ବି ବୁଲେଇପାରେ ।

 

ବୋଉ ଭାତଟା ବସେଇ ଦେଇଥାଏ । ମୁଁ ବସି ପନିକିରେ ପରିବା ଦିଟା କାଟୁଥାଏ । ମନ ମୋର କୁଆଡ଼େ ଘୂରୁଥାଏ । କିନ୍ତୁ ହାତ ତା’ର ପୁରୁଣା ଅଭ୍ୟାସ ହେତୁରୁ କାଟି ଚାଲିଥାଏ । ଭାବନାର ଜୁଆରରେ ଥଳକୂଳ ନ ପାଇ ମୁଁ ଭାବୁଥାଏ, ନନା କିପରି ଫେରିବେ ? ବୋଉକୁ କ’ଣ କହିବେ ? ଏଇପରି କେତେ କଅଣ–

 

ହଠାତ୍‌ ଦାଣ୍ଡରୁ ପୁର ପଣ୍ଡିତ କହି କହି ଯାଉଥିବାର ଶୁଣିଲି–ବୁଝିଲ ପଟ୍ଟନାୟକେ ! ବ୍ୟସ୍ତ ହେବାର କିଛି ନାହିଁ । ରାଜଯୋଟକଟା ପଡ଼ିଥିଲେ ଅବଶ୍ୟ ଭଲ ହୋଇଥାନ୍ତା ତଥାପି ବି ଦ୍ୱାଦଶରେ ସେତେ ଭଲ ନ ହେଲେ ମଧ୍ୟ ଖରାପ ନୁହେଁ । ଘିଅ ଟିକିଏ ପୋଡ଼ିଦେଇ କାମ ଉଠାଇ ଦେଲେ ଗଲା । ସମସ୍ତଙ୍କର କ’ଣ ରାଜଯୋଟକ ଖାଲି ପଡ଼ୁଛି ?

 

ବାପା ଖାଲି ଶୁଖିଲା ହଁଟିଏ ମାରି ଘର ଭିତରକୁ ପଶି ଆସିଲେ । ଲାଜରେ ମୁଁ ତରତରରେ ପନିକି ଛାଡ଼ି ଘର ଭିତରକୁ ପଶି ଯାଉ ଯାଉ ଝୁଣ୍ଟିପଡ଼ି ବୁଢା ଆଙ୍ଗୁଠିଟା ମୋର କଟିଗଲା । ରକ୍ତ ଧାର ଧାର ହୋଇ ଛୁଟି ଚାଲିଲା ।

 

।। ଦଶ ।।

 

ଭାଗ୍ୟରେ ଯାହା ଥାଏ, ତାହା ହୁଏ କିମ୍ବା ଯାହା ଘଟିବାର ତାହା ଘଟେ । ଏହା ଜାଣିଲେ ସୁଦ୍ଧା ଅବୁଝା ମଣିଷ ନିଜର ସନ୍ତୋଷ ପାଇଁ ଅନ୍ୟ ଉପରେ ଦୋଷ ଲଦିଦିଏ । ଅପରକୁ ଦୋଷୀ କରେ ନିଜେ ନିର୍ଦ୍ଦୋଷୀ ହୋଇ ଆନନ୍ଦରେ ହସିଉଠେ । ଏଇଟା ତ ଦିନ ଅଧକର ପ୍ରକୃତି ନୁହେଁ । ନିତିନିଦିଆ ଆଦିମ କାଳରୁ, ସୃଷ୍ଟିର ପ୍ରାରମ୍ଭରୁ ।

 

ଆମର ଏ ପ୍ରାସ୍ତାବ ପଡ଼ିବା ଦିନଠାରୁ ସୁରଭାଇ ଆଦୌ ଆମ ଘରକୁ ଆଉ ଆସୁନଥାନ୍ତି । ବେଳେ ଅବେଳେ କେତେବେଳେ କିମିତି ତାଙ୍କ ସହ ଦେଖା ହୋଇଗଲେ ମୁଁ ଲାଜରେ କେଉଁଠି ଛପିଯାଏ ସେ ତାଙ୍କର ବାଟକାଟି ଚାଲିଯାଆନ୍ତି । କାହିଁକି କେଜାଣି କେତେ ଯୁଗ ଯୁଗର ସାଇତା ଅକୁହା କେହି କାହା ଆଗରେ ଭରସି ଠିଆ ହୋଇପାରୁ ନ ଥାଉ । କହିବା କଥା ତ ଅଛି ତେଣିକି ।

 

ବାହାଘରର ସମସ୍ତ ଆୟୋଜନରେ ବାପା ଲାଗି ପଡ଼ିଥାଆନ୍ତି କାମରେ, ବୋଉକୁ ଫୁରସତ୍‌ ନଥାଏ । ସରଗର କଅଁଳ ଛନ୍ନଛନ୍ନ ଚାନ୍ଦକୁ ହାତରେ ପାଇଲା ପରି ଆନନ୍ଦରେ ମୋତେ ରାତି ରାତି ପରି କିମ୍ବା ଦିନ ଦିନ ପରି ଲାଗୁନଥାଏ । ଆଶାୟୀ ପ୍ରାଣରେ ଚାହିଁ ରହିଥାଏ । ଅପେକ୍ଷା କରୁଥାଏ ସେଇ ଦିନଟିକୁ ଯେଉଁଦିନ ସେ ମୋର ଓ ମୁଁ ତାଙ୍କର ହୋଇ ଜୀବନ ସଂଗ୍ରାମକୁ ଆଗେଇ ପଡ଼ିବୁ ।

 

ବିନା ମେଘରେ ବଜ୍ରପାତ ଭଳି ହଠାତ୍‌ ଦିନେ ଆମର ଏତେ ଆଶା ଏତେ କଳ୍ପନାକୁ ଚୁରମାର କରି ସୁରଭାଇଙ୍କ ବାପା ଖବର ପଠାଇଲେ ଯେ, ଏ ବିବାହ ବନ୍ଦ ରହିବ । ସେ କଦାପି ଏହାକୁ କାର୍ଯ୍ୟକାରୀ କରିପାରିବେ ନାହିଁ ।

 

ଜଣା ନାହିଁ ଶୁଣା ନାହିଁ ହଠାତ୍‌ ଏ ସମ୍ବାଦରେ ବାପା ବୋଉ ମୁହଁକୁ ଆବାକାବା ହୋଇ ଚାହିଁ ରହିଲେ । ପାଗଳିନୀଙ୍କ ଭଳି ମୁଁ ମୁଣ୍ଡରେ ହାତଦେଇ ଲଥକରି ଚୁଲି ମୁଣ୍ଡେ ବସି ରହିଲି । ଠିକ୍‌ ଏତିକିବେଳେ ଦାଣ୍ଡରେ ତୁଣ୍ଡ ବାଇଦ ଡିବି ଡିବି କରି ବାଜି ଉଠିଲା । ଚକିତ ହୋଇ ବାପା, ମା’, ଝିଅ ତିନିଜଣ ଶୁଣିଲୁ ‘‘କି ଅଲକ୍ଷଣୀ କାଳିକାନୀଟାଏ ମ, ବାହା ନ ହେଉଣୁ ତ ଘରର ଶରୀକୁ ଏପରି କଲାଣି, ଆଉ ତେଣିକି ଅଛି । ପ୍ରସ୍ତାବ ପଡ଼ୁ ପଡ଼ୁ ଶଶୁରଟା ବିଛଣା ଧରିଛି ଯେ, ପାଟିକୁ ପାଣି ଟୋପାଏ ନେଉ ନାହିଁ । ହାତୀଭଳି ବଳଦଟା ଚାହୁଁ ଚାହୁଁ ଚରିକରି ଆସି ଗୁହାଳରେ ବନ୍ଧା ହୋଇଛି ସକାଳୁ ଦେଖିଲାବେଳକୁ ସବୁଶେଷ । ଘରେ ନ ପଶୁଣୁ ତ ମୁଣ୍ଡରେ ଚାଳ ବାଜିଲାଣି, ଆହୁରି ତ ସମୟ ଅଛି । ଏଡ଼େ କାଳିକାନୀଟାଏ ବାହାହେଲେ ସେ କି କୁଳକୁ ରଖିବ । ଦିନ କେଇଟାରେ ସବୁ ଖାଇଯିବ ଲୋ ମା’.....ଯେତେ ପାଠୁଆ ହେଲେ କ’ଣ ଆମର ପୂର୍ବ ପୁରୁଷଙ୍କୁ ଗୋଡ଼ରେ ଆଡ଼େଇଦେବା ? ସେମାନେ କ’ଣ ମୂର୍ଖ ଥିଲେ ? ଭଲ ମନ୍ଦ ଆଗପଛ ସବୁକୁ ଚାହିଁ ସିନା ଲୋକେ ଜାତକପତ୍ର ମେଳ ଖୁଆନ୍ତି । ଭଲକଥା ପାଇଁ ଭଳ ଦିନ ଦେଖନ୍ତି, ଏଇମିତି କେତେ କଅଣ ।

 

ବାପାଙ୍କୁ ଅଧୀର ହେବାର ଦେଖି ବୋଉ କହିଲା, କିହୋ କଥା କ’ଣ ? ଏମିତି କାହିଁକି ହେଉଛ ? ବଡ଼ ବେପରୁଆ ଲୋକ ସେ, ସୁଖ ଦୁଃଖ କେଉଥିକି ତା’ର ଭ୍ରୂକ୍ଷେପ ନ ଥାଏ । ବେଖାତିର କରି ସେ ହସି ହସି କହିଲା, ନ ହେଲେ ନାଇଁ । ଭାସିଗଲା କ’ଣ ? ଲତାଭଳି ଝିଅକୁ ଆମର ବର ନ ମିଳିବ ? ଆହେ ଭାତ ପଡ଼ିଥିଲେ ଅଗଣା ସାରା କେତେ କୂଆ ଆସି ଚରି ବୁଲିବେ ମ । ତୁମେ ଧୈର୍ଯ୍ୟ ଧରି ବସନା । ଦେଖିବ, ତେଲିଙ୍ଗି ବାଇଦ ବଜାଇ ଏଇ ଗାଁଲୋକଙ୍କ ମୁହଁରେ କାଳି ଲଗାଇ ଦାଣ୍ଡେ ଦାଣ୍ଡେ ପାଲିଙ୍କିରେ କନ୍ଦର୍ପପରି ଜୁଆଁଇ ଆଣି ଦାଣ୍ଡ ଦୁଆରେ ବାହା ଦେବି–ଦେବି–

 

ଆକାଶ ପାତାଳ କେତେ କ’ଣ ଭାବିବାକୁ ଲାଗିଲି । ଆଖିରୁ ମୋର ଲୁହର ଝରଣା ଫିଟି ଚାଲିଲା । ମୋ ମନରେ ଖାଲି ଏତିକି ଉଠୁଥାଏ ଯେଉଁ ଜିନିଷ ଯେତେ ଶୀଘ୍ର ଆସେ ସେତିକି ଶୀଘ୍ର ସେ ଚାଲିଯାଏ । ସାମାନ୍ୟ ମୁହୂର୍ତ୍ତକର ଦେଖାରୁ ଆମ ଦୁହିଁଙ୍କର ହୃଦୟ ଚହଲି ଯାଇଥିଲା ବୋଲି ଆମକୁ ଆଜି ଏତେ ଦଶା ଭୋଗ କରିବାକୁ ହେଉଛି । ସାରା ଜୀବନଟାକୁ ହା–ହୁତାଶରେ ପୋଡ଼ି ଜାଳି ଛାରଖାର କରି ଦେବାକୁ ହେବ.....ତଥାପି କାହିଁକି ଏ ଜାତକ ଦେଖା ପ୍ରତି ମନ ମୋର ବିଷେଇ ଉଠିଲା । ଆଖି ଆଗରେ ଜଳ ଜଳ ହୋଇ ଭାସି ଉଠିଲା ସୁଶୀର ଏକା ସାଇ, ଏକାଧୂଳି ଉପରେ ଆମ ଦୁହିଁଙ୍କର ଏନ୍ତୁଡ଼ି ନିଆଁ ଜଳି ‘ଉଠିଥିବାରୁ ପିଲାଦିନରୁ ଦୁହିଁଙ୍କର ମନ ଖୁବ୍‌ ମିଳେ । ଗୋରା ତକତକ ଦେହ, ପୂରିଲା ପୂରିଲା ଗାଲ, ବଳିଲା ବଳିଲା ହାତଗୋଡ଼ର ଆମ୍ବୁଆଳିଆ ପିଲାଟିଏ । ଭଗବାନ ତାକୁ ଏଡ଼େ ସୁନ୍ଦରୀ କରି ଆମ ସାଙ୍ଗମାନଙ୍କ ଭିତରେ ଗଢ଼ିଥାଆନ୍ତି ଯେ, ନ ଚାହିଁଲା ଲୋକ ଘଡ଼ିଏ ଚାହିଁ ରହିବ । ସଦାବେଳେ ଆମ ଘରକୁ ଆସେ । ମୋ ସାଙ୍ଗରେ ଖେଳିବୁଲି ଘରକୁ ରାତି ଅଧକୁ ଯାଏ । ବ୍ରାହ୍ମଣ ଘର ତାଙ୍କର, ସେଥିପାଇଁ ନନା ତା’ର ତାକୁ ଶୀଘ୍ର ବାହାଦେବାକୁ ଚାହିଁଲେ । ନନା ତା’ର ତ ଆମ ଗାଁର ପଣ୍ଡିତ । ସବୁ ଶାସ୍ତ୍ର ପୁରାଣ ତାଙ୍କ ଜିଭ ଅଗରେ ଥୁଆ । ତେଣୁ ଏକା ଜିଦ୍‌ ରାଜଯୋଟକ ପଡ଼ିଲେ ସେ ଝିଅକୁ ବିଭାଦେଇ ଗୌରୀଦାନ ବ୍ରତର ଫଳ ପାଇବେ । ଶେଷରେ ଏଠାରୁ ସେଠାରୁ ବହୁତ ଶିକ୍ଷିତ ଯାତ୍ର ଫେରିବା ପରେ ଗୋଟିଏ ମାଇନର ଫେଲ ପିଲା ସହିତ ତା’ ଭାଗ୍ୟର ଯୋଟକ ପଡ଼ିଲା । ସେଇଠି ହେବାର ସ୍ଥିର ହେଲା । ସେଇଥିପାଇଁ ଆମ ଦୁଆରୁ ମୋ ପାଲିଙ୍କି ଉଠିବାର ବହୁତଦିନି ଆଗରୁ ତାଙ୍କ ଦୁଆରେ ପାଲିଙ୍କି ଭିଡ଼ା ହୋଇଥିଲା । ତା’ ବାହାଘର ଦିନ ଆମେସବୁ ସାଙ୍ଗମାନେ ଯାଇଥାଉ-। ସେ କନିଆ ବେଶ ସାଜି ବଡ଼ ସୁନ୍ଦର ଦିଶୁଥାଏ । ତା’ ବର ସଙ୍ଗେ ଆମେମାନେ ସବୁ ଥଟ୍ଟା ତାମସା କରିବାରେ ଭାରି ବ୍ୟସ୍ତ ଥାଉ । ମୋର ମନେଅଛି ସେ ବାହା ହେଉଥିଲେ ମଧ୍ୟ ଆମ ସାଙ୍ଗରେ ମିଶି ତା’ ବର ଦେହକୁ ପାଣି ଫିଙ୍ଗି ଦେଇଥିଲା । ଏତେ ପିଲାଦିନରୁ ବାହାଘର କଥା ସେ ଅବା କ’ଣ ଜାଣିବ ? ତେଣୁ ଆମମାନଙ୍କ ସହ ଖୁସିହୋଇ ସେ ମଧ୍ୟ ବୁଲୁଥାଏ । ଖାଲି ବେଦୀକୁ ଗଲାବେଳେ ଯାହା ଆମ ସଙ୍ଗରୁ ଚାଲିଯାଏ କେଇ ଘଣ୍ଟା ପାଇଁ.... ।

 

ତା’ପରେ ଦିନ ଗଲା, ଦିନ ଆସିଲା । ପୃଥିବୀର ଚକ ଘୂରି ଚାଲିଲା । ଦେହରେ ଆମର ଯେତେବେଳେ ବସନ୍ତର କାଉଁରୀ କାଠି ବାଜିଲା, ତରଳ ମନଗୁଡ଼ିକ ଯେତେବେଳେ ଗୋଟାଏ ଅଜଣା କଥା ପାଇଁ ଉତ୍ତଳା ହୋଇ ଉଠିଲା; ସରଳ ସବୁଜ ପ୍ରାଣଗୁଡ଼ିକ ବସନ୍ତର ମହୁଆ ନିଶାରେ ପାଗଳ ହୋଇଉଠିଲା, ସେତେବେଳେ ଆମେମାନେ ତାକୁ ଦେଖାଇ ଶିଖାଇ କେତେ ପ୍ରକାର ଟାହି ଟାପରା କରି ମନର ସଧକୁ, ଓରମାନକୁ, ଆଶାକୁ ପୂରଣ କରି ଦେଉଥିଲୁ । ଆମ ଟାହି ଟାପରା ଶୁଣି ସେ ଖାଲି ବୋକୀଙ୍କ ପରି ଅନାଇ ରହେ । ମୁହଁଖୋଲି ବିଶେଷ କିଛି କହିପାରେନା–ଖାଲି ଚିଡ଼ିଉଠି ଶେଷରେ କହେ–କେଡ଼େ ଛତରୀଗୁଡ଼ାକ କିଲୋ ? ଆମେମାନେ ସମସ୍ତେ ହସିଉଠୁ... ।

 

ଦିନ ଆସିଲା ସେ ଗାଁର ଗଉଡ଼ ଏ ଗାଁର ଝିଅକୁ ବୋହୂ କରି ଘେନିଗଲେ । ପ୍ରାଣରେ ଉତ୍କଣ୍ଠା, ବ୍ୟଗ୍ରତା ଆଉ ଭୟ ଓ ଆଶଙ୍କା ନେଇ ସେ ବୋହୂ ହୋଇ ଚଳିବାକୁ ଗଲା ।

 

ରାଜଯୋଟକ ତ ପଡ଼ିଥିଲା ସବୁ ଠିକ୍‌ ହୋଇଥିଲା । କିନ୍ତୁ ଦେଖୁ ଦେଖୁ ମାସ ଦିଇଟାରେ ମୁଣ୍ଡରୁ ସିନ୍ଦୂର ପୋଛି, ହାତରୁ କାଚ କାଢ଼ି ସୁଶୀ ଆମ ଏଇ ଗାଁ ଦାଣ୍ଡରେ ଅଣ୍ଟାରେ ପାଣି ମାଠିଆ ଧରି ଚାଲିଲା । ସେ ହସ ହସ ମୁହଁ–ସଜଫୁଟା ଫୁଲପରି କଅଁଳ ଛନ୍ନଛନ୍ନ ଦେହ କୁଆଡ଼େ ଛପିଗଲା–ଯେ ଦେଖିଲା ବାର ଛି ଛାକର କରି କଥାମାନ କହିଲେ । ଅଲକ୍ଷଣୀ, ଘଇତାଖାଇ ଡାକ ଶୁଣି ଏଇ ସୁଶୀ ତ ପୁଣି ଆମ ଆଗରେ ଚାଲୁଛି ନା, ନାହିଁ ? ତେବେ ସେ ରାଜଯୋଟକ କୁଆଡ଼େ ଗଲା ? ତା’ ସ୍ୱାମୀର ଶହେକୋଡ଼ିଏ ବର୍ଷ ଆୟୁଷ କୁଆଡ଼େ ଗଲା ? ଜୋତିଷଙ୍କର ପାଞ୍ଜି ବିଡ଼ା ଆଉ ଖଡ଼ିମୁଣ୍ଡାକୁ ମିଛ କରି ସୁଶୀର ଭାଗ୍ୟ ବିଦ୍ରୂପ କରି ହସିଉଠିଲା ସବୁ କଥା ବୁଝୁଥିଲେ ମଧ୍ୟ ସୁରଭାଇଙ୍କର କଥା ଭାବିଲାବେଳକୁ ଆଖି ମୋର ଲୁହରେ ଉଛୁଳି ଉଠୁଥାଏ । କେଜାଣି କାହିଁକି ଚେଷ୍ଟା କରି ସୁଦ୍ଧା ମନରେ କୋହକୁ ଚାପି ନ ପାରି କଇଁ କଇଁ ହୋଇ କାନ୍ଦିଉଠିଲି.....

 

।। ଏଗାର ।।

 

ପଛ କଥାକୁ ଯେତେବେଳେ ଭୁଲିଯିବାକୁ ବସେ ସେତେବେଳେ ସେଗୁଡ଼ାକ ମୋ ମନରେ ଚେର ମେଲେଇ ମାଡ଼ି ବସନ୍ତି । ଅଡ଼ୁଆ ସୂତାରୁ ଖିଅ ବାହାର କଲାଭଳି ସେଇକଥାକୁ ଭାବି ଭାବି ଜିରାରୁ ଶିରା ବାହାର କରି ଗୋଟାଏ ଅଦରକାରୀ ଜିନିଷକୁ ଖୁବ୍ ବଡ଼ କରିବସେ ।

 

ଗଲା କଥାଗୁଡ଼ାକ ଯଦି ଭୁଲିଯିବାର ହୋଇଥାଆନ୍ତା ତେବେ ଅନେକ ଦିନୁ ଭୁଲି ଯାଆନ୍ତିଣି । ଜୀବନର ପହିଲି ପ୍ରଭାତରେ ଯେଉଁ କ୍ଷଣିକ ସଅକ, ସୁଆଗ ମୁଁ ତାଙ୍କଠାରୁ ପାଇଥିଲି, ସେ କଅଣ ସହଜେ ଏତେଶୀଘ୍ର ମୋ ମନରୁ ଚାଲିଯିବ ?

 

ସକାଳ ଯାଇ ସଞ୍ଜ ପୃଥିବୀରେ ଘୋଟିଯାଉଛି । ସେଇ ଅନ୍ଧାର ବୁକୁଚିରି ଆକାଶରେ ଉଇଁଉଠିଛି ଜହ୍ନ ମାମୁଁ....ତାରି ଜ୍ୟୋତ୍ସ୍ନାରେ ଦୁନିଆ ଭାସିଉଠୁଛି । ସୁନ୍ଦର କମନୀୟ କାନ୍ତ ହୋଇ ହସିଉଠୁଛି । କିନ୍ତୁ ମୋ ମୁହଁରେ ଠିକ୍‌ ସେତିକିବେଳେ ହସ ଫୁଟି ଉଠିବା ପରିବର୍ତ୍ତେ ଆଖିକୋଣରେ ଜକେଇ ଆସୁଛି ଲୁହ । ଆକାଶକୁ ମୁହଁ ତୋଳି ଚାହିଁପାରେନା । ମତେ ଲାଗେ ଯେପରି ସେଦିନର ଏଇ ଚାନ୍ଦ ଆଜି ମୋ ଦୁଃଖରେ ହସିଉଠୁଛି । ବିଦ୍ରୂପ କରି କହୁଛି, ‘‘ତରଳ ମନର ସଂଯମହୀନତାର ଫଳ ଏଇଆ ହୁଏ !’’ ରାଗ ଆଉ ଦୁଃଖରେ ଚାନ୍ଦକୁ ଚାହିଁପାରେନା କି ସଂଜ ହେଲେ ତୁଳସୀ ମୂଳେ ସଂଜବତୀ ଜାଳିବାକୁ ଇଚ୍ଛାହୁଏନା । ସଂଜ ହେଲେ ବୋଉ ମତେ ତୁଳସୀ ମୂଳେ ସଂଜ ଦେବାକୁ କହେ; କିନ୍ତୁ ମୁଁ ଏଣୁତେଣୁ କାମର ଛଳନା ଦେଖାଇ ଦୂରେଇ ରହେ-। ମୋର ମନେପଡ଼ିଯାଏ ସେ ଦିନର ରାତି । ସେଦିନ ଏଇ ତୁଳସୀମୂଳେ ସଂଜ ଦେଲାବେଳେ ସୁରଭାଇ କହିଥିଲେ, ‘‘ଲତା ତୁଳସୀ ସାକ୍ଷୀ ରହିଲେ, ଦୁନିଆରେ ଆଗେଇ ଯିବାକୁ ହେଲେ ଅଣ୍ଟାରେ ଜୋର ଥିବା ଦରକାର ।’’

 

କିନ୍ତୁ ବାପା ମା’ଙ୍କର ଏକମାତ୍ର ଭବିଷ୍ୟତ ଓ ଆଶା ଭାରସାର ସମ୍ବଳ ହେତୁ ତାଙ୍କୁ ଏଡ଼ିଦେଇ ସୁରଭାଇ ସହିତ ପାଦ ମିଳାଇ ଯିବାକୁ ମନ ଆଦୌ ଟେକିଲା ନାହିଁ । ବୋଉର ଛଳ ଛଳ ଆଖି ସିନିହବୋଳା କଥା ଆଉ ବାପାଙ୍କର ନିର୍ମଳ ଆଦର ଆଉ ଶ୍ରଦ୍ଧା ମୋତେ ପଛକୁ ଟାଣୁଥାଏ । ମୁଁ ସମାଜର କୁସଂସ୍କାରକୁ ସ୍ୱାଧୀନ ଭାବରେ ପାଦରେ ଦଳି, ବାପା ବୋଉଙ୍କର ମାୟା ମମତାକୁ ଛିଣ୍ଡାଇ ତାଙ୍କର ଅବାଧ୍ୟ ହୋଇ, ତାଙ୍କ ମନରେ କଷ୍ଟ ଦେଇ ଯିବାକୁ ଉଚିତ୍‌ ମନେକଲି ନାହିଁ । ଭାବିଲି ହଁ ବାପା ଯଦି ମୋ ଇଚ୍ଛା ବିରୁଦ୍ଧରେ ଯାଇଥାଆନ୍ତେ ତେବେ ମୁଁ ସିନା ତାଙ୍କ ମନରେ ଆଘାତ ଦେଇଥାଆନ୍ତି କିନ୍ତୁ.....

 

ତଥାପି ନାରୀ ମୁଁ–ନାରୀ ତା’ର ଅନ୍ତର ତଳେ ବରିନିଏ ଜଣକୁ ତା’ର ଦେବତା ରୂପରେ-। ଯେଉଁ ଜଣକ ତା’ ହୃଦୟର ଦେବତା ହୁଏ, ତାରି ପାଦତଳେ ଦେବଦାସୀ ହୋଇ ସେ ଚିରଦିନ ରହେ । ତା’ର ହୃଦୟର ସାଇତା ଶ୍ରଦ୍ଧା ଭକ୍ତିକୁ ସେ ନିବେଦନ କରେ ତାରି ଚରଣ ତଳରେ....

 

ଯଉବନର ମହୁଆ ନିଶାରେ ଘାରିହୋଇ ସରଳ ମନ ମୋର ତରଳି ଯାଇଥିଲେ ସୁଦ୍ଧା ଯେଉଁ ଜଣକୁ ମୋର ଅନ୍ତର ଭରି କ୍ଷଣକପାଇଁ ଭଲପାଇ ବସିଥିଲି ତାକୁ ଭୁଲିପାରିବି ନାହିଁ । ତା’ର ସ୍ମୃତିକୁ ମନରୁ ପୋଛି ଦେଇ ପାରିବି ନାହିଁ ।

 

କିନ୍ତୁ ସମାଜର ଏହି ପ୍ରଥା ପାଇଁ ମନ ମୋର ବିଦ୍ରୋହୀ ହୋଇଉଠିଲା । ଭାବିଲି କି କଠୋର ଏ ସମାଜର ନିୟମ । ନିଜର ସୁଖ ସୁବିଧା ପାଇଁ ପାଗଳ ହୋଇ ମଣିଷ କି କି ପଥରେ ଯାଉନାହିଁ । ନିଜ ହାତରେ ଖଣ୍ଡିଏ ତାଳପତ୍ରରେ ମଣିଷ ଗଢ଼ିବ ତାରି ପରି ଗୋଟିଏ ମଣିଷର ଭାଗ୍ୟ–ପୁଣି ସମୟ ଓ ସୁବିଧା ଦେଖି ଧର୍ମର ଦ୍ୱାହିଦେଇ ଭୁଲକୁ ଠିକ୍‌ ଓ ଠିକ୍‌କୁ ଭୁଲ କରିପାରିବ । ଜଣକୁ ମାରିପାରିବ ଆଉ ତାରି ପାରିବ । ନିଜ ହାତରେ ଖଡ଼ିମୁଣ୍ଡା ଛିଣ୍ଡାଇ ରାଜଯୋଟକ କହି ଯେଉଁ ଅଜଣା, ଅଶୁଣା, ଅଦେଖା, ଅଚିହ୍ନା, ଦୁହିଙ୍କର ହାତ ଦୁଇଟିକୁ ଆଣି ମିଳାଇ ଦିଅନ୍ତି ପବିତ୍ର ମନ୍ତ୍ର ଉଚ୍ଚାରଣ କରି ସେହି ଦୁଇଜଣ ଯେତେବେଳେ ଜୀବନ ନଉକା ବାହିବା ପାଇଁ ଅଣ୍ଟାଭିଡ଼ି ବାହାରନ୍ତି । ସେତେବେଳେ ଅଜଣା, ଅଶୁଣା ଜଣଙ୍କର ପ୍ରକୃତି ସହିତ ସାମଞ୍ଜସ୍ୟ ନ ମିଳିଲେ ମଝି ଦରିଆରେ ଦୁହେଁ ବିମନା ହୋଇଉଠନ୍ତି । ଭଁଉରୀରେ ପଡ଼ି ନଉକା ରସାତଳକୁ ଯାଏ । ସେମାନଙ୍କର କେତେ କେତେ ଜାଗରିତ ରାତ୍ରିର ସ୍ୱପ୍ନ ଘଡ଼ିକେ ପାଣିଫୋଟକା ଭଳି ମିଳେଇଯାଏ-। ଜୀବନଟା ତାଙ୍କର ହା–ହୁତାଶରେ ଜଳିଉଠେ । ସୁନାର ସଂସାର ସୁନାର ଭବିଷ୍ୟତ ତାଙ୍କର ଘଣ୍ଟାକେ ପୋଡ଼ି ଜଳି ଅଙ୍ଗାର ହୋଇଯାଏ......

 

ଏଇ ବିଷୟରେ ଯେତେବେଳେ ବାପା ମା’, ଆଉ ଜ୍ୟୋତିଷଙ୍କୁ ପଚରାଯାଏ ସେତେବଳେ ବାପା, ମା’ କହନ୍ତି ଜନ୍ମସିନା ଦେଇଛୁ କିନ୍ତୁ କର୍ମ ତ ଦେଇ ନାହୁଁ । ଜ୍ୟୋତିଷ କହେ ବାଆକୁବତା ଭଳି ସାମାଜିକ ଜୀବନକୁ ଶୃଙ୍ଖଳିତ କରିବା ପାଇଁ ସେମାନଙ୍କର ଏ ଗୋଟାଏ ନିୟମ-। କିନ୍ତୁ ସବୁ ସେଇ ସର୍ବନିୟନ୍ତା, ବିଶ୍ୱକର୍ତ୍ତା ଭଗବାନଙ୍କ ହାତରେ । ଘଡ଼ିକେ ପୋହଳା ଏଣ୍ଡୁଅ ପରି ସମସ୍ତେ ସମସ୍ତଙ୍କର ରୂପ ବଦଳାଇ ଦିଅନ୍ତି । ପାଲଟି ଯାଆନ୍ତି ଭାଗ୍ୟବାଦୀ । କହନ୍ତି ଭାଗ୍ୟରେ ଯାହାଥିବ ତାକୁ ଅବଶ୍ୟ ଭୋଗ କରିବାକୁ ପଡ଼ିବ ।

 

ଏଇ ଜାତକ ଭଳି କେତେଟା କୁସଂସ୍କାର ଦ୍ୱାରା ପରିଚାଳିତ ହୋଇ ଏଇମାନେ କେତେ କେତେ ଶାନ୍ତ, ସୁନ୍ଦର, ସରଳ ଦାମ୍ପତ୍ୟ ଜୀବନକୁ ନଷ୍ଟକରି ଦିଅନ୍ତି ନାହିଁ ! ସୁନ୍ଦର କମନୀୟ ଆଉ ଲୋଭନୀୟ ପୃଥିବୀକୁ କେତେ ଶୀଘ୍ର ନରକରେ ପରିଣତ କରି ନ ପାରନ୍ତି ? ହାଇରେ ମଣିଷ ଧନ୍ୟ ତୋର ବୁଦ୍ଧି ଆଉ କଉଶଳ ।

 

ସୁରଭାଇଙ୍କ ଚିଠିକୁ ସୁଟକେଶରୁ କାଢ଼ି ଥର ଥର କରି ଦିନକୁ ଦଶଥର କରି ପଢ଼େ । ମନରେ ଯେତିକି ଆନନ୍ଦ ଆସେ ଦୁଃଖ ବି ଆସେ ତା’ଠାରୁ ଅଧିକ ମନ ଆନନ୍ଦରେ ବେଳେବେଳେ ଛାତିରେ ଜାକିଧରିଲେ ବେଳେବେଳେ ଦୁଃଖରେ ସୁଟକେଶରେ ରଖିଦିଏ । ଚୁପ୍‌ ରହେ....

 

ଏଇ ଘଟଣାର ପରେ ପରେ ଦେଖିଲି ବାପାଙ୍କର ମୁଁ ଗୋଟାଏ ମସ୍ତବଡ଼ ଚିନ୍ତାର ବିଷୟ ହୋଇପଡ଼ିଲିଣି । ତାଙ୍କ ମୁଣ୍ଡରେ ମୁଁ ଯେପରି ଗୋଟାଏ ଶହେ ମହଣର ବୋଝ । ସେ ମୋତେ ଯେପରି କେଉଁଠି ଥୋଇଦେଇ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଚାହୁଁଛନ୍ତି । ଏଥିପାଇଁ ଏଣେତେଣେ ଧାଁ ଧପଡ଼ କରି ଏକୁ ତାକୁ ଖୋସାମତ କରିବାରେ ଲାଗିଛନ୍ତି । କେବଳ ମୋରି ବିଷୟ ଭାବି ଭାବି ସେ କଳାକାଠ ପଡ଼ିଗଲେଣି । ମୁହଁ ତାଙ୍କର ଶୁଖିଗଲାଣି, ଦେହରେ କଣ୍ଟା ଦୋହଲିଲାଣି । ତାଙ୍କୁ ଆଜିକାଲି ଦେଖିଲେ ଅନ୍ତର ମୋର ଦୁଃଖରେ ବିଳପିଉଠେ । ଆଖିରୁ ଦୁଇଧାର ଲୁହ ଖସିପଡ଼େ । ତାଙ୍କ ଆଗରେ କାଳେ ମୋର ଦୁର୍ବଳତା ଧରା ପଡ଼ିଯାଇ ପାରେ ଏଇ ଭୟରେ ତାଙ୍କ ଆଗକୁ ଯିବାକୁ ଆଦୌ ଗୋଡ଼ ମୋର ଚଳୁ ନଥାଏ । ସଦାବେଳେ ଦୂରେଇ ଦୂରେଇ ହୋଇ ରହିବାକୁ ଇଚ୍ଛା ହେଉଥାଏ....

 

ବାପା ଆଜକୁ ଦୁଇଦିନ ହେଲା ଘରେ ନଥାନ୍ତି, ବନ ପିଉସାଙ୍କୁ ସଙ୍ଗରେ ଧରି କୁଆଡ଼େ ଯାଇଥାନ୍ତି । ବୋଉ ମଧ୍ୟ ବାପାଙ୍କ ପରି ଭାବି ଭାବି ସବୁ କାମରେ ଆନମନା ହୋଇଉଠେ । ମୋତେ ଦେଖିଲେ ଆଖି ତା’ର ଲୁହରେ ଛଳ ଛଳ ହୋଇଉଠେ । ତା’ର ଦୁଃଖର କାରଣ ମୋ ପାଖରେ ଅବୁଝା ରହେନାହିଁ । କାରଣ ମା’ ହୋଇ ନିଜର ବିନ୍ଦୁ ବିନ୍ଦୁ ରକ୍ତଦେଇ ଯେ ମୋତେ ତିଆରି କରିଛି, ମୋର ମନର କଥା ତାକୁ କ’ଣ ଅଜଣା ଅଛି । କେଡ଼େ ବଡ଼ ଆଶା ଆଉ କଳ୍ପନାରେ ସୁରଭାଇଙ୍କୁ ଆଦର ସ୍ନେହ କରି ନିଜର ପୁଅଭଳି ପାଳି ଆସିଥିଲା । ଝିଅ ବଦଳରେ ପୁଅ ପାଇବା ପାଇଁ ସେ କେତେ ବଡ଼ ଉଚ୍ଚଆଶା କରି ନ ଥିଲା ! ନିଜ ଗାଁରେ ନିଜ ପାଖରେ ମୋତେ ରଖି ମରନ୍ତ କାଳରେ ମୋତେ ଦେଖି ସେ ଟିକିଏ ଶାନ୍ତିରେ ଆଖି ବୁଜିଥାଆନ୍ତା । ଏଇତିକି ମାତ୍ର ଥିଲା ତା’ର ଅନ୍ତରର କାମନା । ମା’ ହୋଇ ସେ ଆଜି ବୁଝିପାରିଛି ମୋର ଅବସ୍ଥା । ଦୁଃଖରେ ଚିତ୍ତ କପୋତୀ ମୋର କିପରି ବାହୁନି ଉଠୁଛି ତା’ ମଧ୍ୟ ଜାଣୁଛି । ସେଥିପାଇଁ ମୋ ଅପେକ୍ଷା ତାକୁ ଏ ଦୁଃଖ ବେଶୀ ବାଧୁଛି । କାରଣ ସେ ମୋର ବୋଉ....

 

ଦୁଆରେ ଅନ୍ୟମନସ୍କା ହୋଇ ମନ ଦୁଃଖରେ ଚାହିଁ ରହିଥାଏ । କେତେଆଡ଼ୁ କେତେ ଚିନ୍ତା ବାଦଲ ମୋ ମନ ଗଗନରେ ଭାସି ଚାଲିଥାଆନ୍ତି । ମୁଁ ଭାବିବାକୁ ଲାଗିଥାଏ ଭଗବାନଙ୍କର ମୁଁ କି ଦୋଷ କରିଥିଲି ଯେ, ସେ ମୋତେ ଝିଅ ଜନମ ଦେଲେ ? ମୁଁ ଯଦି ପୁଅଟିଏ ହୋଇ ମୋ ବାପା ବୋଉଙ୍କ କୋଳକୁ ଆସିଥାଆନ୍ତି, ତେବେ ସେମାନେ କ’ଣ ଆଜି ମୋ ପାଇଁ ବସି ରହି ଆଖିରୁ ଏପରି ଲୁହ ଝରାଉ ଥାଆନ୍ତେ ? ମୁଁ କାନ୍ଦି କାନ୍ଦି ମରୁଥାନ୍ତି ? ଆମ ଦୁଆରକୁ ତ କେତେ ଲୋକ ଦଉଡ଼ୁ ଥାଆନ୍ତେ ।

 

ଏଇ ସମୟରେ ଶଇଳ ବହୁତ ଦିନ ପରେ ଆମ ଘର ଭିତରକୁ ପଶି ଆସି ମୋ ଆଗରେ ଠିଆହେଲା । ତା’ ମୁହଁକୁ ଚାହିଁ ଦେଖିଲି ସବୁଦିନର ସେଇ ହସ ଖୁସିର ଶଇଳ ମୁହଁରେ ଆଉ ହସ ଲାଗି ରହିନାହିଁ । ସୁନ୍ଦର ସଜଫୁଟା ଗୋଲାପ ଫୁଲ ଭଳି ମୁହଁଟି ତା’ର ଶୁଖିଯାଇଛି । ଦୁଃଖରେ କଅଁଳ ନାଲି ଟୁକୁ ଟୁକୁ ଓଠ ଦିଓଟି ଥରିଉଠୁଛି । ସତେ ଯେପରି କଅଣ ଗୁଡ଼ାଏ ମୋ ପାଖରେ କହିବା ପାଇଁ ଧାଇଆସିଛି କିନ୍ତୁ କହିପାରୁନାହିଁ ।

 

ତା’ ହାତଧରି ମୋ ପାଖରେ ବସାଇ କହିଲି, ବସୁନୁ କିଲୋ, ଏପରି ଶୁଖିଲାଟା କାହିଁକି ଦେଖାଯାଉଛୁ ମ ? ଦେହ କ’ଣ ଭଲ ନାହିଁକି ?

 

କିଛିକ୍ଷଣ ଚୁପ୍‍ରହି ଦୁଃଖରେ ଗୋଟାଏ ଦୀର୍ଘନିଶ୍ୱାସ ଟାଣି ସେ କହିଲା, ହଁ ଦେହ ଖରାପ ହେବ କାହିଁକି ମନ ଖରାପ ଲୋ ? ଶୁଣିଛୁ ନା ସୁରଭାଇଙ୍କର ଖବର ?

 

ଭୟ ଓ ଆଶଙ୍କାରେ ଜଡ଼ସଡ଼ ହୋଇ ପଚାରିଲି–କ’ଣ ହେଲା କି ତାଙ୍କର ?

 

‘‘ହବ ଆଉ କଅଣ ? ସୁରଭାଇଙ୍କୁ ତୁ ତ ପିଲାଟି ଦିନରୁ ଦେଖି ଆସିଛୁ–କିପରି ଆମର ଏଇ ଅଳିଆ ଅରମା ପୂର୍ଣ୍ଣ ଗାଁଟାକୁ ଗୋଟାଏ ଆଦର୍ଶ ଗାଁ କରି ଗଢ଼ିବେ । କିପରି ଦଶ ପଚିଶ ଗାଁମାନଙ୍କ ଆଖିରେ ଏହାକୁ ସ୍ୱର୍ଗରେ ପରିଣତ କରିପାରିବେ ଏଇଥିପାଇଁ କିପରି ସେ ପ୍ରତି ଛୁଟିରେ ଗାଁକୁ ଆସିଲେ ଭୋକ ଶୋଷ ଭୁଲି ଗାଁର ଉନ୍ନତିରେ ଲାଗିପଡ଼ନ୍ତି । ଏଥର ଯେଉଁ ନୂଆ କରି ଲାଇବ୍ରେରୀ ଘର ଖଣ୍ଡିକ ସେ ଗଢ଼ୁନାହାନ୍ତି ! ଯେଉଁଠାରେ ଅନେକ କିସମର ବହି ରଖାଯିବ, ଲୋକେ ପଢ଼ିବାର ଓ ଖେଳିବାର ସୁବିଧା ପାଇବେ । ଦିନମାନ ହାଡ଼ଭଙ୍ଗା ପରିଶ୍ରମ କରି ସଂଧ୍ୟାବେଳେ ଯେଉଁଠି ଆମ ଗାଁର ସମସ୍ତେ ଏକାଠି ବସି ଟିକେ ହସିବାର ସୁଯୋଗ ପାଇବେ, ତାକୁ ଏଇ ଛୁଟିରେ ସଂପୂର୍ଣ୍ଣ ଶେଷକରି ଦେବାକୁ ସେ ପ୍ରତିଜ୍ଞା କରି ପ୍ରାଣପଣେ ଲାଗି ପଡ଼ିଥିଲେ ।

 

କିନ୍ତୁ ଲତା ଭଗବାନ ଏଡ଼େ ନିର୍ମମ, ଏଡ଼େ ନିଷ୍ଠୁର, ଏଡ଼େ ଅବିଚାରୀ, ଅବିବେକୀ ଯେ, ଯେଉଁ ଲୋକ ପାଞ୍ଚ ଦଶଜଣଙ୍କ ପାଇଁ ଭଲ କାମଟିଏ କରିବାକୁ ବାହାରି ପଡ଼େ ସେଥିରେ ତାରି ଆଗରେ ଆଣି ସେ ଜମା କରନ୍ତି ବାଧା, ବିଘ୍ନ, ବିପଦର ପାହାଡ଼ । ଯେପରି ତାକୁ ସେ ଟପି, ତାକୁ ଆଡ଼େଇ ଠିଆହୋଇ ନ ପାରୁ । ଅଣ୍ଟା ତା’ର ଚିରଦିନ ପାଇଁ ଭାଙ୍ଗିପଡ଼ୁ.....

 

ତା’ର ଏତେଗୁଡ଼ାଏ କଥା ଶୁଣିବାକୁ ମୋର ଧୈର୍ଯ୍ୟ ନ ଥିଲା । ତେଣୁ ମୁଁ ବଡ଼ ଉଦ୍‌ବିଘ୍ନ ହୋଇ ପଚାରିଲି, କ’ଣ ତାଙ୍କର ହେଲା ଶୀଘ୍ର କହୁନୁ......

 

ମୂଲିଆ ସଙ୍ଗେ ମାଟିରେ ମାଟି ହୋଇ ସେ କାମ କରିବାରେ ଲାଗିଥାନ୍ତି । ଏତେ ପାଠ ପଢ଼ିଛନ୍ତି ବୋଲି ମନରେ ତାଙ୍କର ଟିକିଏ ଗର୍ବ କି ଅହଂକାର ନ ଥାଏ । କାଲି ଦି ପହରେ କ୍ଳବ ଘର କାନ୍ଥ ଉପରକୁ ଇଟା ବଢ଼ାଉ ବଢ଼ାଉ ଅକସ୍ମାତ ମିସ୍ତ୍ରୀ ହାତରୁ ଇଟା ଖଣ୍ଡେ ଖସି ଆସି ସୁରଭାଇଙ୍କ ମୁଣ୍ଡରେ ଦୁଲ କରି ପଡ଼ିଲା । ହଠାତ୍‌ ବେହୋସ ହୋଇ ସେ ସେଠାରେ ଟଳିପଡ଼ିଲେ । ମୁଣ୍ଡରୁ ତାଙ୍କର ପିଚ୍‌ ପିଚ୍‌ ରକ୍ତ ଧାରଗୁଡ଼ା ଛୁଟି ଚାଲି ସେ ଜାଗାଟାକୁ ଓଦା କରି ପକାଇଲା । ଚାହୁଁ ଚାହୁଁ ଘଡ଼ିକେ ବିଜୁଳି ଭଳି ଏ ଖବର ଗାଁସାରା ଖେଳିଗଲା । ସଙ୍ଗେ ବୃନ୍ଦାଭାଇ, ପ୍ରେମାଭାଇ ପ୍ରଭୃତି ତାଙ୍କୁ ଟେକାଟେକି କରି ତାଙ୍କ ଘରକୁ ନେଇଯାଇଛନ୍ତି.....

 

ସତେ ଯେପରି କିଏ ମୋ ଛାତିରେ ଖଣ୍ଡେ ତାତିଲା ଲୁହାକୁ ଖୁବ୍‌ ଜୋରରେ ମାଡ଼ିଦେଲା । ଚାଉଁକରି ଚମକି ପଡ଼ିଲି । ମୋତେ ଚାରିଆଡ଼ ଅନ୍ଧାର ଦିଶିଲା, ମୋତେ ଜଣାଗଲା ଯେପରି ମୋ ବସିବା ସ୍ଥାନରେ ମାଟିଗୁଡ଼ା ଭିତରକୁ ପଶି ପଶି ଯାଉଛି । ଆଉ ମୁଁ ପୃଥିବୀ ଭିତରେ ମିଶିଯିବି । ଆଖିରୁ ମୋର ଦୁଇଧାର ଲୁହ ଆପଣାଛାଏଁ ଗଡ଼ି ଆସିଲା । ଶୈଳକୁ ହଲାଇଦେଇ ପଚାରିଲି ଆଚ୍ଛା ତୁ ତାଙ୍କୁ ଦେଖିଛୁ ?

 

ମୋ କଥା ଶୁଣି ଶଇଳ ଥର ଥର କଣ୍ଠରେ କହିଲା, ହଁ ଯାଇଥିଲି ଲୋ ଲତା ତାଙ୍କ ଘରକୁ, ତାଙ୍କର ସେ ଦାଣ୍ଡଘର ଖଟଟିରେ ଶୋଇଥାଆନ୍ତି । ମୁଣ୍ଡରେ ପଟି ଖଣ୍ଡିଏ ବନ୍ଧା ହୋଇଥାଏ-। ତୁ ଶୁଣି ଆଶ୍ଚର୍ଯ୍ୟ ହେବୁ, ଏତେବଡ଼ ଆଘାତରେ ସେ କ’ଣ ଟିକିଏ ବିଚଳିତ ହୋଇପଡ଼ୁଛନ୍ତି କି-! ଯିଏ ତାଙ୍କୁ ଦେଖିବାକୁ କି ସଙ୍ଖୋଳିବାକୁ ଯାଉଛି ତା’ ସଙ୍ଗରେ ଦିପଦ କଥା କହି ବେଦନାକୁ ଭୁଲିଯିବେ କଅଣ ଓଲଟି ତାଙ୍କୁ ପାଖରୁ ତଡ଼ିବାରେ ଲାଗିଛନ୍ତି । କହୁଛନ୍ତି ଏଠାରେ ମୋ ପାଖରେ ଅଯଥାରେ ସମୟ ନଷ୍ଟ କରନାହିଁ–ଲାଇବ୍ରେରୀ ଘରକୁ ଯାଇ ସେଠାରେ ହେଲେ, ଯେଉଁ ଚାରି ପାଞ୍ଚ ମିନିଟ୍‌ ମୋ ସଙ୍ଗେ କଥାହୋଇ ମୋତେ ଆଶ୍ୱାସନା ଦେଇଥାଆନ୍ତ–ସେତିକି ସମୟରେ ଆଉ ଦୁଇଖଣ୍ଡ, ଇଟା ହେଲେ ମିସ୍ତ୍ରୀ ହାତକୁ ବଢ଼ାଇ ଦିଅ । କାମଟିକୁ ଶୀଘ୍ର ସାରିଦିଅ । ଯାଅ ମୋର କିଛି ହୋଇନି ମୁଁ ଭଲ ଅଛି । ମୋତେ ଟିକିଏ ଶାନ୍ତିରେ ଶୋଇବାକୁ ଛାଡ଼ିଦିଅ ।

 

ଏହିପରି ଗୁଣବନ୍ତ ପିଲାକୁ ଭାଇ ରୂପରେ, ପୁଅ ଭାବରେ ପାଇଲେ କେଉଁ ମା କେଉଁ ଝିଅ ଗର୍ବ ନ କରିବ କହିଲୁ ? କିନ୍ତୁ ଲତା ଏଡ଼େ ଗୁଣର ପୁଅକୁ ଦାଣ୍ଡରେ ହଜାର ପରଲୋକ ଆଦର ସ୍ନେହ କରୁଥିଲେ ସୁଦ୍ଧା ନିଜ ଘର ଭିତରେ କିଏ ହେଲେ କାଣିଚାଏ ପଚାରନ୍ତା ? ତାଙ୍କର ଦୁଃଖରେ ଦଣ୍ଡକ ପାଇଁ ଆହା ପଦ ବାହାର କରନ୍ତା...ଅସୁଖ ବିସୁଖରେ ଦେହରେ ଟିକିଏ ଆଦରବୋଳା ହାତ ବୁଲେଇ ଆଣନ୍ତା ? ଘରେ ତାଙ୍କର ଯେଉଁ ବୋଉ ସେ ତ ନିଜ ଅନ୍ତ ଫାଡ଼ି ଜନମ ଦେଇନି ଯେ, ଏ ଦୁଃଖରେ ତା’ର ଅନ୍ତର ଫାଟିଯିବ । ନ ଖାଇ ନ ପିଇ ସୁରଭାଇଙ୍କ ବିଛଣା ପାଖେ ବସି ରହି ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବ ! ସାବତ ମା’ ଦେହକୁ ପୁଅ ଯେତେ ଗୁଣର ହେଲେ ସୁଦ୍ଧା କଣ୍ଟା । ଟିକିଏ ହେଲେ ଆଡ଼ ଆଖିରେ କ’ଣ ଆସି ତାଙ୍କୁ ଦେଖିଯାଉଛନ୍ତି କି ? କିଏ ଯଦି ବାହାରୁ କିପରି ଘର ଭିତରେ ପଶି ତାଙ୍କ ସହ ଦି’ପଦ କଥା ହେଉଛି ତେବେ ସେଆଡ଼ୁ ସେ ରାଗରେ ଚିହିଁକି ଉଠି କହୁଛନ୍ତି–କିଲୋ ମୋ ଏ ଘରେ ଆଉ ମଣିଷ ନାହାନ୍ତି କି ? ଧରମଶାଳା ପରି ଯେତେବେଳେ ଯେ ପାରୁଛି ସେ ପଶିଆସୁଛି । ଭଲା ପାଲା ଲଗାଇଛନ୍ତି, ଗୁଣର ପୁଅ ଆମର ଗାଁର ଉନ୍ନତି କରିବା ପାଇଁ ମୁଣ୍ଡ ଫଟାଇଛନ୍ତି । ଦେଶସେବୀ ଦେଖାଇ ହେଉଛନ୍ତି ନା, ନ ଆସିବେ କିପରି ? ଏଣିକି ଆମେ ସବୁ ତେବେ ଏ ଘରୁ ଚାଲିଯାଉଛୁ । ଆମର ତ ଫେର୍‌ ଗୋଟାଏ ଲାଜ ମହତ ଅଛି ।

 

ବାକି ଗୁଣ ପିଉସା ଯେତେ ହେଲେ ବାପ ସେ । ଜନମ ଦେଇଛନ୍ତି, ତାଙ୍କ ମନ କି ଥୟ ଧରେ । ତେଣୁ ସମୟ ଅସମୟରେ ଆସି ପୁଅ ପାଖରେ ବସିପଡ଼ିଲେ ତେଣୁ ସେ ପାଟି କରି ଏଣୁତେଣୁ କାମର ବରାଦ କରନ୍ତି । ବିଚାରା ନିଜର ଅନିଚ୍ଛା ସତ୍ତ୍ୱେ ବାଧ୍ୟହୋଇ ଟାଣି ହୋଇଯାଆନ୍ତି ।

 

ଶଇଳଠାରୁ ତାଙ୍କର ଦେହ ଖବର ଶୁଣିଲା ପରଠାରୁ ସେ ଯାହା କହି ଚାଲିଲା କେତେ ମନେ ରହିଲା ତ କେତେ ଏ କାନରେ ପଶି ସେ କାନ ବାଟେ ବାହାରି ଗଲା । ମୁଁ ବସି ଆକାଶ ପାତାଳ କେତେ କ’ଣ ଭାବୁଥାଏ ।

 

ସୁରଭାଇ ମୋର ହେବେ ନାହିଁ ଜାଣିଲେ ସୁଦ୍ଧା କାହିଁକି ତାଙ୍କର ଏ ଦୁର୍ଦ୍ଦଶାରେ ମନ ମୋର କାନ୍ଦିଉଠିଲା । ମନକୁ ଯେତେ ବୁଝାଇଲେ ମଧ୍ୟ କୌଣସି ମତେ ସାନ୍ତ୍ୱନା ଦେଇପାରିଲି ନାହିଁ । ତାଙ୍କୁ ଦେଖିବା ପାଇଁ ମନ ମୋର ଉଛନ୍ନ ହୋଇଉଠିଲା । ପୁଣି ପରକ୍ଷଣରେ ଭାବିଲି ମୋର ତାଙ୍କର ଏପରି ସମ୍ବନ୍ଧ ସ୍ଥଳେ ତାଙ୍କ ବୋଉଙ୍କର ତାଙ୍କ ପ୍ରତି ଏପରି ବ୍ୟବହାର ସ୍ଥାନରେ ମୁଁ କିପରି ତାଙ୍କ ଘରକୁ ଯିବି ? ବୋଉ ତ ମୋର ଯିବା କଥା ଶୁଣିଲେ ଆଦୌ ରାଜି ହେବନାହିଁ । କେତେଆଡ଼ୁ କେତେ କ’ଣ କହି ବସିବ....

 

ଭାବି ଭାବି ଶଇଳକୁ କହିଲି ସୁରଭାଇଙ୍କୁ କିପରି ଟିକିଏ ଦେଖନ୍ତି ଲୋ, ମାଉସୀ ନାହାନ୍ତି ବୋଲି ସେ ଆଜି କେତେ ଅନାଦର, ହତାଦର ହେଉନାହାନ୍ତି ! ଏହା କହି ତା’ ମୁହଁକୁ ଉତ୍ତର ପାଇଁ ଚାହିଁ ରହିଲି ।

 

ମୋର ତାଙ୍କର ବିବାହ କଥା ଆଉ ଶଇଳକୁ ତ ଅଛପା ନଥାଏ । ଅନେକ ଭାବି ଭାବି ସେ କହିଲା, କିପରି ଯିବୁ କିଲୋ ? ତୁ ଗଲେ ତୋ ବୋଉ କିମ୍ବା ତାଙ୍କ ବୋଉ ଦୁଇଜଣଙ୍କ ଭିତରୁ କେହି ଜାଣିପାରିଲେ କାଆଲି ସକାଳେ ତୋର ଅବସ୍ଥା କ’ଣ ନହେବ ଭାବିପାରୁଛୁ କି ?

 

ଚୁପ୍‌ମାରି ରହିଗଲି । କିଛି ଉତ୍ତର ଦେଇପାରିଲି ନାହିଁ । ଭାବିବାକୁ ଲାଗିଲି ପ୍ରକୃତରେ ଶଇଳ ଯାହା କହୁଛି କିଛି ମିଛ ତ କହୁନାହିଁ । ତେବେ.....ତଥାପି କାହିଁକି ତାଙ୍କୁ ଦେଖିବାକୁ ମନ ଉଚ୍ଛନ୍ନ ହୋଇଉଠିଲା ।

 

ମୋତେ ଚୁପ୍‌ ହେବାର ଦେଖି ଶୈଳ କହିଲା, ଭଙ୍ଗା ମାଠିଆରେ ମାଟିର ପେଚ ଦେଇ ତୁ ପାଣି ଆଣିବାର ସାହସ କାହିଁକି କରିବାକୁ ଯିବୁ ? କୁଅରୁ ପାଣି ତ ଆସିପାରିବ ନାହିଁ; ତା’ ସଙ୍ଗରେ ଭଙ୍ଗା ମାଠିଆରୁ ଖଣ୍ଡେ ମଧ୍ୟ ଯିବ ।

 

ମୁଁ ଦୀର୍ଘ ନିଶ୍ୱାସ ମାରି କହିଲି ସତରେ ଲୋ....

 

।। ବାର ।।

 

ଦେହରେ ଘାଆଟିଏ ହୁଏ । ଦିନ ଧରି କେତେଦିନ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହେଲା ପରେ ଘାଆଟି ସିନା ଶୁଖିଯାଏ କିନ୍ତୁ ତା’ର ଦାଗଟି ରହେ ବହୁତ ଦିନ ପାଇଁ । ସେଇ ଦାଗକୁ ଚାହିଁଦେଲେ ମନେପଡ଼ିଯାଏ ଅତୀତର ସେଇ ଯନ୍ତ୍ରଣା ସେଇ ଘାଆ...ଦାଗ ଦେହରୁ ନ ଲିଭିବା ପର୍ଯ୍ୟନ୍ତ ମନରୁ ସେ ସ୍ମୃତି ଚାଲିଯାଏ ନାହିଁ । ବାରମ୍ବାର ମନରେ ପଡ଼ି ଜାଳିପୋଡ଼ି ମାରେ ।

 

ବାପା ଫେରିଲେ ଘରକୁ । ଗୋଟାଏ ମସ୍ତବଡ଼ ବିପଦରୁ ରକ୍ଷା ପାଇଲା ପରି ସେ ଜଣା ଯାଉଥାନ୍ତି । ସାଙ୍ଗରେ ତାଙ୍କର ଆମ ଘରକୁ କେତେ କୁଣିଆ ମୋତେ ଦେଖିବା ପାଇଁ ଆସିଥାନ୍ତି । ବୋଉ ମୋର ସେମାନଙ୍କର ଚର୍ଚ୍ଚା ପାଇଁ ବ୍ୟସ୍ତ ହୋଇ ଉଠିଥାଏ । ମୋତେ ବାରମ୍ବାର କହି ଯାଇଥାଏ ଟିକେ ଆଡ଼ ଛାଡ଼ ହୋଇ ଲାଜ ସଂକୋଚ କରି ଚଳିବା ପାଇଁ......

 

ସେମାନେ ସବୁ ଦାଣ୍ଡଘରେ ବସିଥାଆନ୍ତି । ତାଙ୍କ ପାଖରେ ବନ ପିଉସା ବସି କେତେଆଡ଼ୁ କେତେ ରକମର ଗପ ଲଗାଇ ଦେଇଥାନ୍ତି । ଗପ ଭିତରେ ମୁଁ କେବଳ ଶୁଣୁଥାଏ ମୋରି ପ୍ରଶଂସା ତାଙ୍କ ପାଟିରୁ ଫିଟି ଚାଲିଥାଏ ଯେ ମୁଁ ହେଉଛି ସାରା ଗାଁଟି ଭିତରେ ଶାନ୍ତ, ସୁଧୀରା, ହଲିଲା ପାଣିକୁ ଗୋଡ଼ ବଢ଼ାଏ ନାହିଁ କି ମାଛକୁ ମ କହେ ନାହିଁ । ସଦାବେଳେ ଘର ଭିତରେ ରହି ବୋଉକୁ ତା’ କାମରେ ସାହାଯ୍ୟ କରେ, ବଡ଼ କାମିକା ଇତ୍ୟାଦି । ମୋର ଚାଲିବାଠାରୁ ଆରମ୍ଭ କରି ହସିବା, ବସିବା, ଖେଳିବା ଆଦି ସବୁ ସୁନ୍ଦର । ସମସ୍ତର ପ୍ରଶଂସା ସେ କରି ଚାଲିଥାନ୍ତି । ସେ ଆଡ଼କୁ ଆଦୌ ମୋର ମନ ନଥାଏ । ମନଟା ଖାଲି ଜାଣିବା ପାଇଁ ଛକପକ ହେଉଥାଏ ଯେ, ବସିଥିବା କୁଣିଆ ଭିତରୁ କେଉଁମାନେ ମୋର କ’ଣ ହେବେ.....

 

ଖାଇ ପିଇ ସାରି ସେମାନେ ବିଶ୍ରାମ ନେଲେ । ମୁଁ ସେ ପର୍ଯ୍ୟନ୍ତ ଜେଲଖାନାରେ କଏଦୀମାନେ ରହିଲା ପରି ମୋ ଶୋଇଲା ଘରର ପଥର କାନ୍ଥ ଭିତରେ ଚୁପ୍ ହୋଇ ରହିଥାଏ । କାଳେ କେହି ମୋତେ ଦେଖିଦେଲେ ମହାଭାରତ ଅଶୁଦ୍ଧ ହୋଇଯିବ, କରଣ ଘରର ଝିଅ କି ନା ମୁଁ ?

 

ବାପା ଖାଇ ବସିଥାନ୍ତି, ବୋଉ ଥିରି ଥିରି କରି ତାଙ୍କୁ ସବୁ ପଚାରିବାରେ ଲାଗିଥାଏ....ଖାଉ ଖାଉ ବାପା କହିଲେ, ବୁଝିଲ ଲତା ବୋଉ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ-। ଲତା ପାଇଁ ମୁଁ ଯେଉଁଠି ଠିକ୍‌ କରି ଆସିଲି ନା....ସୁର କ’ଣ ସୁରଠାରୁ ଶହେଗୁଣ ସୁନ୍ଦର, ଶିକ୍ଷିତ ସେ । ଜମିବାଡ଼ି ତ ଯଥେଷ୍ଟ ଅଛି । ଆମର ଯେ ଜୁଆଁଇ ହେବେ ନା, ଏବର୍ଷ ଓକିଲାତି ପାଶ କରି କଟକରେ କାମ ଆରମ୍ଭ କରିଛନ୍ତି । ତାଙ୍କ ପଇସା ତ କିଏ ଖାଇବ ଆଉ ଶଶୁରର ଏ ବୟସରେ ଚାକିରି ପଇସାକୁ କିଏ ପଚାରେ ! ବାକି ମା’ ହିସାବରେ ତୁମେ ଘର ଦୁଆର କଥା ପଚାରିବ-। କିନ୍ତୁ ସେ ବିଷୟରେ ମୋ ଅପେକ୍ଷା ବନ ପଟ୍ଟନାୟକେ ବେଶୀ କହିବେ । ପୁରୁଣା କାଳିଆ ମଉଡ଼ମରା ଘର ସବୁ । ଦେଖିଲେ ଆଖି ଝଲସି ଉଠିବ । ହେଲେ ଭଗବାନଙ୍କ କୃପାରୁ କିପରି ଏ କାମଟି ସୁରଖୁରରେ ଉଠିଯାଆନ୍ତା କି ।

 

ବୋଉ ମୋର ଗୋଟାଏ ଦୀର୍ଘ ନିଃଶ୍ୱାସ ଟାଣି କହିଲା, ସତେ ଭଗବାନ ଲତାକୁ ହାତକରୁ ଦି’ ହାତ କରିବେ । ଏ ପାପ ଆଖିରେ ମୁଁ ପୁଣି ଦେଖିବି ? ଶତ୍ରୁଙ୍କ ମୁହଁରେ କାଳି ଲାଗିବ-?

 

ସେମାନଙ୍କର ଅନ୍ତରାଳରେ ରହି ଚୁପ୍ ହୋଇ ଠିଆହୋଇ ସବୁ ଶୁଣୁଥାଏ ।

 

ମନେମନେ ଭାବିଲି–ହଁ ସୁରଭାଇ ଗରିବ ହୋଇପାରେ ତା’ର ଧନ ନାହିଁ, ତା’ର ଶିକ୍ଷା ନାହିଁ, ତା’ର ସୌନ୍ଦର୍ଯ୍ୟ ନାହିଁ । ତଥାପି ତା’ର ମନ ଅଛି । ସେ ମଣିଷର ଅନ୍ତର ଭିତରେ ଥିବା ମନୁଷ୍ୟତାକୁ ବେଶ୍ ଚିହ୍ନିପାରେ । ମୁଁ ନାରୀ, ମୁଁ ଚାହେଁନା ଧନ, ମାନ, ଶିକ୍ଷା, ସଭ୍ୟତା । ମୁଁ ଚାହେଁ ପୁରୁଷର ମନଖୋଲା ପ୍ରୀତି, ବୁକୁଉଛୁଳା ହସ ଆଉ ଅକପଟ ପ୍ରେମ । ବାପା ବୋଉଙ୍କ ଆଖିରେ ସେ ତାଙ୍କ ଅପେକ୍ଷା ସୁନ୍ଦର ହୋଇପାରନ୍ତି, ଶିକ୍ଷିତ ହୋଇପାରନ୍ତି, ଏହା ବୋଲି ଯେ ମୁଁ ତାଙ୍କର ଝିଅ ବୋଲି ତାଙ୍କ କଥାକୁ ନିଶ୍ଚୟ ମାନିନେବି ତା’ର କୌଣସି କାରଣ ନାହିଁ ।

 

ସଂଧ୍ୟାବେଳକୁ ମୋତେ ଦେଖିକରି ସେମାନେ ଚାଲିଯିବାକୁ ଏକା ଜିଦ୍‌ ଧରି ବସିଥାନ୍ତି ।

 

ହାଟରେ ଯେପରି ଗାଇ ଗୋରୁଙ୍କୁ ଦେଖିଲେ ମନମୁତାବକ ହେଲେ ଆମେମାନେ କିଣିଆଣୁ ସେପରି ମୁଁ ତାଙ୍କର ମନଲାଖୀ, ପସନ୍ଦଯୋଗ୍ୟା ହେଲେ ଯାଇ ସେ ମୋର ବିବାହ ସମ୍ୱନ୍ଧରେ ନିର୍ଭର ଜବାବ ବାପାଙ୍କୁ ଦେବେ । ଏଇଟା ତାଙ୍କ ମନ ଭିତର ଉଦ୍ଦେଶ୍ୟ ।

 

ଶୈଳଟା କେତେବେଳୁ ଆସି ମୋ ସାଙ୍ଗରେ ଥଟ୍ଟା ତାମସା ଲଗାଇ ଦେଇଥାଏ । ମୋର ଶୁଖିଲା ମୁହଁରୁ ହସ ଟିକିଏ ଦେଖିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥାଏ । କିନ୍ତୁ କାଠଟା ପୋଡ଼ି ଗଲେ ଯେପରି ଅଙ୍ଗାର ହୋଇଯାଏ ଆଉ କାଠ ହୋଇ ରହେ ନାହିଁ ସେଇପରି ମନ ପୋଡ଼ିଗଲେ ସେଥିରେ କ’ଣ ସେଇ ପୁରୁଣା ସତେଜତା ପ୍ରଫୁଲ୍ଲତା ରହିବ ? ଶଇଳ ଜାଣିଶୁଣି ସୁଦ୍ଧା ଚେଷ୍ଟା କରୁଥାଏ ମୁଁ କିପରି ପଛ କଥାକୁ ଭୁଲିଯାଏ.....

 

ନେତ ନୂଆଉ ଏ ଆମ ପରେଶ ଭାଇଙ୍କ ସ୍ତ୍ରୀ ମ–ବୋଉ ତାଙ୍କୁ କହିଥିବାରୁ ସେ ଆସି ମୋ ମୁଣ୍ଡ ବାନ୍ଧି ଦେଇ ବେଶଭୂଷା କରି ଦେଉଥାଆନ୍ତି । ମୋତେ ଏଥିପାଇଁ ବଡ଼ ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ଯଦିଓ ସବୁଦିନ ଏଇ ତାଙ୍କର ଗଡ଼ଜାତୀ ଖୋସା ପାଇଁ ମୁଁ ତାଙ୍କ ପାଖରେ ଅଳି କରେ; ତଥାପି ଆଜି...ମୋ ମୁଣ୍ଡରେ ଗୋଟିଏ ସଜଫୁଟା ଗୋଲାପ ଫୁଲ ଖୋସି ଦେଉ ଦେଉ ମୁଁ ତାଙ୍କୁ କହିଲି, ଆଚ୍ଛା ନୂଆଉ ଏ ସ୍ନୋ, ପାଉଡ଼ର ଲଗାଇ ବେଶଭୂଷା ହୋଇ ନଗଲେ ସେ କ’ଣ ମୋତେ ପସନ୍ଦ କରନ୍ତେ ନାହିଁ ?

 

ସେ ହସି ହସି କହିଲେ, ସେ କାହିଁକି ତାଙ୍କ ମୁଣ୍ଡରେ ଗୋଡ଼ ଦେଇଗଲା ଲୋକ ମଧ୍ୟ ପସନ୍ଦ କରନ୍ତେ; ତଥାପି ତାଙ୍କରି ପ୍ରଶଂସାପତ୍ର ଉପରେ ପରା ମନ କିଣିଲା ଲୋକର ପସନ୍ଦ ନିର୍ଭର କରେ । ଜଣଙ୍କର ମନକୁ ଟିକିଏ ଟାଣିବାକୁ ହେଲେ ଆଜିକାଲି ଛାପଚିକ୍‌ଣିଆ ହେବା ଦରକାର । ଏଟା ପରା ହେଲା ବିଜ୍ଞାପନର ଯୁଗ । ମନେପକାଉନ ସେଦିନ ତୁମେ ପରା ମୋ ସଙ୍ଗରେ ଯାତ୍ରାକୁ ଯାଇ ଲକ୍ଷ୍ମୀବିଳାସ ତେଲ ବଦଳରେ ଏ ‘‘ମିଳନରାତ୍ରି’’ ତେଲଟା କିଣି ଆଣିଥିଲ । କେଉଁଥିପାଇଁ କିଣି ଆଣିଲ କହିଲ ? ତୁମେ କ’ଣ ଜାଣିଥିଲ ଯେ ଏ ଜରିଲଗା ଚକଚକିଆ ବୋତଲ ଭିତରେ ବାସ୍ନା କିରାସିନି ତେଲ ଅଛି ବୋଲି ! ଏ ଯେଉଁ ଉପରର ଚିକ୍‌ମିକ୍‌ ସୁନ୍ଦର ଫଟ ଆଉ ମନମତାଣିଆ ନାଁ ତୁମ ମନକୁ ବନସୀ ପକାଇ ମୀନ ଧରିଲା ପରି ଟାଣିନେଲା । ତୁମ୍ଭେ ଯେମିତି ଥୋପ ଗିଳିଲ, ସେମିତି ସବୁ ବୁଝିପାରିଛି । ସେଇପରି ଦୁନିଆର ସବୁ ଲୋକଙ୍କର ଏକା ମନ ପ୍ରକୃତ ସୌନ୍ଦର୍ଯ୍ୟ କେତେ ଜଣ ଦେଖନ୍ତି କହିଲ ? କାଳୀ ଅପରଛନୀକୁ ଯେତେବେଳେ ସ୍ନୋ ପାଉଡ଼ର ମାଖି ମାଖି ପୁରୁଷ ଆଗରେ ଠିଆ କରାଇ ଦିଅନ୍ତି, ସେତେବେଳେ ପୁରୁଷ ସେଇ ତା’ର କୃତ୍ରିମତାରେ ଭୁଲିପଡ଼େ ସିନା କିନ୍ତୁ ପରେ ଆଖିରୁ ଅଶ୍ରୁର ଝରଣା ଝରାଏ ।

 

ମୁଁ ପଚାରିଲି–ଆଚ୍ଛା ନୂଆଉ, ଆମେ କ’ଣ ଗାଈ ଗୋରୁ ହୋଇଛେ ଯେ ସେ ଆମର ହାତ ଗୋଡ଼, ଏପରିକି ନଖଠାରୁ ଶିଖା ପର୍ଯ୍ୟନ୍ତ ସବୁ ତନଖି କରି ଦେଖିବେ ? ପସନ୍ଦ ହେଲେ ଅଳଙ୍କାର ଦେଇ କିଣିନେବେ ?

 

ମନ ଦୁଃଖରେ ଦୀର୍ଘନିଶ୍ୱାସ ପକାଇ ସେ କହିଲେ ଲତା–ପିଲା ତୁମେ, କିଛି ବୁଝିନ । ଗାଈ ଗୋରୁ କ’ଣ ଜନ୍ଦା ପିମ୍ପୁଡ଼ିଠାରୁ ମଧ୍ୟ ମାଇକିନିଆ ଜୀବନ ହୀନିମାନ ।

 

ମୋର ବେଶ ସରିବା ପରେ ସେମାନେ ମୋତେ ଦେଖିବାକୁ ଆସିଲେ । ତାଙ୍କ ଆଗରେ ଠିଆହୋଇ ମୁଁ ଭାବୁଥାଏ ପୁଅଝିଅ ହେଲୁ ବୋଲି–ମା’ ବାପାଙ୍କର କୌଣସି କଥାରେ ଉଁ କି ଚୁଁ ପାଟି ଫିଟାଇ ପାରିବୁ ନାହିଁ ? ସବୁ ଅନ୍ୟାୟକୁ ମୁଣ୍ଡ ନୁଆଇଁ ସହିନେବୁ ? ମୋର ଶଶୁରଙ୍କର ମୁଁ ସିନା ମନଲାଖି ହୋଇପାରେ କିନ୍ତୁ ତାଙ୍କର.... ? ସେ ମୋର କିମ୍ବା ମୁଁ ତାଙ୍କର ମନଲାଖି ହୋଇପାରିବୁ କି ନାହିଁ, ତାହା କେହି ତ ଭାବିଲେ ନାହିଁ ।

 

ବାପାଙ୍କ ଉପରେ ବିଶ୍ୱାସ ଓ ଭାଗ୍ୟ ଉପରେ ନିର୍ଭର କରି ଚୁପ ରହିଲି ।

 

ମୋର କେଉଁ ପୁଣ୍ୟବଳରୁ ମୁଁ ତାଙ୍କର ପସନ୍ଦକୁ ଆସିଲି । ମୋ ହାତରେ ମୁଦିଟି ପିନ୍ଧାଇ ଦେଇ ଆସନ୍ତା ଫଗୁଣରେ ଦିନ ସ୍ଥିରକରି ସେମାନେ ଚାଲିଗଲେ ।

 

ଦେହ ଭଲ ହେବାପରେ, ଛୁଟି ସରିଯିବାରୁ ସୁରଭାଇ କଟକ ଚାଲିଯାଇଥାଆନ୍ତି । ଯିବା ପୂର୍ବରୁ ତାଙ୍କର ମୋର ଆଉ ଦେଖା ହୋଇ ନ ଥିଲା । ସେଦିନ ରାତିରେ ସେଇ ମୋର ଶେଷକଥା...

 

ସେଦିନ ଖରାବେଳେ ଘରର କାମଧନ୍ଦା ସବୁ ସାରି ନୂଆଉଙ୍କଠାରୁ ପରେଶ ଭାଇ ପଠାଇଥିବା ଝଙ୍କାର ପତ୍ରିକା ମାଗିଆଣି ତା’ ଉପରେ ଏଣୁତେଣୁ ଆଖି ବୁଲାଇବାରେ ଲାଗିଥାଏ । ଆନମନା ହୋଇ ପୃଷ୍ଠା ପରେ ପୃଷ୍ଠା ଓଲାଟାଇବାରେ ଲାଗିଥାଏ । ମନ ମୋର କେତେଆଡ଼େ କେତେ ରକମର ଭାବନାରେ ବ୍ୟସ୍ତ ଥାଏ । ହଠାତ୍‌ ପତ୍ରିକାଟି ଖୋଲି ଯାଉ ଯାଉ ମୋ ଆଖିରେ ଗୋଟିଏ କବିତା ପଡ଼ିଲା ନାଁଟି ତା’ ‘ତରୁଣର ନିବେଦନ’ । ବଡ଼ ସରଳ ଭାଷାରେ, ମନମତାଣିଆ ହୋଇ ସେ କବି ଲେଖିଥାଆନ୍ତି । ଛଦ୍ମ ନାମ ଦେଇଥାନ୍ତି, ‘‘ଦରଦୀ’’ । ପାଠକ ପାଠିକାମାନଙ୍କ ଆଖିରୁ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଥାନ୍ତି । କବିତାର ପ୍ରଥମ ପଦକ ଏବେ ମୋ ମନରେ ଅଛି–ସେକଥା ଭାବିଲେ ଏବେ ମଧ୍ୟ ଆଖିକୋଣରେ ମୋର ଲୁହ ଜକେଇ ଆସୁଛି–

 

‘‘ଦିଅ ସଖୀ ଦିଅ ମୋତେ ମେଲାଣି

ଲୁହର ସଂସାର

ଫଗୁଣର ସଞ୍ଜ ଆସି ହେଲାଣି

ଚାଲିଯିବି ଦୂରେ ଦୂରେ ଏଥର

ବୁଜି ଆଖି ବୁକୁ କର ପଥର

ଉଷା ରାଗେ ହସି ଆସି ଅରୁଣ

ଶୁଭ୍ର କରିବ ତୁମ ବରନ

ଜୋଛନା ଆସିଲେ ପାଶେ ତୁମର

ମନୁ ମୋତେ ଦେବ ନାହିଁ ପାଶୋରୀ

ଦିଅ ସଖୀ ଦିଅ ମୋତେ ମେଲାଣି

ଫଗୁଣର ସଞ୍ଜ ଆସି ହେଲାଣି ।’’

 

କବିତାଟି ପଢ଼ିଲି ଥରେ କାହିଁକି ଦଶଥର । କିନ୍ତୁ ହସିବା ବଦଳରେ ମୋ ଅନ୍ତର ଫଟାଇ ଅଶ୍ରୁର ଝରଣା ଆଖିବାଟେ ଝରି ଚାଲିଲା । କବିଙ୍କ ପ୍ରତି ମନ ମୋର ଦରଦ ଓ ସହାନୁଭୂତିରେ ଭରିଉଠିଲା । ଭାବିଲି ପ୍ରକୃତରେ ଦରଦୀ କବି ମୋପରି ନିଜେ ଅନୁଭବି ନ ହେଲେ ଲେଖିପାରିଥାନ୍ତେ କିପରି ? ପରେ କେଜାଣି କାହିଁକି ମନକୁ ଲାଗିଲା ଏ ସୁରଭାଇଙ୍କ ବ୍ୟତୀତ ଅନ୍ୟ କାହାରି ଲେଖା ନୁହେଁ ! ସେ ତ ଏଇପରି ପତ୍ରପତ୍ରିକାରେ ଆଗରୁ ଲେଖୁଥିଲେ । ତାଙ୍କର ତ ଅନେକ ଗୀତ ଏବେ ମଧ୍ୟ ମୋ ପାଖରେ ଅଛି । ଏହା ଭାବି ତାଙ୍କର ସେଇ ପ୍ରଥମ ଚିଠିର ପଦକିଆ କବିତା ‘‘ବୁକୁର ଦରଦ ବୁଝିବା ଲୋକ ମିଳେନି’’ଟି ଖୋଲି ପଢ଼ି ବସିଲି । ଏ କବିତାକୁ ତା’ ସହିତ ମିଳାଇ ଦେଖିଲି ଠିକ୍‌ ଜଣକର–ଏକ ଭାଷା ଏକ ଧର୍ମ....

 

ଭାବିବାକୁ ଲାଗିଲି ବୁଢ଼ୀ ଆଇ ମା’ ସନ୍ଧ୍ୟାବେଳେ ତା’ ନାତୀ ନାତୁଣୀଙ୍କୁ କହିଲା ପରି–ସାତ ସମୁଦ୍ର ତେର ନଇ ପାର ହୋଇ ବୋଇତ ବାଣିଜ୍ୟ କରି ଯେତେବେଳେ ସାଧବ ପୁଅ ଆସି ଗାଆଁରେ ପହଞ୍ଚେ, ସେତେବେଳେ ଘର ଭିତରକୁ ଆକୁଳ ହୋଇ ପଶିଯାଇ ଦେଖେ ଘର ତା’ର ଫାଙ୍କ୍‌–ଶୂନ୍‌ ଶାନ୍–ଅଲିଅଳ ସାଧବବୋହୂକୁ ନ ଦେଖି ମନ ଗହନରେ ସେ ଅକଳନ୍ତି ଭାବନାରେ ହଜିଯାଏ । ପାଗଳ ପରି ହୋଇ ଉଠିଲାବେଳକୁ ସେ ଶୁଣେ ଯେ ହଟିଆ ରାଜକୁମାର ପାରିଧି କରିବାକୁ ଆସି ପୋଖରୀ ତୁଠରେ ସାଧବ ବୋହୂକୁ ଏକା ଗୋଧୋଉଥିବାର ଦେଖି କଳାଘୋଡ଼ା ପିଠିରେ ଜବରଦସ୍ତି ବସାଇ ନେଇ ଚାଲିଗଲା । ସାଧବ ବୋହୂର ବିକଳ କ୍ରନ୍ଦନରେ ସମସ୍ତଙ୍କ ଆଖିରୁ ଲୁହ ଟପ୍‌ ଟପ୍‌ ଖସିପଡ଼ୁଥିଲେ ସୁଦ୍ଧା ଡରରେ କେହି ରାଜାପୁଅ ହାତରୁ ସାଧବ ବୋହୂକୁ ରକ୍ଷା କରିବାକୁ ସାହସ କରିପାରିଲେ ନାହିଁ । ଚାହୁଁ ଚାହୁଁ ନିଜର ଇଜ୍ଜତକୁ ବେଇଜ୍ଜିତ୍‌ କଲେ । ମାନ ସମ୍ମାନକୁ ବଞ୍ଚାଇ ପାରିଲେ ନାହିଁ ।

 

ଗାଆଁ ଲୋକଙ୍କର ଏକଥା ଶୁଣି ସାଧବ ପୁଅର ମୁଣ୍ଡ ଗୋଳମାଳ ହୋଇଉଠେ । ସଂସାରକୁ ଛିଃ କରି ବାପା ମାଆଙ୍କ ମୁହଁକୁ ନ ଚାହିଁ ଗାଁଗଣ୍ଡା ଛାଡ଼ି ଦେଶାନ୍ତରୀ ହୁଏ । ଯୋଗୀ ହୋଇ ଦାଣ୍ଡର ଭିକାରି ପରି ଏ ଗାଁରୁ ସେ ଗାଁକୁ ଘୂରିବୁଲେ । କଣ୍ଠରୁ ତା’ର ଅତୀତର ମଧୁବୋଳା ସ୍ମୃତିରେ ତିଆରି କରୁଣ ଓ ମର୍ମନ୍ତୁଦ କବିତା ଛୁଟି ଚାଲେ । କେନ୍ଦରାରେ ତାଳ ପକାଇ ଗଳି କନ୍ଦିରୁ ଦୁଆର ଦୁଆର ବୁଲି ଗାଇ ଚାଲେ ।

 

ତା’ର ଆଶା ସାଧବବୋହୂ ରାଜାଘର ନଅ ମହଲା ନଅରରେ ତୁଳି ତଳପ ଶେଯରୁ ଶୋଇ ଜାଣିପାରିବ ଯେ ସାଧବପୁଅ ବଞ୍ଚିଛି ଆଉ ତାକୁ ଝୁରୁଛି । ଏତେଦିନ ଧରି ବିଦେଶରେ ରହିଲେ ମଧ୍ୟ ମନରୁ ପାଶୋରି ଦେଇ ନାହିଁ । ସେଇପରି ସୁରଭାଇଙ୍କର ଏହା ଏକରକମ ନିବେଦନ ବ୍ୟତୀତ ଆଉ କ’ଣ ହୋଇପାରେ ?

 

ସୁରଭାଇଙ୍କର ଦରଦରେ ମନମୋର ଘାଣ୍ଟିଚକଟି ହେଲା । ତାଙ୍କର ମଙ୍ଗଳ ପାଇଁ ମାଆ ମଙ୍ଗଳାଙ୍କୁ ମନେମନେ ସୁମରିଲି । ତାଙ୍କର ମହତ ହୃଦୟ ପାଇଁ ଆଖିରୁ ମୋର ଲୁହ ଝରିଲା । ଭାବିଲି ସାମାନ୍ୟ ଟିକେ ଅଣ୍ଟା ଜୋରକରି ନ ପାରିଥିବାରୁ, ସାମାନ୍ୟ ସାହସ ମୋ ଭିତରେ ନ ଥିବାରୁ ତୁମ ସହିତ ହାତ ମିଳାଇ ଯାଇ ନ ପାରିବାରୁ ସିନା ଦୁହେଁ ଆଜି ଦୁଃଖରେ ସନ୍ତୁଳି ହୋଇ ମରୁଛେ ?

 

ବେଳେବେଳେ ଏ ଚଗଲା ମନଟା ଚହଲିଉଠେ । ସୀମା ଲଘଂନ କରି ଟପି ଯିବାକୁ ବସେ । କିନ୍ତୁ ଭବିଷ୍ୟତ ଆଉ ମାୟା ମମତା ମୋତେ ପଛରୁ ଟାଣି ଧରନ୍ତି ।

 

ମଣିଷ ଯଦି ପ୍ରକୃତ ମଣିଷ ଜନ୍ମ ପାଇଥାଏ, ଯଦି ପ୍ରକୃତରେ ଜଣକ ହୃଦୟକୁ ଚିହ୍ନି ପାରିଥାଏ, ଜଣକର ସୁହାଗ ସିନିହକୁ ନିଜ ହୃଦୟରେ ଥରକ ପାଇଁ ଧରି ପାରିଥାଏ, ତାଙ୍କୁ କ’ଣ ସେ ଏ ଜୀବନରେ ଭୁଲି ଯାଇପାରିବି ? ଜୋଛନା ତା’ ସାମାନ୍ୟ ନିତିଦିନିଆ ଘଟଣା ତା’ ଅପେକ୍ଷା ବରଂ ଯଦି ଆଉ କିଛି ନୂଆ କଥା ଆସେ ତଥାପି ସୁରଭାଇଙ୍କୁ ମୁଁ କ’ଣ ଭୁଲିପାରିବି ? ତାଙ୍କୁ ଏ ଜୀବନରେ ଭୁଲି ହୋଇପାରିବ ନାହିଁ । ତାଙ୍କର ସେଇ କଥାଗୁଡ଼ିକ ମୋ ପାଖରେ ଅମୃତ ହୋଇ ରହିବ ।

 

ମନେମନେ ଭାବିଲି ବାପା ବୋଉଙ୍କର ବାଗଦତ୍ତା ହେତୁ ମୁଁ ଅନ୍ୟ ଜଣକ ପାଖେ ଅଭିନେତ୍ରୀ ସାଜି ଅଭିନୟ କରିପାରେ ସେ ହୁଏତ ପଶୁ ପରି ଦାବିକରି ବସିବ ମୋ ଦେହକୁ କିନ୍ତୁ ମନକୁ ? ତା’ର ଉପରେ ଏ ଜନ୍ମରେ କଣ ଜନ୍ମ ଜନ୍ମ ପର୍ଯ୍ୟନ୍ତ ତୁମର ଏକା ଅଧିକାର । ତୁମେ ହିଁ ମୋର ମନର ଦେବତା ଜାଣିରଖ ସୁର ଭାଇ, ମରଣ ପରେ ଯେତେବେଳେ ଗାଆଁବାଲା ମୋର ଏ ସୁନ୍ଦର ଦେହକୁ ମଶାଣିରେ ପୋଡ଼ିଦେଇ ମୁଠାଏ ପାଉଁଶରେ ପରିଣତ କରି ଆସିବେ ସେତେବେଳେ ମଧ୍ୟ ମଶାଣି ଭୂଇଁରୁ ଧୀର ପବନରେ ମୋ ପୋଡ଼ା ପାଉଁଶ ଉଡ଼ିଆସି ତୁମର ପଦତଳେ ପଡ଼ିବ । ଆଉ ସେଇ ପାଉଁଶ ଟିକକରୁ ତୁମେ ଶୁଣିପାରିବ ସେଇ ଆଦରର ‘‘ସୁରଭାଇ’’ ଡାକ । ଶ୍ରାବଣର ଅମାବାସ୍ୟା କିମ୍ବା ଆଶ୍ୱିନର ପୂର୍ଣ୍ଣିମା ମୋ ଜୀବନରେ ଆସିଲେ ସୁଦ୍ଧା ତୁମକୁ ମୁଁ କଦାପି ଭୁଲିପାରିବି ନାହିଁ ।

 

।। ତେର ।।

 

ସତୀ ସ୍ତ୍ରୀର କପାଳରେ ସିନ୍ଦୁର ଟୋପାପରି ପୂରୁବ ଆକାଶରେ ଉଜୁଳି ଉଠିଲେ ସୁରଯ ଦେବତା । ତାଙ୍କର ସୁନା ସୋରିଷିଆ କିରଣରେ ମରତ ଲୋକମାନେ ଜୀଇଉଠିଲେ । ଆନନ୍ଦରେ ସମସ୍ତଙ୍କ ମନ ମାତି ଉଠିଲା । ଗଲାଦିନର ହଜିଲା ଦୁଃଖକୁ ପାଶୋରି ଦେଇ ନୂଆ ସୁଖ ପାଇବା ପାଇଁ ଆଗେଇ ଚାଲିଲେ ।

 

ସକାଳର ଚଢ଼େଇମାନଙ୍କର ଆନନ୍ଦର କଳରବ ସହିତ ତାଳ ପକାଇ ଆମ ଦୁଆରେ ବାଜିଉଠିଲା ଶୁଭଶଙ୍ଖ....ମୋର ଆଜି ବିଭାଘର...

 

‘‘ବାହାଘର’’–ଏଇ ପଦଟା କେଡ଼େ ମଧୁମୟ ଆଉ କେଡ଼େ ଉପଭୋଗର ଜିନିଷ ଜୀବନରେ ଯେ ଥରେ ପାଇଚି ସେ ଜାଣିଚି, ଯେ ନ ପାଇଚି ସେ କଳ୍ପନାରେ ପାଇଚି । ଏଇ ବାହାଘର ଜୀବନରେ ଥରେ ମଧୁମୟ ହୋଇଆସେ । ଥରକ ପାଇଁ ବାହାଘରର ମଉଜ ଉପଭୋଗ କରି ହୁଏ ।

 

ତରଳ ପ୍ରାଣର ସରଳ କିଶୋର କିଶୋରୀଗୁଡ଼ିକ ଯୌବନର ପହିଲି ପରଶରେ ଜାଗିଉଠି ଯେତେବେଳେ ଦୁଇଟା ଅଜଣା ବିଷୟର ସନ୍ଧାନ ପାଇଁ ମନେମନେ ବ୍ୟାକୁଳ ହୋଇ ଉଠିଥାଆନ୍ତି ସେତେବେଳେ ତାଙ୍କ ପ୍ରାଣରେ ସ୍ପନ୍ଦନ ଖେଳାଇ ନବ ନବ ଜାଗରଣ ଆଣି ତାଙ୍କର ଇପ୍‌ସିତ ପଦାର୍ଥକୁ ଜଣାଇଦିଏ । ଏଇ ବାହାଘର, ଏଇ ବାହାଘର ପରେ ଆସେ ମାୟା ମମତା ଆଉ ବନ୍ଧନ । ନିଜର ବାପା, ମା’ ଦୂରରେ ରହନ୍ତି । ପରର ମାଆ, ବାପାଙ୍କୁ ଆପଣାର କରି ମାୟା ମମତା ଡୋରିରେ ବାନ୍ଧି ଆଗେଇ ଚାଲିବାକୁ ହୁଏ । ଶାଶୁ ମା’ ହୁଏ, ଶଶୁର ବାପା ହୁଏ । ଜନମ ଭୂଇଁ ଛାଡ଼ି ପର ଦେଶରେ ପରଘରୀ ହୋଇ ଦିନ କାଟିବାକୁ ହୁଏ ପୁଅ, ଝିଅ ନେଇ ନିଜସ୍ୱକୁ ବଳିଦେଇ ପରକୁ ଆପଣାର କରିନେବାକୁ ହୁଏ ।

 

ଏହି ବାହାଘର ନିଜର ଲୋକଙ୍କୁ ପର କରିଦିଏ । ଆଉ ପରକୁ କରିଦିଏ ଆପଣାର–ଅତି ଆପଣାର ।

 

ଜୀବନରେ ମୋର ଆସିଲା ଆଜି ସେହି ବାହାଘର । ନିଜର ଲୋକଙ୍କୁ ଛାଡ଼ି ପରକୁ ଆପଣାର କରିବା ପାଇଁ ଅଗ୍ନି ପାଖରେ ବସି, ବ୍ରାହ୍ମଣର ପାଦ ଛୁଇଁ ନିୟମ କରିବି । ହସିବାକୁ ଇଚ୍ଛାନଥିଲେ ମଧ୍ୟ ଅନ୍ୟର ମୁହଁରେ ହସ ଉକୁଟାଇବା ପାଇଁ ମୋତେ ଛଳନା କରି ହସିବାକୁ ହେବ-। ବାହାନା କରିବାକୁ ହେବ । ତା’ ନ କଲେ ଜୀବନ ମୋର ସୁନ୍ଦର, ସରସ, ଆଉ ସୁଗମ ହୋଇପାରିବ ନାହିଁ ।

 

ଶଇଳ ଆଜି ମୋତେ ବୁଝାଇ ବୁଝାଇ ଥକିଗଲାଣି–

 

କିନ୍ତୁ ଯେଉଁ ଲୁହ ଅନ୍ତର ଫଟାଇ ବାହାରି ଆସେ ସେ କି ସାମାନ୍ୟ ଆଶା, ଆଶ୍ୱାସନାରେ ବନ୍ଦ ହୋଇ ଯିବାର ଲୁହ ! ସେ ତ କ୍ଷଣକ ପାଇଁ ମୋ ଆଖିରେ ଜନ୍ମନେଇ ନାହିଁ ଯେ କ୍ଷଣକେ ଚାଲିଯିବ । ଏଇ କାନ୍ଦର କିଏ କେତେ ପ୍ରକାର ଅର୍ଥ କରୁଥାଆନ୍ତି । କିନ୍ତୁ ଭିତର କଥାଟା ପ୍ରାୟ କେହି ଦେଖୁନଥାନ୍ତି । ସମସ୍ତେ ଭାବୁଥିବେ, ଗତାନୁଗତ କିମ୍ୱା ବିଧିରକ୍ଷା କରିବା ପାଇଁ ମୁଁ କେବଳ କାନ୍ଦୁଛି । କିନ୍ତୁ ପ୍ରକୃତରେ ତା’ ନୁହେଁ.....

 

ରାତିରେ ବଜ୍ରଭଳି ବାଣମାନ ଫୁଟାଇ ରୋଷଣି କରି ସେ ବାହାହୋଇ ଆସିଲେ । ଖୁବ୍‌ ଜାକଜମକ ଆଉ ଆଡ଼୍‌ଡ଼ା ଚଉଡ଼ାରେ ସେ ଆସୁଥାଆନ୍ତି । ଗାଆଁଟା ସାରା ଦୁଆରେ ଠିଆହୋଇ ଏ ସଲଟଣ ଦେଖୁଥାନ୍ତି । ଆଉ ବାପାଙ୍କୁ ଧନ୍ୟ ଧନ୍ୟ କହୁଥାନ୍ତି ।

 

ବାହାଘର ଯେଉଁ ସାମାଜିକ ରୀତିରେ ହେବାର କଥା ସେପରି ହୋଇଗଲା । ମନ ମନର ବାହାଘର ନ ହୋଇ ଦେହ ଦେହର ବାହାଘର ହେଲା । ସେ ସବୁ ବିଷୟ ତ ମୁହଁରେ କହି ହେବ ନାହିଁ, କିମ୍ୱା ସାମାନ୍ୟ କାଳି କଲମରେ ଲେଖି ହୋଇପାରିବ ନାହିଁ, ଅନ୍ୟମାନଙ୍କ ପକ୍ଷରେ ଅନୁମାନ କରି ହେବ । ତେବେ ମୋର ଏତିକି ମନେଅଛି ଯେ, ଦୁଇଟା ଅଦେଖା, ଅଜଣା, ଅଚିହ୍ନା, ଅପରିଚିତ ହାତ ଦୁଇଟିକୁ ଯେତେବେଳେ ଆମ ପୁରୋହିତ କୁଶ ଗଣ୍ଠିରେ ବାନ୍ଧିଦେଲେ ସେତେବେଳେ ମୁଣ୍ଡ ମୋର କ’ଣ ହୋଇଗଲା । ତା’ପରେ ମୋର କ’ଣ ହେଲା ମୁଁ ଜାଣି ପାରିନାହିଁ....

 

X X X

 

ତା’ ପରଦିନ ସକାଳୁ–

 

ଚିର ଆବହମାନ କାଳରୁ ଚଳି ଆସୁଥିବା ନିୟମ ଅନୁସାରେ ମୋତେ ନିଜ ଘର ଛାଡ଼ି ପରଘରୀ ହେବାକୁ ପଡ଼ିଲା । ଗାଁର ଜନମ ମାଟି, ଯେଉଁଠି ଦିନେ ମୋର ଏନ୍ତୁଡ଼ି ନିଆଁ ଜଳିଉଠିଥିଲା, ଯେଉଁ ମାଟିରେ ଧୂଳି ଖେଳି, ଯେଉଁ ମାଟିର ପାଣି ପବନ ଭିତରେ ମୁଁ ବଢ଼ି ଆସି ଦୁନିଆ ଆଗରେ ଠିଆହୋଇ ପାରିଲି ସେଇ ମୋର ପରମ ପୂଜନୀୟା ସରଗ ଭୂଇଁ ଭଳି ଦାଣ୍ଡକୁ ଛାଡ଼ି ଚାଲିଲି ପର ଘରକୁ....

 

ଯିବା ପୂର୍ବରୁ ଶଇଳ ଧାଇଁ ଆସିଲା ଲୁହ ଛଳ ଛଳ ଆଖିରେ ମୋ ବେକରେ ଓହଳିପଡ଼ି କହିଲା, ଲତା ପଛ କଥାଗୁଡ଼ାକ ସବୁ ଭୁଲିଯିବୁ । ବୋହୁ ହୋଇ ଯାଉଛୁ । ଦିବାକର ବାବୁଙ୍କ ଅନୁଗ୍ରହରୁ କାଆଲି ବୋଉ ଡାକ ଶୁଣିବାକୁ ପାଇବୁ; କିନ୍ତୁ ଯେତେହେଲେ ମୋତେ କ’ଣ ମନରୁ ପାଶୋରୀ ଦେବୁ ? ମୋତେ ଭୁଲିବୁ ନାହିଁଟି ଅନ୍ତରରୁ ପର କରିଦେବୁ ନାହିଁ ? କିନ୍ତୁ ଭୁଲିଯିବୁ ମୋର ସବୁ ଦୁଷ୍ଟାମୀ, ସବୁ ଦୋଷ ।

 

ପ୍ରକୃତରେ ଦିନପରେ ଦିନ ଗଡ଼ି ଚାଲିଲା । କେତେ କେତେ ବସନ୍ତ ଆସିଲେ । ମୋର ଆଖିଆଗରେ କେତେ କେତେ ଗଛ ଜନମ ହୋଇ ବୁଢ଼ା ହୋଇ ମଲେ । ଏହିପରି କେତେ ପରିବର୍ତ୍ତନ ଘଟିଗଲା, କିନ୍ତୁ କାହିଁ ତାକୁ ତ ମୁଁ ଦଣ୍ଡେ ମାତ୍ର ଭୁଲିପାରିଲି ନାହିଁ । ସେ ସିନା ଆଜି ମୋତେ ପଚାରୁ ନାହିଁ । ଆମ ଦୁଆର ମାଡ଼ୁ ନାହିଁ । କିନ୍ତୁ ମୋର ଏ କଳା ବାଳଗୁଡ଼ାକ ଯେତିକି ଯେତିକି ଧଳା ପାଲଟିବାକୁ ଆଗେଇ ଚାଲିଛନ୍ତି ସେତିକି ସେତିକି ତା’ ଦୁଷ୍ଟାମୀ ମୋ ଆଖିରେ ଜୀବନ୍ତ ହୋଇଉଠୁଛି ।

 

ବୁକୁଫଟା କ୍ରନ୍ଦନ ଆଉ ଶତ ଶତ ସଜଳ କଳାଡ଼ୋଳା ଗୁଡ଼ିକୁ ପଛରେ ପକାଇ ସମସ୍ତ ମାୟା, ସ୍ନେହ, ମମତାକୁ ପଛରେ ପକାଇ ଆମ ଦୁଆରୁ ସବାରି ଉଠିଲା । ସେତେବେଳେ ବୋଉର ଛଳ ଛଳ କରୁଣ ଚାହାଁଣୀ ଦେଖି ମନେମନେ ମାତୃହରା ବତ୍ସାଭଳି କାନ୍ଦିଉଠି ଭାବିଲି ‘‘ବୋଉ ତୁ କହିଥିଲୁ ଜନମ ସିନା ଦେଇଛି କିନ୍ତୁ କର୍ମ ତ ଦେଇନାହିଁ । ପୁଣି ଦିନେ କହିଥିଲୁ ନଈ ଶୁଖିଲେ କି କରଇ ନାଆ, ଦୁଧ ଶୁଖିଲେ କି କରଇ ମାଆ ।

 

।। ଚଉଦ ।।

 

ମୁଁ ପିଛିଲା ସ୍ମୁତି ଭୁଲିଲି । ପଛ କଥାକୁ ଭୁଲିଯାଇ ଦିବାକର ବାବୁଙ୍କ ହାତ ଧରିଲି । କାରଣ ବଞ୍ଚି ରହିବାକୁ ହେଲେ ମଣିଷକୁ ଗଲା କଥାକୁ ଭୁଲିଯିବାକୁ ହେବ । ନ ହେଲେ ଦୁନିଆରେ ଏ ଖସଡ଼ା ପଥରେ ନିଜେ ମୁହଁ ମାଡ଼ି ପଡ଼ିବ ସିନା କିନ୍ତୁ ଜୀଇ ବଞ୍ଚି ଆଗେଇ ଯାଇପାରିବ ନାହିଁ ।

 

ଅଭିନେତ୍ରୀ ସାଜି ତାଙ୍କ ଆଗରେ ଜୀବନସାରା ଛଳନା କରି ଅଭିନୟ କରିବାକୁ ଦୃଢ଼ ପ୍ରତିଜ୍ଞା କଲି । ସେଥିପାଇଁ ଆସିବାର ଦିନ ଦି ତିନିଟା ଭିତରେ କିପରି ତାଙ୍କୁ ଆପଣାର କରି ପକାଇବି, ସେଥିପାଇଁ ଆପ୍ରାଣ ଚେଷ୍ଟା କଲି । ତାଙ୍କ ସୁଖରେ ସୁଖୀ ହେବାର ଛଳନା କଲି । ଦୁଃଖରେ କାନ୍ଦିବାର ବାହାନା କଲି । ନିଜର ଅନିଚ୍ଛା ସତ୍ତ୍ୱେ ତାଙ୍କ ପାଇଁ ଜୀବନର ପ୍ରତ୍ୟେକ ସ୍ଥଳରେ ନିଜର ବ୍ୟକ୍ତିତ୍ୱ ଓ ସ୍ୱାଧୀନତାକୁ ପଦେ ପଦେ ବଳି ଦେଲି । ତାଙ୍କର ସହଯାତ୍ରିଣୀ ହେଲି ।

 

ଦୁନିଆରେ ଏହାକୁ କହନ୍ତି ଦାମ୍ପତ୍ୟ ଧର୍ମ ।

 

ବାପା ବୋଉଙ୍କର କଥା ସବୁ ଗୋଟି ଗୋଟି ହୋଇ ସତ । ପୁରୁଣାକାଳିଆ ମଉଡ଼ମରା ଘରମାନ । ଚନ୍ଦନ ଲିପିଲା ପରି ଚଉପାଡ଼ି । ତଳେ ଭାତ କୁଢ଼େଇ ଖାଇ ହୋଇଯିବ । ଖାନଦାନୀ ଆଉ ବୁନିଆଦିର ପୁରୁଣା ଘର । ଘରେ ଶଶୁର ଏକା, ଶାଶୁ ନଥାନ୍ତି । ଦାଣ୍ଡଘାଟକୁ ମୁରବି ସେ । ଶୁଣିଲି ଝିଅଟିକୁ ଦୁଇବର୍ଷ ନ ପୁରୁଣୁ ସେ ଆଖି ବୁଜିଛନ୍ତି । ସେଇଦିନୁ ଏ ଘର ବାବରଖାନିଆ ହୋଇ ପଡ଼ିଛି । ମୋର ଯେ ନଣନ୍ଦ ହେବେ ନାଁଟି ତାଙ୍କର ଶକୁନ୍ତଳା । ପ୍ରକୃତରେ ଆଶ୍ରମରେ କଣ୍ୱ ମୁନିଙ୍କୁ ଦ୍ୱାରା ପରିପାଳିତ ବିଶ୍ୱାମିତ୍ରଙ୍କ ଝିଅ ଶକୁଂତଳା ପରି ଅବିକଳ ତାଙ୍କର ଚେହେରା । ସତେ ଯେପରି ସବୁ କଳାତକ ସେ ତାଙ୍କଠାରୁ ଛଡ଼ାଇ ଆଣିଛନ୍ତି । ଯିବାର କେଇଦିନ ଭିତରେ ନୂଆଉ ନୂଆଉ ଡାକି ପାଖ ଛାଡ଼ୁନଥାନ୍ତି । କେତେଆଡ଼ୁ କେତେକଥା ଆଣି ପଚାରି ପଚାରି ବଡ଼ ହଇରାଣ କରୁଥାନ୍ତି । କିନ୍ତୁ ସେ ହଇରାଣ ହେବାରେ ମୁଁ ପାଉଥିଲି ଏକ ନୂଆ ଆନନ୍ଦ....

 

ଦିଅରଙ୍କର ସ୍ନେହବୋଳା କଥା ଆଉ ଭକ୍ତି । ମୋର ଭାଇ ନଥିଲେ ସୁଦ୍ଧା ଗୋଟିଏ ଛୋଟ ଭାଇର ସ୍ମୁତି ମନେ ପକାଇ ଦିଏ ।

 

ଏହିପରି ଦାସୀ ପରିବାରୀ, ଖାନଦାନୀ ଭିତରେ ସମୟ କଟିବାକୁ ଲାଗିଲା ବେଳେ ଭାବିଲି ହିଁ ନୂଆ କରି ପଛ କଥାକୁ ସବୁ ଭାବି ହେବି । ମନରେ ସେ ସବୁ ଆସି ମନ ଗୋଳେଇ ଘାଣ୍ଟି ହେବ । ପୁଣି ମୋ ବୋଉ ପରି ପିଲା ଛୁଆ ଧରି ଘର ସଂସାର କଲେ, ଘର କାମରେ ସଦାବେଳେ ବ୍ୟସ୍ତ ରହିଲେ ପଛକଥା ଭାବିବାକୁ ଆଉ ସମୟ ମିଳିବ କୁଆଡ଼ୁ ! ପାଣିରେ ଗାର ପକାଇଲା ପରି ଆପଣା ଛାଏଁ ସେ ସବୁ ମନରୁ ପୋଛି ହୋଇଯିବ । ମୁଁ ସଂସାରି ହୋଇଉଠିବି । ଏଇ ଘରକୁ ଲାଗିପଡ଼ି ବୈକୁଣ୍ଠରେ ପରିଣତ କରିଦେବି । ଖାଲି ଏତିକି ମନେମନେ ଯେ ଭାବିଲି ତା’ ନୁହେଁ; କାର୍ଯ୍ୟରେ ପରିଣତ କରିବାକୁ ମଧ୍ୟ ଚେଷ୍ଟା କଲି । ମୋ ଚେଷ୍ଟା ସଫଳ ନିଶ୍ଚୟ ହୋଇ ପାରିଥାଆନ୍ତା । ଦୁନିଆରେ ଯାହାଙ୍କ ହାତ ଧରି ଆଗେଇବାକୁ ବସିଲି, ଯାହାଙ୍କ ହସରେ ସମସ୍ତ ଦୁଃଖ ଦୈନ୍ୟକୁ ପାଶୋରି ଦେବକୁ ଭାବିଲି ସେ ଯଦି ମୋର ହୋଇ ମୋତେ ଟିକିଏ ଆରମ୍ଭରୁ ପଚାରି ଥାଆନ୍ତେ.....

 

ମନେ ପଡ଼ିଯାଏ ମୋର ସେଇ ମିଳନ ମଧୁରାତି କଥା । ଯେଉଁ ମଧୁରାତି ପ୍ରତ୍ୟେକ ନବବିବାହିତ ତରୁଣ ଓ ତରୁଣୀଙ୍କ ଜୀବନରେ ମଧୁମୟ ହୋଇ ଆସେ ପ୍ରଥମ ଥର ପାଇଁ । ଯେଉଁ ବାସରରାତ୍ରିର ବହୁଦିନର ଉତ୍କଣ୍ଠା, ବ୍ୟାକୁଳତା ଆଉ ସବୁଜ ଜୀବନର କେତେ ଗୁଡ଼ିଏ ଅଜଣା କଥା ଜାଣି ହୋଇଯାଏ । ସେଇ ବାସର ରାତ୍ରିରେ ସେ ମୋତେ ଓ ମୁଁ ତାଙ୍କୁ ଆପଣାର କରିପାରି ଥାଆନ୍ତି । ଭବିଷ୍ୟତ ଜୀବନ ପାଇଁ ଆମର ଖସଡ଼ା ତିଆରି କରି ଥାଆନ୍ତୁ । ସେଇ ରାତ୍ରି ମୋର କିପରି କଟିଛି ଜାଣିଛ ?

 

କେବଳ ନିରବରେ ଘର କଣରେ ବସି ଅଶ୍ରୁର ଝରଣା ଝରାଇ....ମୁଁ ଯେତେ ସରଳ ଖୋଲା ହୋଇ ଚଳିଲେ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କଲାପରି ଜାଣିପାରିଲି ନାହିଁ । ସେ ମୋ ସଙ୍ଗରେ ଥଟ୍ଟା କରନ୍ତି, ହସନ୍ତି, ସ୍ୱାମୀ ସ୍ତ୍ରୀର ସଂପର୍କକୁ ବଜାୟ ରଖନ୍ତି ତଥାପି ମୁଁ ଯେପରି ତାଙ୍କର ଅନ୍ତର ତଳେ ଗୋଟାଏ ଗୋପନୀୟ ଘଟଣାର ସନ୍ଧାନ ପାଏ । ମୁଁ ଦେଖେ କେବଳ ପିତା ମାତାଙ୍କର ବାଧ୍ୟ ସନ୍ତାନ ହେତୁ କିମ୍ୱା ନିଜ ଘରର ଗାରିମାକୁ ପଦାରେ ପକାଇ ଲୋକହସା ନହେବା ପାଇ: ସେ ମୋ ସଙ୍ଗରେ ଚଳନ୍ତି, ହସନ୍ତି, ଖେଳନ୍ତି । ତାଙ୍କୁ ବରାବର ଲକ୍ଷ୍ୟ କରି ଦେଖିଛି, ଗୋଟାଏ କାମ କଲାବେଳେ ସେ ହଠାତ୍‌ ଅନ୍ୟମନସ୍କ ହୋଇଉଠନ୍ତି । ହାତରୁ କଲମ ତଳେ ଖସିପଡ଼େ । ଗୋଟାଏ ଆଡ଼କୁ ଚାହିଁ କେତେ କଅଣ ଭାବି ଦୀର୍ଘ ନିଃଶ୍ୱାସଟିଏ ଟାଣି ମୁହଁ ଫେରାନ୍ତି । ମୁଣ୍ଡର ବାଳ କେଇ କେରାକୁ ହାତରେ ଚିପିଧରି ପାଗଳଙ୍କ ଭଳି ଘରସାରା ବୁଲିବାକୁ ଲାଗନ୍ତି । ଏଇପରି କେତେ କାଚଗ୍ଲାସ, କଲମ ତାଙ୍କ ହାତରୁ ପଡ଼ି ଭାଙ୍ଗିଗଲାଣି ତା’ର ଇୟତା ନାହିଁ । ଠିକ୍‌ ତାଙ୍କର ଏଇ ଅବସ୍ଥା ବେଳେ ଯଦି ମୁଁ ଯାଇ ପହଞ୍ଚିଯାଏ ସେଇ ଘଡ଼ିକେ ଭାବ ଭଙ୍ଗୀ ବଦଳାଇ ଦିଅନ୍ତି । ହସି ହସି ପଛ କଥାକୁ ଗୋଳାଇବାକୁ ଚେଷ୍ଟା କରନ୍ତି । ତାଙ୍କର ମନର ଭାବ ମୋତେ ଜଣାଇ ନ ଦେବା ପାଇଁ ଚେଷ୍ଟା କରନ୍ତି ।

 

ତାଙ୍କର ଚାଲିଚଳନ କଥାବାର୍ତ୍ତାରେ ନାରୀ ମନ ମୋର ସଂଦେହୀ ହୋଇଉଠେ । ଅନେକ ସମୟରେ ତାଙ୍କୁ ଏ ହାବ ଭାବର କାରଣ ପଚାରିଛି । କିନ୍ତୁ ସେ ଖୋଲି କରି କିଛି କୁହନ୍ତି ନାହିଁ । ଅଳ୍ପ ହସୁ ହସୁ କହନ୍ତି, ଗୋଟାଏ ଗୁରୁତର ସେସନସ୍‌ କେଶ୍‌ କଥା ଭାବୁଥିଲି ।

 

ତୁହାକୁ ତୁହା ତାଙ୍କୁ ପଚାରିବା ପାଇଁ ଇଚ୍ଛା ହୁଏ ନାହିଁ । କାରଣ ମୁଁ ଜାଣୁଥିଲି ଯେଉଁ କଥାକୁ ସେ ମୋଠାରୁ ଲୁଚାଇବାକୁ ଇଚ୍ଛା କରୁଛନ୍ତି, ତାଙ୍କୁ ପଚାରିଲେ ସେ ଅସଲ କଥାଟି କେଭେ କହିବେ ନାହିଁ ।

 

ନାରୀ ଜାତିର ମନ ବଡ଼ ସଂଦେହୀ । ଯେଉଁ ବିଷୟରେ ତା’ର ସଂଦେହ ଜାତ ହୁଏ ସେ ତା’ର ଶେଷ ନିଷ୍ପତ୍ତି ନକଲା ପର୍ଯ୍ୟନ୍ତ ଚୁପ୍ ହୋଇ ଶାନ୍ତିରେ ରହିପାରେ ନାହିଁ ।

 

ଏହିପରି ଦିନ ପରେ ଦିନ ଗଡ଼ିଲା । ତାଙ୍କ ସହିତ ଖୁବ୍‌ ସତର୍କରେ ଚଳିବାକୁ ଲାଗିଲି । ନିଜର ଦୁର୍ବଳତାକୁ ସହଜେ ତାଙ୍କ ଆଖିରେ ଧରାପକାଇ ନ ଦେବାକୁ ଚେଷ୍ଟା କରୁଥାଏ । ଦିନକର ଘଟଣା ଯାହାକି ଏ ପଥର ବୁକୁରେ ଦାଗ ପରି ରହିଛି । ଦିନେ ଅଧେ ପାଇଁ ନୁହେଁ । ଚିରଦିନ ପାଇଁ ଲିଭିବ ନାହିଁ ।

 

ସେଦିନ ହୋଇଥାଏ ଶ୍ରାବଣର କୃଷ୍ଣ ଚତୁର୍ଦ୍ଦଶୀ । ହଁ, ହଁ ମୋର ଠିକ୍‌ ମନେଅଛି । ଏବେ ବି ସେଦିନ ରାତି କଥା ମୋ ଆଖିରେ ଜଳ ଜଳ ହୋଇ ଭାଷିଉଠୁଛି । ଆକାଶ ଭରି ଉଠିଥାଏ କଳା ମେଘରେ । ସତେ ଯେପରି ସରଗ ପୁରରୁ କଳା କଳା ବଉଦ ନାଆରେ ବସି ରୂପବତୀ ବିଜୁଳି ରାଣୀ ଥରେ ଥରେ ଆସି ଆଖି ମିଟିକା ମାରି ହସି ହସି ଚାଲି ଯାଉଥାଆନ୍ତି । ବର୍ଷା ହେବାର ଆଶା ଥାଏ ପୁଣି ନ ଥାଏ ।

 

ଏତେବଡ଼ ଖାନଦାନୀ ଘରେ ବାହା ହୋଇଥିଲେ ସୁଦ୍ଧା ମୁଁ ରୋଷାଇ କରିବାକୁ ଭଲ ପାଉଥିଲି । ପୂଜାରୀ ହାତରେ ରାନ୍ଧି ଖାଇବାଟା ସ୍ତ୍ରୀ ଜାତିର ଅପାରଗତା ଓ ଅବମାନନା ବୋଲି ମୁଁ ଭାବେ । କାରଣ ମୁଁ ବାପାଙ୍କ ପାଖରୁ ପୂରାଣରୁ ଶୁଣିଥାଏ–ଏଇ ଆମର ସ୍ତ୍ରୀ ଜାତି ହେଉଛି ଅନ୍ନପୂର୍ଣ୍ଣା । ଆମରି ହାତପରସା ଖାଇବାକୁ ଜଗତସାରା ଚାହିଁ ରହିଛନ୍ତି । ତେଣୁ ମୁଁ ନଥିବା ପୂର୍ବରୁ ତାଙ୍କର ପୂଜାରୀ ରଖି ବାନ୍ଧି ଖାଉଥିଲେ । ମୋ ଆସିବା ପରେ ଶଶୁରଙ୍କର ଏକା ଜିଦ୍‌ ପୂଜାରୀ ରହି ରାନ୍ଧିବ । କିନ୍ତୁ ଦିନ କେଇଟା ଭିତରେ ମୁଁ ନିଜେ ଚୁଲିରେ ହାଣ୍ଡି ବସାଇ ଚଟୁ ଅଣକ ଧରି ବାହାରିଲି-। ପୂଜାରୀ ଛୁଟି ନେଲା ସବୁଦିନ ପାଇଁ....

 

ରାନ୍ଧିଲା ବେଳେ ଛୋଟ ନଣନ୍ଦ କଶୁନ୍ତଳା ଆସି ରୋଷାଇ ଘରେ ବସି ଏଣୁତେଣୁ ଗପ ଲଗାଏ । କଥାବାର୍ତ୍ତାର ସୁଅ ଭିତରେ କାମ କାମ ପରି ଜଣାପଡ଼େ ନାହିଁ । ମୋର ହାତରନ୍ଧା ଖାଇ ପ୍ରତିଦିନ ଶଶୁରଙ୍କର ମୁହଁରୁ ଝରିଚାଲେ ଆଶୀର୍ବାଦର ଧାରା......

 

ସେଦିନ ବର୍ଷାଲାଗି ବେଳାବେଳି ରାନ୍ଧି ଖିଆପିଆ ସାରି ଚାଲି ଆସିଲି ଶୋଇବାକୁ । ନିତିପ୍ରତି ମୋ ଆସିବା ପୂର୍ବରୁ ସେ ଶୋଇ ରହି ତାଙ୍କର ଓକିଲାତି ବହିକୁ ଖେଳାଇବାରେ ଲାଗି ପଡ଼ିଥାଆନ୍ତି । କେବେ କେମିତି ପଢ଼ୁ ପଢ଼ୁ ଶୋଇପଡ଼ିଥାନ୍ତି । ହାତରୁ ବହିଟା ତଳେ ମେଲେଇ ହୋଇ ପଡ଼ିଥାଏ । ମୋର ପ୍ରତିଦିନ ଘର କାମ ସବୁ ସାରି ଆସୁ ଆସୁ ଡେରି ହୋଇଯାଏ ସେଇଥିପାଇଁ....

 

ମୁଁ ଘର ଭିତରକୁ ପଶିଆସି ଦେଖିଲି ସେ ରେଜେଇଟା ଘୋଡ଼ି ହୋଇ ଲାଇଟଟାକୁ କମାଇ ଦେଇ ଉପରକୁ ଚାହିଁ କେତେ କଅଣ ଭାବୁଛନ୍ତି । ମୁଁ ତାଙ୍କର ଭାବନାରେ ବାଧା ଦେବାକୁ ଉଚିତ୍‌ ମନେ ନ କରି ମୋର ଶେଯ ଧରିଲି । କାରଣ ମୁଁ ଜାଣେ ଓକିଲ, ଡାକ୍ତର ଏଗୁଡ଼ାଙ୍କ ମୁଣ୍ଡ ସଦାବେଳେ ପଇସା ପାଇଁ ବ୍ୟସ୍ତ ଥିବାରୁ ଟିକିଏ ଅବସର ପାଇଲେ ବହି ଖୋଲି ବସନ୍ତି । ପଇସା ଆୟର ପନ୍ଥା ଖୋଜି ବୁଲନ୍ତି । ଜୀବନକୁ ତିଳେ ମାତ୍ର ଉପଭୋଗ କରି ପାରନ୍ତି ନାହିଁ । ସେମାନଙ୍କ ମତରେ ସଂସାରରେ ଟଙ୍କା ହେଉଛି ବଡ଼ । ସେମାନେ କେବଳ ଟଙ୍କା ପାଇବା ପାଇଁ ଜନ୍ମ ହୋଇଛନ୍ତି ଯେପରି ।

 

ଶୀତ ଲାଗିବାରୁ ଦେହ ଉପରକୁ ରେଜେଇଟା ଟାଣିଆଣି ଶୋଇବାକୁ ଚେଷ୍ଟା କଲି ।

 

କିନ୍ତୁ ଆଖିକୁ ମୋର ନିଦ ଆସିଲା ନାହିଁ । ପାଗଳା ମନଟା ମୋର ଉତ୍ତଳା ହୋଇଉଠିଥିଲା । ମନ ମୋର ଯାହା ଚାହୁଁଥିଲା ପାଟି ଫିଟାଇ ପୁରୁଷ ନିକଟରେ ପ୍ରକାଶ କରିବା ପାଇଁ ନାରୀର ସେ ସାହସ ହୁଏ ନାହିଁ । ନିଜର ଦୁର୍ବଳତାକୁ ପୁରୁଷ ଆଗରେ ସହଜେ ଧରା ପକାଇ ଦେବାକୁ ନାରୀର ଇଚ୍ଛା ହୁଏ ନାହିଁ । କିନ୍ତୁ ପୁରୁଷଠାରୁ ନିଜର ଭାବନାକୁ ଯେତେ ଲୁଚାଇ ରଖିଲେ ସୁଦ୍ଧା ଆପଣା ଛାଏଁ ଛାଏଁ ପୁରୁଷ ନିକଟରେ ଧରା ପଡ଼ିଯାଏ । ସେ ସିନା ତୁଣ୍ଡ ଫିଟାଇ କହିପାରେନା; କିନ୍ତୁ କଳା ଭ୍ରୂଲତା ତଳେ ଖେଳୁଥିବା ନୀଳପଦ୍ମ ଆଖିଦ୍ୱାରା କୋମଳ ଲତାପରି ନିଜର ଅଙ୍ଗ ପ୍ରତ୍ୟଙ୍ଗର ସଞ୍ଚାଳନ ଦ୍ୱାରା ସେ ଜଣାଇ ଦିଏ, କୁହାଇ ଦିଏ, ନିଜର ଭାବନା; ନିଜର ଆନ୍ତରିକ ଇଚ୍ଛା । ଯାହାକି ପୁରୁଷ ପାଖରେ ଅବୁଝା ରହେ ନାହିଁ । ତେଣିକି ସବୁ ବୁଝି, ସବୁ ଜାଣି ସେ ଦିଏ ତା’ର ପ୍ରତିଦାନ....

 

X X X

 

କେତେ ସମୟ ପରେ ସେ ଆଖି ବୁଜିଲେ । ମୋର ସକଳ କାମନା ବ୍ୟର୍ଥ ହେଲା । ଠିକ୍‌ ସେତିକିବେଳେ ଆଖି ଆଗରେ ମୋର ଭାସି ଉଠିଲା ସୁରଭାଇର ସେଇ ହସ ହସ ମୁହଁ ଖଣ୍ଡିକ । ବେଦନାରେ ଅନ୍ତନ ମୋର ପୂରିଉଠିଲା । ମୁଁ ଭାବିବାକୁ ଲାଗିଲି ଯଦି ଜାତକ ଶୁଝିଥାଆନ୍ତା । କିମ୍ୱା ଜାତକର ସୃଷ୍ଟି ହୋଇ ନ ଥାଆନ୍ତା ତେବେ ସୁରଭାଇ କ’ଣ ମୋ ପକ୍ଷରେ ଆକାଶର ଚାନ୍ଦ ହୋଇ ପାରି ଥାଆନ୍ତେ ! ଦୁହେଁ କ’ଣ ଦୁଃଖରେ ସନ୍ତୁଳି ହୋଇ ମରୁଥାନ୍ତୁ ! ଭଗବାନ କ’ଣ ମଣିଷର ଏଇ ଶୁକଟ ଦେଖିଲେ ହସି ଉଠନ୍ତି ! ମନ ତାଙ୍କର ଆନନ୍ଦରେ ପୂରିଉଠେ-! ସେ କ’ଣ ଭାବନ୍ତି ଯେ ମଣିଷକୁ ଏହିପରି ଦୁଃଖ କଷ୍ଟ ଦେଲେ ମଣିଷ ତାଙ୍କୁ ଭଗବାନ ବୋଲି ଡାକିବ ! ପୂଜା କରିବ ! ଏଇ ଆଶା ଆଉ ଆକାଂକ୍ଷାରେ ସେ କ’ଣ ମଣିଷ ମୁଣ୍ଡରେ ଏତେ ଏତେ ବିପଦର ପାହାଡ଼ ଲଦି ଦିଅନ୍ତି ?

 

କାନ୍ଥ ଘଣ୍ଟାରେ ବାଜିଲା ଠନ ଠନ ହୋଇ ବାର....

 

ଚାରିଆଡ଼ ନିସ୍ତବ୍‌ଧ । କେବଳ ଝିଙ୍କାରିର ଝିଁ ଝିଁ ଶବ୍ଦ ଆଉ କାଲୁଆ ଥଣ୍ଡା ପବନର ସୁଉ, ସୁଉ ଶବ୍ଦ ବ୍ୟତୀରେକ ଆଉ କିଛି ଜଣା ପଡ଼ୁ ନ ଥାଏ । ଶୀତ ଲାଗିବାରୁ ରେଜେଇଟା ଖୁବ୍‌ ଜୋରରେ ଦେହରେ ଜାକି ଧରି ସେ ମୋ ପାଖକୁ ଆଉଜି ଆସିଲେ । ଦେହରେ ମୋର ତାଙ୍କର ପରଶ ବାଜି ବିଜୁଳିର ଶିହରଣ ଖେଳିଗଲା । ଅନ୍ଧ ତା’ର ଫୁଟି ଯାଇଥିବା ଆଖିକୁ ଫେରିପାଇଲେ ଯେପରି ଆନନ୍ଦ ହୁଏ । ମୁଁ ତାଠାରୁ ଅଧିକ ଆନନ୍ଦରେ ଉଲୁସି ଉଠିଲି । କିନ୍ତୁ ହାୟ ! ମୋର ସେ ଆନନ୍ଦ କ୍ଷଣକପାଇଁ ହଁ, ହଁ ଦଣ୍ଡ ନିମିଷକ ପାଇଁ କିଏ ଜାଣିଥିଲା ପାହାଡ଼ର କେଉଁ ଅଜଣା କୋଣରୁ କୁଳୁକୁଳୁ ଧ୍ୱନିରେ ମନଆନନ୍ଦରେ ବହି ଆସୁଥିବା ଛୋଟ ଝରଣାଟି ହଠାତ୍‌ ଗୋଟିଏ ବାଲୁକାମୟ ମରୁ ପ୍ରାନ୍ତରରେ ନିଜକୁ ନଷ୍ଟ କରି ବସିବ । ତା’ର ସେ ମନ ଫୁଲାଣିଆ କୁଳୁକୁଳୁ ଗୀତ ଏତେଶୀଘ୍ର ତା’ କଣ୍ଠରେ ମରିଯିବ ବୋଲି ! ଦେହ ହାତ ମୋଡ଼ି ଭିଡ଼ି ହୋଇ ସେ ଆହୁରି ମୋତେ ଲାଗି ଆସି ବିଳିବିଳେଇ ଉଠିଲେ ପ୍ରତ୍ୟେକ ରାତ୍ରିରେ ଏଇପରି ସେ ପ୍ରଳାପ କରିଉଠନ୍ତି । କେତେ କ’ଣ ଏଣୁତେଣୁ ଗପି ଚାଲନ୍ତି । କିନ୍ତୁ ସେ ଆଡ଼କୁ ମୋର ନଜର ନ ଥାଏ । କି କାନ ବତେଇ ଶୁଣିବାକୁ ବେଳ ନ ଥାଏ । କାରଣ ଦିନସାରା ଘରେ ଖାଟି ଖାଟି ଆସି ଏଣୁତେଣୁ ଦି’ପଦ ବାହାରିଆ ହସ ଖୁସି ହୋଇ ବିଛଣା ଧରିଲା ପରେ ମୋତେ ନିଦ ଆସିଯାଏ । ତା’ ପରେ ଅଧା ନିଦ ଅଧା ଚେଇଁଥିବା ବେଳେ ତାଙ୍କର ଏ ପ୍ରଳାପ ଶୁଣି ଭାବେ, ହଁ ମଣିଷ ଗୋଟିକେ ଭଗବାନ ପ୍ରକୃତି ଗୋଟିଏ ଦେଇଥାଆନ୍ତି; ହୁଏତ ତାଙ୍କର ଜନ୍ମଦୋଷ କିମ୍ୱା ପିଲାଦିନର ସ୍ୱଭାବ ରହିଯାଇଛି । ସେଇଥିପାଇଁ ତାକୁ ଭାବିବାକୁ ମୋର ଇଚ୍ଛା ହୁଏନାହିଁ । ନିହାତି ଅଦରକାରୀ ଭାବି ବେଖାତିର କରି ଶୋଇପଡ଼େ । କିନ୍ତୁ ସେଦିନ ଯାହା ତାଙ୍କ ପାଟିରୁ ଶୁଣିଲି ମୁଣ୍ଡ ମୋର ଭ୍ରମିଗଲା । ଭାବିବାକୁ ଲାଗିଲି ସୀତା କ’ଣ ପାତାଳରେ ପଶିଥିଲେ ! ବର୍ତ୍ତମାନ ଯଦି ଏଇ ଘରର ସିମେଣ୍ଟ ଚଟାଣ ଖଣ୍ଡି ଫାଟି ଦୁଇଫାଳ ହୋଇଯାଆନ୍ତା ନା, ମୁଁ ମଧ୍ୟ ତା’ ଭିତରେ ପଶିଯାଆନ୍ତି । ମୋତେ ଚାରିଆଡ଼େ ଅନ୍ଧାର ଦିଶିବାକୁ ଲାଗିଲା । ସେ କହୁଥାନ୍ତି ପୁଣି ମଝିରେ ଟିକେ ଛେପ ଢୋକୁଥାନ୍ତି ।

 

‘‘ତୁମର ଦେହ ଖରାପ ମୁଁ କ’ଣ ଯାଆନ୍ତି ନାହିଁ ! କିନ୍ତୁ ଏଣେ ଗରୁତର ବେସ୍‌...ଇତ୍ୟାଦି ଇତ୍ୟାଦି ।’’ ଆଉ ତେଣିକି ସେ ଯାହା ଗପି ଚାଲିଲେ ମୋର ଏ କାନ ବାଟେ ପଶି ସେ କାନ ବାଟେ ବାହାରି ଚାଲିଗଲା । ଧୀରେ ଧୀରେ ମୋ ଦେହକୁ ତାଙ୍କ ନିକଟରୁ ଦୂରେଇ ଆଣିଲି । ସେଇ ହାତ ଦୁଇଟି ଯେ କି ଥରେ କାହିଁକି, ଅନେକ ଥର ମୋ ଦେହରେ ଫୁଲମାଳ ଭଳି ଛନ୍ଦି ହୋଇଯାଇଛି । ସେ ମୋତେ ଆଜି ଲୁହାର ବେଡ଼ିଠାରୁ ଶକ୍ତ ଲାଗିଲା । ଅଜାଣତରେ କିମ୍ୱା ନିଜର ଭୁଲରେ ତାଙ୍କର ସେଇ ତୃଷିତ ଅଧରଟା ମୋ ମୁହଁ ନିକଟକୁ ନଇଁ ଆସିଲାବେଳେ ଅଭିମାନରେ ମୁଁ ମୁହଁଟା ଘୁଞ୍ଚାଇନେଲି । ତାଙ୍କର ତୃଷିତ ଅଧର ଛୁଇଁଲା ମୋର ତକିଆକୁ....।

 

ଭାବିବାକୁ ଲାଗିଲି ରାଜଯୋଟକ ଆଉ ଜ୍ୟୋତିଷମାନଙ୍କର ଖଡ଼ିମୁଣ୍ଡା ଛିଡ଼ିବାର ଫଳ କ’ଣ ଏଇଆ ହୁଏ ? ରାଜଯୋଟକ ଅର୍ଥ କ’ଣ ଜୀବନର ପହିଲି ପ୍ରଭାତରେ ଫୁଟି ଉଠୁଥିବା ଦୁଇଟି ସରଳ କଳିକୁ ନଷ୍ଟ କରିଦେବା ? ଦୁଇଟି ସରଳ ତରଳ ଯୁବକ ଯୁବତୀଙ୍କ ପ୍ରାଣକୁ ହା ହୁତାଶରେ ପରିଣତ କରିବା ? ତାଙ୍କର ସୁନାର ଭବିଷ୍ୟତକୁ ମାଟି କରିଦେବା ?

 

ମନର କେଉଁ ନିଭୃତ କୋଣରୁ କୋହ ଉଠି ଆସୁଥିଲେ ସୁଦ୍ଧା ତାକୁ ଚାପି ରଖିଲି । କାରଣ ଆଉ ଉପାୟ ନଥିଲା । ଭାବିଲି ମୁଁ ଯେପରି ପୀରତିର ଖସଡ଼ା ପଥରେ ମୋ ପାଦକୁ ଖସାଇ ଦେଇଛି । ସେ ମଧ୍ୟ ଠିକ୍‌ କରିଛନ୍ତି । ମୁଁ ଯେପରି ମୋର ମନର ଦେବତା ସୁରଭାଇଙ୍କ ପାଇଁ ଝୁରି ମରୁଛି । ସେ ମଧ୍ୟ ତାଙ୍କର ସବୁ ଜୀବନର ପହିଲି ପରଶରେ ଚହଲିଉଠି ଢାଳି ଦେଇଥିଲେ ତାଙ୍କର ସେଇ ଅସରା ପୀରତି ପସରା କେଉଁ ଅପରିଚିତା, ସରଳା, ସୁକୁମାରୀ, ନବନୀତା ତରୁଣୀ ବୁକୁରେ । ସେ ସେଥିପାଇଁ ଜୀବନସାରା ତୋଳୁଛନ୍ତି ବ୍ୟଥାର ରାଗିଣୀ, ତା’ ପାଇଁ ଆଉ ମୁଁ... ।

 

ପୁଣି ଭାବିଲି ଦୁଇଜଣଯାକ ଠିକ୍‌ ଅଛୁ । ସେ ଯେପରି ପଥହୁଡ଼ି ଅପଥରେ ପଥର ସନ୍ଧାନ କରି ଚାଲିଛନ୍ତି, ମୁଁ ମଧ୍ୟ ସେହିପରି ଚାଲିଛି… ।

 

ତଥାପି ବାପା, ବୋଉ ଆଉ ଆମର ଏ ସମାଜ ପ୍ରତି ମନ ମୋର ବିଦ୍ରୋହୀ ହୋଇଉଠିଲା । ଭାବିବାକୁ ଲାଗିଲି— ବାପା, ମା’ କିମ୍ୱା ଆମର ଏ ସମାଜ ଆଖିରେ ଦାମ୍ପତ୍ୟ ଜୀବନ କ’ଣ ଛଳନାମୟ ? ପୁରୁଷ ନାରୀ ନିକଟରେ ଆଉ ନାରୀ ପୁରୁଷ ନିକଟରେ ଅଭିନେତା ଆଜି କେବଳ ରାତିରାତିକ ପାଇଁ ସାଥୀ ହେଉଥିବେ ? ଏଇ ଛଳନା ଆଉ ଅଭିନୟ ପୂର୍ଣ୍ଣ ଦାମ୍ପତ୍ୟଜୀବନ ନାରୀକୁ ସତୀ ସାବିତ୍ରୀ ରୂପରେ ଗଢ଼ିବ ସାବିତ୍ରୀ ନିଜର ମନମୁତାବକ ସାଥୀ ଖୋଜି ଖୋଜି ପାଇଥିବାରୁ ସେ ସତୀ ହେଲେ । ସ୍ୱାମୀଙ୍କର ଅନାବିଳ ପ୍ରେମ ଛନ୍ଦ କପଟ ବିହୀନ ବ୍ୟବହାର ପାଇଥିବାରୁ ସିନା ସେପୁରରୁ ଯମ ସଙ୍ଗେ ଯୁଝି ଯୁଝି ନିଜ ସ୍ୱାମୀର ଜୀବନ ଫେରାଇ ଆଣିଥିଲେ, କିନ୍ତୁ ସେ ସତ୍ୟବାନଙ୍କ ନିକଟରେ କିମ୍ୱା ସତ୍ୟବାନ ତାଙ୍କ ନିକଟରେ ଛଳନା କିମ୍ୱା ଅଭିନୟ କରି ନ ଥିଲେ ।

 

ସେହିପରି ଆମର ଶାସ୍ତ୍ର, ପୁରାଣ, ଯେଉଁମାନଙ୍କୁ ସତୀ ବୋଲି କହେ, ସକାଳରୁ ଉଠି ନିଜ ନିଜର ପାତକ ଜାଣିବା ପାଇଁ ଯେଉଁ ପଞ୍ଚକନ୍ୟାମାନଙ୍କର ନାମକୁ ସ୍ମରଣ କରିବାକୁ ସମାଜକୁ କହେ, ପ୍ରତ୍ୟେକଙ୍କର ଜୀବନ କାହାଣୀ ଫେଡ଼ି ବସିଲେ ଦେଖିବା ନିଜ ନିଜର ସାଥୀ ନିର୍ବାଚନର ଭାର ସେମାନେ ନେଉଥିଲେ । ପିତା ମାତାଙ୍କ ନିକଟରେ ଅଳି କରିନଥିଲେ ସୁଦ୍ଧା ସେମାନେ କ’ଣ ସେମାନଙ୍କ ପୁଅ ଝିଅଙ୍କର ଶୁଭାକାଂକ୍ଷୀ ବା ମଙ୍ଗଳାଭିକ୍ଷୀ ନ ଥିଲେ ? ସେତେବେଳେ କ’ଣ ଜ୍ୟୋତିଷଶାସ୍ତ୍ର ନଥିଲା ? ସେମାନେ କ’ଣ ପଣ୍ଡିତ ଜ୍ଞାନୀରୂପେ ନୂଜା ପାଉ ନ ଥିଲେ ? ଅଶ୍ୱପତି ସାବିତ୍ରୀଙ୍କ ବାପା, ନିର୍ବାଚନ ପରେ ଯେତେବେଳେ ନାରଦଙ୍କ ମୁହଁରୁ ସତ୍ୟବାନ ଅଳ୍ପାୟୁ ବୋଲି ଜାଣିଲେ, ସେତେବେଳେ କ’ଣ ସେ ଝିଅର ମଙ୍ଗଳାକାଂକ୍ଷୀ ପିତାରୂପେ ବିବାହକୁ ବନ୍ଦ କରି ଦେଇ ପାରି ନ ଥାନ୍ତେ ? କିନ୍ତୁ କରି ପାରିଲେ ନାହିଁ କାହିଁକି ?

 

ସବୁ ଜାଣିଶୁଣି ଆମେ ଆଜି ଛାତିରେ ହାତଦେଇ ଗର୍ବ କରି କହୁ, ଆମେମାନେ ସେମାନଙ୍କ ଅପେକ୍ଷା ସଂସ୍କୃତ ଓ ପରିମାର୍ଜିତ । ଆମେ ପୂରାଣ ଯୁଗର ଲୋକମାନଙ୍କଠାରୁ ସୁ–ସଭ୍ୟ ସୁ–ଶିକ୍ଷିତ । ଗୋଟାଏ ସୁନ୍ଦର, ସରସ, କୋମଳ, କାନ୍ତ, ଶାନ୍ତିପୂର୍ଣ୍ଣ ସମାଜ ଗଢ଼ିବା ପାଇଁ ଆମେ ଆଜି ପ୍ରତ୍ୟେକ ଦିଗରେ କବି ଦାର୍ଶନିକ ସାଜି ଅଗ୍ରଗତି କରି ଚାଲିଛୁ । କିନ୍ତୁ ପ୍ରକୃତରେ ସେତେବେଳର ଅସଭ୍ୟ ରାମରାଜ୍ୟ ଆଉ ଆଜିକାଲିର ସୁ–ସଭ୍ୟ ରାମରାଜ୍ୟ ଭିତରେ ଯେଉଁ ଆକାଶ ପାତାଳ ତଫାତ୍‌ ଓ ବ୍ୟବଧାନ ଦେଖିଲେ ହସମାଡ଼େ । ମିଥ୍ୟା ଆଉ କୁସଂସ୍କାରପୂର୍ଣ୍ଣ ସମାଜ କ’ଣ ଆମ ସମାଜର ପରିଚୟ ଦିଏ ? ଏଥିପାଇଁ ଆମେ ଆଜି ଗର୍ବକରି କହିବା ଯେ, ଆମେ ଶିକ୍ଷିତ, ଶାନ୍ତି, କାନ୍ତ, କମନୀୟ ଧରା ଗଢ଼ିବାକୁ ଆଜି ଜୀବନର ବ୍ରତ କରିଛେ ? ବାଃ, ସୁନ୍ଦର ଅତି ଚମତ୍କାର ଆମର ଚିନ୍ତାର ପରିସର....

 

ବଡ଼ ହସ ମାଡ଼ିଲା । ପୁଣି ପରକ୍ଷଣରେ ସୁପ୍ତ ମନଟା ଜାଗିଉଠିଲା । ଭାବିଲି, ପାଦରେ ଦଳି ଚୁରମାର କରି ଦିଅନ୍ତି ଏଇ ଆମର ସମାଜକୁ । ତା’ର କୁ–ସଂସ୍କାରକୁ । ଡେଣା ହଲାଇ ହଲାଇ ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗମ ପରି ଉଡ଼ି ଚାଲନ୍ତି । ଏଇ ନେଳିଆ ଦିଗ୍‌ବଳୟ ପାରହୋଇ ସୁର ଭାଇ ସାଥୀରେ ସ୍ନେହ ପାଚେରୀ ଦେଇ ଗଢ଼ନ୍ତି ମୋର ଛୋଟ ଘର । ସେଇଥିରେ ଆମେ ଦୁହେଁ ବସି କରନ୍ତୁ ବୈକୁଣ୍ଠର ପରିକଳ୍ପନା, ସୃଷ୍ଟି କରନ୍ତୁ ନନ୍ଦନକାନନ ଓ ଫୁଟନ୍ତା ପ୍ରେମର ପାରିଜାତ ଫୁଲ ।

 

ଦମକାଏ ଥଣ୍ଡା ପବନ ଆସି ଝରକାଟାକୁ ଫଡ଼୍‌ ଫଡ଼୍‌ କରି ଖୋଲିଦେଲା । ଶୀତରେ ଉଲୁସି ଉଠିଲି ମୁଁ....ରେଜେଇଟା ଦେହରେ ଖୁବ୍‌ ଜୋରରେ ଟାଣିଧରି ଭାବିଲି, ସୁର ଭାଇଙ୍କ ଆଶା ଛାଡ଼ି ଯେଉଁଦିନ ଏଇ ଗାଁରେ ବୋହୂ ହୋଇ ପାଦ ଦେଲି, ସେତେବେଳେ କ’ଣ ଜାଣି ନଥିଲି ଯେ, ସାରା ଜୀବନଟା ମୋତେ କେବଳ ଅଭିନୟ କରି କରି ବିତେଇ ଦେବାକୁ ହେବ ବୋଲି । ତେବେ ଆଜି କାହିଁକି ମୁଁ ଅଧୀରା ହୋଇପଡ଼ିବି ? ପୋଡ଼ିଗଲା ତିଅଣରେ ଆଉ କ’ଣ ସୁଆଦ ଥାଏ ? ରାଗରେ ତିଅଣ ନ ଖାଇ ଫୋପାଡ଼ି ଦେଲେ ଖାଇବା ବିନା ଭୋକରେ ଛଟପଟ ହୋଇ ମରିବି ସିନା । ତେଣୁ ଯାହା ଯାଇଛି ତାହା ସବୁଦିନ ପାଇଁ ଯାଇଛି । ସେ କଥାଗୁଡ଼ା ପୁଣି ମନରେ ପକାଇ ମନକୁ କଷ୍ଟ ଦେବା ବ୍ୟତୀତ ଆଉ କିଛି ଲାଭ ହେବ ନାହିଁ ।

 

ଦୁନିଆରେ ବଂଚି ରହିବାକୁ ହେଲେ ଯାହା ଯେତେବେଳେ ଆସିବ, ତାକୁ ହସି ସହି ନେବାକୁ ହେବ । ବର୍ଷା ଯେଉଁଆଡ଼ୁ ଆସିବ ଛତା ସେଇ ଆଡ଼କୁ ଦେଖାଇବା ବୁଦ୍ଧିମାନ ବିବେକୀ ଲୋକର କାର୍ଯ୍ୟ ।

 

ଟିକକ ଆଗରୁ ମୋର କରିଥିବା ଅଭିମାନ ପାଇଁ ମନଟା ଦୁଃଖରେ ଭାଜିପଡ଼ିଲା । ଯେଉଁ ଦୋଷ କରି ତାଙ୍କର ଜାଣିବାରେ କିମ୍ୱା ଅଜାଣତରେ ତାଙ୍କ ମନରେ କଷ୍ଟ ଦେଇଛି, ସେଥିପାଇଁ ପ୍ରାୟଶ୍ଚିତ କରିବା ପାଇଁ ମନ ମୋର ବିଳପି ଉଠିଲା ।

 

ଏଇ ସମୟରେ ଖୁବ୍‌ ଜୋରରେ ଚକ୍‌କରି ବିଜୁଳିଟେ ମାରିଦେଲା । ଆକାଶରେ ଗୋଟାଏ ସୁନାର ଗାର ସେଇ ଘଡ଼ିକେ ଟାଣି ହୋଇଯାଇ ଲିଭିଗଲା । ତା’ ପରେ ଗୋଟାଏ ଭୟଙ୍କର ଚଡ଼ଚଡ଼ିରେ ଡରି ଉଠି ତାଙ୍କର କୋଳକୁ ଆଉଜି ପଡ଼ି ଖୁବ୍‌ ଜୋରରେ ତାଙ୍କୁ ଭିଡ଼ି ଧରିଲି ସାହାଯ୍ୟ ଆଉ ଆଶ୍ରୟ ପାଇଁ....

 

।। ପନ୍ଦର ।।

 

ଏଣିକି ମନକାନନରେ ଫୁଟି ମଉଳି ପଡ଼ିଥିବା ସ୍ମୃତିକୁ ପୋଛି ପକାଇବାକୁ ଚେଷ୍ଟା କରେ । ସେଥିପାଇଁ ସେ ଘରେ ନଥିଲା ବେଳେ ଦିଅର ନିତ୍ୟାନନ୍ଦ ଆଉ ନଣନ୍ଦ ଶକୁନ୍ତଳାଙ୍କ ସହ ଥଟ୍ଟା ପରିହାସରେ ମୋର ସମୟ ହସ ଖୁସିରେ କଟାଇ ନେବାକୁ ଚେଷ୍ଟା କରେ । ତାଙ୍କର ଭାଇ ଭଉଣୀ ପରି ସ୍ନେହ ଆଉ ଆଦର ପାଇ ସବୁ କଥାକୁ ଭୁଲିଯିବା ପାଇଁ ଚେଷ୍ଟା କରେ । ଭାବେ, ଅତୀତର ନାଗସାପ ଲାଙ୍ଗୁଡ଼ରେ ହାତମାରିଲେ ସେ ଦଂଶନ କରିବ ଆଉ ସେଇ ବିଷଜ୍ୱାଳାରେ ଘାରିହୋଇ ଶେଷେ ମରିବି ସିନା !

 

ସେଦିନ ସରଗ ରାଣୀ ଚନ୍ଦ୍ରମା ତାଙ୍କର ତାରା ସଖୀମାନଙ୍କୁ ନେଇ ଆକାଶରେ ପାରିଧି କରିବାକୁ ବାହାରି ଆସିଥାନ୍ତି । ସୁନ୍ଦର ରୁପା ଥାଳୀପଟ ପରି ଗୋଲଗଲ୍‌ ମୁହଁଟି ତାଙ୍କର ହସରେ ପୂରି ଉଠିଥାଏ, ମନଫୁଲାଣିଆ ହୋଇ ଗୋଟିଏ ତାରା ପାଖରୁ ଅନ୍ୟ ଗୋଟିଏ ସଖୀ ପାଖକୁ ହସି ହସି ଚାଲିଥାନ୍ତି । ନୀଳଆକାଶ ବୁକୁରେ ଲୁଚକାଳି ଖେଳର ଆରମ୍ଭ କରି ଦେଇ ଥାଆନ୍ତି । ଯୌବନର କାନ୍ତିରେ ଦେହରୁ ତାଙ୍କର ଲାବଣ୍ୟର ପସରା ଉଛୁଳି ପଡ଼ୁଥାଏ । ସେଇ ଉଛୁଳା ଲାବଣ୍ୟରେ ଜଗତସାରା ଆଲୋକମୟ ହୋଇ ଉଠିଥାଏ.....

 

ସେଦିନ ସେ ଘରେ ନଥାନ୍ତି, ଗୋଟିଏ କେଶ୍‌ ନା କହି କଟକ ଯାଇଥାଆନ୍ତି । ଏଣିକି ତାଙ୍କର କଟକ ଯିବା ଆସିବା ବିଷୟରେ ମୁଁ ପୂର୍ବପରି ଆଉ ଆପତ୍ତି କରେ ନାହିଁ । ଘରଟାରେ ସେମିତି କିଛି କାମଦାମ ନଥାଏ । ଅଗଣାରେ ବସିରହି ଶକୁଙ୍କୁ ଗୋଟାଏ ଛୋଟ ସ୍ୱେଟର ବୁଣା ଶିଖାଇ ଦେଉଥାଏ । ମନଟା କାହିଁକି ଭଲ ଲାଗୁ ନଥାଏ । ଘରକଥା ମନେପଡ଼ି ମନଭିତର ଖାଲି ଘାଣ୍ଟି ଚକଟି ହେଉଥାଏ । ଖାଲି କାନ୍ଦ ମାଡ଼ୁଥାଏ । ହଠାତ୍‌ ଏଇ ସମୟରେ ହସି ହସି ଦାଣ୍ଡଆଡ଼ୁ ଅଗଣା ଭିତରକୁ ପଶି ଆସିଲେ ଦିଅର ନିତ୍ୟାନନ୍ଦ ।

 

ନିତ୍ୟାନନ୍ଦ ଠିକ୍‌ ତାଙ୍କପରି ଅବିକଳ ଚେହେରା, ଦୁଇ ଭାଇ ଠିଆହେଲେ ଠିକ୍‌ ରାମ ଲକ୍ଷ୍ମଣ ପରି ଦିଶନ୍ତି । ଗୋରା ତକ ତକ୍‌ ପତଳା ପିଲା । ତାଙ୍କଠାରୁ ଭାରି ସଉକିଆ, ସଦାବେଳେ ମୁହଁରେ ତାଙ୍କର ହସ ଲାଗିଥାଏ । ଥଟ୍ଟା ତାମସାରେ ମଣିଷକୁ ପୋତି ପକାନ୍ତି । କଟକରେ ଆଇ.ଏ ପାଶକରି ବି.ଏ ପଢ଼ୁଛନ୍ତି । ପ୍ରତି ଛୁଟିରେ ପ୍ରାୟ ଘରକୁ ଆସନ୍ତି । ତାଙ୍କର ରହସିଆ କଥାରେ ସେ ଘରେ ଥିବା ଦିନତକ ମୋର ହସ ଖୁସିରେ କଟିଯାଏ । ଯେତେ ଦୁଃଖ ମନରେ ଥିଲେ ସୁଦ୍ଧା ତାଙ୍କର ରହସିଆ କଥାରେ ନହସି ରହିପାରେନା । ସେଥିପାଇଁ ଦେଖିଲେ ମୋତେ କୋଟିନିଧି ମିଳିଲା ପରି ଲାଗେ । ତାଙ୍କୁ ଦଣ୍ଡେ ନିମିଷକ ପାଇଁ ପାଖରୁ ଅନ୍ତର କରିବାକୁ ଇଚ୍ଛା ହୁଏନା । ଇଚ୍ଛାହୁଏ ତାଙ୍କ ସହିତ ହସଖୁସି ହୋଇ ମୋର ନୀରସ ସମୟ ଗୁଡ଼ାକ କଟେଇ ଦେଇ ଅତୀତକୁ ଭୁଲିଯିବା ପାଇଁ ।

 

ମୋ ମୁହଁକୁ ଥକ୍‌କା ହୋଇ ଚାହିଁ ରହି ପଚାରିଲେ ନୂଆଉ ତୁମ ଆଖିରେ ଲୁହ ! କାହିଁକି ?

 

ଅନ୍ତରର ଅବରୁଦ୍ଧ କୋହ ତା’ର ସୀମାଲଙ୍ଘି ବାହାରି ପଡ଼ିବାକୁ ବସିଲା ବେଳେ ତାକୁ ଚାପିନେଇ କହିଲି ନାହିଁ....ସେ କିଛି ନୁହେଁ.....

 

ଆଖି ତାଙ୍କର ଛଳ ଛଳ ହୋଇଉଠିଲା । ସେ ଥରିଲା ଥରିଲା ଗଳାରେ ପଚାରିଲେ ନୂଆଉ ମତେ କ’ଣ ପର ଭାବୁଛ ? ତୁମ ମନ ଭିତରର କଥା ମୋତେ କହିବ ନାହିଁ ? ପୁଣି ଅଭିମାନରେ ଗଳା ତାଙ୍କର ନରମି ଆସିଲା । ହଁ କାହିଁକି ଅବା ମୋ ଆଗରେ କହିବ, ଜନମ କଲା ଭାଇ ତ ମୁଁ ନୁହେଁ କି ଏକା ନାହି ଆମର ଦିଖଣ୍ଡ ହୋଇନାହିଁ । ମୁଁ ପର ପୁଅ, ତୁମେ ପର ଝିଅ ତେଣୁ ପର ଭାବିବା ତ ସ୍ୱଭାବିକ୍‌ । ସେଇୟା ନୁହେଁ ?

 

ଓଠ କଣରେ ଟିକେ ହସ ଉକୁଟାଇ କହିଲି, ନିତୁ ! ତୁମ ଆଗରେ ମୋର ମନର କଥା କହିଲେ ତୁମେ କ’ଣ ତାକୁ ଘୁଞ୍ଚାଇ ପାରିବ ?

 

ଆଗ୍ରହରେ ନାଚିଉଠି ସେ କହିଲେ–କ’ଣ ପାରିବି ନାହିଁ ? ନିଶ୍ଚୟ ପାରିବି ! କୁହ କୁହମ ନୂଆଉ.....

 

ନିତୁ ଦେଖୁଛ ତ ତୁମ ଘରକୁ ଆସିବାର ମୋର ଆସି ହୋଇଗଲା ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକଦମ ଦୀର୍ଘ ଛଅମାସ । ଏଇ ଛ ମାସ ଭିତରେ ବୋଧହୁଏ ବାପା ତୁମ ଘରୁ ମୋତେ ନେବାପାଇଁ ଆସି ବାରଥର ଫେରିଯିବେଣି । ତୁମ ଘରର ବୋହୂ ହେଲି ବୋଲି କ’ଣ ମୋର ଜନମଭୂଇଁ, ବାପା, ମାଙ୍କୁ ଟିକେ ଆଖିରେ ଦେଖି ପାରିବି ନାହିଁ ? ସଦାବେଳେ ତୁମ ଘରେ କାମରେ ଖଟି ଖଟି ମରୁଥିବି ଯେ ଟିକେ ଫୁରସତ୍‌ ମିଳିବ ନାହିଁ ?

 

ମୋତେ ଛିଗୁଲେଇ କରି କହିଲେ ନାଇଁ–ନାଇଁ ତୁମର ଆଉ ଖଟିବାର ଦରକାର ନାହିଁ-। ଚାଲ ଆଜି ତୁମକୁ ତୁମ ଗାଁରେ ଛାଡ଼ିଦେଇ ଆସିବି–କିନ୍ତୁ ଘରେ ତ ଭାଇ ନାହାନ୍ତି, ଆସିଲେ ନିଶ୍ଚୟ ଖୋଜିବେ । ତୁମକୁ ନପାଇ ଯଦି ରାଗନ୍ତି ?

 

ଲାଜରେ ଲାଜରା ହୋଇ ମୁଣ୍ଡ ଉପରକୁ ଲୁଗାଟା ଟାଣିନେଇ କହିଲି, ଛିଃ କେଡ଼େ ଦୁଷ୍ଟମ ତୁମେ ? ବାପା ଘରେ ଜୀଇ ବସିଥିଲା ପର୍ଯ୍ୟନ୍ତ ଭାଇ ଏ ଘରେ କିଏ ମ ? ହେଲେ ଗାଁକୁ ପାଦ ଦୁଇଟା ବଢ଼ାଇଲା ସମୟରେ ଯେପରି ତାକୁ କିଏ ପଛରୁ ଟାଣି ଧରୁଛି, ବଡ଼ ଅଡ଼ୁଆରେ ପଡ଼ୁଛି ମୁଁ ।

 

ହସି ହସି ସେ କହିଲେ–ମଲାବେଳକୁ ତ ହନୁମାନ ଭଳି କପି ସତ କହିଥିଲା ଆଉ ତୁମେ.... ?

 

ଭାଇଙ୍କୁ ତ ଦଣ୍ଡେ ଛାଡ଼ି ରହିପାରିବ ନାହିଁ । ଖାଲି ମୁହଁ ଫୁଟାଣି କରି କହ କାହିଁକି ?

 

ମୁରୁକି ମୁରୁକି ହସି କୃଶ ଛୁଞ୍ଚିରେ ତାଙ୍କୁ ଗେଞ୍ଜିଦେଇ କହିଲି, ତାଙ୍କୁ ନୁହେଁ ମ ? ତୁମକୁ, ଶକଙ୍କୁ ଆଉ ତୁମ ବାପାଙ୍କୁ । ମୁଁ ସିନା ଚାଲିଯିବି ବାପାଙ୍କ ମୁହଁରେ ହସ ଦେଖିବା ପାଇଁ ତାଙ୍କର ସେବା କରିବା ପାଇଁ କିନ୍ତୁ ଏଣେ ଆଉ ଗୋଟିଏ ବାପା ମୋ ଲାଗି ଲୁହ ଝାରିବେ । ଖାଇବା ବିନା ବାର ହିନସ୍ତା ହେବେ । ଜଣଙ୍କ ମୁଁହରେ ହସ ଫୁଟାଇବା ପାଇଁ ମୁଁ ଜଣଙ୍କ ଆଖିରେ ଲୁହ ଦେଖିପାରିବି ନାହିଁ ନିତୁ ! ଜାଣିଲି ତ ପରଘରୀ ହେଲି । ବାପା, ମା’ଙ୍କୁ ଚିରଦିନ ପାଇଁ ଛାଡ଼ି ଆସିଲି । ଜୀବନରେ ଛୁଟି ମିଳିଲେ ସିନା ତାଙ୍କର ସେବା କରିବି ? ଦୁଃଖରେ ଗଳା ମୋର ଓଜନ ହୋଇ ଉଠିଥିଲା ।

 

ଦୁଃଖରେ ଭାଜିପଡ଼ି ସମବେଦନା ସ୍ୱରରେ ସେ କହିଲେ, ଏୟା ବୋଲି ତୁମେ ଆଉ ବାପା ବୋଉଙ୍କୁ ଚାହିଁବ ନାହିଁ । ରାଗ ଅଭିମାନରେ ତାଙ୍କୁ କନ୍ଦାଇ କନ୍ଦାଇ ମାରିବ ? ପୁଣି ଏ ବିଷୟରେ କିଛି ଗୋଟାଏ ଉପାୟ କରିବାକୁ ହେବା ନା ନାହିଁ ?

 

ଆନନ୍ଦରେ ଉଲୁସି ଉଠି କହିଲି–ହଁ ଉପାୟ କ’ଣ କରିବାକୁ ନାହିଁ ? କିନ୍ତୁ ସେ ଉପାୟକୁ କାର୍ଯ୍ୟରେ ପରିଣତ କରିପାରିବା ପାଇଁ ତୁମ ଭଳି ଜଣେ ନିର୍ଭୀକ, ସତ୍ୟବାଦୀ ଯୁବକ ମୋର ଦରକାର । ତୁମେ ଯଦି ରାଜି ହୋଇ ସେ ଭାର ନିଅ ନା... ।

 

ଉଦ୍‌ବେଗ ଆଉ ଉତ୍କଣ୍ଠାରେ ନିତୁ ମୋର ହାତ ଧରିପକାଇ କହିଲେ, ନୂଆଉ, ତୁମକୁ କଥା ଦେଉଛି । ତୁମ ମୁହଁରେ ହସ ଦେଖିବାକୁ ମୁଁ ସବୁ କିଛି କରିପାରିବି । ମା’ ଛେଉଣ୍ଡ ପିଲା ଦୁଇଟାଙ୍କ ଯେଉଁ ଆଦର ସ୍ନେହ ସୋହାଗ ଦେଇ ନିଜର କରି ପାଳି ଆଣିଲ, ସେଇ ଆଦର ଆଉ ସିନିହରେ ପୋତିଥିବା ଗଛର ଫଳ ଯଦି ତୁମେ ନ ଖାଅ ତେବେ କେଡ଼େ କଷ୍ଟ ନ ଆସିବ ତୁମ ମନରେ ? ପିଲାଟି ଦିନରୁ ବୋଉ କ’ଣ ଜାଣିନୁ କି ଦେଖିନୁ । ଗୋଟାଏ ଅନାଦୃତ ଅବହେଳିତ ଜୀବନ ଧରି ଦୁନିଆରେ ଭସା ବାଦଲ ପରି ଭାସି ଚାଲିଥିଲୁ । କିନ୍ତୁ ତୁମେ ଆସି ଆମ ଜୀବନକୁ ଶୃଙ୍ଖଳିତ କଲ । ସେତେବେଳେ ତ ତୁମ ପ୍ରତି ପୁଣି ଆମର କର୍ତ୍ତବ୍ୟ ଅଛି ନା ନାହିଁ ? ହଁ, ହଁ ନୂଆଉ, ତୁମକୁ କଥା ଦେଇଛି ତୁମେ ଯେଉଁ ଉପାୟ କହିବ ମୁଁ ତାକୁ ନିଶ୍ଚୟ କରିବି, କରିବି ।

 

ମୁଁ ଗମ୍ଭୀର ହୋଇ କହିଲି, ସତ୍ୟବ୍ରତୀ ଭୀଷ୍ମ ଯେପରି ମୋ ମୁହଁରୁ କଠୋର ଆଦେଶ ଶୁଣି ବିଚଳିତ ହୋଇ ତାଙ୍କର ପ୍ରତିଜ୍ଞା ଭାଙ୍ଗି ନ ଦିଅନ୍ତି । ତୁମେ ପାରିବ ? ତୁମେ ପାରିବ ନିତୁ ? ମୋର ଦରକାର ମୋ ସାଙ୍ଗକୁ ଗୋଟିଏ ସାନ ଭଉଣୀ ଯାହା ସହିତ ହସି ଖେଳି ମୁଁ ମୋର ସଂସାର ଦାୟିତ୍ୱ ତା’ ଉପରେ ଲଦି ଦେଇ ଛୁଟି ଧରି ଗାଁକୁ ଯାଇପାରିବି, ଶାନ୍ତିରେ ଦଣ୍ଡେ ନିଶ୍ୱାସ ମାରିପାରିବି ? ତୁମେ ନିତୁ ବାହା ହୋଇପାରିବ ? କହି ହଠାତ୍‌ ହସିଦେଲି ।

 

ଲାଜରା ହୋଇ ସେ ହସି ହସି ମୋତେ ଠେଲିଦେଇ ଦାଣ୍ତକୁ ଦଉଡ଼ି ଯାଉ ଯାଉ କହିଲେ, କେଡ଼େ ଚତୁରୀ ନୂଆଉ ତୁମେ ମ ?

 

।। ଷୋହଳ ।।

 

ପ୍ରକୃତି ସହିତ ମଣିଷ ପାଦ ମିଳାଇ ଏପର୍ଯ୍ୟନ୍ତ ଚାଲି ଆସିଛି ବୋଲି ସେ ପୃଥିବୀରେ ତିଷ୍ଠି ପାରିଛି; କିନ୍ତୁ ଏଇ ତା’ର ସ୍ଥିତି ପାଇଁ ସେ କେତେ ଝଡ଼, ଝଞ୍ଜା, ଆପଦ, ବିପଦ ପ୍ରତି ପଦେ ପଦେ ନ ସହୁଛି ? ସବୁ ବିଷୟକୁ ସହି ସହି ବୁକୁକୁ ପଥର କରି ସେ ଚାଲି ପାରିଥିବାର ଜୀବନ ସଂଗ୍ରାମରେ ବିଜୟୀ ହୋଇପାରୁଛି, ଆଜି ପର୍ଯ୍ୟନ୍ତ ତିଷ୍ଟି ପାରୁଛି ।

 

ଭିକାରି ଜୀବନରେ ବାଟଚଲା ସରେ ନାହିଁ କି ତା’ର ଭିକ୍ଷା ଝୁଲି କେବେ ପୂରେ ନାହିଁ । ସେଇପରି ମଣିଷ ଜୀବନରେ ବିପଦ ଥରେ ଆସିଲେ, ସେ କମେ ନାହିଁ ବରଂ ବେଶୀ ବଢ଼ି ବଢ଼ି ଚାଲେ ! ବିପଦ ଉପରେ ବିପଦ ଲଦି ଭଗବାନ ତାଙ୍କୁ ପରୀକ୍ଷା କରନ୍ତି । ସୁନାକୁ ଥରକୁ ଥର ନିଆଁରେ ଆଉଟିଲେ ସେ ଯେପରି ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇଉଠେ ସେପରି ଦୁଃଖ ଦାରିଦ୍ର୍ୟ ଭିତରେ ନିତିପ୍ରତି ପରୀକ୍ଷିତ ହୋଇ ମଣିଷର ଜୀବନ ସୁଖମୟ ଓ ଶାନ୍ତିପ୍ରଦ ହୋଇଉଠେ ସିନା !

 

ଭାଗ୍ୟ ସହିତ ଅଭିନୟ ଖେଳି ମୋର ସଂସାର ସଜାଡ଼ି ଚାଲିଲି । ଭାବିଲି ବାଟୋଇ ବାଟ ହୁଡ଼ିଛି । ଯେତେବେଳେ ଭୁଲ୍‌ରେ କିଛି ଦୂର ଯାଇ ଯାଇ ସେ ହାଲିଆ ହୋଇପଡ଼ିବ, ଶୋଷରେ ତଣ୍ଟି ଶୁଖିଯିବ, ଅବାଟରେ ଯାଉଛି ବୋଲି ଜାଣିପାରିବ, ସେତେବେଳେ ମନ ତା’ର ଘର ଧରିବ । ସେ ଅବାଟରୁ ଫେରିପଡ଼ି ପ୍ରକୃତ ବାଟର ସନ୍ଧାନ ନେବ ।

 

ଏଣିକି ବେଶୀ ସମୟ ତାଙ୍କୁ ମୁଁ ପ୍ରଶ୍ନ ପଚାରି ବିରକ୍ତ କରେ ନାହିଁ । କି ଯୌବନର ଚଳ ଚପଳ ଭାବଭଙ୍ଗୀକୁ ତାଙ୍କ ଆଗରେ ବେଶୀ ପ୍ରକାଶ କରେ ନାହିଁ । ପାଣିରେ ଥିବା କଇଁଛଙ୍କ ପରି ଜୀବନରେ ଆପଦ ବିପଦର ଧକ୍‌କା ସହି ସହି ମୁଁ ମଧ୍ୟ କିପରି ପଥର ପାଲଟି ଯାଇଥିଲି । ମନଟା ମୋର ଲୁହା ଭଳି ଶକ୍ତ ଓ କଠିନ ହୋଇ ଯାଇଥିଲା ।

 

ଦିନେ ସଂଧ୍ୟାରେ ସେ କଚେରୀରୁ ଫେରି ହାଲିଆ ହୋଇ ଖଟିଆ ଉପରେ ପଡ଼ି ଯାଇଥାନ୍ତି; ମୁଁ ବସି ତାଙ୍କ ଗୋଡ଼ରୁ ଜୋତା ଫିଟାଇ ଦେଉଥାଏ; ଏଇ ସମୟରେ ଦୁଇଟି ପକ୍ଷୀ ଉଡ଼ି ଆସି ଆମ ଦୁଆର ପିଜୁଳି ଗଛରେ ବସିଲେ । ସରୁ ସରୁ ଥଣ୍ଟ ଦୁଇଟି ତାଙ୍କର ଯୋଡ଼ି ଦେଲା ସମୟରେ ମୋ ମୁଁହକୁ ତୋଳି ଧରି ସେ ଆଡ଼କୁ ଦେଖାଇ ଦେଲେ । ଲାଜରେ ମୁଁ କହି ଉଠିଲି ଉହୁଁ.......

 

ସମୟ ସମୟରେ ତାଙ୍କର ଏଇ ଟିକକ ସରାଗ ମୋତେ ସରଗର ଧନ ପରି ଲାଗେ । ସ୍ନେହ କାଙ୍ଗାଳ ମନ ମୋର ଆନନ୍ଦରେ ପୂରିଉଠେ ।

 

ସେ କହିଲେ, ବୁଝିଲ ଲତା, ଏ ଦୁହିଁଙ୍କର ଏତେ ଆନନ୍ଦ କାହିଁକି ଜାଣ ? ଜାଣିଛ ଏଇ ଯେଉଁ ପୀରତିର ରାସ ସେମାନେ କରିବାରେ ଲାଗିଛନ୍ତି କେଉଁଥିପାଇଁ ଆଉ କାହାର ଇଙ୍ଗିତରେ ?

 

ମୁହଁରେ ହସ ଫୁଟାଇ କହିଲି, ମଲା ଆମେ କ’ଣ ଓକିଲ ହୋଇଛୁ ଯେ, ଏତେ କଥା ଜାଣିବୁ ? ମୁଁ କିପରି କ’ଣ ଜାଣିଲିମ ?

 

ଦୁଃଖରେ ଗୋଟାଏ ନିଶ୍ୱାସ ଟାଣି କହିଲେ, ଏ ଯେଉଁ ଚପଳତା ଏ ଯେଉଁ ଆନନ୍ଦ ତାହାର ପରିସମାପ୍ତି କେବଳ ଗୋଟିଏ ସୃଷ୍ଟିରେ । ସ୍ରଷ୍ଟାଙ୍କର ମହାନ୍‌ ଇଙ୍ଗିତରେ ପରିଚାଳିତ ହୋଇ ଗୋଟିଏ ସର୍ଜନା ପାଇଁ ସେମାନେ କେବଳ ଚେଷ୍ଟା କରୁଛନ୍ତି । ଆମ ତୁମ ମତରେ ଯୌବନ ଆସେ ନାହିଁ ସୃଷ୍ଟି ପାଇଁ, କିନ୍ତୁ ଆସେ ଉପଭୋଗ ପାଇଁ । ଯୌବନ ଯେବେ ଡାକେ ସେତେବେଳେ ଆମେ ଆତ୍ମହରା ହୋଇ ସ୍ରଷ୍ଟାଙ୍କର ମହାନ୍‌ ସତ୍ୟକୁ ଭୁଲି ଭାବୁ ଆମେ ଆସିଛୁ କେବଳ ଚିର ବସନ୍ତ, ମୃଦୁମଳୟ ପବନକୁ ଉପଭୋଗ କରି ଦେହର କ୍ଷୁଧା ଓ ମନର କ୍ଷୁଧା ମେଣ୍ଟାଇବା ପାଇଁ; କିନ୍ତୁ ପ୍ରକୃତରେ କ’ଣ ସେଇଆ ? ସେଇ ଆମର ଉନ୍ମାଦନା ଆଉ ଚପଳତା ପଛରେ ଯେଉଁ ସତ୍ୟଟି ଲୁଚିଥାଏ ତାକୁ ଆମେ ଭୁଲିଯାଉ । ମୋ ମତରେ ବିବାହଟା କେବଳ ସାମାଜିକ ଜୀବନକୁ ଶୃଙ୍ଖଳିତ କରି ସନ୍ତାନ ଉତ୍ପାଦନର ଗୋଟାଏ ନିର୍ଦ୍ଧାରିତ ନିୟମ ବିନା ଆଉ କ’ଣ ହୋଇପାରେ ?

 

ମୁଁ ତାଙ୍କ ମୁହଁକୁ ବକ୍‌ ବକ୍‌ କରି ଚାହିଁ ରହିଲି । ଘଡ଼ିକ ପରେ କହିଲି, ପାଗଳଙ୍କ ଭଳି ଏପରି ଗୁଡ଼ାଏ କ’ଣ ଆଜି ଗପୁଛମ ? ତୁମ ମୁଣ୍ଡ କ’ଣ ଖରାପ ହୋଇଗଲାଣି କି ?

 

ହସି ହସି ସେ କହିଲେ, ମୋ ମୁଣ୍ଡ ନୁହେଁ ମ ତୁମ ମୁଣ୍ଡ । ଆଛା କହିଲ, ଯେଉଁ ସାନ ସ୍ୱେଟରଟି ତୁମେ ଲାଗିପଡ଼ି ବୁଣି ଚାଲିଛ କାହା ପାଇଁ ? ଆମ ଘରେ ତ ଶକୁ ତଳକୁ ସାନ ପିଲା କେହି ନାହାନ୍ତି ଯେ ସେଇଟି ପିନ୍ଧିବେ ?

 

ଅନାଗତ ମାତୃତ୍ୱର ଗୌରବରେ ଅନ୍ତର ମୋର ଫୁଲି ଉଠୁଥିଲେ ସୁଦ୍ଧା ଲାଜରେ ତାଙ୍କୁ କିଛି ଉତ୍ତର ଦେଇପାରିଲି ନାହିଁ । କିଛିକ୍ଷଣ ଭାବି ଭାବି କହିଲି, ଆଚ୍ଛା ଆମ ଘରକୁ କ’ଣ କାହାର ସାନ ପିଲା ବୁଲି ଆସିବ ନାହିଁ ? ତାକୁ ଦେଲେ ତ କିଛି ପାପ ହୋଇଯିବ ନାହିଁ ?

 

ଅଳ୍ପ ହସୁ ହସୁ ସେ କହିଲେ, ଆମେ ଆମର ଯେପରି ଘର ଦୁଆର ଛାଡ଼ି ବୁଲି ଆସିଛେ, ଆଉ ଏଇ ମାଟିର ଧରାର ମାୟା ମମତାରେ ବନ୍ଧା ହୋଇ ପ୍ରକୃତ ଘରକୁ ଯେପରି ଭୁଲିଯାଇଛେ, ସେଇପରି ଆଉ କାହାର କାହିଁକି ତୁମର ଆଉ ମୋର ପିଲାଦିନେ ମଧ୍ୟ ବୁଲି ଆସିବା ଆମ ଘରକୁ ।

 

ଲାଜରେ ମୁଣ୍ଡ ଉପରକୁ ଓଢ଼ଣାଟା ଟାଣିଦେଇ କହିଲି ଆଜି ଦେଖୁଛି ଭାରୀ ସାଧୁପାଲଟି ଯାଇଛ ତ ? କେଉଁଠୁ ଗୁରୁନାମ ନେଲାଣି ନା କ’ଣ ମ ?

 

ଓଜନିଆ ଗଳାରେ ସେ କହିଲେ ହଁ ଗୁରୁନାମ ନେଇଛି । ଯୌବନର ରଙ୍ଗୀନ୍‌ ସ୍ୱପ୍ନରେ ମଜଗୁଲ ରହି ଆମେ ଯେଉଁ ପଥହୁଡ଼ି ଅପଥରେ ଚାଲିଥାଉ ତା’ ବୁଝିପାରିଛି । ଆମର ଯେତେବେଳେ ଯୌବନ ଉଛୁଳିପଡ଼େ ସେତେବେଳେ ରୂପର ମୋହରେ ଆମେ ଏତେ ମତୁଆଲା ହୋଇଉଠୁ ଯେ, ଭବିଷ୍ୟତ କିମ୍ବା ଆମର ଅତୀତ ପ୍ରତି ଆଦୌ ଦୃଷ୍ଟି ଦେଇପାରୁ ନାହୁଁ । ଗୋଟାଏ ବିପ୍ଳବ ବା ଖିଆଲି ମନୋବୃତ୍ତି ଧରି ସଂସାରକୁ ପାଦରେ ଚୂରି ଦେବାକୁ ବସୁ । କିନ୍ତୁ ରକ୍ତର ଜୋର କମିଲେ ଜୀବନରେ ଧକ୍‌କା ଖାଇଲେ ସମସ୍ତେ ଚେତି ଉଠନ୍ତି, ବୁଝନ୍ତି ସେମାନଙ୍କର କର୍ତ୍ତବ୍ୟ କ’ଣ-? ସେମାନେ କିଏ ସେ ଓ କାହିଁକି କେଉଁଠାରୁ ଆସିଛନ୍ତି ?

 

ଦେହରୁ ତାଙ୍କର କୋର୍ଟଟା ଓହ୍ଲାଇ ରଖିସାରି ନେକ୍‌ଟାଇଟା ଲଇଁ କରି ଫିଟାଇ ଦେଉଥିଲି । ତାଙ୍କଠାରୁ ବହୁଦିନ ପରେ ଏପରି ମନଖୋଲା କଥା ଦିପଦ ଶୁଣି ମନ ମୋର ଆନନ୍ଦରେ ପୂରିଉଠୁଥିଲା । ମୁଁ ଖାଲି ହସୁଥିଲି ଆଉ ହସୁଥିଲି.....

 

କ୍ଲାନ୍ତିରେ କି କ’ଣ ଟିକେ ଅଳସ ଭାଙ୍ଗୁ ଭାଙ୍ଗୁ ସେ କହିଲେ, ହଁ ଲତା ଗୁରୁନାମ ଯାହା କହିଲନି, ପ୍ରକୃତରେ ଗଲା କେଇଦିନ ହେଲା ମୁଁ ଗୁରୁନାମ ପାଇ ମହନ୍ତ ସାଜିଛି ! ଭାବିଛି ମୋର ଏ ଘରକୁ ଗୋଟାଏ ମଠ କରିବି । ମଠରେ ମାତାଜୀ କିମ୍ବା ଦେବଦାସୀ ରହି ମହନ୍ତଙ୍କର ସମସ୍ତ ସେବା କଲା ପରି ଆଉ ମହନ୍ତ ମାନେ ସେମାନଙ୍କୁ ତାଙ୍କର ଉପଯୁକ୍ତ ପାରିଶ୍ରମିକ ଦେଲାପରି ତୁମେ ଯେତେବେଳେ ମୋର ସେବା କରୁଛ ଓ କରିବ ତେଣୁ ତୁମର ପାରିଶ୍ରମିକଟା ମୋଠାରୁ ପାଇବା ହକ ଦାବି ।

 

ଏହା କହି ପାଗଳଙ୍କ ଭଳି ମୋ ମୁହଁଟାକୁ ତୋଳି ଧରି ଚୁମ୍ବନ ଦେବାରେ ଲାଗିଲେ ଗୋଟିଏ ନୁହେଁ ଦିଓଟି ନୁହେଁ ଅସଂଖ୍ୟ......

 

ବହୁଦିନ ପରେ ଏ ମନଖୋଲା ସ୍ନେହ ଆଉ ପ୍ରାଣଭରା ପ୍ରୀତିରେ ମନ ମୋର ଆନନ୍ଦରେ ଉଲୁସି ଉଠୁଥିଲା ତାଙ୍କ ଛାତିରେ ଆଉଜି ରହି ପଡ଼ୁ ପଡ଼ୁ ଆଖି ଦିଓଟି ମୋର ମୁଦି ହୋଇଗଲା ।

 

ଏଇ ସମୟରେ ପାଞ୍ଚବର୍ଷର ନଣନ୍ଦ ଶକୁ ବାହାରୁ ନୂଆଉ ନୂଆଉ ଡାକି ଆସିବାର ଜାଣି କହିଲି, ଛିଃ ଛାଡ଼ କିଏ କାଳେ ଦେଖିବ ? କିନ୍ତୁ ସେ କ’ଣ ମୋତେ ସେଦିନ ସହଜରେ ଛାଡ଼ିଲେ କି-? ଅଧିକରୁ ଅଧିକ ସେ......

 

ନୂଆଉ କେତେ ରାତି ହେଲାଣି ତୁମେ କ’ଣ ଆଜି ସଞ୍ଜ ଦେବ ନାହିଁ କି ? କହି ଶକୁ ଘର ଭିତରକୁ ପଶି ଆସିଲେ ।

 

ଲାଜରା ହୋଇ ମୁଁ ଛାଟିପିଟି ହୋଇ ଦୌଡ଼ି ପଳାଇ ଆସିଲି ଏକା ନିଃଶ୍ୱାସରେ......

 

।। ସତର ।।

 

କେତେଦିନ ପରେ ନୀରସ ପ୍ରାଣ ଆମର ସରସ ଆଉ କୋମଳ ହୋଇଉଠିଲା । ଜୀବନ ବିହୀନ ଯୌବନ ଯେପରି ଆମର ନୂତନ ସ୍ପର୍ଶରେ ଜୀଇଉଠିଲା । ଜୀବନ କଳି ଆମର ପ୍ରସ୍ଫୁଟିତ ହୋଇ ଆନନ୍ଦ ପବନରେ ନାଚି ଉଠିଲା ।

 

ଘରକୁ ଆମର ହସାଇ ମୋର ସାନ ଭଉଣୀ ସାଜି ଆସିଲା ରତ୍ନମଣୀ । ନିତୁର ସ୍ତ୍ରୀ–ମୋର ସାନ ଯା’ ।

 

ହସ ଖୁସିରେ ଦୁଇ ଭଉଣୀ ସଜାଡ଼ି ଲାଗିଲୁ ଆମର ଘର । ପ୍ରକୃତରେ ରତ୍ନମଣୀ ସାକ୍ଷାତ ମଣିଟିଏ । ଆସିବାର ଦିନ ଦିଇଟାରେ ଅପା, ଅପା ଡାକି ମୋତେ ଅତି ଚଞ୍ଚଳ ଆପଣାର କରି ପକାଇଲା । କୁଟା ଖଣ୍ଡକ ମୋ ହାତରେ ଦିଖଣ୍ତି କରାଇ ଦିଏ ନାହିଁ । ହାତରୁ କାମ ଛଡ଼ାଇ ସବୁ କରି ବସେ, ବାଧ୍ୟ କଲେ କହେ ‘ଅପା’ ତୁମେ ତ ଏତେ ଖଟିଛ, ଏତେ କରିଛ ଏଣିକି ଟିକିଏ ମୋତେ ଶିଖିବାକୁ ସୁବିଧା ଓ ସୁଯୋଗ ଦିଅ ।

 

ମୁଁ ହସି କରି କହେ ନିତୁ କ’ଣ ଏଇ ମନ୍ତର ଶିଖାଇଦେଲେ କିଲୋ ? ତୁ ମଣି ଜାଣି ନାହୁଁ, କାଆଲି ଏଇ ନିତୁ ପୁଣି ଫେରିପଡ଼ି କହିବେ କାହିଁକି ମଣି କିଆଁ ଏତେ ଖଟିବ ? ସେ କ’ଣ ଏଘରର ପୋଇଲୀ ? ତୁ ମଣି କହିଲୁ କାହାର ସଜଫୁଟା ଫୁଲ ଉପରେ ଆଞ୍ଚ ଆସିଲେ କିଏ ସହିବ ?

 

ସେ ଲାଜରା ହୋଇ ମୋତେ କହେ, ଅପା ତୁମେ ସଦାବେଳେ ମୋତେ ଇମିତି ଚିଡ଼େଇଲେ ମୁଁ ଆଉ ତୁମ ପାଖକୁ ଆସିବି ନାହିଁ ।

 

ତା’ର ଏଇ ଅଭିମାନ ମୋତେ ଭାରୀ ଆନନ୍ଦ ଦିଏ । ତାକୁ ସଦାବେଳେ ସଜାଇ ରଖି ଦେଖିବାକୁ ଇଚ୍ଛା ହୁଏ । ଚିକ୍‌କଣ କାଳିଆ କୂଆ ଭଳି କଳା ଗଭାରେ ମୁଁ ଗୋଟାଏ ନାଲି ଗୋଲାପ ଖୋସି ଦେଉ ଦେଉ କହେ ମଣି, ତୁ ଆଉ ଏତେ ଖଟ ନାହିଁ । ତୁ କାମ କଲେ ମୋତେ କାହିଁକି ବଡ଼ ବାଧୁଛି, ପିଲାଗୁଡ଼ାକ ତୁମେ ଯଦି ଏଇଦିନୁ ଏତେ ଖଟିବ ତେବେ ଆଉ କି ମଣିଷ ହେବ ! ଖଟିବାର ବଳ ବୟସ କ’ଣ ତୁମର ଆସିବ ନାହିଁକି ?

 

ସେ ଆନନ୍ଦରେ ମୋ କୋଳରେ ଲୋଟି ପଡ଼ି କହେ ଅପା, ଆର ଜନ୍ମରେ ତୁମେ ମୋର ଭଉଣୀ ଥିଲ କି କ’ଣ । ମୁଁ ଏଇ ଘରକୁ ଆସିବା ଦିନ ତୁମଠାରୁ ଏତେ ସ୍ନେହ ମମତା ପାଇବି ବୋଲି ଆଶା କରି ନ ଥିଲି ।

 

ଆଖିରେ ଲୁହ ଢଳ ଢଳ ହୋଇ ଉଠେ ମୋର–କହେ, ବାପବୋଉଙ୍କର ଗୋଟିଏ ବୋଲି ଝିଅ କୋଳକୁ । ଆଗକୁ ନାହିଁ କି ପଛକୁ ନାହିଁ । ଭାଇ ଭଉଣୀର ସ୍ନେହ କ’ଣ ମୁଁ ଏପର୍ଯ୍ୟନ୍ତ ସୁଦ୍ଧା ଜାଣି ନଥିଲି, ତେଣୁ ସ୍ନେହକାଙ୍ଗାଳ ମନ ମୋର ଯେତେବେଳେ ତୋଠାରୁ ଆଦରର ଅପା ଡାକ ଶୁଣେ ସବୁ ଦୁଃଖ ମୁଁ ଯେପରି ଭୁଲିଯାଏ । ମୋତେ କୋଟିନିଧି ପାଇଲା ପରି ଲାଗେ ।

 

ହସି ହସି ନିତୁ ଘର ଭିତରକୁ ପଶିଆସନ୍ତି, କହନ୍ତି ଆଜି କ’ଣ ମଣିଷକୁ ଦିଇଟା ଖାଇବାକୁ ମିଳିବ କି ନାଇଁ, ପେଟରେ ଓଦାକନା ଦେଇ କଡ଼ି ଗଣିବାକୁ ହେବ ?

 

ମଣି କୋଳଛାଡ଼ି ଲାଜରେ ଅଲଗା ହୋଇଯାଏ । ମୁଁ କହିଉଠେ, ଖାଇବ ଖାଇବ ବୋଲି କ’ଣ ମଣିଷଙ୍କୁ ଖାଇଯିବ କି । ଯଦି ଖାଇବ ନିଅ ଖାଉନ । ଏହା କହି ମଣିକୁ ତାଙ୍କ ଆଗକୁ ଠେଲିଦିଏ ।

 

ସେ ହସି ପଳାନ୍ତି । ମୁଁ ଆନନ୍ଦରେ ହସିଉଠେ । ମଣି ଲାଜରେ ଝାଉଁଳିପଡ଼େ ।

 

ହସ ଖୁସିର ସୁଖରେ ଜୀବନ ନଉକା ମୋର ଚହଲି ଚହଲି ଭାସି ଚାଲିଥାଏ । ସ୍ୱାମୀଙ୍କର ପ୍ରାଣଭରା ପ୍ରୀତି । ଦିଅରଙ୍କର ହୃଦୟ ଖୋଲା ଭକ୍ତି ଆଉ ସାନ ଯାର ସ୍ନେହ ମୋତେ ପଛକଥାକୁ ଏକବାରେ ଭୁଲାଇ ଦେଇଥାଏ । ମୁଁ ଭାବୁଥାଏ ମୋର ଜୀବନ ଆରମ୍ଭ ହୋଇଛି ଏହିଠାରୁ ।

 

ସେ ଘରେ ନଥାନ୍ତି, ମୁଁ ତାଙ୍କର ପଢ଼ିବା ଟେବୁଲଟି ସଜାଡ଼ିବାରେ ବ୍ୟସ୍ତଥାଏ । ଗୋଟାଏ ମୋଟା ବନ୍ଧା ବହିକୁ ସଜାଡ଼ି ରଖି ଦେଉ ଦେଉ ମୋ ହାତରୁ ଖସିପଡ଼ିଲା, ବହି ଭିତରୁ ଖଣ୍ତେ ଦୂରରେ ଉଡ଼ିକରି ଖଣ୍ଡିଏ ନେଳିଆ ଲଫାପା । ସେତେବେଳେ ସେ ଆଡ଼କୁ ଲକ୍ଷ୍ୟ ନକରି ମୁଁ ମୋର କାମସାରି ଯେତେବେଳେ ଘରଟା ସଫା କରିବାକୁ ବସେ, ସେତେବେଳେ ମନଟା କାହିଁକି ଆପଣା ଛାଏଁ ସେ ଆଡ଼କୁ ଟାଣି ହୋଇଗଲା । ଆଗ୍ରହରେ ଖୋଲା ଚିଠିଟା ପଢ଼ିଲି ।

 

ଶାନ୍ତି କୁଟୀର

ତା ୨୪ । ୬ । ୫୩

 

ଦିବାକର ବାବୁ,

 

ମୋର ନମସ୍କାର ନେବେ ଓ ନୂଆବୋଉଙ୍କୁ ମୋର ଭକ୍ତିର ପ୍ରଣାମ ଜଣାଇ ଦେବେ ।

 

ମନେପଡ଼େ ଗୋଟାଏ ଧୂସର ଗୋଧୂଳିରେ ମୁଁ ତୁମକୁ ଭଲପାଇ ବସିଥିଲି ଓ ଆପଣାର କରିବାକୁ ମଧ୍ୟ ଚେଷ୍ଟା କରିଥିଲି । ସେଥିପାଇଁ ମୁଁ ଆଜି ଅନୁତପ୍ତା । ଆଜି କିନ୍ତୁ ତୁମକୁ ମୁଁ ଥରେ କାହିଁକି ବରାବର ଅନ୍ତରର ସହ ଘୃଣା କରିବାକୁ ବାଧ୍ୟ ହେଉଛି । କାହିଁକି ଜାଣ ? ତୁମେ ଠିକ୍‌ ମୋଭଳି ଚରିତ୍ରହୀନ ବୋଲି । ନା–ନା ତା’ ନୁହେଁ ମୋଠାରୁ ତୁମେ ଆହୁରି ନୀଚ, ଅସତ । ଆମେ ଶୀଘ୍ର ଆମର ଅନ୍ତର ତୁମମାନଙ୍କ ନିକଟରେ ଖୋଲି ଦେଇ ତା’ ଭିତରକୁ ତୁମମାନଙ୍କୁ ଡାକିନେଉ । ଆମର ଭଲପାଇବାରେ ଛଳନା, ପ୍ରତାରଣା କିମ୍ବା ଭଣ୍ଡାମୀ ନ ଥାଏ କିନ୍ତୁ ତୁମେମାନେ ସବୁ ଜାଣିଶୁଣି ଅଜାଣିଆ ପରି ମନକୁ ଆଖିଠାର । ଭଲପାଇବାର ଭଣ୍ଡାମୀ କର । ତୁମେ ଆଜି ଏହାକୁ କ’ଣ ଅସ୍ୱୀକାର କରିପାରିବ ? ପୁଣି ମୋ ଆଗରେ ?

 

ମନେପକାଅ ଘରେ ତୁମର ବିବାହିତା ସ୍ତ୍ରୀ ଲତା ଦେବୀ ଅଛନ୍ତି । ତାଙ୍କୁ ତୁମେ କୁଟୀର କୋଣେ ନୀରବରେ କାନ୍ଦିବାକୁ ଛାଡ଼ିଦେଇ ମୋ ପାଖକୁ ଅପାର ଆନନ୍ଦ ପାଇବା ପାଇଁ ପ୍ରତି ମାସରେ ଦୁଇ ଚାରିଥର ମକଦ୍ଦମାର ବାହାନା କରି ଦୌଡ଼ିଆସ, ନୁହେଁ କି ? କେବଳ ଦୁଇଟା ନାରୀ ଜୀବନ ସହିତ ତୁମେ ଗୋଟିଏ ପୁରୁଷ ଖେଳ ଖେଳୁଛ ।

 

ମୁଁ ଦମ୍ଭର ସହିତ କହି ରଖିଛି । ତୁମ ହୃଦୟରେ ପ୍ରେମର ତିଳେମାତ୍ର ସ୍ଥାନ ନାହିଁ । ତୁମେ ଭଲପାଇବା କାହାକୁ କହନ୍ତି ତା’ ମଧ୍ୟ ଜାଣି ନାହଁ । ବୋଧହୁଏ ଏସବୁ ଜାଣିଥିଲେ ତୁମେ ସୁକୁମାରୀ ରୂପବତୀ ସ୍ତ୍ରୀକୁ କେବେ ତ୍ୟାଗ କରି ପାରିନଥାନ୍ତ ।

 

ଯାହା ହେଇଯାଇଛି–ଯାଇଛି, ମଣିଷ ମାତ୍ରେକେ ପ୍ରତ୍ୟେକଙ୍କର ଭୁଲ ଅଛି । ଏ ଚିଠିର ଉତ୍ତର ତୁମଠାରୁ ମୁଁ ଆଶା କରୁନି ! କାରଣ ମୋର ଠିକଣା ନାହିଁ । ଶେଷରେ ନିଜର ଯଦି ମଙ୍ଗଳ ଚାହଁ ଦେବୀତୁଲ୍ୟା ଲତା ଦେବୀଙ୍କ ନିକଟରେ କ୍ଷମା ମାଗ । କାରଣ ନାରୀ ମନ ତାଙ୍କର ହୁଏତ ଏକଥା ଜାଣିଲେ କେଉଁ ଗତି ଧରିବ କହି ହେଉ ନାହିଁ ।

 

ବାଧ୍ୟହୋଇ ଗୋପନୀୟତାର ଆଶ୍ରୟ ନେଲି । ବହୁତଦିନ ଏକାଠି ବସିଛେ, ହସିଛେ, ଖେଳିଛେ । କିନ୍ତୁ ଗୋଟିଏ ନାରୀର ଚକ୍ଷୁରୁ ଅଶ୍ରୁର ଝରଣା ଶୁଖାଇବା ପାଇଁ ମୁଁ ବାଧ୍ୟହୋଇ ଆତ୍ମଗୋପନ କଲି ।

 

ବିଦାୟ ବେଳରେ ମୋର ଅନୁରୋଧ ଲତା ଦେବୀଙ୍କୁ ଆପଣାର କରିବାକୁ ଚେଷ୍ଟା କରିବ । ମୋର ଅନୁରୋଧ ରକ୍ଷା ନକଲେ ମୁଁ ଜାଣିପାରିବି ଯେ, ତୁମର ଭଲପାଇବା ପଛରେ ଥିଲା କେବଳ ଦେହର କ୍ଷୁଧା ।

 

ତୁମର

ଚରିତ୍ରାହୀନା

ସାବିତ୍ରୀ

 

ଚିଠିଟି ପଢ଼ିଲି । ଥକ୍‌କାମରା ହୋଇ ଘଡ଼ିଏ କାଳ ପର୍ଯ୍ୟନ୍ତ ସ୍ୱାମୀଙ୍କ ଫଟୋକୁ ଚାହିଁ ରହିଲି । ମୁଣ୍ଡ ମୋର କ’ଣ ହୋଇଗଲା ।

 

ଦୁଇହାତରେ ମୁଣ୍ଡକୁ ଚିପିଧରି ଚେୟାରରେ ଲଥ୍‌କରି ବସିପଡ଼ିଲି । ସାବିତ୍ରୀ ଦେବୀଙ୍କ ପ୍ରତି ମନ ମୋର କୃତଜ୍ଞତା ଓ ଭକ୍ତିରେ ଭରିଉଠିଲା । ଅଦେଖା ଅପରିଚିତା ହୋଇ ସେ ମୋ ଲାଗି ଯେଉଁ ତ୍ୟାଗ କରିଛନ୍ତି, ମୋର ଦେବତାଙ୍କୁ ମୋର ପୂଜାଫୁଲ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ସେଥିପାଇଁ ସେ ମୋ ଆଗରେ ସାମାନ୍ୟ ନାରୀ ନୁହନ୍ତି–ଦେବୀ । ସ୍ୱର୍ଗର ଦେବୀଠାରୁ ସୁଦ୍ଧା ତାଙ୍କ ଆସନ ଉଚ୍ଚରେ । କି ଉଦାର କି ମହନୀୟ, କି କୋମଳ ତାଙ୍କର ହୃଦୟ ! ପରର ସୁଖ ପାଇଁ ହସି ହସି ସେ ନିଜେ ବିପଦର ନିଆଁକୁ ଡେଇଁପଡ଼ିଲେ !

 

ଏତେବଡ଼ ଚିଠି ଲେଖିଥିଲେ ସୁଦ୍ଧା ନିଜର ପରିଚୟ ଦେଇ ନାହାଁନ୍ତି । ପୁଣି ସ୍ୱାମୀଙ୍କୁ ଅନୁରୋଧ କରିଛନ୍ତି ମୋତେ ତାଙ୍କର ପରିଚୟ ନ ଦେବା ପାଇଁ । ମନମୋର ବିଦ୍ରୋହୀ ହୋଇଉଠିଲା । ଭିତରୁ ଯେପରି କିଏ କହିଉଠିଲା, କିଏ କହେ ତୁମେ ଚରିତ୍ରହୀନା ? ପତିତା ? ତୁମେ ଚରିତ୍ରହୀନା ନୁହଁ– ଚରିତ୍ରହୀନ ମୋର ସ୍ୱାମୀ, ମୋର ଦେବତା ! ତୁମେ ଅପଥରୁ ମୋର ସ୍ୱାମୀଙ୍କୁ ଫେରାଇ ଆଣିଛ । ଚରିତ୍ରହୀନା ପକ୍ଷରେ କ’ଣ ଏ ତ୍ୟାଗ ସଂଭବପର ?

 

ମନ ମୋର ତାଙ୍କ ପରିଚୟ ପାଇଁ ବିଳପି ଉଠିଲା । କିନ୍ତୁ ସ୍ୱାମୀ ତ ଆଜି ପର୍ଯ୍ୟନ୍ତ କହିନାହାନ୍ତି । ଆଉ ଆଜି ପଚାରିଲେ...ସେ ତାଙ୍କୁ ଅନ୍ତର ଭରି ଭଲପାଉଥିଲେ ତେଣୁ ତାଙ୍କର ଅନୁରୋଧ ରକ୍ଷା କରିଛନ୍ତି ।

 

ଜୀବନର ଶ୍ରେଷ୍ଠ ସଂପଦ ଭାବି ଚିଠିଟିକୁ ସାଇତି ରଖିଲି କେବଳ ଗୋଟାଏ ଖିଆଲରେ.......

 

ଘର କାମରେ ପୁଣି ଲାଗିପଡ଼ିଲି । କିନ୍ତୁ ମନ ମୋର ଏ ଭାବନାରୁ ଖାପଛଡ଼ା ହେଲା ନାହିଁ । ଯେତେ ଭାବିଲେ ମଧ୍ୟ ଚିଠି କଥା କେବଳ ଗୁଡ଼େଇ ତୁଡ଼େଇ ହୋଇ ବାରମ୍ବାର ମନରେ ଉଠୁଥାଏ ।

 

ନିତୁ ତାଙ୍କର ପଢ଼ାଘରେ ବସି ପଢ଼ୁଥାଆନ୍ତି । ମୁଁ ତାଙ୍କର ଘର ସଫା କରିବାକୁ ଯାଇ ତାଙ୍କ ଦୁଆରେ ଠିଆ ହେଲି–ମୋର ଖିଆଲ ନ ଥାଏ । ଚିଠି କଥା ଭାବୁ ଭାବୁ କେତେବେଳେ ଦୁଇଧାର ଲୁହ ଆପଣା ଛାଏଁ ମୋ ଆଖିରୁ ଗଡ଼ି ଆସିଥିଲା । ହଠାତ୍‌ ମୋତେ ଦେଖି ଚମକିଉଠି ସେ କହିଲେ, ନୂଆଉ ପୁଣି ତୁମେ କାନ୍ଦୁଛ ? କାହିଁକି !

 

ଥର ଥର ଗଳାରେ କହିଲି, ନିତୁ ତୁମ ପୁରୁଷ ଜାତିଟା କ’ଣ ଏତେଶୀଘ୍ର ସବୁ କଥା ପାଶୋରି ପକାଅ । କେଡ଼େ ଭୋଳାଶଙ୍କର ତୁମେମାନେ ମ ?

 

ଗୋଟାଏ ଅତୀତର ପୃଷ୍ଠା ଓଲଟାଇଲା ପରି ସେ କହିଲେ, ପରିଷ୍କାର କରି କହୁନ ନୂଆଉ ଏତେ ଏଣୁତେଣୁ କ’ଣ ବୁଲାଇ କରି କହୁଛ ମୁଁ କିଛି ବୁଝିପାରୁନି ।

 

‘‘ଆଚ୍ଛା ନିତୁ ମନେପକାଇଲ ତୁମର ପ୍ରତିଜ୍ଞା ତୁମେ ରଖିଛ ! ସେ ଆଶ୍ଚର୍ଯ୍ୟରେ ଚମକିଉଠି କହିଲେ, ପ୍ରତିଜ୍ଞା ମୋର ! ପୁଣି ତୁମ ପାଖରେ !

 

ହସି ହସି କହିଲି, ହଁ ହଁ ମୋ ପାଖରେ ତୁମେ ନା କହିଥିଲ ଏ ଘରକୁ ଆଉ ଜଣେ ଆସିଲେ ମୋର ଛୁଟି ହେବ ! ମୋତେ ନେଇ ଆମଘରେ ଛାଡ଼ିଦେଇ ଆସିବ ? ଆସିଛ ।

 

ପୁରୁଣା ଦିନର ଦୁଃଖଗୁଡ଼ା ମନେପଡ଼ିଲେ ସୁଖୀ ଯେପରି ଚମକିଉଠେ, ଭୟରେ ଶିହରୀଉଠେ; ସେଇପରି ଚମକି ଉଠିଲେ ସେ । କହିଲେ ନୂଆଉ; ଏଥିପାଇଁ ଦୁଃଖ ? ମୁଁ ବର୍ତ୍ତମାନ ଯାଉଛି ବାପାଙ୍କୁ କହି କାଲି ତୁମକୁ ତୁମ ଗାଁରେ ଛାଡ଼ିଦେଇ ଆସିବି ।

 

ହସି ହସି ତାଙ୍କ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲି, ବୀର ହନୁମାନ ହେ ! ସମୟ ଦେଖି ବାପାଙ୍କୁ କହିବ । ଲଙ୍କା ଗଡ଼ରେ ସଭା ଭିତରେ ରାବଣଙ୍କୁ ରାମଙ୍କ ଚିଟାଉ ଦେଲା ପରି କହିବ ନାଇଁଟି !

 

ଦୁହେଁ ହସିଉଠିଲୁ............

 

।। ଅଠର ।।

 

ଦୀର୍ଘ ଚାରିବର୍ଷ ପରେ ମୋର ଜନମ ଭୂଇଁରେ ପାଦ ଦେଲି । ଛାଡ଼ିଦେବାକୁ ସଙ୍ଗରେ ଆସିଥାନ୍ତି ନିତୁ । ଗାଁର ସେଇ କଣ୍ଟିଆ ପୋଖରୀ ନିକଟ ହୋଇଯିବାରୁ ମନ ମୋର ଆନନ୍ଦରେ ନାଚିଉଠିଲା । ଗାଡ଼ି ଭିତରେ ବୋହୂ ହୋଇ ଆଉ ଯିବାକୁ ଇଚ୍ଛାହେଲା ନାହିଁ । ହଠାତ୍‌ ଗାଡ଼ିରୁ ଓହ୍ଲାଇ ପଡ଼ୁ ପଡ଼ୁ ଆଶ୍ଚର୍ଯ୍ୟ ହୋଇ ନିତୁ କହିଲେ ନୂଆଉ ଏ କ’ଣ ? ଚାଲିକରି ଯିବକି ?

 

ମୁଁ ତାଙ୍କୁ ଛିଗୁଲେଇ କରି କହିଲି, ଚାଲିକରି ଯିବି ନାହିଁ ଆଉ କ’ଣ ଗାଡ଼ିରେ ବୋହୂ ହୋଇ ଯିବି ? ମୁଁ ତ ଆଉ ଏ ଗାଁର ବୋହୂ ନୁହେଁ ଏ ଗାଁର ଝିଅ ପରା । ଏଇ ମାଟିରେ ଖେଳିବୁଲି ଆଜି ସିନା ତୁମ ନୂଆଉ ହେଲି । ତେଣୁ ଲାଜ କରିବି କାହାକୁ ? ମୋର ବାପାଙ୍କୁ ? ଦାଦାଙ୍କୁ ?

 

ସେ ହସୁ ହସୁ କହିଲେ, ପଞ୍ଜୁରୀ ଭିତରୁ ଯେତେବେଳେ ଆମ ଅକ୍‌ତିଆରରୁ ବାହାରି ଯାଇଛ, ଏଣିକି ତୁମ ମନଇଚ୍ଛା । ପୁଣି ଯେତେବେଳେ ପଞ୍ଜୁରୀ ଭିତରକୁ ଆସିବ ସେତେବେଳେ ସିନା......

 

ମୁଁ ଚାଲିକରି ଯାଉ ଯାଉ କହିଲି, ଶୁଆ ଥରେ ପଞ୍ଜୁରୀ ଭିତରୁ ଫିଟି ଚାଲି ଆସିଲେ, ଥରେ ମୁକ୍ତ ବାୟୁରେ ଶୂନ୍ୟ ଗଗନରେ ଡେଣା ହଲାଇ ଉଡ଼ିପାରିଲେ ସେ କି ପୁଣି ତା’ ଜୀବନରେ ବନ୍ଦୀ ଜୀବନକୁ ପସନ୍ଦ କରିବ ? ସେ ହସିଉଠିଲେ....

 

ଗାଡ଼ି ଚାଲିଲା ସିଧା ଆମଘର କତିକି । ମୁଁ ଦାଣ୍ଡେ ଦାଣ୍ଡେ ଆମ ଗାଁର ପରିବର୍ତ୍ତନ ଦେଖୁ ଦେଖୁ ମୋର ପରିଚିତା ମା’ ମାଉସୀମାନଙ୍କ ପାଖରେ ଭକ୍ତିର ପ୍ରଣତି ଜଣାଇ ତା’ ବଦଳରେ ତାଙ୍କଠାରୁ ଆଶିଷ ମାଗି ମାଗି ହସି ହସି ଆଗେଇ ଚାଲିଲି ।

 

ବହୁଦିନ ପରେ ଗାଁକୁ ଫେରି ଆସିଥିବାର ଶୁଣି ଶଇଳ ଆନନ୍ଦରେ ଦଉଡ଼ି ଆସିଲା । ତା’ର ସେଇ ଗୋରା ତକ୍‌ ତକ୍‌ ଦେହରେ ମୋର ଯିବାର ପରେ ପରେ ଯଉବନ ତା’ର କାଉଁରୀ କାଠି ଛୁଆଁଇ ଦେଇଗଲାଣି । ଏଣିକି ପୂର୍ବପରି ତା’ର ସେ ଛନ ଛନ ଭାବ ନାହିଁ କି ସେ ଏଣୁତେଣୁ ଗୁଡ଼ାଏ ଗପୁ ନାହିଁ । ଦେଖିଲି ଆଖିରେ ତା’ର ଆସିଗଲାଣି ମାଦକତା । ଗତିରେ ଅଳସତା । ଟିକକ କଥାରେ ଚମକି ପଡ଼ୁଛି । ସଦାବେଳେ କ’ଣ ସବୁ ଭାବୁଥିଲା ପରି ଜଣାପଡ଼ୁଛି ।

 

ହସି ହସି ତାକୁ କହିଲି, କିଲୋ ଟୋକୀ, ଗଜଗମନୀ କେବେଠୁ ହେଲୁଣି ମ ? ତୋ ଆଖିରୁ ମୋତେ ଦୂରକରି ଦେଇଛୁ ବୋଲି ତୁ କ’ଣ ଭାବିଛୁ ମୁଁ ତୋର କିଛି ଖବର ରଖୁ ନାହିଁ ?

 

ସେ ଆନନ୍ଦମିଶା ଲାଜରେ କହିଲା, ମାଇକିନା ଝିଅଗୁଡ଼ା କ’ଣ ବାହା ହୋଇଗଲେ ଏପରି ଛତରୀ ହୋଇଯାଆନ୍ତି କିଲୋ ? ମୁଁ ତା’ କଥାରେ ବାଧାଦେଇ କହିଲି, ବାହାଘର ପରେ ନୁହଁ ମ ତା’ ପୂର୍ବରୁ.....

 

ସେ ଚିଡ଼ି ଉଠି କହିଲା ହଅଁ......

 

ମୁଁ କହିଲି ଆଉ କ’ଣ ନାହିଁ ? ମଣିଷ ଯେତେବେଳେ ସୁଖରେ ଥାଏ ସେତେବେଳେ ସୁଖ ଜିନିଷଟା ଜାଣିପାରେ କ’ଣ ? ଯେତେବେଳେ ଖାଇବାକୁ ନପାଏ, ପେଟ ବିକଳରେ ଅନ୍ନ ମୁଠାଏ ପାଇଁ ଛଟପଟ ହୋଇଉଠେ ସେତେବେଳେ ତା’ ଆଖିଆଗରେ ଭାସିଉଠେ ଅତୀତ । ସେଇ ସୁଖ ସଂପଦଭରା ସୁନାର ଅତୀତ.....ଆଖି କଣରେ ତା’ର ଜକେଇ ଆସେ ଲୁହ.....

 

ଥଟ୍ଟା କରି ସେ କହିଉଠିଲା, ଦିନ ଦୁଇଟା ହୋଇଛି କି ନାହିଁ ତୁ ଦିବାକର ବାବୁଙ୍କୁ ଛାଡ଼ି ଆସୁ ଆସୁ ତୋ ଆଖିରେ ଜକେଇ ଆସିଲାଣି ଲୁହ......

 

ମୁଁ ହସି ହସି କହିଲି, ମୁଁ କ’ଣ ଏୟା କହିଲି ?

 

ବହୁଦିନର ହଜି ଯାଇଥିବା ସାଥୀ ଶୈଳକୁ ପାଇ ମନ ମୋର ଆନନ୍ଦରେ ନାଚିଉଠିଲା । ଭାବିଲି ଏଇ ସାଙ୍ଗସାଥୀ ମେଳରେ ବସି ହସ ଖୁସିରେ ମୋର ଜୀବନକୁ କଟାଇଦେବି । ଭୁଲିଯିବି ସବୁ ଜଞ୍ଜାଳ, ଅଳି, ଅର୍ଦ୍ଦୋଳି ।

 

ପରଘର, ଅନ୍ୟର ସହଧର୍ମିଣୀ ହେଲେ ମଧ୍ୟ ଶୈଳକୁ ଦେଖିଲା ମାତ୍ରକେ ସୁରଭାଇଙ୍କ ଖବର ଜାଣିବା ପାଇଁ ମନମୋର ବଡ଼ ବ୍ୟସ୍ତ ହୋଇଉଠିଲା । କାରଣ ଜୀବନରେ ଥରେ ଯେ ଯାହାଠାରୁ ଆଦର ସିନିହରୁ କାଣିଚାଏ ପାଇଥାଏ, ସେ ଯେତେ ସୁଖରେ ଥିଲେ ସୁଦ୍ଧା ତା’ ମନ ନିଶ୍ଚୟ ତା’ ପାଇଁ ଆକୁଳ ହୋଇଉଠିବ ।

 

କଥା ଲହସରେ ମୁଁ ଶଇଳକୁ ପଚାରିଲି, ସୁରଭାଇଙ୍କ ସ୍ତ୍ରୀଟି କିମିତି ମ ?

 

ମୁହଁ ଶୁଖାଇ ବଡ଼ ଆଘାତ କରି ସେ କହିଲା, ହଁ ଥଟ୍ଟା କରିବୁ ନାହିଁ କାହିଁକି ? ତୁ ଯେତେବେଳେ ତୋ ସୁଖରେ ରହିଲୁ ସେତେବେଳେ ପରର ଭଲମନ୍ଦରୁ ତତେ କ’ଣ ଅବା ମିଳିବ-? ଦୁନିଆଟା ପରା ଆପଣା ସ୍ୱାର୍ଥିକ ଲୋ । ତୋରି ଲାଗି କେବଳ ବାପା, ବୋଉଙ୍କ କଥାକୁ ପାଦରେ ଏଡ଼ିଦେଇ ବାହା ହେଲେ ନାହିଁ । ବାପା ତାଙ୍କର ଆଶା କରିଥିଲେ ପୁଅ ବାହା ହେବ, ଘରକୁ ବୋହୂ ଆସିବ । ବୁଢ଼ାଦିନେ ନାତି ନାତୁଣୀ ଧରି ସେ ହସିଉଠିବେ, କିନ୍ତୁ ସେ ପର୍ଯ୍ୟନ୍ତ କଥା କ’ଣ ରହିଲା ଯେ–ବାହାହେବାକୁ ତାଙ୍କ ସଙ୍ଗେ ଜିଗର ଲଗାଇବାରୁ ଦିନେ ଘରୁ ଚାଲିଗଲେ । ଯାଇଛନ୍ତି ତ ଫେରି ନାହାଁନ୍ତି । ରୁକୁଣା ରଥ ତ ଅଣଲେଉଟା । ସେ ତ ଯାହା ବୁଝିଥିବେ ସେଇୟା । ତାଙ୍କୁ ବୁଝାଇ ବୁଝାଇ ସଂସାର ପାଣି ଫାଟି ଗଲେ ବି ସେ ତାଙ୍କର କଥାରୁ ତିଳେ ମାତ୍ର ଟଳିବେ ନାହିଁ । କାଉଁରିଆ କାଠି ଭାଙ୍ଗିବ ପଛକେ ନଇଁବ ନାହିଁ ।

 

ତା’ କଥା ଶୁଣି ଖାଲି ଭାବୁଥାଏ, ସୁରଭାଇ ମୋ ପାଇଁ କ’ଣ କରି ନ ବସିଲେ ! ନିଜର ଭବିଷ୍ୟତ, ନିଜର ଖାନଦାନୀ, ନିଜର ମାନ ଇଜ୍ଜତ ସବୁକୁ ପାଦରେ ଚୂରି ମାଟିରେ ମିଶାଇଦେଲେ-। ଆଉ ମୁଁ କରିଛି କ’ଣ; ସ୍ୱାମୀ, ଶଶୁର ଧରି ସୁଖରେ ଘର ସଂସାର କରି ଚାଲିଛି ।

 

ଅଭିନୟ କରି ମୁଣ୍ଡରେ ଖାଲି ସିନ୍ଦୂର ଟୋପା ମାରି ସତୀସାଧ୍ୱୀର ପରିଚୟ ଦେଉଛି । ତାଙ୍କର ଅନ୍ତର ଭରି ଭଲପାଇବା, ଅକପଟ ସ୍ନେହର କ’ଣ ଏଇ ପ୍ରତିଦାନ ମୁଁ ତାଙ୍କୁ ଦେଇଛି ? ଭଲପାଇବାର ଶେଷକଥା କ’ଣ ଏଇୟା ?

 

ତାଙ୍କର ଖୋଜ ଖବର କିଛି ପାଇଲଣି ? କେଉଁଠି ଅଛନ୍ତି, କ’ଣ କରୁଛନ୍ତି କିଛି ଜାଣିଲଣି ? ବଡ଼ ଦୁଃଖରେ ଏତକ ପଚାରିଲି ।

 

ମନକୁ ମାରିଦେଇ ସେ କହିଲା, ଯାହା ଜଣାପଡ଼ିଲାଣି ସେ କିଛି ନୁହେଁ । ଟୁନ ଦାଦାମ ଆମର । ଏଇ କଲିକତାରେ କାମ କରେ ନାହିଁ ! ସେ କହୁଥିଲା କୁଆଡ଼େ ଫେରିବା ବାଟରେ ସୁର ଭାଇଙ୍କୁ ପୁରୀରେ ଦେଖିଥିଲା । ହେଲେ ତା’ କଥାରେ କୋଉ ସତ ଅଛି ? ବାପଟା କାନ୍ଦି କାନ୍ଦି ଲହୁ ଲୁହାଣ ହେଲାଣି । ବୁଢ଼ା ବଅସରେ ବାହା ହୋଇଥିବାରୁ ଏ ଆଖିର ଲୁହ ସେ ଆଖିରେ ମାରିବାକୁ ତା’ର ତର ନାହିଁ । ପୁଅ ଥାଉ ଥାଉ ବାହାହେବାର ଫଳ ପାଇ ମନ ମାନିଗଲାଣି ଯେ......

 

ମୁଁ କଥାକୁ ବାଆଁରେଇବା ପାଇଁ କହିଲି, ଥାଉ ସେ ଗଲା କଥାରୁ ଆମକୁ କ’ଣ ମିଳିବ ।

 

ସେ ତାଙ୍କର ସୁଖରେ ରହନ୍ତୁ ଏତିକି ମାତ୍ର ଭଗବାନଙ୍କ ନିକଟରେ ଅଳି କରିବା ଛଡ଼ା ଆଉ ଅଧିକ ଆମେ କ’ଣ କରିପାରିବା ? ଆମ ହାତରେ ତ ମଲା କଙ୍କଡ଼ା ଲେଉଟାଇ ହେବ ନାହିଁ-। ତେଣୁ ଅଯଥାଟାରେ ବିଲୁଆ ବିଚାର କରିବା କାହିଁକି ?

 

ସେ ମଧ୍ୟ ମୋ କଥାରେ ହଁ ଭରି କହିଲା, ଯାହାହେଉ ତୁ ଆସିଛୁ ବୋଲି ଲତା, ଶଇଳର ଆମ ଘରେ ପାଦ ପଡ଼ିଲା । ହଉ ହଉ, ଆସ ଦୁହେଁ ଦିଇଟା ଖାଇକରି ଖେଳିବ, ହସିବ କି ବୁଲିବ ।

 

ସେଦିନୁ ସକାଳୁ ନେଳି ଆକାଶରେ ନାଲି ଟିକିଲି ପରି ସୁରୁଯ ଦେବତା ଆମ ବାଡ଼ି ନଡ଼ିଆ ଗଛ ଉହାଡ଼ରୁ ଉଠିଆସିଲେ । ତାଙ୍କର ସୁନେଲି କିରଣରେ ଗଛ ବୁରୁଛ ସବୁ ଉଜୁଳି ଉଠିଲେ ।

 

ଦିହଟା କିମିତି କିମିତି ଇସ୍‌ମିସ୍‌ ଲାଗୁଥାଏ । ସକାଳୁ ସେଥିପାଇଁ ବାସି ଶେଯରେ ଘାଲେଇ କରି ପଡ଼ିଥାଏ । ବାପ ଘରକୁ ଆସିଲେ ଝିଅଗୁଡ଼ାକ ଏଇପରି ଅଳେସଇ ହୋଇପଡ଼ନ୍ତି । କାରଣ ଏଠି ତ ଶାଶୁଘରର ଦାୟିତ୍ୱ କିମ୍ବା କାହାର ଲାଲ ଆଖିକୁ ଡର ନ ଥାଏ କି ପରଠାରୁ ସ୍ନେହ ପାଇବା ପାଇଁ ସ୍ନେହ କରିବାକୁ ପଡ଼େ ନାହିଁ । ଏଠି ଥାଏ ସଦାସର୍ବଦା ଅଯାଚିତ ଆଦର, ସ୍ନେହ ଶରଧା, ଆଶୀର୍ବାଦ ଆଉ କଲ୍ୟାଣ । ଅନାବନା କେତେଆଡ଼ୁ କେତେ କ’ଣ ଭାବୁଥାଏ । ମଝିରେ ମଝିରେ ସୁରଭାଇଙ୍କ ଲାଗି ମନଟା କାନ୍ଦିଉଠୁଥାଏ । ଏଇ ସମୟରେ ଡାହାଣ ଆଖିଟା ଡେଇଁଲା । ଦୁଇହାତରେ ତାକୁ ମକଚୁ ମକଚୁ ଭଗବାନଙ୍କୁ ମନେମନେ ଡାକି କହିଲି–ହେ ଭଗବାନ ! ଏତେ ଦୁଃଖ କଷ୍ଟ ଦେଇ ତଥାପି କ’ଣ ତୁମ ମନ ସନ୍ତୁଷ୍ଟ ହୋଇନାହିଁ ? ଖାଲି ମୋରି ଉପରେ ତୁମର ଦାଉ ସାଧିବାକୁ ଥିଲା ? ବୋଉ ଡାକିବା ପୂର୍ବରୁ ଧଡ଼ପଡ଼ ହୋଇ ଉଠି ତା’ ସାଙ୍ଗରେ ବାସି କାମରେ ଯୋଗଦେଲି ।

 

ମନଟା କିମିତି କିମିତି ହେଉଥାଏ । କେତେଆଡ଼ୁ କେତେ ଖରାପ ଚିନ୍ତା ଆସି ମନକୁ ଛୁଉଁଥାଏ ।

 

ଦିନ ଦଶଟା ସରିକି ଯଦୁ ମାମୁଁ ଖଣ୍ଡେ ଚିଠି ଦେଇଗଲେ । କାହାଠାରୁ ଆସିଛି, ବାପାଙ୍କ ପାଖରୁ ନା ତାଙ୍କ ଘରୁ ଏଇ ଆଶା ଆନନ୍ଦ ମଝିରେ ପଡ଼ି ଚିଠିଟି ଖୋଲିଲି......

 

ମାନନୀୟା ନୂଆଉ,

 

ମୋର ପ୍ରଣାମ ନେବ । ବାପା, ବୋଉଙ୍କୁ ମଧ୍ୟ ଜଣାଇଦେବ । ତୁମେ ଗଲାଦିନୁ ଆମକୁ ଏ ଘର ଆଦୌ ଭଲ ଲାଗୁ ନାହିଁ । ଆମ୍ଭେମାନେ କିପରି ଲକ୍ଷ୍ମୀଛଡ଼ା ହୋଇଯାଇଛୁ ।

 

ତୁମେ ଗଲା ଦି ଦିନ ପରେ ଭାଇ ଆସି ପହଞ୍ଚିଲେ । କିନ୍ତୁ ଆମର ଦୁର୍ଭାଗ୍ୟକୁ ସେ ଆସିବାର ଦିନ ଦୁଇଟା ଭିତରେ ଜ୍ୱରରେ ପଡ଼ିଲେ । ଚାହୁଁ ଚାହୁଁ ଦଶ ବାର ଦିନ ବିତିଗଲାଣି । ଜ୍ୱର ଆଦୌ କମୁ ନାହିଁ । ଦେହରେ ବରାବର ଖଇଫୁଟା ତାତି ରହୁଛି । ଏକା କଡ଼କେ ଶୋଇଛନ୍ତି ଯେ ଆଖି ଖୋଲି ଚାହୁଁନାହାନ୍ତି କି ପାଟି ଖୋଲି ଖାଉନାହାନ୍ତି । ଡାକ୍ତର କହନ୍ତି, ‘‘ଟାଇଫଏଡ଼୍‌’’ ।

 

ତୁମେ ଏ ପତ୍ର ପାଇ ଶୀଘ୍ର ଚାଲିଆସିବ । ଏହାକୁ ଜରୁରୀ ଭାବିବ–

 

ତୁମର

ସ୍ନେହର ନିତୁ

 

ଚିଠିଟା ପଢ଼ିଲି ବେଦନାରେ ମନ ମୋର ଭରିଉଠିଲା । ଭାବିଲି ତାଙ୍କୁ ଜର ହୋଇଛି ପୁଣି ଦଶ ବାର ଦିନ ହେବ । ଏ ପର୍ଯ୍ୟନ୍ତ ସୁଦ୍ଧା ମତେ ଟିକିଏ ଖବର ଦେଇନାହାନ୍ତି । ନା ତାଙ୍କୁ ଜର ମୁଁ ଏଠାରେ ରହିବି–ପୁଣି ପରକ୍ଷଣରେ ଯେପରି ମୋ ମନ ଭିତରୁ କିଏ କହିଉଠିଲା, ସେପରି ସାଂଘାତିକ ହୋଇଥିଲେ ବାପା ନିଜେ ତ ମୋ ବାପାଙ୍କ ପାଖକୁ ଲେଖି ପଠାଇଥାନ୍ତେ କିମ୍ୱା ଗାଡ଼ି ଧରି ଆସି ମୋତେ ନେଇ ଯାଇ ଥାଆନ୍ତେ । ବୋଧହୁଏ କିପରି ଶୀଘ୍ର ଚାଲିଯିବି, ଆଉ ରହିବି ନାହିଁ ସେଥିପାଇଁ ଫିସାଦିଆ ନିତ୍ୟାନନ୍ଦଙ୍କର ଏକରକମ ଫିକର । ଯଦି ବା ଜ୍ୱର ହୋଇଥାଏ, ତେବେ ଶଶୁର ତ ଅଛନ୍ତି ଡାକ୍ତର ଆସି ଔଷଧ ତ ଦେଉଛନ୍ତି । ସେବା ପାଇଁ ମୁଁ ସିନା ନାହିଁ, ସାନ ଭଉଣୀ ମଣି ଅଛି । ନିତୁଙ୍କର ଏ ନୂଆ ଚାଲାକ ପାଇଁ ମନେମନେ ହସିଲି । ଚିଠିଟି ଅଣ୍ଟାରେ ଖୋସିଦେଇ ଭାବିଲି, ନିତୁଙ୍କ ସହ ଦେଖାହେଲେ ତାଙ୍କ କାନ ଧରି ଏ ମିଛ କଥା ପାଇଁ କୈଫିୟତ ମାଗିବି ।

 

ମନକୁ କାମରେ ଲଗାଇଲି । ଶୈଳ ଶଶୀ ପ୍ରଭୃତିଙ୍କ ସାଙ୍ଗ ମେଳରେ ହସ ଖୁସିରେ ଦିନ କଟାଇବା ପାଇଁ ଚାଲିଗଲି । ତଥାପି ଏତେ ହସ ଖୁସି ଭିତରେ ମୋର ମନେଅଛି, ମନଟା କାହିଁକି ଚାଉଁକରି ଚମକିପଡ଼େ, ଛାତି ଦୁଲୁକି ଉଠେ । ଗୋଟାଏ ଅଜଣା ଆଶଙ୍କାରେ ଚମକିପଡ଼ି ଆଗ ପଛକୁ ଚାହିଁଦିଏ ।

 

ଚାହୁଁ ଚାହୁଁ ଆଠଦିନ ବିତିଗଲା, ତାଙ୍କଘରୁ ତାଙ୍କ ବିଷୟରେ କୌଣସି ପତ୍ର ନ ପାଇ ମୁଁ ନିଶ୍ଚୟ କରି ଭାବିନେଲି ଯେ ଫିସାଦିଆ ନିତୁର ଏ ଗୋଟାଏ ଫିକର ।

 

ସକାଳୁ ବୋଉ ସଙ୍ଗେ ମିଶି ବାସିକାମ ସାରିଲା ବେଳକୁ ବୋଉ କହିଲା, ‘‘ଆଲୋ ଲତା’’ ମିଛଟାରେ ଦିଇଟା ଦିନକୁ ଆସି ମାୟା ମମତା ଲଗାଇ ଦେଇ ଯିବୁ ଯେ ଝୁରିଝୁରି ମରିବି ଲୋ ।

 

ମୁଁ ହସି ହସି କହିଲି, ତୁ ଝୁରି ଝୁରି ମରିବା ଅପେକ୍ଷା ମୁଁ ତ ଆଉ ନ ଗଲେ ଗଲା । କାହିଁକି ତାଙ୍କ ଘରେ ଆଉ ମୋର କି କାମ ଅଛି କି ? କେବେ ସିନା ଘର ଚଳୁ ନ ଥିଲା ଯେ ମୁଁ ଯାଇ ଘର ଚଳାଉଥିଲି, କିନ୍ତୁ ଆଜିକାଲି ତ ତାଙ୍କର ସାନ ବୋହୂ ଆସିଲେଣି ସବୁଠିକି ସବୁ ସଜାଡ଼ି ହୋଇଗଲାଣି । ଏଣିକି ମୋଠାରେ କି ଦରକାର ଅଛି ଯେ, ମୁଁ ଯିବି । ମୁଁ ମଧ୍ୟ ଆସିଲାବେଳେ ନିତୁଙ୍କୁ କହିଛି ଯେ ଏଥର ଗଲେ ଆଉ ତାଙ୍କ ଘରକୁ ଫେରିବି ନାହିଁ ।

 

ବୋଉର ସେଇ ଗୋଟାଏ କଥା ପରଘରୀ ହେଲାଠାରୁ ନିଜର ହୋଇ କିଛି ନ ଥାଏ ଲୋ, ପରପୁରୁଷର ଆଙ୍ଗୁଠି ଚାଳନାରେ ସ୍ତ୍ରୀ ଜୀବନ ଚଳେ ।

 

ଶୈଳ ଆସିଥିଲା ତା’ ସଙ୍ଗରେ ଗାଧୋଇ ଆସି ଶୋଇଲା ଘର କାନ୍ଥ ପାଖରେ ଠିଆହୋଇ ବଡ଼ ଆଇନାଟାକୁ ଚାହିଁ ମୋର ମୁଣ୍ଡ କୁଣ୍ଡାଇ, ମଥାରେ ମାରିବା ପାଇଁ ସୂନ୍ଦର ଟିପରେ ଧରିଛି ଏଇ ସମୟରେ ବୋଉ ମୋର ଦାଣ୍ଡଆଡ଼ୁ କାନ୍ଦି କାନ୍ଦି ଆସି ଅଗଣାରେ ଦୁଲ୍ କରି ପଡ଼ିଗଲା-। ତା’ ପାଟିରୁ ଖାଲି ବାହାରୁଥାଏ....ମୋ ଲତାର ସଂସାର ସରିଗଲା ଲୋ....

 

ହାତରୁ ମୋର ସୂନ୍ଦର ଫରୁଆଟା ଖସିପଡ଼ିଲା । ଟିପ ଅଗରେ ସିନ୍ଦୂର ସେମିତି ଥାଏ । ମୁଁ ବୋଉ ପାଖକୁ ଦୌଡ଼ି ଆସିଲି । କଥାଟା କ’ଣ ବୁଝିବା ପାଇଁ.....

 

ଗାଁର ସମସ୍ତ ସାଇ ପଡ଼ିଶା ମାନେ ଦୁଆରେ ଆସି ଜମା ହୋଇଗଲେ । ସମସ୍ତଙ୍କ ପାଟିରୁ କେବଳ, ଆହା କ’ଣ ନ ହେଲା ! ଲତାକୁ କି ଅକାଳ ଚଡ଼କ ଆସି ପଡ଼ିଲା । ......ବାହାରୁଥାଏ । ମୁଁ ଜଳ ଜଳ କରି ବୋକୀଙ୍କ ଭଳି ସମସ୍ତଙ୍କ ମୁହଁକୁ ଅବାକ୍ ହୋଇ ଚାହିଁ ରହିଥାଏ ।

 

ବାପା ଘରେ ନ ଥାନ୍ତି । ମୋ କପାଳରୁ ସିନ୍ଦୂର ଗାର ସବୁଦିନ ପାଇଁ ଲିଭିଗଲା । ମୁଁ ହେଲି ବିଧବା, ଘଇତାଖାଇ, ଅଲେକ୍ଷଣୀ ।

 

।। ଊଣେଇଶ ।।

 

ବାପା ଆସିଲେ । ଯେଉଁ ଲଙ୍ଗଳା ହାତରେ ଦିନେ ସୁନାକାଚ ପିନ୍ଧାଇ ଦେଇଥିଲେ ସେଇ ଲଙ୍ଗଳା ହାତକୁ ଦେଖି ଭୋ ଭୋ ଡକା ପକାଇଲେ । ବୋଉ–ମାଆ ସେ, ମୋ ଲାଗି ଅନ୍ନଜଳ ଛାଡ଼ିଲା, ମୋ ଦୁଃଖରେ ଭାଗୀ ହେବା ନିମିତ୍ତ ଚିରଦିନ ପାଇଁ ମାଛ, ମାଉଁସ ଛାଡ଼ିଲା । ଏକାଦଶୀ କଲା । ସଧବା ହୋଇ ବିଧବା ହେଲା ।

 

ମାଆର ରକ୍ତରୁ ଝିଅର ଜନ୍ମ–ମୁଁ ତା’ର ଝିଅ ଏଇ ମୋର ସୌଭାଗ୍ୟ ।

 

କୁଆଁର ପୁନିଅଁ ମୋ ଜୀବନରୁ ଚିରଦିନ ପାଇଁ ଚାଲିଗଲା ଆଉ ସବୁଦିନ ପାଇଁ ଲାଗି ରହିଲା, ଶ୍ରାବଣ ମାସର ଅମେଇସାର ଘନ କଳା ମିଟିମିଟି ଅନ୍ଧାର । ଦୁନିଆରେ ସାହା ସମ୍ୱଳହୀନା ହୋଇ ପଡ଼ି ରହିଲି । ଆକାଶରେ ରୂପେଲି ଚାନ୍ଦ କିମ୍ୱା ବନ ଅନ୍ତରାଳରେ କୋଇଲିର କୁହୁ ଡାକ ଶୁଣି ମନ ଉତ୍ତଳା ହେଲାନି । ସବୁ ବିଷ ପରି ଲାଗିଲା ।

 

ଆଖିରୁ ମୋର ଲୁହ ନ ଝରି ଲହୁ ଝରିଲା । ଭାବିଲି ଭଗବାନ୍ ମୋତେ କାହିଁକି ଏ ଦଣ୍ଡ ଦେଲେ ? ଯାହାଲାଗି ବାପଘରେ କିମ୍ୱା ଶାଶୁଘରେ ବଡ଼ ହେଉଥିଲି ସେ ତ ଗଲେ । ନାଉରିଆ ବିନା ଡଙ୍ଗାରେ ଯେପରି ଅବସ୍ଥା ଅଥଳ ସମୁଦ୍ରରେ ହୁଏ ସେପରି ମୋର ବର୍ତ୍ତମାନ ଅବସ୍ଥା । ଆଜି ବାପା ବୋଉ ଅଛନ୍ତି ଟାଣ କରି ରହିବି ବା ସେ ମୋତେ ଜୀଇଥିବା ପର୍ଯ୍ୟନ୍ତ ବେକରେ ବାନ୍ଧି ରଖିବେ; କିନ୍ତୁ କାଲିସକାଳୁ ସେ ଆଖି ବୁଜିଲେ ମୁଁ କାହା ଓଳିତଳେ ଯାଇ ଠିଆହେବି ? କିଏ ମୋତେ ଖରାରେ ଠିଆ ହୋଇଥିଲେ ଛାଇକୁ ଟାଣିନେବ ? ମୋ ଦୁଃଖରେ କାହାର ଅନ୍ତର ଭାଜିପଡ଼ିବ ?

 

ବାକୀ ନିତୁ । ଭାଇ ଥିବା ପର୍ଯ୍ୟନ୍ତ ଭାଇ ହୋଇ ଚଳୁଥିଲେ; କିନ୍ତୁ କାଲି ସେ ଯେ ଭଗାରୀ ନ ହୋଇ ମୋ ଆଖି ଆଗରେ ଠିଆ ନ ହେବେ ତା’ କିଏ କହିବ ? କଥାରେ କହନ୍ତି ଭଗାରୀ କାହା ପେଟରେ ନା ମାଆ ପେଟରେ । ଅନ୍ତଫଡ଼ା ଭାଇ ନୁହେଁ–ଏକା ନାହି ଦିଖଣ୍ଡ–ନିଜର ସୁଖ ସୁବିଧାକୁ ଛାଡ଼ିଦେଇ ନିଜର ଭାଗ ଯୋଗକ ମୁଠାକୁ ଗୋଡ଼ରେ ଠେଲି ସେ ଅବା କାହିଁକି ମୋତେ ତାଙ୍କ ଘରେ ସାରା ଜୀବନ ତାଙ୍କରି ଅର୍ଜନରୁ ପୋଷିବେ ? ସେଇ ମଣି– ଆଜି ଅପା, ଅପା, ଡାକି ପାଣି ପିଉ ନାହିଁ । କାଆଲି ମୁଁ ଯେତେବେଳେ ତା’ ସ୍ୱାମୀର ହାତଟେକା ପାଣିକୁ ଚାହିଁ ରହିବି ସେତେବେଳେ ସେ କି ସହିପାରିବ ? ମୁଁ ସିନା ତା’ ଉପରେ ବଡ଼ ଭଉଣୀ ହୋଇଥିଲି କିନ୍ତୁ ସେ ମୋତେ ଠିକ୍ କରିବ ଚାକରାଣୀ ପରି ବ୍ୟବହାର । ହଁ ଏୟା ଯେ ନ କରିବ ସେଥିରେ କୋଉ ସତ ଅଛି । ମଣିଷର ପ୍ରକୃତି କ’ଣ ସବୁଦିନ ପାଇଁ ସମାନ ରୁହେ ।

 

ପୋଷିବା ବଅସରେ ବାପା ବୋଉଙ୍କର ଗଳଗ୍ରହ ହୋଇ ଗୋଡ଼କୁ ଶାଙ୍କୁଳି ହୋଇ ରହିବାକୁ ଇଚ୍ଛାହେଲା ନାହିଁ । ମୁଣ୍ଡ ଗୋଳମାଳ ହୋଇଉଠେ । ଏଣୁତେଣୁ ପାଗଳୀଙ୍କ ଭଳି ଗପିଚାଲେ ।

 

ସମୟ ସମୟରେ ପୋଖରୀରୁ ପାଣି ଆଣିଲା ବେଳେ ଭାବେ, ଏଇ ପୋଖରୀର ପାଣି ଭିତରେ ବୁଡ଼ି ମରନ୍ତି । ଛାତିଏ ପାଣିକୁ ପଶେ କିଏ ଯେପରି ଭିତରୁ ମନାକରି କହିଉଠେ–ଲତା ବୁଡ଼ିମରି ଆତ୍ମହତ୍ୟା କରିବାକୁ ଯାଉଛୁ ? କାହାଲାଗି ? ନିଜର ସ୍ୱାମୀପାଇଁ ନା–କିନ୍ତୁ ତୁ ମରିଯାଇପାରୁ ୟା ବୋଲି ତୋ ଭିତରେ ସ୍ୱାମୀଙ୍କର ଯେଉଁ ପ୍ରତିରୂପଟି ଅଛି ତାକୁ କ’ଣ ମାରିଦେଇପାରୁ ? ସେ ଅଧିକାର କ’ଣ ତୋର ହେଲାଣି ? ମଣିଷ ମାୟାରେ ପଡ଼ି ସରଗର ସାତରଙ୍ଗିଆ ଇନ୍ଦ୍ରଧନୁ ଧରିବାକୁ ଇଚ୍ଛା କରେ କିନ୍ତୁ ଧନୁ ଧରିବା ପୂର୍ବରୁ ତା’ର କୋମଳ ବାହୁଲତା ଶିଥିଳ ହୋଇଉଠେ । ତୁ ଭାବି ଦେଖ୍ କେତେ ରାଜା ମରିଛନ୍ତି, କେତେ ଶିଳ୍ପୀ ମରିଛନ୍ତି, କେତେ କବି ମହାପୁରୁଷଙ୍କର ଜୀବନ କୁସୁମ ଅକାଳରେ ମଉଳି ପଡ଼ିଛି; କିନ୍ତୁ ଦୁନିଆରେ କେଉଁ ଜିନିଷଗୁଡ଼ିକ ମଉଳି ପଡ଼ିନାହିଁ । କାହା ଲାଗି ସେମାନେ ଆଜି ଅମର ? ଧ୍ୱଂସଶୀଳ ଦୁନିଆରେ ସବୁ ଧ୍ୱଂସ ହୋଇଯିବ କିନ୍ତୁ ଧ୍ୱଂସ ହୋଇପାରିବ ନାହିଁ ସେମାନଙ୍କର ସୁନାମ, ସେମାନଙ୍କର ଅମର ଦାନ ତାଙ୍କୁ ମନେ ରଖିଛି ସବୁଦିନ ପାଇଁ । ସେମାନେ ମରଣ ପରେ ମଧ୍ୟ ଜୀଇଛନ୍ତି । ନିର୍ଜୀବ ଦେଉଳ ଭିତରୁ ଶିଳ୍ପୀର ଆତ୍ମା ଚେଇଁଉଠୁଛି ।

 

ପ୍ରେମ, ପ୍ରୀତି, ଭଲପାଇବା କେବଳ ଗୋଟାଏ ଯୌନ–କ୍ଷୁଧା, ଦେହର ତୃଷ୍ଣା । କ୍ଷଣକ ପାଇଁ ଜୀବନରେ ଆସି ଚାଲିଯାଏ । ସବୁଦିନ ପାଇଁ ରହେନା । ତୁ ଆହୁରି ଭିତରକୁ ଭାବିଲେ ଦେଖିବୁ, ପଶୁବୃତ୍ତି ବର୍ବରତା ବ୍ୟବୀତ ଆଉ କିଛି ନୁହେଁ ।

 

ତଥାପି ତୁ ଯଦି ସ୍ୱାମୀଙ୍କ ମୃତ୍ୟୁପରେ ମର୍ମାହତ, ତାଙ୍କ ମନରେ ସୁଖ ଦେବା ପାଇଁ ତାଙ୍କଠାରୁ ଦଣ୍ଡେ ମାତ୍ର ଅନ୍ତର ହେବାକୁ ଚାହୁଁ ନାହୁଁ, ଆତ୍ମହତ୍ୟା କରି ମରଣ ସେପାରେ ତାଙ୍କ ପାଖକୁ ଚାଲିଯିବାକୁ ବସିବୁ ତେବେ ତୁ କ’ଣ ତାଙ୍କୁ ପ୍ରକୃତରେ ସୁଖୀ କରାଇପାରିବୁ ? ଶିଳ୍ପକୁ ନଷ୍ଟ କରି ଶିଳ୍ପୀ ମୁହଁରେ ହସ ଉକୁଟାଇବା ଯେପରି ଅବାସ୍ତବ କଳ୍ପନା, ସେହିପରି ଏ ତୋର ଏକ ଅସାର କଳ୍ପନା ସିନା ?

 

ଅନ୍ତର ମୋର ଥରିଉଠେ, ପାଣିରୁ ଉଠ ଚାଲିଆସି ଭାବିବାକୁ ଲାଗେ–ମୂକଦେଉଳରୁ ଶିଳ୍ପୀର ନାମ ଫୁଟି ବାହାରିଲା ପରି ମୋରି ଭିତରେ ତାଙ୍କର ଯେଉଁ ପ୍ରତିରୂପ ବଢ଼ି ଚାଲିଛି ସେ କ’ଣ ତାଙ୍କ ନାମ ରଖିପାରିବ ନାହିଁ ? ନା, ନା, ମୁଁ ବଞ୍ଚିବି । ମୁଁ ମରିବି ନାହିଁ, ମୁଁ ମାଆ ହେବି.....

 

ମୋରି ପେଟଭିତରେ ତାଙ୍କର ଯେଉଁ ଅପୂର୍ବ ଅବଦାନ ନିତିପ୍ରତି ଖେଳାବୁଲା କରୁଛି, ତାରି ସଂଧାନ, ତାରି ଇତିବୃତ୍ତି, ତାରି ଇତିହାସ ଜାଣିଥିଲୁ ଆମେ ଦୁଇଜଣ । ସେ ଆଉ ମୁଁ.....ତା’ ଭିତରୁ ଜଣେ ଏ ପାରିରେ ଜୀଇଛି ଆଉ ଜଣେ ସେପାରିରେ....

 

ଭାଇଙ୍କର ମରିବାର ଦିନ ପନ୍ଦରଟା ପରେ ନିତୁ ଆମ ଘରେ ପାଦ ଦେଲେ–ତାଙ୍କରି ନୂଆଉକୁ ନେଇ ଯିବାପାଇଁ–

 

ଘରେ ଆମର କାନ୍ଦ ବୋବାଳି ପଡ଼ିଗଲା । ବାପା ବୋଉଙ୍କର ଏକାଜିଦ୍ ସେ ଛାଡ଼ିବେ ନାହିଁ । କେଉଁ ଛଅଟା ନଅଟା ଅଛନ୍ତି ଯେ ଗୋଟାଏ ବୋଲି ଝିଅକୁ ପୋଷି ପାରିବେ ନାହିଁ ? ଝିଅ ଯେତେବେଳେ ଜନ୍ମ କରିଛନ୍ତି ତାଙ୍କର ମୋଠାରୁ ସେବା ଶୁଶ୍ରୂଷା ପାଇବାର ହକ୍‌ ଦାବି ଅଛି ।

 

ନିତୁ କାନ୍ଦି କାନ୍ଦି ଫେରିଲେ । ମୁହଁରୁ ମୋର ପଦେ କଥା ସୁଦ୍ଧା ବାହାରିଲା ନାହିଁ ।

 

ଚାହୁଁ ଚାହୁଁ ଦିନ ପନ୍ଦରଟା ଯାଇନାହିଁ । ପୁଣି ନିତୁ ଆସି ଆମଘରେ ପହଞ୍ଚିଲେ । ମୁହଁ ତାଙ୍କର ସୁଖି କଳାକାଠ ପଡ଼ି ଯାଇଥାଏ । ଦେହରେ ସେ ପୂରୁବ ରୂପ ଲାବଣ୍ୟ ଝାଉଁଳି ପଡ଼ିଥାଏ । ଜ୍ୱାଇଁ ହିସାବରେ ତାଙ୍କର ଯେଉଁ ମାନ ସମ୍ମାନ ଆମଘରୁ ପାଇବାର କଥା, ସେଥିରେ ଆମେ ତିଳେ ମାତ୍ର ତ୍ରୁଟି କରିନଥିଲୁ । କାରଣ ଭାଇ ଥିଲେ ଅନାଦର ତାଙ୍କୁ ଯେତେ ବାଧନ୍ତା ନାହିଁ ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ବେଶୀ ବାଧିବ ଏଇ ଆଶଙ୍କାରେ ।

 

ବାରି କୂଅମୂଳେ ମୁଁ ଠିଆହୋଇ ଏପାଖ ସେପାଖ ବୁଲୁଥାଏ ସେ କୂଅଉପରେ ଚାନ୍ଦିନୀରେ ବସିଥାଆନ୍ତି । ବାରିସାରା ତୋଫା ଜହ୍ନ ଆଲୁଅ ବିଛାଡ଼ି ହୋଇ ପଡ଼ିଥାଏ । ଏଇ ସମୟରେ ନିହାତି କରୁଣ ଗଳାରେ ସେ କହିଲେ ନୂଆଉ, ଭାଇ ସିନା ଚାଲିଗଲେ ତା’ ବୋଲି ତୁମେ ସ୍ନେହ ଆଦରରେ ଯେଉଁ ଗୁଡ଼ିକୁ ମୋର କରି ଗଢ଼ିଥିଲ–ସେଗୁଡ଼ିକୁ ମଧ୍ୟ ଟିକେ ଆଡ଼ ଆଖିରେ ଚାହିଁବ ନାହିଁ ? ଭାଇଙ୍କ ଗଲା ପରେ ପରେ ତୁମ ମନରୁ କ’ଣ ଆମେମାନେ ମଧ୍ୟ ମରିଗଲୁଣି ? ବାପାଙ୍କ ଆଖିରୁ ଏ ବୟସରେ ଲୁହ ବୁହାଇ ତୁମେ କ’ଣ ଏଠାରେ....

 

ଦୁଖରେ ଦୀର୍ଘ ନିଃଶ୍ୱାସ ପକାଇ କହିଲି, ବୁଝିଲ ନିତୁ–ତୁମେ ପିଲା ଲୋକ–ଦୁନିଆର ମତିଗତି ଚାଲିଚଳନ ପ୍ରତି ତୁମର ଆଦୌ ଜ୍ଞାନ ନାହିଁ । ସବୁକଥା ଗୋଟି ଗୋଟି କରି ପରେ ବୁଝିପାରିବ । ମୁଁ ଦିନେ ତୁମକୁ କହିଥିଲି ନା–ମୋର ସାନ ଭଉଣୀ ଆସିଲେ, ସେ ଘର ସଜାଡ଼ିବାରେ ଲାଗି ପଡ଼ିଲେ ମୋତେ ଛୁଟି ମିଳିବ । ଘରେ ମୁଁ ରତ୍ନମଣୀକୁ ଛାଡ଼ିଦେଇ ଆସିଛି–ସେ ମଣି ନୁହେଁ ସାକ୍ଷାତ ରତ୍ନଟିଏ । ମୋରି ମଣି ନାଆଁରେ ତୁମେ ଆପତ୍ତି କରିବାକୁ ଆସିଛ ଯେ ସେ ବାପାଙ୍କ ଆଖିରୁ ଲୁହ ପୋଛି ପାରୁନାହିଁ ? ସେବାରେ ତାଙ୍କ ମୁହଁରେ ହସ ଫୁଟାଇ ଆଶୀର୍ବାଦ କଣିକା ପାଇପାରୁ ନାହିଁ ? ନୁହେଁ ? ଟିକିଏ ଚଢ଼ା ଗଳାରେ ଏତକ କହିଲି, ପୁଣି ନରମି ଯାଇ କହିଲି, ଆଦର ସିନିହ ଯେଉଁଠି ଥିବ ସେଠାକୁ ମଣିଷକୁ କେହି ଟାଣିନେଇ ଯାଇପାରିବ ନାହିଁ । ସେ ଆପେ ଆପେ ଚାଲିଯିବ । ମୁଁ ଯଦି ତୁମକୁ ଭାଇ ପରି ଓ ତୁମେ ଯଦି ମୋତେ ବଡ଼ ଭଉଣୀ ପରି ଦେଖିଥିବ ତେବେ ସେଇ ସ୍ନେହ ଭକ୍ତି ମୋତେ ଟାଣି ଟାଣି ନେଇଯିବ । ମୁଁ କ’ଣ ଏଠାରେ ବେଶୀଦିନ ରହିବି ବୋଲି ଆଶା କରୁଛ ? ଭାଇ ସିନା ଚାଲି ଯାଇଛନ୍ତି; କିନ୍ତୁ ନୂଆଉ ଜୀଇ ବସିଛି ମ । ମୁଁ ଥାଉ ଥାଉ ତୁମର କୌଣସି ଅସୁବିଧା ହେବ ନାହିଁ । ତୁମେ ମୋ ଆଖିରେ ସବୁଦିନ ପାଇଁ ଆଦରର ହୋଇ ରହିବ କିନ୍ତୁ ତୁମ ମନ.....

 

ଚମକି ପଡ଼ି ସେ କହି ଉଠିଲେ–ନୂଆଉ–ତୁମ ମୁହଁରୁ ପୁଣି ଏକଥା ବାହାରିଲା ? ମୋ ମନ କ’ଣ ତୁମେ ଆଜି ପର୍ଯ୍ୟନ୍ତ ଚିହ୍ନିପାରିଲ ନାହିଁ ? କୁହ, କୁହ ନୂଆଉ–ତୁମେ କ’ଣ ସେଇ ଆଶଙ୍କାରେ ଆମ ଘରେ ପାଦ ପକାଇବାକୁ ଆଗେଇ ଆସୁ ନାହଁ ।

 

ହସି ହସି କହିଲି, ସେ ସବୁ ମିଛ କଥା–ମୁଁ ନିଶ୍ଚୟ ତୁମ ଗାଁକୁ ଯିବି । କିନ୍ତୁ ବର୍ତ୍ତମାନ ନୁହେଁ......ଡେରି ଅଛି ।

 

ଦୁଃଖରେ ଦୁଇ ତିନିଦିନ ରହି ନିତୁ ଫେରନ୍ତି । ଏଇପରି ପ୍ରାୟ ପନ୍ଦର କୋଡ଼ିଏ ଦିନ ତଫାତ୍‌ରେ ସେ ବରାବର ଆସନ୍ତି ମୋ ମନ ଭୁଲାଇବା ପାଇଁ, ମୋ ମୁହଁରେ ହସ ଦେଖିବାପାଇଁ । ମଣି କେତେ ଜିନିଷ ତାଙ୍କ ହାତରେ ପଠାଇଥାଏ । ମନରୁ ଚିନ୍ତା କୀଟକୁ ବାହାର କରିଦେବା ଉଦ୍ଦେଶ୍ୟରେ ନୂଆ ନୂଆ ସିଲେଇ କାମର ଫରମାସ ଦିଏ ।

 

ସମୟର ସୁଅ ବହିଚାଲେ........

 

ଦି’ ଦିନର ସ୍ନେହ ସୁଆଗ ମୋ ମନରୁ ମରେ ନାହିଁ । ଯୁଗ ଯୁଗ ପାଇଁ ମୋ ଅନ୍ତର ମନ୍ଥନ କରିପକାଏ..... ।

 

ଦେହରେ ମୋର ଦିନକୁ ଦିନ ପ୍ରତିପଦର ଜହ୍ନମାମୁଁ ବଢ଼ି ଚାଲିଲା ପରି ତାଙ୍କରି ପ୍ରତିରୂପ ବଢ଼ି ଚାଲିଥାଏ । ମୋରି ରକ୍ତରୁ ଖାଦ୍ୟ ନେଇ । ଦେହ ମୁଣ୍ଡ ବେଳେବେଳେ ଭାରିଲାଗେ-। ଦେହ ରସମସ୍‌ ହୁଏ । କୌଣସି କାମ କରିବାକୁ ସ୍ପୃହା ଆସେ ନାହିଁ । କିନ୍ତୁ ଏଇ ସବୁକୁ ମୁଁ ଫୁଟିକିରେ ଉଡ଼େଇ ସଙ୍ଗେ ସଙ୍ଗେ ମନରୁ ଭୁଲି ଯାଉଥିଲି କେବଳ ଗୋଟାଏ ଅଜଣା ମାତୃତ୍ୱର ଗର୍ବରେ ।

 

ସେ ଗଲାଦିନଠାରୁ ମୁଁ ଆଉ ବେଶୀ ଦାଣ୍ଡକୁ ବାହାରେ ନାହିଁ କି ବେଶୀ କାହା ସଙ୍ଗରେ କଥାବାର୍ତ୍ତା କରିବାକୁ ଇଛାହୁଏ ନାହିଁ । ଘରର ଯାବତୀୟ କାମରେ ନିଜକୁ ହଜାଇ ଦିଏ । ହାତେ ମାପି ଚାଖଣ୍ଡେ ଚାଲିବାକୁ ଚେଷ୍ଟା କରେ । ପରର ଭଲ ମନ୍ଦରେ ନ ରହିଲେ ଆମ ଭଲ ମନ୍ଦରେ ମଧ୍ୟ କିଏ କାହିଁକି ପଦେ ପାଟି ଫିଟାଇ କହିବାକୁ ଯିବ । ଏଇ ଆଘାତରେ....

 

ଦୁନିଆରେ ମଣିଷ ଯେତେ ସତର୍କ ହୋଇ, ସାବଧାନ ହୋଇ ଚଳିଲେ ସୁଦ୍ଧା କେଉଁ ସମୟରେ ଯେ ତା’ର ଚଲାବାଟରେ କଣ୍ଟା ପଡ଼ିଯାଏ, ସେ ଜାଣିପାରେନା । ତାରି ଅଜାଣତରେ ସବୁକିଛି ହୋଇଯାଏ......ଆହୁରି ଏ ଦୁନିଆ ସଜ ମାଉଁସରେ ଏତେ ଶୀଘ୍ର ପୋକ ପକାଇ ଦେଇପାରେ, ଏତେଶୀଘ୍ର ଭଲକୁ ଭେଲ କରିପାରେ ଦେଖିଲେ ଯେତିକି ହସମାଡ଼େ ସେତିକି ବି ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ମୁଁ ସିନା ଡରିମରି, ନିଜକୁ ସମସ୍ତ ବାଦ ଅପବାଦରୁ ଦୂରେଇ ରଖିବା ପାଇଁ କାହା ପାଖକୁ ଗଲିନାହିଁ । କାହାସଙ୍ଗେ କଥା ହେଲି ନାହିଁ କିନ୍ତୁ ଏତେ ଡରି ଡରି ସୁଦ୍ଧା ସେଇ ଅପବାଦ ସେଇ ଘୃଣା ସବୁ ମୋ ଉପରକୁ ମାଡ଼ିଆସିଲା । ଯେଉଁଥିପାଇଁ ଡରିମରି ଯେଉଁ ଦୁର୍ବଳତାକୁ ପ୍ରଶ୍ରୟ ନ ଦେବାକୁ ମୁଁ ତାଙ୍କ ଘରକୁ ଯାଇ ଏ ବଅସରେ ରହିବାକୁ ରାଜି ହେଲି ନାହିଁ, ସେଇ ଅପବାଦ ମଧ୍ୟ ଏଠାରେ ରହିଲେ ସୁଦ୍ଧା ମୋ ଉପରକୁ ମାଡ଼ି ଆସିଲା ।

 

ଚମ ବାଇଦ ସିନା କୋଶେ ; କିନ୍ତୁ ତୁଣ୍ଡ ବାଇଦ ସହସ୍ରକୋଶ । ଦିନେ ଗାଁସାରା ଡିବି ଡିବି କରି ତୁଣ୍ଡ ବାଇଦଗୁଡ଼ିକ ବାଜିଉଠିଲେ । ‘‘ନିତୁ ମୋ ଦିଅର ଆଡ଼ୁ ମୋରି କୋଳରେ ପୁଅ ଖେଳିବ–ବିଧବା ହୋଇ ଏ କଞ୍ଚା ବଅସରେ ମୁଁ ଯୁବକ ଦିଅରଆଡ଼ୁ ମା’ ହେବାକୁ ଯାଉଛି । ମୁଁ ବ୍ୟଭିଚାରିଣୀ, କଳଙ୍କିନୀ ଏତେବଡ଼ ଦୁଇଟା ଖାନଦାନୀ ବୁନିଆଦିରେ କଳା ଲେପିଲି ।’’

 

ବଜ୍ର ପରି ଏ ତୁଣ୍ଡବାଇଦ ଯେଉଁଦିନ ମୋ କାନରେ ବାଜିଲା, ମୁଣ୍ଡକଣ ହୋଇଗଲା । ଚାରିଆଡ଼ ଅନ୍ଧାର ଦିଶିଲା । ଦୁଲକରି ତଳେ ପଡ଼ିଗଲି ।

 

ଆଖି ଯେତେବେଳେ ଖୋଲି ଦେଖିଲି ବୋଉ ମୋତେ କୋଳରେ ଧରି କାନ୍ଦୁଛି ।

 

।। କୋଡ଼ିଏ ।।

 

ସରଗଲଗା ଦୂର ତାଳବନ ଉପରେ ମେଞ୍ଚି ମେଞ୍ଚି କଳା ବଉଦ ଭିତରୁ ଚାନ୍ଦ ଉଠି ଆସିଥାନ୍ତି । କଳା କଳା ବଉଦ ଦୋଳିରେ ଚାନ୍ଦକୁ ଝୁଲାଉ ଝୁଲାଉ ତାରା ସଖୀମାନେ ସବୁ ଚୁପି ଚୁପି ହସି ଉଠି ଆଖି ଠରାଠରି ହେଉଥାଆନ୍ତି । ବାଡ଼ିତଳ ବାଉଁଶ ବଣ ଭିତରେ କପୋତୀଟିଏ ବସି ତା’ର କେଉଁ ଅନାଗତ ପ୍ରିୟ ପାଇଁ ବାହୁନି ଉଠୁଥାଏ......

 

ପିଣ୍ଡାରେ ସପଟା ପକାଇ ତୋଫା ଜହ୍ନ ଆଲୁଅରେ ଚିତ୍ର ହୋଇ ଶୋଇରହି ଖୋଲା ଆକାଶକୁ ଚାହିଁ ରହିଥାଏ । ଅଥଳ ଚିନ୍ତା ସାଗରରେ ମନ ମୀନ ମୋର ଛଟପଟ ହେଉଥାଏ ।

 

ମୁଁ ଭାବୁଥାଏ ଜନରବ କ’ଣ ଏତେଶୀଘ୍ର ହୁ–ହୁ–ହୋଇ ବଢ଼ିଚାଲେ ! ପ୍ରକୃତ କଥା କେହି ତ ବୁଝିବାକୁ ଆଗେଇ ଆସନ୍ତି ନାହିଁ । ପରର ଭଲ ଦେଖିବା ଅପେକ୍ଷା ଆମର ସାଇ ପଡ଼ିଶାମାନେ ପରର ମନ୍ଦ ଗୁଣଟାକୁ କାହିଁକି ବେଶୀ ପସନ୍ଦ କରନ୍ତି ? କ’ଣ ବା ଲାଭ ମିଳେ ତାଙ୍କୁ ଏଥିରୁ ?

 

ବାପା ଏକଥା ଶୁଣି ଘରେ ପଶୁନାହାନ୍ତି କି ମୋ ମୁହଁକୁ ଚାହିଁ କରି କଥା ସୁଦ୍ଧା କହୁ ନଥାନ୍ତି । ଖାଲି ଭାଗ୍ୟର ଦୋଷ କହି ଭାଗ୍ୟକୁ ନିନ୍ଦୁଥାନ୍ତି । ବୋଉ ମୂକଭଳି ଯେଉଁଠି ବସେ ସେଇଠି ବସିଥାଏ । ଆଖିରେ ତା’ର ଲୁହ ଢଳ ଢଳ ହୋଇଉଠେ । ପାଟିକୁ କହିବା ପାଇଁ କଥା ଆସେ ନାହିଁ । ଦାଣ୍ଡ ଘାଟରେ ବାର ଲୋକଙ୍କର ବାରକଥା ଶୁଣି ଚୁପ୍‌ ରହେ ।

 

ବାପା ବୋଉଙ୍କୁ ଦେଖିଲେ ମନ ମୋର କାନ୍ଦିଉଠେ । ପ୍ରକୃତ କଥାଟା ପକାଇବାକୁ ଜିଭ ଟକ୍‌ ଟକ୍‌ ହୁଏ । କିନ୍ତୁ ଲାଜ ସରମରେ ଜିଭ ଲେଉଟେ ନାହିଁ । ଭାବେ ମା’, ବାପା ହୋଇ ସେ ଯଦି ଲୋକଙ୍କର କଥାରେ ବିଶ୍ୱାସ କରୁଛନ୍ତି ତେବେ କହିବି କାହାକୁ ? ମୋ ଭାଗ୍ୟକୁ ସିନା ନିନ୍ଦିବି । ତା’ ପରେ ପରକ୍ଷଣରେ ଭାବେ ସାତ କଥାରେ ସତୀ ଭୁଲେ; ତେଣୁ ତାଙ୍କର ବା ଦୋଷ କ’ଣ ? ସେ ଯାହାହେଉ ଏଇ ଲାଜ ସରମ ଟିକକ ମତେ ଜାଳି ପୋଡ଼ି ଖାଇଲା । ମୁଁ ଜୀଅନ୍ତା ଚିନ୍ତା ଚିତାରେ ଜଳିପୋଡ଼ି ଯିବାକୁ ବସିଲି ।

 

ଏଇ ଗୁଜବ ପରେ ଶଇଳ ଯେ କି ମୋତେ ଦଣ୍ଡେ ନ ଦେଖିଲେ ପାଣି ପିଉନଥିଲେ ସେ ମଧ୍ୟ ଆଡ଼େଇ ରହିଛି । ହୁଏତ ତା’ ବାପା, ବୋଉଙ୍କ ତାଗିଦାରେ କିମ୍ବା ନିଜର ଇଚ୍ଛା ଅନୁସାରେ ଆସିବାକୁ ନାରାଜ । ନିଜର ଅନ୍ତର ଖୋଲି ସତକଥା ପଦକ ଯାହା ଆଗରେ କହି ବସନ୍ତି ସେ ମଧ୍ୟ ଅଲଗା ରହିଲା । ସାଙ୍ଗ ସମବଅସୀ ଏମାନଙ୍କ ଆଗରେ ସିନା ଏକଥା କହି ହୁଏ-। ପୁଣି ପରକ୍ଷଣରେ ଭାବେ ଶନିଦଶା ଭଳି ତ ଦଶା ପଡ଼ିଛି ଯେତେ ଭଲେଇ ହେବାକୁ ଚେଷ୍ଟା କଲେ କ’ଣ ମୋ ଚରିତ୍ରରେ କେହି ସଂଦେହ କରିବେ ନାହିଁ ?

 

ଘରକୁ ଆମର କେତେ ବୁଢ଼ୀ ମାଇପେ ଆସନ୍ତି । ବୋଉ ସଙ୍ଗେ ଏଣୁତେଣୁ କଥାବାର୍ତ୍ତା ହୋଇ ଫେରନ୍ତି । ସମସ୍ତଙ୍କର ଆସିବା ଭିତରେ କି ଉଦ୍ଦେଶ୍ୟ ଥାଏ ମୁଁ ଜାଣିପାରୁ ନ ଥାଏ....

 

ହୀରା ଅପା, ଆମ ଗାଁ ଯାକର ଅପା ସିଏ । ଆମ ଗାଁରେ ସେ ଯେତେବେଳେ ଆସି ପାଦଦିଏ ସେତେବେଳେ ତାଙ୍କ ଘରେ ମୂଷା ଏକାଦଶୀ କରିବାକୁ ଧାନ ମୁଣ୍ଡି ସୂଦ୍ଧା ନଥାଏ । ଏଡ଼େ ଚତୁରୀ ସିଏ ଯେ ବରଷ ଦିଇଟାରେ ମହାପ୍ରସାଦ ବାଣ୍ଟି ଧରମ ପିଉସା, ମାଉସୀ, ଭଉଣୀ କରି ଘରକୁ ଟେକିଦେଲା । ଗାଁରେ ଦଶ ପଚାଶ ଜଣଙ୍କ ସଙ୍ଗରେ ସମାନ ହୋଇଗଲା । ପାଣିରେ ସର ପକାଇ ଭଲ ରକମ କଥା କହିପାରେ । ପରର ଦୁଃଖରେ ମିଛରେ ଛଳନା କରି ଆଖିରୁ ତା’ର ଲୁହ ଝରାଇପାରେ । ନିଜର ସ୍ୱାର୍ଥପାଇଁ ଉପରେ ପାଣି ସିଞ୍ଚି ଭିତରେ ଭିତରେ ଚେର କାଟିପାରେ । ସେଇ ହୀରା ଅପା, ପରର ମଙ୍ଗଳ କରିବା ତା’ର ଜାତକରେ ନ ଥାଏ । ତା’ ଜାଣିଲେ ସୁଦ୍ଧା ଧର୍ମକୁ ଲଙ୍ଘନ କରି ତାରି ମନଭୁଲାଣିଆ ଝଳନା କଥାରେ କେହି ଭରସି ଚଢ଼ା ଉତ୍ତର ଦେଇ ପାରନ୍ତିନାହିଁ-। ସମସ୍ତେ ତାରି କଥାରେ ଭୁଲିଯାଆନ୍ତି ।

 

ଦିନକର ସକାଳୁ କଅଁଳ ଖରାରେ ପିଠିଟାକୁ ଦେଖାଇ ମୁଁ ବସି ଘର ପିଣ୍ଡାଟା ଲିପୁଥାଏ-। ଏଇ ସମୟରେ କେତେବେଳୁ ହୀରାଅପା ଆମ ଘରକୁ ଆସି ବୋଉ ସଙ୍ଗେ ଗପ ଲଗାଇ ଦେଇଥାଏ । ତା’ ଉପରେ ମନ ମୋର ପିଲାଦିନୁ ସଂଦେହୀ । କେତେବେଳେ ସୁଦ୍ଧା ମୁଁ ତାକୁ ଅନ୍ତର ଭରି ଭଲପାଇପାରୁନଥିଲି । କାରଣ ତା’ର ଚାଲିଚଳନ ମୋତେ ଖୁବ୍‌ ଭଲ ରକମ୍‌ ମାଲୁମ ଥିଲା । ଏଇଥିପାଇଁ....

 

ମୋ ମୁଣ୍ଡରୁ ସିନ୍ଦୂର ଲିଭିବା ପରେ ସେ ବାରମ୍ବାର ମୋ ଦୁଃଖରେ ସମବେଦନା, ସହାନୁଭୂତି ଦେଖାଇ, ଆମ ଘରକୁ ଆସେ । ମିଛରେ ବାପା ବୋଉଙ୍କ ଆଗରେ ଅଯଥାରେ ଲୁହ ଢାଳେ । ମୋତେ ଏଥିପାଇଁ ବଡ଼ ଚିଡ଼ିଲାଗେ ।

 

ବିପଦର ସୀମା ପାରି ହୋଇଗଲେ ମଣିଷ ଆଉ କାନ୍ଦେନା ବରଂ ହସେ । ବଡ଼ କରୁଣ ଆଉ ମର୍ମନ୍ତୁଦ ସେ ହସ । ମୋ ଦୁଃଖ ପାଇଁ ମୁଁ ଯେତେ ଭାବୁ ନଥିଲି, ମୋ ପାଇଁ ଆଉ ଜଣେ ଛଳନା କରି ମୋତେ ଦେଖାଇ ଖତେଇ ହେଲାପରି ଦୁଃଖ କରିବାର ଦେଖି ମୁଁ ଅନ୍ତରେ ଅନ୍ତରେ, ରାଗରେ ଜଳିପୋଡ଼ି ଯାଉଥିଲି ।

 

ମୁଁ ଜାଣେନା– ଘର ଲିଖିବା ଭିତରେ ମୋ କାନଟା କାହିଁକି ଆପଣା ଛାଏଁ ଛାଏଁ ସେ ଆଡ଼କୁ ଟାଣି ହୋଇଗଲା ।

 

ସେ ତା’ର କହି ଚାଲିଥାଏ...ହଁ ଲତା ବୋଉ–ପିଲାବେଳେ ସେ ସବୁ ହୋଇଥାଏ । ଯେତେହେଲେ ଭଗବାନ ସିନା ସହିଲେ ନାହିଁ; ନ ହେଲେ ଲତା ସାଙ୍ଗରେ ଶଇଳ ପ୍ରଭୃତି ପରା ଅଦ୍ୟାବଧି ବିଭା ହୋଇନାହାନ୍ତି । ହଁ, ହଁ କେଉଁ ବୁଢ଼ୀ ହାଡ଼ି ହୋଇଯାଇଥାନ୍ତା ଦାଣ୍ଡରେ ନାଁଟା ପକାଇଦେଲା ବୋଲି ଆମେ ତ ଭୁଲ କରି ବସିଛେ କହିବା କାହାକୁ । ଯାହା ହେବାର ହୋଇଗଲାଣି, ସେ ସବୁ କଥାକୁ ଭାବିଲେ କିଛି ଲାଭ ନାହିଁ । ବର୍ତ୍ତମାନ ଏହାର ଗୋଟାଏ କିଛି ଉପାୟ କରିବାକୁ ହେବ । ଯେପରି କଥାଟା ବାହାରକୁ ଫୁଟିଆରା ହୋଇ ବାହାରି ନ ପଡ଼େ ।

 

ବୋଉ କାନ୍ଦୁ କାନ୍ଦୁ କହିଲା– ମୋତେ ତ କିଛି ବୁଦ୍ଧିବାଟ ଦିଶୁନାହିଁ କି ଅଲେକ୍ଷଣୀଟାଏ ମୋ କୋଳରେ ଜନମ ହୋଇଥିଲା ଯେ ମୋତେ ଜୀବନ ସାରା ଦହଗଞ୍ଜ କରି ମାରି ଖାଇଲା ।

 

ତା’ ପାଟିରୁ ଏତକ ଶୁଣି ଚମକିପଡ଼ିଲି । ଭାବିଲି ହଁ, ହଁ ମୁଁ ପ୍ରକୃତରେ ଅଲେକ୍ଷଣୀ– ବାହା ହବାର ଚାରିବର୍ଷ ନ ପୁରୁଣୁ ମୁଁ ଯେତେବେଳେ ମୋର ରାଜକୁମାର ଭଳି ସ୍ୱାମୀଙ୍କୁ ଖାଇ ବସିଛି ସେତେବେଳେ ମୁଁ ତ ଘଇତାଖାଇ, ଅଲେକ୍ଷଣୀ ନିଶ୍ଚୟ...

 

ଅପା ଚୁପ୍ ଚୁପ୍ କରି କହିଲା– ଆମ କରଣଘରେ ତ ଆଜିକାଲି ବିଧବା ବିବାହ ଚାଲିଲାଣି । କାଆଲି କି କାଲି ଆମ ମୁଣ୍ଡରୁ ବୋଝ ଉଠାଇଦେଲେ ଆମେ ଉଶ୍ୱାସ...

 

ବୋଉ ଦୀର୍ଘନିଶ୍ୱାସ ପକାଇ କହିଲା–କରିବା–କ’ଣ କରିବାର ଆଉ ଅଛି ? ଦେଖୁଛ ଏ ବିପଦରେ ନିଜର ରକ୍ତଲଗା ବନ୍ଧୁମାନେ ସମସ୍ତେ ଦୂରେଇ ରହୁଛନ୍ତି । ପାଖରେ ପଶୁନାହାନ୍ତି । ଲୁଣ ଆଗୁଆଏ ସୁଦ୍ଧା ଉଧାର ଦେଉନାହାନ୍ତି– ଛିଃ, ଛିଃ–ଦୂର–ଦୂର କରୁଛନ୍ତି । କେଉଁ ସୁକୃତରୁ ତୁମେ ଟିକିଏ ଆସି ଯାହା ପଚାରୁଛ । ଯାହା କରିବାର ତୁମେ କର । ମତେ କ’ଣ ପଚାରୁଛ– ସବୁ ତୁମ ହାତରେ...

 

ଗଳାଟାକୁ ଟିକିଏ ନରମାଇ ଦେଇ ହୀରାଅପା କହିଲା– ହଁ, ତୁମେ ସିନା ଗୋଡ଼ରେ ଫିଙ୍ଗିଦେବ– ପର କରିଦେବ; କିନ୍ତୁ ମୁଁ ଯେତେବେଳେ ଜଗନ୍ନାଥ ଅନ୍ନ ମହାପ୍ରସାଦ ଦେଇ ଭାଇ କରିଛି ସେତେବେଳେ ମୋ ଆଡ଼ୁ ମୁଁ ତ ଜଗନ୍ନାଥଙ୍କଠାରେ ଦୋରହା ହୋଇପାରିବି ନାହିଁ । ସେ ଯାହାହେଉ– ମାସ ଦିଇଟା ତ ହୋଇ ନାହିଁ– ଏଥିପାଇଁ ଏତେ ଚିନ୍ତା କାହିଁକି ? ମୁଁ ବନାମାଆ ତଅଁଳାଣି ସାଙ୍ଗରେ କଥା କରିଛି । ସେ କହିଛି କ’ଣ ଔଷଧ ଦେବ ଯେ, ତାକୁଲ ତାକୁ ଖୁଆଇ ଦେଲେ କାଲି ସକାଳେ ଆମକୁ କେହି ପଦେ ପାଟି ଫିଟାଇ କହିପାରିବେ ନାହିଁ । ସେଇ ଗାଁ ଲୋକଙ୍କ ମୁହଁରେ ଓଲଟି ଚାପୁଡ଼ା ମାରି ଆମେ କହିବା, କାହିଁକି ଦେହ ଥିଲେ ତ ଚଉଷଠି ପ୍ରକାର ରୋଗ ବଇରାଗ ଅଛି । କୋଉଥିପାଇଁ କ’ଣ ହୋଇଯାଇଥିଲା କିଏ କହିପାରିବ ? ମଣିଷ ହୋଇ ପୁଣି ଏହା କ’ଣ ହେଉନାହିଁ ?

 

ବୋଉ ବିକଳରେ ତା’ ହାତ ଧରିପକାଇ କହିଲା– ଅପା, ତୁମ ଋଣ ମୁଁ ଜୀବନସାରା ଲାଗି ଶୁଝିପାରିବି ନାହିଁ । ମୋତେ ଏ କଳଙ୍କ ପସରାରୁ ରକ୍ଷାକର ।

 

ହୀରା ଅପା ଗଲାବେଳେ କହିଗଲା, ସବୁ କଥା ହେବ । ଚିନ୍ତା କର ନାହିଁ । ହେଲେ ଲତାକୁ ଏସବୁ କିଛି ଜଣାଇବ ନାହିଁ । କେଉଁ ଛଟକରେ କିପରି ଦେଇଦେବ । ସେ ଯେପରି ତା’ର ଟେର ନ ପାଏ । ସେ ଟୋକୀ ଖଣ୍ଡକୁ କ’ଣ କମ୍‌ ବୋଲି ଭାବିଛ କି ? ଦିନ ଦିଇଟାରେ ପରା ଆମର ମାନ ସନମାନ ଦି କଡ଼ାର କରି ଦାଣ୍ଡରେ ଥୋଇଦେଲା । ହୁଁ...

 

ହାତରୁ ମୋର ଲୁଣ୍ଡାକନାଟା ଖସିପଡ଼ିଲା; ମୁଣ୍ଡରେ ହାତଦେଇ ସେଇଠି ବସିପଡ଼ିଲି...

 

ଘର ଲିପା ସେତିକିରେ ରହିଲା । ମାଟିଗୋବର ହାଣ୍ଡିଟାକୁ ଥୋଇଦେଇ କୂଅମୂଳେ ପାଣି ଦିଇଟା ଅଜାଡ଼ି ହୋଇ ଅଖିଆ ଅପିଆ ମଝିଘରେ ସନ୍ତରା ମସିଣାଟା ପକେଇ ମୁହଁମାଡ଼ି ଶୋଇ ରହିଲି ।

 

ତକିଆଟାରେ ମୁହଁଟାକୁ ଗୁଞ୍ଜି ରଖି କଇଁ କଇଁ ହୋଇ କାନ୍ଦିଉଠିଲି । ଖାଲି ଭାବିବାକୁ ଲାଗିଲି, କି ଦୁର୍ଯୋଗରେ ମୁଁ ମାଟି ଉପରକୁ ଆସିଥିଲି ଯେ, ଖାଲି ଦହଗଞ୍ଜ ହୋଇ ମରିବା ପାଇଁ । ବୋଉ ନିଜର ଅନ୍ତଫାଡ଼ି ମୋତେ ଜନମ ଦେଇ ମୋ ଅନ୍ତର କଥା ମଧ୍ୟ ବୁଝିବାକୁ ଚେଷ୍ଟା କଲା ନାହିଁ । ପର କଥାରେ ଭୁଲିଲା । ପୁଣି ପରକ୍ଷଣରେ ଭାବିଲି ନିଜ ହାତରେ ତ ଦୋଷ କରିଛି, କହିବି କାହାକୁ । ମୁଁ ଯଦି ନିତୁଙ୍କର ଚିଠିକୁ ସତମଣି ଯାଇଥାନ୍ତି, ତେବେ ଗାଁରେ କ’ଣ ମୋତେ ଆଜି ବାରକଥା ଶୁଣିବାକୁ ପଡ଼ିଥାନ୍ତା ? ବୋଉର ମଧ୍ୟ ସଂଦେହ ହେବାର କଥା । ଜଣା ନାହିଁ– ଶୁଣା ନାହିଁ ମାସ ଦିଇଟା ଜୁଆଇଁଙ୍କର ମରିବାର ହୋଇନାହିଁ । ସେ ଶୁଣିଲା ମୋର ଏପରି ଅବସ୍ଥା । ମୁଁ ଯଦି ଆସିବା ସଙ୍ଗେ ସଙ୍ଗେ ଶଇଳକୁ ଏ କଥା ଜଣାଇ ଦେଇ ପାରିଥାଆନ୍ତି କିମ୍ବା ବୋଉକୁ ମୁହଁ ଖୋଲି କହି ଦେଇ ଥାଆନ୍ତି ତେବେ ଆଜି...

 

ସେମିତି ତକିଆରେ ମୁହଁମାଡ଼ି ମନେମନେ କହିଲି ଏଇଆ ଶୁଣାଇବାକୁ ମୋତେ ଆଜିଯାଏଁ ବଞ୍ଚାଇ ରଖିଛ ହେ ଭଗବାନ ! ଏଡ଼େବଡ଼ ସୃଷ୍ଟିଟାରେ ତୁମର କ’ଣ ବିଷ କଣିକାଏ ସୁଦ୍ଧା ମୋ ପାଇଁ ନାହିଁ । ଯାହା ତ ମୋତେ ଶୁଣାଇବାର ଶୁଣାଇଲ କିନ୍ତୁ ମୋ ସାଙ୍ଗରେ କାହିଁକି ଗୋଟାଏ ସରଳ ନିଷ୍ପାପ ଯୁବକର ଜୀବନକୁ କଳଙ୍କିତ କରୁଛ ? କି ଦୋଷ ସେ ତୁମର କରିଥିଲେ ଯେ, ତାଙ୍କ ଉପରେ ଏ ବିପଦର ପାହାଡ଼ ଲଦି ଦେଉଛ ? ଏଇ ନିନ୍ଦା, ଏଇ ଅପବାଦ, ଏଇ ଅପମାନ ସହି ନ ପାରିବ ବୋଲି ତ ଘରୁ ତାଙ୍କ ସଙ୍ଗରେ ଗୋଡ଼ କାଢ଼ି ତାଙ୍କ ଘରକୁ ଗଲି ନାହିଁ । ସ୍ୱାମୀ ବୋଲି ଯେଉଁ ଦେବତାଙ୍କ ସଙ୍ଗେ ଅଗ୍ନି ସାକ୍ଷୀରଖି ଅନ୍ତରର ରୁଦ୍ଧ ବେଦନାକୁ ଦଳି ଦେଇ ତୁମେ ହାତ ମିଳାଇ ଦେଇଥିଲ ତାଙ୍କୁ ମଧ୍ୟ ଜୀବନସାରା ପାଖରେ ରଖିପାରିଲି ନାହିଁ । ତା’ପରେ ସଦା ସର୍ବଦା ‘‘ଲତା’’ ‘‘ଲତା’’ ସେଇ ମଧୁବୋଳା ସୁର ଭାଇର ଡାକ ତାକୁ ମଧ୍ୟ ଶୁଣାଇ ଦେଲି ନାହିଁ । ହୁଏତ ସେ ଯଦି ଆଜି ମୋର ଏ ବିପଦରେ ଗାଁରେ ଥାଆନ୍ତେ ସେ କି ଶଇଳ ଶଶୀ ପ୍ରଭୃତିଙ୍କ ପରି ଆଡ଼େଇ ହୋଇ ରହିପାରନ୍ତେ । ସେ କ’ଣ ଏହାର ପ୍ରତିକାର ପାଇଁ ତୁଣ୍ଡରେ ‘ଆହା’ ପଦ ଧରି ମୋ ପାଖକୁ ଆଗେଇ ଆସିନଥାନ୍ତେ । କିନ୍ତୁ ସବୁ ଡାଳକୁ ମୋର ଭାଙ୍ଗିଲା । ଦୁନିଆରେ ନିଆଶ୍ରୀ କରି ପେଲିଦେଲା !

 

ଏତେ ଦୁଃଖ ଦେଇ ତୁମ ମନ ସନ୍ତୁଷ୍ଟ ହୋଇନଥିଲା ଯେ, ଯାହାର ପାଟିରୁ ‘ନୂଆଉ’ ‘ନୂଆଉ’ ଡାକ ଶୁଣି ସବୁ ଦୁଃଖ କଷ୍ଟକୁ ଭୁଲିଯିବାକୁ ବସିଥିଲି ମୋ ପାଇଁ ତା’ ଜୀବନରେ ମଧ୍ୟ କଳଙ୍କର ଦାଗ ଦେଲ । ଅକାରଣରେ ମୋ ପାଇଁ ଭାବିବାକୁ ଜୀବନ ସାରା ଛାଡ଼ି ଦେଲ । ଏଥିପାଇଁ କ’ଣ ତୁମକୁ ବିପଦଭଞ୍ଜନ ଆର୍ତ୍ତତ୍ରାଣ କହନ୍ତି ନା !

 

ଆଖିରୁ ମୋର ଲୁହ ଶୁଖି ଆସିଲା । ସମସ୍ତ ଦୁର୍ବଳତାକୁ ଫିଙ୍ଗି ଦୁନିଆ ସଙ୍ଗରେ ଏଇ ସମାଜ ସଙ୍ଗରେ ଲଢ଼ିବାକୁ ବାହାରିଲି । ହୀରାଅପା ଓ ବୋଉ ପ୍ରତି ମନ ମୋର ଘୃଣାରେ ବିଷେଇ ଉଠିଲା । ଭାବିଲି, କେଉଁ ଜନ୍ମର କେଉଁ ପାପଲାଗି ଏ ଜନ୍ମରେ ଏତେ ହୀନସ୍ତା ହେଲିଣି । ସେଥିରେ ପୁଣି ମୁଁ ଭ୍ରୁଣହତ୍ୟା ! ପାତକିନୀ ହୋଇ ଆରଜନ୍ମକୁ ସବୁ ପାପକୁ ସାଇତି ରଖିବ ! ସ୍ୱାମୀଙ୍କୁ ଖାଇ ମନ ମୋର ସନ୍ତୁଷ୍ଟ ହୋଇନାହିଁ ଯେ ତାଙ୍କର ଦାନ, ପ୍ରତିନିଧି ତାକୁ ମଧ୍ୟ ପାଟିରେ ପକାଇ ଗୋଟି ଗୋଟି କରି ଦୁଇଟି ଜୀବନ ସହ ଖେଳ ପୁଣି ତୃତୀୟ ଜଣଙ୍କ ସହ ମୁଣ୍ଡରେ ସିନ୍ଦୂର ଲଗାଇ କଳାକାଚ ନାଇ, ଦହି ମାଛ ଖାଇ ହସି ହସି ଦୁନିଆ ଆଗରେ ସତୀ ବୋଲି ପାଦ ବଢ଼ାଇ ଚାଲିବି ! ଅଧେ ଉତ୍ତେଜନା, ଅଧେ ଆତଙ୍କରେ ମୁଁ ଥରିଉଠିଲି । ଆଜି ମୁଁ ସନ୍ତାନର ମା’ ହେବାକୁ ଯାଉଛି । ଗର୍ଭରେ ମୋର ତିନିମାସ ଭୃଣ । ଏହାକୁ ସମାଜ କହୁଛି ପାପ । କିନ୍ତୁ ମୁଁ ନାରୀ– ପ୍ରତ୍ୟେକ ନାରୀର ମା’ ହେବାର ଜନ୍ମଗତ ଅଧିକାର ଅଛି । ମୁଁ ତ ଅପଥରେ ଯାଇ ମା’ ହେବାକୁ ବସୁନାହିଁ ଯେ ଔଷଧ ଖାଇ ତାକୁ ନଷ୍ଟ କରିଦେବି ? ପ୍ରକୃତରେ ମୋର ଅନ୍ତର କହୁଛି ମୋ ପିଲାର ପ୍ରକୃତ ବାପ କିଏ... ।

 

ଛାଇ ନିଦରେ ଆଖି ମୋର ବୁଜି ହୋଇ ଆସିଲା । ମୋତେ ଜଣାଗଲା ସେ ଯେପରି ମୋ ମୁଣ୍ଡଉପରେ ବସି ତାଙ୍କ ହାତରେ ସରାଗରେ ମୋ ମୁଣ୍ଡକୁ ଆଉଁସି କହୁଛନ୍ତି– ଲତା, ସେଦିନ କଥା କ’ଣ ଭୁଲିଗଲ ? ତୁମକୁ ପରା ସେଦିନ ବୁଝାଇଥିଲି ନାରୀ ପୁରୁଷକୁ କାହିଁକି ବିବାହ କରେ-? ବିବାହ ପଛରେ କେଉଁ ସତ୍ୟ ଲୁଚି ରହିଥାଏ ? ଏତେ ଜାଣି ଶୁଣି ସବୁ ବୁଝିକରି ବିବାହର ସାର୍ଥକତା ଅଙ୍ଗେ ଅଙ୍ଗେ ଲିଭାଇ ପୁଣି ପରପୁରୁଷର ହାତରେ ଆଉଥରେ ସଂସାର କରିବି-? ବିବାହ ହୁଅ, ଥରେ କାହିଁକି ଶହେ ଥର– ଯେତେଥର ଇଚ୍ଛା ସେତେ ଥର । ମନା ନାହିଁ କି ପଥରେ ତୁମର ବାଧା ନାହିଁ । କାରଣ ଆଜିକାଲି ସମାଜରେ ବିଧବା ବିବାହ, ଚୁକ୍ତି ବିବାହ ଚାଲିଲାଣି କିନ୍ତୁ ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିବ ଲତା ? ନାରୀ ବା ପୁରୁଷ ସେମାନଙ୍କର ଜୀବନରେ ଥରେ ବିଭା ହୁଅନ୍ତି ନା ଦଶଥର ? ଜୀବନରେ ଥରକପାଇଁ ବିବାହଟା ମଧୁମୟ ଓ ଆନନ୍ଦ ଦାୟକ ହୁଏନା ଦୁଇଥର ପାଇଁ ?

 

ଚମକିପଡ଼ି ମୁଁ ପ୍ରଳାପ କରିଉଠିଲି । ନା, ନା, ମୁଁ ତା’ କରିପାରିବି ନାହିଁ । ନାହିଁ... ।

 

ଏଇ ସମୟରେ ବୋଉ ଆସି ମୋତେ ହଲେଇ ଦେଇ କହିଲା, ରାଜଜେମାଙ୍କର କାହିଁକି ଗାଧୋଇ ଆସୁ ଆସୁ ଆଖିକୁ ନିଦ ଆସିଗଲା ମ ? ତୁଚ୍ଛାଟାକୁ ତ ଶୁଭଗୁଡ଼ା ମାଡ଼ି ଯାଉଛି– ସେଥିପାଇଁ ଗୁରୁବାର ପରା ଦିନଟାରେ..

 

ଛାତିରୁ ମୋର ନିଆଁ ଖସିପଡ଼ିଲା । ଲୁଗାପଟା ସଜାଡ଼ି ନେଇ ଶେଯରୁ ଉଠି ବସିଲି ।

 

।। ଏକୋଇଶି ।।

 

ବୋଉର ସେଇ ସ୍ୱାର୍ଥମିଶା ସ୍ନେହ ସୁଆଗ, ହୀରା ଅପାର ଛଳନାପୂର୍ଣ୍ଣ ଲୁହ ମୋ ଜୀବନରେ କାଳ ହେଲା.....

 

ମୁଁ ଅଲକ୍ଷଣୀ ଯଦି ଘର ଲିପୁ ଲିପୁ କାନପାତି ସେମାନଙ୍କର କଥା ଶୁଣିନଥାନ୍ତି ତେବେ ମୋତେ ଆଜି ଏତେ ଭାବିବାକୁ ପଡ଼ି ନ ଥାନ୍ତା କିମ୍ବା କୁଳ, ଧର୍ମ, ମାନ, ଇଜତକୁ ପାଦରେ ଠେଲିଦେବାକୁ ହୋଇନଥାନ୍ତା । ହୁଏତ କିଏ ଜାଣେ କେଉଁ ଛଟକରେ କେତେବେଳେ ସେମାନଙ୍କର ଉଦ୍ଦେଶ୍ୟ ହାସଲ କରିନେଇ ଯାଇଥାଆନ୍ତେ......

 

ବୋଧହୁଏ ଏଇ ଅପବାଦର ଢେଉ ଯାଇ ତାଙ୍କ ଘରେ ବାଜିଛି । ସେଥିପାଇଁ ନିଜର ମାନ, ଇଜତକୁ ଡରି ନିତୁ ଆଉ ଆମ ଘରକୁ ଆସୁ ନ ଥାନ୍ତି । ମନେମନେ ତାଙ୍କ ଉପରେ ହସିଉଠି ଆଶୀର୍ବାଦ କରି କହିଉଠିଲି; ହଁ ହଁ ନିତୁ, ତୁମେ ନ ଆସିଛ ଭଲ କରିଚ । ତୁମର ଆମ ଘରକୁ ବାର ବାର ଆସିବାଟା ଯେତେବେଳେ ମୋ ପକ୍ଷରେ କାଳ ହେଲା ତୁମର ସାଧୁ ସଚରିତ୍ର ନାଁରେ ଦାଗ ଦେଲା ସେତେବେଳେ ତୁମେ ଆଉ ନ ଆସି ଭଲ କରିଛ । ମିଛରେ ତୁମ ‘ନୂଆଉ’ ପାଇଁ ଯେତିକି କଷ୍ଟ ସହିଛି ତୁମ ନୂଆଉ ତାକୁ ଏ ଜନ୍ମରେ ଶୁଝାଇ ପାରିବ କି ନାହିଁ ତାକୁ ଜଣାନାହିଁ । ମୁଁ ତୁମର ସହାନୁଭୂତି, ସହଯୋଗ ସାହାଯ୍ୟ ବର୍ତ୍ତମାନ ଦରକାର କରୁନାହିଁ । ଦିନେ ନୁହେଁ ଦୁଇଦିନ ନୁହେଁ, ଦୀର୍ଘ ଚାରିବର୍ଷ ମୁଁ ତୁମର ହୃଦୟକୁ ପରୀକ୍ଷା କରି ଦେଖିପାରିଛି । ସ୍ୱଚ୍ଛ ନିର୍ମଳ ତୁମର ହୃଦୟ । ସେଥିରେ ପାପର ସ୍ଥାନ ଲେଶ୍‌ ମାତ୍ର ନାହିଁ । ତୁମେ ମୋର ଟିକି ଭାଇଟି ପରି...

 

ଆଜି ତୁମେ ମଧ୍ୟ ଏ ତୁଣ୍ଡବାଇଦ ଶୁଣି ଚମକିଉଠିବ । ହୃଦୟ ତୁମର ଥରିଉଠିବ । ଭାବିବ ନୂଆଉ କି ନୀଚ କି ଘୃଣ୍ୟ ତୁମେ ? ତୁମକୁ କ’ଣ ଏଥିପାଇଁ ମାନ: ସମ୍ମାନ ଦେଖାଇ ବଡ଼ ହିସାବରେ ପୂଜାକରି ଆସିଥିଲି ? ବଡ଼ ହୋଇ ଏଇ ଆଦର୍ଶ କ’ଣ ତୁମର ଦେଖାଇବାର ଥିଲା ? ହଁ ତୁମେ ମଧ୍ୟ ବିଶ୍ୱାସ କରିବ ଯେ, ଲୋକେ ସିନା ମିଛରେ ସନ୍ଦେହ କରୁଛନ୍ତି କିନ୍ତୁ ପ୍ରକୃତରେ ନିଆଁ ନଥିଲେ ଧୂଆଁ ଆସିବ କେଉଁଠୁ ? କିନ୍ତୁ ତୁମେ ଜାଣି ପାରି ଥାଆନ୍ତ ଯେ ତୁମର ବଡ଼ଭାଇର ପୁଅ– ପୁତୁରେ ମୋ କୋଳରେ ହସି ହସି ଗୋଡ଼ ଖେଳାଇ ଖେଳିବାକୁ ଆସୁଛି; ସେତେବେଳେ ତୁମେ କ’ଣ ବିଶ୍ୱାସ କରିପାରନ୍ତ ଏ ଗୁଜବରେ ? ଏ ଜନରବରେ ?

 

କିନ୍ତୁ ତୁମେ ତ ପୂର୍ବର ଇତିହାସ ଜାଣିନାହଁ କିମ୍ବା ତୁମକୁ ଏ ବିଷୟ ପଚାଶ ଜଣଙ୍କ ପରି ତୁମ ମନ ସନ୍ଦେହ ହୋଇଉଠିବା ସ୍ୱାଭାବିକ । ତୁମର କୂଳରେ କାଳି ଲେପିଛି ବୋଲି ମୋତେ ତ୍ୟାଗ କରିବାକୁ ପଛେଇ ନାହଁ । ମଣିଷ କ’ଣ ସମୟ ସମୟରେ ଭୁଲ କରେ ନାହିଁ ? ନିର୍ଦ୍ଦୋଷୀ ଦୋଷ ଦିଏ ନାହିଁ ? ତେଣୁ ଏଇ ଦୃଷ୍ଟିରୁ ମୁଁ ତୁମକୁ କ୍ଷମା ଦେଇପାରିବି । ତୁମକୁ ଦୋଷ ଦେବି କାହିଁକି । ଭାଗ୍ୟକୁ ନିନ୍ଦିବି । କେଉଁ ପାପ ଫଳରୁ ତୁମେ ଆଜି ମୋ କଳଙ୍କୀରେ ଭାଗୀ ହୋଇ ନିଜର ଜୀବନକୁ କଳଙ୍କିତ କରିଛ । ସେଇ କଥା କେବଳ ମୁଁ ତୁମପାଇଁ ଭାବିବି । କାଲି ସକାଳୁ ମଣି ଯେତେବେଳେ ଏକଥା ଗାଁ ଗାଡ଼ିଆ ପୋଖରୀ କୂଳରୁ ମାଇପି ମହଲରୁ ଶୁଣିପାରିବ ସେତେବେଳେ ତା’ର ମନ ତୁମ ପ୍ରତି କ’ଣ ନ ହେବ ? ସେ ଭାବିବ ସ୍ନେହ, ଶରଧା ଦେଇ ଅପାକୁ ଟିକିଏ ସଂଖୋଳିବା ପାଇଁ ତୁମକୁ ପଠାଇଥିଲି ଯେ, ତୁମେ କ’ଣ ତା’ର ପ୍ରତିବଦଳରେ ଏଇୟା କରି ବସିଲ ?

 

ଏଇ ଆମର ଦୁନିଆ ଲୋକେ, କହିବାକୁ ତ କାହା ପାଟିରେ ଆମେ ବାଡ଼ବତା ଦେଇପାରିବା ନାହିଁ । ଯାହାଇଚ୍ଛା ତାହା ସେମାନେ କହିଚାଲିବେ । କିନ୍ତୁ କହିବା ପୂର୍ବରୁ ସାମାନ୍ୟ ତାଙ୍କର ଏ କଥା ପଦକରେ ଏଣେ ଯେ ଗୋଟାଏ ସୁନାର ସଂସାର ତୁମର ଚୂରମାର ହୋଇଗଲା, ତା’ ତ ସେମାନେ ଦେଖିଲେ ନାହିଁ । ମୋର ସଂସାର ତ ଭାଙ୍ଗିଛି । ପୋଡ଼ା ତିଅଣରେ କେଉଁ ସୁଆଦ ଅବା ଥିଲା? କିନ୍ତୁ ମୋର ଆଖିଆଗରେ ମୋରି ଏଇ ନିଜ ହାତରେ ଯେଉଁ ପିଲା ଦୁଇଟିଙ୍କର ସୁଖର ସଂସାର ଗଢ଼ିଥିଲେ ତାକୁ ଭାଙ୍ଗିଯିବାର ଦେଖିବା ପୂର୍ବରୁ ମୋର ମରଣ ହେବା ବରଂ ଶତଗୁଣେ ଶ୍ରେୟସ୍କର ଥିଲା ।

 

ତୁମ ଘରକୁ, ତୁମ ପାଖକୁ କେଉଁ ସାହସରେ ଏଇ କାଳି–ଲଗା ମୁହଁ ଧରି ଦେଖାଇବାକୁ ଯିବ । ତୁମର ତ ପୁଣି ଭବିଷ୍ୟତ ଅଛି, ବଂଶର ମାନ ଇଜତ ଅଛି, ତେଣୁ କେଉଁ ସାହସରେ ଅବା ତୁମେ ତୁମର ମଉଡ଼ମରା ଘରେ ମୋତେ ପଶିବାକୁ ଦେବ ? ମଲା, ମୃତ୍ତିକିଆ ସବୁ ତ ପୁଣି ତୁମର ଅଛି । ତେଣୁ ଗାଁରେ ରହିଲେ ଗାଁ ଭାଇଙ୍କର ସାହାଯ୍ୟ ସହଯୋଗ ଏକାନ୍ତ ଲୋଡ଼ା । ତାଙ୍କର ବିନା ସାହାଯ୍ୟରେ କୌଣସି ଲୋକ ଚଳିପାରେନା । କାରଣ ଜାତି, ସମାଜ ଏହାକୁ ଛାଡ଼ି ମଣିଷ ଏକା ରହିପାରେନା ।

 

ଏଇ ଜାତି ସମାଜ, ଏହାକୁ ଛାଡ଼ି ଯେ ରହିବାକୁ ଚାହେଁ ତା’ ପକ୍ଷରେ ଘର ଘର ନୁହେଁ ଜଙ୍ଗଲ । ତା’ର ଏଇ ସୁନ୍ଦର କମନୀୟ ଧରଣୀରେ ରହିବାର ଅଧିକାର ନାହିଁ ।

 

ଚମକିଉଠି ଭାବିଲି ତେବେ ଶାଶୁଘର କୂଳକୁ ମୋତେ ଜୀବନସାରା ଛାଡ଼ିବାକୁ ହେଲା-। ଆଖିରେ ମୋର ଲୁହ ଭରିଉଠିଲା ।

 

ବାକି ବାପଘରେ ରହିବା ଭାବି, ମନ ମୋର ବିଦ୍ରୋହୀ ହୋଇଉଠିଲା । ଭାବିଲି ଏଇ ଘରେ ପୁଣି ମଣିଷ ରହନ୍ତି ନା । ଯଦି ଏଇ ଘରେ ରହିବି ତେବେ କ’ଣ ଗୋଟି ଗୋଟି କରି ଦୁଇଟିଙ୍କ ସହ ଖେଳିସାରି ତୃତୀୟ ଜଣଙ୍କ ସହ ଖେଳିବା ପାଇଁ ବଞ୍ଚି ରହିବି ? ବିଧବା ବିବାହ କରି ଭଦ୍ର ଘରର ବେଶ୍ୟା ହୋଇ ରହିବି ? ଯଦି ତୃତୀୟ ସ୍ୱାମୀ ମୋର ମରିଯାଆନ୍ତି ତେବେ ଏଇ ବୋଉ ମୋର ତ ବିଧବା ବିବାହର ଦ୍ୱାହି ଦେଇ ଚତୁର୍ଥ ଜଣଙ୍କ ସହ ଛନ୍ଦିଦେବ । କେବଳ ଘରର ମାନ ଇଜତ କୁ ତଳେ ନ ପକାଇବ ବୋଲି । ତା’ ସଂପତ୍ତିକି ଭୂତ ନ ଖାଇବେ ବୋଲି ।

 

ମା’ ହୋଇ ନିଜର ପ୍ରତି ରକ୍ତବିନ୍ଦୁ ଦେଇ ଯାହାକୁ ମୁଁ ମୋ ଭିତରେ ବଢ଼ାଇ ଚାଲିଛି, ଶେଷରେ ତାକୁ ବିଷ ଦେଇ ମାରିବି ? ପିଶାଚୀ, ନାରକୀଠାରୁ ବି ହୀନ ହେବି ? କଳଙ୍କ ନାଗରା ପିଟି ପୁଣି ମଣି ନିତୁଙ୍କ ଆଗରେ ମୁଣ୍ଡରେ ସିନ୍ଦୂର ମାରି ହସିଉଠିବ ? ଏଇ ଆର୍ଦଶ ଦେଖାଇବା ପାଇଁ କ’ଣ ବଞ୍ଚି ରହିବି ?

 

ପୁଣି ପରକ୍ଷଣରେ ଭାବିଲି ବଞ୍ଚିବି ନାହିଁ କ’ଣ ମରିଯିବି ? ଆତ୍ମହତ୍ୟା କରିବି ? ତା’ ଯଦି କରିବାର ହୋଇଥାଆନ୍ତା ତେବେ ସେଦିନ ଗାଁର କଣ୍ଟିଆ ଗାଡ଼ିଆରେ ବୁଡ଼ି ମରିଥିଲେ ହୁଏତ ଲୋକେ ମତେ ଧନ୍ୟ ଧନ୍ୟ କରିଥାନ୍ତେ । ପତି ସୋହାଗିନୀ ବୋଲି ମୋ ମରଣ ପରେ ସମସ୍ତଙ୍କ ମୁହଁରୁ ‘ଆହା’ ପଦ ଶୁଣିପାରିଥାନ୍ତି କିନ୍ତୁ ମୁଁ ସେଦିନ ନମରି ବଞ୍ଚି ରହିଲି କାହିଁକି ? କାହାପାଇଁ ? ଏଇ ମୋର ନୟନର ମଣି । ସୁନାର ପିତୁଳା ପାଇଁ ସିନା ।

 

ଚିନ୍ତାର ଦରିଆରେ ମନ ନଉକା ମୋର ଅସ୍ଥିର ହୋଇ ଏଣେତେଣେ ଭାସିବାକୁ ଲାଗିଲା । କିଛି କୂଳ କିନାରା ପାଇପାରିଲି ନାହିଁ । ଯଦି ବଞ୍ଚିବାକୁ ଚେଷ୍ଟା କରୁଛି ତେବେ ଭୃଣ ହତ୍ୟା କରିବାକୁ ବାଧ୍ୟହେବି । ନଚେତ୍‌ ମରିବାକୁ ହେଲେ ଆତ୍ମହତ୍ୟା କରିବାକୁ ହେବ......

 

ଦୁଇଟି ଦିଗ ମୋ ପେଟରେ ପିଲାର ମୃତ୍ୟୁ ପାଇଁ ଉଦ୍ଦିଷ୍ଟ କିନ୍ତୁ ମନ ମୋର ଚାହେଁ ନା ତା’ର ମୃତ୍ୟୁ ।

 

ନିଜକୁ ଆଉ ମୋର ପିଲାକୁ ବଞ୍ଚାଇବା ପାଇଁ ମନ ମୋର ପାଗଳ ହୋଇଉଠିଲା । ସେଦିନ ସେଇ ଉଆଁସର ବହଳିଆ ଅନ୍ଧାର ରାତିରେ ମୁଁ ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟହେଲି ପେଟରେ ମୋର ତିନିମାସର ପିଲା......

 

ଦାଣ୍ଡ କବାଟ ଆଉଜାଇ ଯେତେବେଳେ ପଥର ପାହାଚରେ ପାଦଦିଏ ସେତେବେଳେ ମୋତେ ଲାଗିଲା, କିଏ ଯେପରି ମୋର ପାଦ ଦୁଇଟାକୁ ଟାଣିଧରି କହୁଛି–ଲତା ଘରୁ ଗୋଡ଼ କାଢ଼େନା–କାଢ଼ିଲେ ଦୁର୍ନାମ ବଢ଼ିବ । କାନ୍ଦି କାନ୍ଦି ବାରବୁଲି ଛତରଖାଇ ହୋଇ ଶେଷରେ ରାସ୍ତା କଡ଼ରେ ପିଲାକୁ ଧରି ମରିବୁ । ଜନମକଲା–ଏନ୍ତୁଡ଼ିଶାଳକୁ ପାଦରେ ଠେଲି ଯାଆନା । ସଂସାରରେ ବଞ୍ଚି ରହିବାକୁ ହେଲେ କେତେ ଧକ୍‌କା, କେତେ ଦୁଃଖ, ଲାଞ୍ଛନା, ଅପମାନ, ଘୃଣା, ବିଦ୍ରୂପ ସହିବାକୁ ହେବ । ତୁ ଏତିକିରେ ପୁଣି ଟଳିପଡ଼ିବୁ? ତୋରି ସାଙ୍ଗର ବିନତା ପରା ଯୌବନ ଜୁଆରେ ଗୋଟି ଗୋଟି କରି ପଚିଶ ଜଣଙ୍କ ସହ ଖେଳି ଖେଳି, ପିଲା ଭଙ୍ଗେଇ ଏଇ ସାପୁଆ ନଈକୂଳରେ ପୋତି ଆଜି ମା’ ହୋଇ କାନି ଆଗରେ ଚାବିନେନ୍ଥା ବାନ୍ଧି, ସୂରୁଯ ପରି ସିନ୍ଦୁର ଟୋପା ମାରି ହସି ହସି ଦାଣ୍ଡରେ ହାତ ହଲାଇ ଚାଲିଛି, ଆଉ ତୁ...

 

ମନ ମୋର ବିଦ୍ରୋହୀ ହୋଇଉଠିଲା । ଭାବିଲି ମରଣ ଯଦି ଜୀବନର ଶେଷ ଲକ୍ଷ୍ୟ ହୁଏ, ତେବେ ରାସ୍ତାରେ ମରିବା ଯାହା, ଘରେ ମରିବା ସେଇୟା । ସୁନାମ ତ ବର୍ତ୍ତମାନ ନାହିଁ ଅବା ଦୁର୍ନାମ କେଉଁ କମିଛି ।

 

ପାଦକୁ ଠେଲି ଠେଲି ଆଗକୁ ବଢ଼ାଇଲି । ଘର ଫାଟକ ଡେଇଁ ଗଲାବେଳେ ବୋଉର ଛଳଛଳ ଆଖି, ବାପାଙ୍କ ଶୁଖିଲା ମୁହଁ ମୋ ଆଖିଆଗରେ ଭାସିଉଠିଲା । ଭାବିଲି ବୋଉ ପ୍ରକୃତରେ ତୋତେ କାହିଁକି ଦୋଷ ଦେବି । ଯେଉଁ ବୋଉ ଝିଅ ବିଧବା ହେବାର ଦିନ ଦିଇଟାରେ ସଧବାର ସମସ୍ତ ସୁଖ ସଉକିନୀ ତ୍ୟାଗ କରିଥିଲା । ଝିଅ ମୁହଁରେ ହସ ଦେଖିବା ପାଇଁ ବରାବର ଚେଷ୍ଟା କରୁଥିଲା । ସେ କ’ଣ ଆଜି ନିଜର ନାତିକୁ ବିଷ ଦେଇ ମାରିବାକୁ ବସିଥାନ୍ତା ? ସେ କେବଳ ଝିଅକୁ କଳଙ୍କ ପସରାରୁ ରକ୍ଷା କରିବା ପାଇଁ ଏପରି କରିବାକୁ ଆଗେଇଛି । ବିପଦ ସମୟରେ ତ ତାଠାରୁ ବଡ଼ ବଡ଼ ଲୋକଙ୍କୁ ବୁଦ୍ଧି ବାଟ ଦିଶେ ନାହିଁ ।

 

ମୁଁ ପୁଣି ଭାବିଲି, ଘରର ପୁଅ ଆଉ ଝିଅ, ଭବିଷ୍ୟତ ସବୁ ଯିଏ ସେଇ ଲତାର ପୁଅ ହେବାର ଖବର ଯଦି ତାଙ୍କର ମୃତ୍ୟୁ ପୂର୍ବରୁ ଶୁଣିଥାନ୍ତା, ତେବେ ଆଜି ତା’ ଗୋଡ଼ ପାଞ୍ଚ ହାତରେ ପଡ଼ୁଥାନ୍ତା । କେତେ ବ୍ରାହ୍ମଣ ଭୋଜନ କରାଇ କେତେ କିସମର ଅଳଙ୍କାର ବରାଦ କରି ସାରନ୍ତାଣି-। କିନ୍ତୁ ଅଭାଗିନୀର ପୋଡ଼ା କପାଳରେ ସେ ସୁଖ ନାହିଁ ।

 

ଭଗବାନ ତାକୁ ନିଜର ଫଳକୁ ସୁଦ୍ଧା ଚିହ୍ନାଇଦେଲେ ନାହିଁ ।

 

।। ବାଇଶି ।।

 

ଘର ସିନା ଛାଡ଼ିଦେଇ ଆସିଲି, ରାତ୍ରିର ଅନ୍ଧକାରରେ ଯେତେ ବାଟ ଆସିବା କଥା ଆସିପାରିଲି । ଦିନର ଆଲୁଅ ଧରଣୀ ଛୁଇଁବାକ୍ଷଣି ଏ ବିଶାଳ ପୃଥିବୀର ରୂପ ଦେଖିପାରିଲି । ଏତେବଡ଼ ବିଶାଳ ଧରଣୀରେ କୁଆଡ଼େ ଯିବ ? ସବୁ ତ ଅପରିଚିତ, ସମସ୍ତେ ଅଚିହ୍ନା କାହା ପାଖକୁ ଅବା ଯିବି ? ଛାତି ଥରିଉଠିଲା । ଡର ମାଡ଼ିଲା । କ’ଣ କରିବି ? କାହିଁକି ପୋଡ଼ାକପାଳୀ ମୁଁ ଘର ଛାଡ଼ି ଚାଲି ଆସିଲି । କିଏ ମୋତେ ଆଶ୍ରା ଦେବ ! ମନ ଭିତରେ ମୋର ଦୁର୍ବଳତା ଦେଖାଗଲା, ଘରକୁ ଫେରିଯିବାକୁ ଇଚ୍ଛାହେଲା । ମୋତେ ଯେପରି ଜଣାଗଲା ବୋଉର ଲୁହ ଛଳ ଛଳ ଆଖି ମୋତେ ଡାକୁଛି, କହୁଛି–ଲତା ଯେଉଁ ମାଆ ହେବାପାଇଁ ତୁ ପାଗେଳୀ ହୋଇ ଘର ଛାଡ଼ିଛୁ, ତୋରି ପିଲା ପାଇଁ ସେପରି ତୋତେ ଦୁନିଆ ଦୁଆରେ ମଣିଷ କରିବା ପାଇଁ ମୋର କ’ଣ ସେଇ ବ୍ୟାକୁଳତା, ସେଇ ତ୍ୟାଗରୁ କିଛି ନାହିଁ ! ବାପା ଯେପରି କହୁଛନ୍ତି–ଲତୁ ଶେଷରେ ମୋ ଗାଲରେ ଏଇ ଚୂନକାଳୀ ବୋଳିଲୁ ? ଯାହା ହେଲାଣି ହେଲାଣି ପାଞ୍ଚଲୋକ ଜାଣିବା ପୂର୍ବରୁ ଫେରିଆ । ମୋ ସୁନାଟା ପରା ...

 

ମନ ଭିତରୁ ଯେପରି ମୋର କିଏ କହିଉଠିଲା–ପିଠିକୁ ଅରକ୍ଷିତ କରି, ଛାତିକୁ ପଥର କରି ସବୁ ମାନସମ୍ମାନ, ସ୍ନେହ ମମତାକୁ ଜଳାଞ୍ଜଳି ଦେଇ ଯେତେବେଳେ ଘର ଛାଡ଼ିଛି ଆଉ ପୁଣି କାହିଁକି ? ପୁଣି କାହିଁକି ସେଇ ଘର ବା ସମାଜର ତେଲ କରେଇରେ ତିଳ ତିଳ ହୋଇ ଦୁର୍ନାମରେ ଭାଜି ହୋଇ ମରୁଥିବି ? କୁଳତ୍ୟାଗିନୀ ହୋଇ କଳଙ୍କିନୀର ଟିକା ମୁଣ୍ଡରେ ନେଇ ଯେତେବେଳେ ମୋତେ ଗାଁ ଛାଡ଼ି ବାହାରିବାକୁ ହୋଇଛି, ସେତେବେଳେ ସବୁ ପ୍ରକାର ଝଡ଼ଝଞ୍ଜାକୁ ପାଦରେ ଠେଲି ଚାଲିବାକୁ ହେବ । ଶେଷ ପରିଣତି ଯାହାହେଉ ନା କାହିଁକି.....

 

ଚାଲୁ ଚାଲୁ ଭାବନାର ମୋ ଶେଷ ନ ଥିଲା । ଆଖି ତୋଳି ଦୂରକୁ ଚାହିଁଲି । ଷ୍ଟେସନର ସିଗ୍‌ନାଲ ଖୁଣ୍ଟି ଦିଶୁଛି । ପାଦ ଦୁଇଟା ମୋର ଚଞ୍ଚଳ ହୋଇଉଠିଲା । ଯାହାହେଉ ଏଣିକି ଭଗବାନଙ୍କର ଇଚ୍ଛା...

 

ଘଣ୍ଟି ବାଜିଉଠିଲା । ଟ୍ରେନ ଆସୁଛି । ଷ୍ଟେସନରେ ଟ୍ରେନ ପହଁଚି ବିଶ୍ରାମର ନିଶ୍ୱାସ ମାରିଲା । ସମସ୍ତେ ଚଞ୍ଚଳ ହୋଇଉଠିଲେ । ଯେପରି ଟ୍ରେନ ଭିତରେ ନିଜର ଆସନ ଜମେଇ ନେବା ପାଇଁ । ମୁଁ ମଧ୍ୟ ଗାଡ଼ିରେ ଚଢ଼ିଲି । ଟ୍ରେନର ଗତି ସଙ୍ଗେ ସଙ୍ଗେ ଗୋଟାଏ ଅଜଣା ଆଶଙ୍କା ଓ ଅଜ୍ଞାତ ଭୟରେ ମୋର ଛାତି ଭିତରେ କଲିଜା ଯେପରି ସମତାଳ ଦେଇ ଦୁଲୁକି ଉଠିଲା । ଗାଡ଼ି ଚାଲିଛି । ମୁଁ ମଧ୍ୟ ତା’ ଭିତରେ ବସି ଚାଲିଛି । କୁଆଡ଼େ ଯିବି ? କେଉଁଠି ଓହ୍ଲାଇବି ? ଭୟରେ ଆଖିରେ ମୋର ଲୁହ ଜକେଇ ଆସିଲା । ଦିନ ବାରଟା ବାଜିଲାଣି । ପେଟରେ ମୋର ନିଆଁ ଲାଗିଲାଣି, ଭୀଷଣ ଭୋକ ହେଉଥାଏ । ଘରର ସକାଳର ପଖାଳ ବେଲା ମନେପଡ଼ୁଥାଏ । ଅଣ୍ଟାଳିଲି ପାଖରେ ପଇସାଟିଏ ବି ନାହିଁ । ପାଖରେ ଖାଲି ଲୁଗାପଟା ଦିଖଣ୍ଡ ସମ୍ବଳ ।

 

କାହା ଘରର ବୋହୂ ହୋଇ, କାହା ଘରର ଝିଅ ହୋଇ ମୋତେ ପୁଣି ବାରଦୁଆରେ ହାତ ପତାଇବାକୁ ହେବ ! ବାର ଲୋକଙ୍କର ହିନିଛାକରା କଥା ଶୁଣିବାକୁ ହେବ ? ଅପରିଚିତ ଜାଗାରେ ରହିବି କିପରି ? କିଏ ବା ଆଶ୍ରା ଦେବ? କାହିଁକି ବା ଆଶ୍ରା ଦେବ ? ଏପରି କେତେ ପ୍ରଶ୍ନ ମୋ ମନ ଆକାଶରେ ଉଙ୍କି ମାରୁଥାଏ । ମନକପୋତୀ ମୋର ଅନୁତାପରେ ଗୁମୁରି ଗୁମୁରି କାନ୍ଦିଉଠୁଥିଲା । ଆଗ ପଛକୁ ବିଚାର ନ କରି ମୁଁ ଯେଉଁ ଘର ଛାଡ଼ି ଆସିଲି, ସେଥିପାଇଁ ନିଜକୁ ଧିକ୍‌କାର କରୁଥିଲି । ଗୋଟାଏ ଅଜ୍ଞାତ ଭୟରେ ଆଖିରୁ ମୋର ଲୁହର ଶ୍ରାବଣୀ ଛୁଟି ଚାଲିଥାଏ । ଯେତେ ପୋଛିଲେ ବି ସେ ଲୁହ ବନ୍ଦ ହେଲା ନାହିଁ ମନେମନେ ଠାକୁରଙ୍କୁ ଭାବୁଥାଏ । ଦୀନଶରଣ ହେ ସର୍ବ ବିପତ୍ତି ବାରଣ, ଏ ଅଭାଗିନୀକୁ ପାଦତଳେ ସ୍ଥାନ ଦିଅନ୍ତୁ । ଏ କଳଙ୍କର ଦାଉରୁ ରକ୍ଷା କରିବା ପାଇଁ ପିଣ୍ଡରୁ ମୋର ପ୍ରାଣ ନେଇଯାଆନ୍ତୁ ।

 

ହଠାତ୍‌ ‘ମାଆ’ ଡାକରେ ଧ୍ୟାନ ଭାଙ୍ଗିଗଲା । ଦେଖିଲି ପାଖରେ ମୋର ଜଣେ ପୌଢ଼ ଠିଆ ହୋଇଛନ୍ତି ।

 

ଧ୍ୟାନ ମୋର ଭାଙ୍ଗିଗଲା । ମୁଁ ତାଙ୍କୁ ମୁହଁ ତୋଳି ଚାହିଁ ରହିଲି । ଥର ଥର ହୋଇ ମୋର ଓଷ୍ଠ ଜିଭଟା କମ୍ପିଉଠୁଥାଏ । ବାମ ହାତରେ ପଣତ ଅଞ୍ଚଳରେ ଆଖିରୁ ଲୁହ ପୋଛିବାକୁ ଚେଷ୍ଟା କରୁଥିଲି ।

 

ମୋ ମୁଣ୍ଡରେ ସ୍ନେହରେ ହାତ ବୁଲାଇ ସେ କହିଲେ, ‘‘ମା’, ମୁଁ ଦେଖୁଛି ତୁମେ ଗାଡ଼ିରେ ବସିଲାବେଳୁ ସାରା ଗାଡ଼ିଟା କାନ୍ଦି କାନ୍ଦି ଆସୁଛ । ବଡ଼ ଅନ୍ୟମନସ୍କ ଜଣାପଡ଼ୁଛ । କ’ଣ ହୋଇଛି ତୁମର ?’’

 

କଣ୍ଠରେ ତ ମୋର ଭାଷା ନଥିଲା । ଆଖିରେ ଖାଲି ଥିଲା ଅସରନ୍ତି ଲୁହ । କିବା ଉତ୍ତର ଦେବି ତାଙ୍କୁ ?

 

ବୋଧହୁଏ ବାପା ମା’ କିମ୍ବା ଶାଶୁ ଉପରେ ଅଭିମାନ କରି ଘର ଛାଡ଼ି ଚାଲିଆସିଛି । ପିଲା ଲୋକ ତୁମେ ଏପରି ବିଚାର ହୀନ କାର୍ଯ୍ୟ ନ କରିଥିଲେ ଭଲ ହୋଇଥାଆନ୍ତା । କେଉଁଆଡ଼େ ଯିବ ?

 

ନିରୁତ୍ତର ରହିଲି । କୁଆଡ଼େ ଯାଉଛି, ଅବା କାହା ପାଖକୁ ଯିବ କ’ଣ ଜାଣିଛି ଯେ ଉତ୍ତର ଦେବି ।

 

ମୋ ମୁଣ୍ଡରେ ସ୍ନେହର ହାତ ବୁଲାଉ ବୁଲାଉ କହିଲେ, ଯେତିକି ବୟସ ହୋଇଛି ସେହି ଅଭିଜ୍ଞତାରୁ କହୁଛି ମୋ ମତରେ ତୁମେ ତୁମର ପ୍ରକୃତ ଆଶ୍ରା ପାଇବା ପର୍ଯ୍ୟନ୍ତ ମୋ ସଙ୍ଗରେ ଚାଲ-। ଘର ମୋର ପୁରୀ ଟାଉନରେ । ମୋ ଘରେ ରହିଲେ କିଛି ଅସୁବିଧା ତୁମର ହେବ ନାହିଁ ।

 

ଭାସିଗଲା ଲୋକ କୁଟା ଖଣ୍ଡକ ଆଶ୍ରା କରେ । ମନେମନେ ଭାବିଲି ଭଗବାନ କ’ଣ ମୋ ଡାକ ସତେ ଶୁଣିଲେ କି ?

 

ମୋତେ ନିରୁତ୍ତରା ହେବାର ଦେଖି ସେ କହିଲେ, ତୁମକୁ ଦେଖିଲେ ଜଣାପଡ଼େ ତୁମେ ଜଣେ ଅଭିଜାତ ବଂଶର କନ୍ୟା । ଗୋଟାଏ ଖିଆଲରେ ରାଗି ଚାଲିଆସିଛ । ରାଗ ଶାନ୍ତି ହେଲେ ମୁଁ ତୁମକୁ ନେଇ ତୁମ ଘରେ ଛାଡ଼ିଦେଇ ଆସିବି । ଛିଃ ସୁନା ଝିଅଟା ମୋର ଆଉ କାନ୍ଦନା । କହି ଆଖିରୁ ଲୁହ ପୋଛିଦେଲେ ।

 

ଆବେଗ ଓ ଆକୁଳରେ ତାଙ୍କୁ କୁଣ୍ଢାଇ ଧରିଲା । ପାଟିରୁ ମୋର ବାହାରିପଡ଼ିଲା ବାପା.......ତୁମେ.....ମୋର ବାପା...

 

ପାସେଞ୍ଜର ଟ୍ରେନଟା ପୁରୀ ଷ୍ଟେସନରେ ପହଞ୍ଚିଲା । ବଡ଼ ହାଲିଆ ହୋଇପଡ଼ିଥାଏ । ଆଉ ଯେପରି ଇଞ୍ଚେ ଘୁଞ୍ଚିବାକୁ ଶକ୍ତି ମୋର ନ ଥାଏ ।

 

ଚୌଧୁରୀ ସାମନ୍ତ ନରସିଂହ ମହାପାତ୍ର–

 

କୁଳୀନ କରଣ ପରିବାର–ଘର ତାଙ୍କର କୁଣ୍ଢେଇବେଣ୍ଟ ସାହିରେ । ପରିବାର ଭିତରେ ଘରେ ତାଙ୍କର ମସ୍ତିଷ୍କ ବିକାର–ଗ୍ରସ୍ତା ସ୍ତ୍ରୀ । ଆଉ କୋଳକୁ ସଙ୍ଖାଳୀ ବୋଲି ଦୁଇଟି । ରତ୍ନା ଓ ମଣିମୟ । ଝିଅ ରତ୍ନା କଲେଜରେ ପଢ଼େ । ପୁଅ ମଣିମୟ ବୁର୍ଲା ଇଞ୍ଜିନିୟରିଙ୍ଗ କଲେଜରେ ପଢ଼େ-। ମଉସା (ନରସିଂହ ବାବୁ) ପୁରୀ କଚେରୀରେ ଓକିଲାତି କାମ କରନ୍ତି । ବଡ଼ ଧର୍ମପରାୟଣ ଲୋକ । ଦିନ ରାତି ଖୋଳ ଗିନି ଧରି ନାମ କୀର୍ତ୍ତନରେ ବ୍ୟସ୍ତ । ତାରି ଭିତରେ ମହକିଲମାନଙ୍କ କଥା ବୁଝନ୍ତି । ତାଙ୍କର ଆଦର, ଯତ୍ନ ଆଉ ସ୍ନେହ ସୋହାଗ ଭିତରେ ରତ୍ନାର ଭଉଣୀ ଭଳି ବଢ଼ିଲି-। ଜୀବନର ସମସ୍ତ ଅଶ୍ରୁଳ କାହାଣୀ ଭିତରୁ ଯାହା ମଉସାଙ୍କୁ କହିହେବନି ସେତକ ଛାଡ଼ି ବାକିସବୁ ଦୁର୍ଦ୍ଦିନର ଇତିହାସ ତାଙ୍କୁ ଜଣାଇଛି । ମଉସାଙ୍କ ନିକଟରେ ମୁଁ ସ୍ପଷ୍ଟ ହୋଇଥିଲି । କାରଣ, ଦେବତାଙ୍କ ଭଳି ସେ ମୋତେ ଆଶ୍ରୟ ଦେଇଥିଲେ । ଏ ମଣିଷ ସମାଜରେ ତାଙ୍କ ପରି ଦେବତା ଦୁର୍ଲ୍ଲଭ । ସମସ୍ତ ବିଷୟ ଜାଣିଥିଲେ ବୋଧହୁଏ ମୋ’ପରି ଗୋଟାଏ ଗୃହତ୍ୟାଗିନୀ, କଳଙ୍କିନୀକୁ କେହି ଘରେ ଆଶ୍ରା ଦେଇନଥାନ୍ତେ । ରାସ୍ତାକରକୁ ସମାଜର ଆବର୍ଜନା ଭାବି ମୋତେ ଠେଲି ଦେଇଥାନ୍ତେ । ମୁଁ ଦାଣ୍ଡର ଭିକାରିଣୀ ସାଜି କେଉଁ ପଥ ଯେ ବାଛି ନେଇଥାନ୍ତେ ତା’ ମୁଁ ଭାବି ପାରୁନଥାଏ । କିପରି ଯେ ତାଙ୍କର ପ୍ରତିନିଧି ଯେ ବର୍ତ୍ତମାନ ମୋର ପ୍ରତି ରକ୍ତବିନ୍ଦୁରୁ ଖାଦ୍ୟ ସଂଗ୍ରହ କରି ବଢ଼ୁଛି, ତାକୁ ବଞ୍ଚାଇ ପାରିଥାନ୍ତି ? ଏତେ ତ୍ୟାଗ, ଏତେ ଦୁଃଖ, ଏତେ ଲାଞ୍ଛନା, ଏତେ ଅପମାନ, ସବୁ ସିନା ଜଣଙ୍କ ପାଇଁ, ମୁଁ ଧର୍ମପଦର ମା’ ହେବି । ସେ କୋଣାର୍କର ମୁଣ୍ଡି ମାରିବି-

 

ମଣିଷ ବିଚାରକୁ କ’ଣ ଦଇବ ବିଚାର ପାଏ ? ବେଳେବେଳେ ଭାବେ ଦୁନିଆର ସମସ୍ତ ଦୁଃଖକୁ ବୋଧହୁଏ ଭଗବାନ ମୋ ଉପରେ ଲଦି ଦେଇଥିଲେ । କାହା ପାଇଁ ବୋଧହୁଏ ତାଙ୍କ ଦୁଃଖ ଗନ୍ତାଘରେ କିଛି ସାଇତି ରଖିଲେ ନାହିଁ । ମଉସାଙ୍କ ଘରେ ରତ୍ନାଠାରୁ ଭକ୍ତି ପାଇଲି । ସାନ ଭଉଣୀ ପରି ତାକୁ ସ୍ନେହ କଲି । ମୋର ଉପସ୍ଥିତିରେ ସେ ଆନନ୍ଦିତ ହେଲା । ତାକୁ ସବୁ ଅପୂର୍ବ ପରି ଲାଗିଲା । ତା’ର ନିଃସଙ୍ଗ ଜୀବନ ମୁଖର ହୋଇଉଠିଲା । ସଦାବେଳେ ଅପା ବୋଲି ମୋ ପଛରେ ଧାଇଁଥାଏ । ସ୍କୁଲ ଯିବା ପୂର୍ବରୁ ତା’ର ଖାଇବା, ତା’ର ପିନ୍ଧିବା, ତା’ର ମୁଣ୍ଡ ବାନ୍ଧିବା ସବୁ ମୋର ଦାୟିତ୍ୱ । ସେ ସବୁ ଯଦି ମୋଦ୍ୱାରା ନ ହୁଏ, ତେବେ ନାକକାନ୍ଦୁରୀ ରତ୍ନାର କାନ୍ଦ କିଏ ଦେଖେ....

 

ମୁଁ ଥିବା ଭିତରେ ମଣିମୟ ଆଦୌ ଘରକୁ ଆସିନାହିଁ । ରତ୍ନା କହିଥିଲା, ମାଉସୀ ବାୟାଣୀ ହେବା ପରେ ସେ ଘରକୁ ଖୁବ୍‌ କମ୍‌ ଆସେ....

 

ମଉସା ସେ ତ ମଣିଷ ନୁହନ୍ତି ଦେବତା । ସ୍ୱର୍ଗରେ ସର୍ବସୁଗୁଣସଂପନ୍ନ ଦେବତା ଥାନ୍ତି, ଏହା ପୁରାଣରୁ ଶୁଣିବା କଥା । ମଣିଷ ଜନମରେ କାହା ଭାଗ୍ୟରେ କେବେ ଜୁଟିଛି କି ନାହିଁ ଜାଣେନା ତେବେ ମଣିଷ ଭିତରେ ଦେବତାଭଳି ମଉସାଙ୍କୁ ଦେଖିଲି । ଗୋଟାଏ ବିକ୍ଷିପ୍ତ ଅଶାନ୍ତିକର ସଂସାରକୁ ସେ ଅସୀମ ଧୈର୍ଯ୍ୟ ଧରି ଚଳାଉଥାନ୍ତି । ସ୍ୱାମୀ ସ୍ତ୍ରୀ ଭିତରେ ଥିବା ଦାଂପତ୍ୟ ସୁଖ କ’ଣ ଦିନେ ମୁଁ ଦେଖିପାରିଲି ନାହିଁ । ମଉସା ଆସିଲେ ମାଉସୀଙ୍କ ମୁଣ୍ଡ ଖରାପ ହୁଏ । ସମସ୍ତ ପ୍ରକାର ଅଦଉତି ତାଙ୍କର ମଉସାଙ୍କ ଉପରେ ବଢ଼ିଚାଲେ । ମଉସା କିନ୍ତୁ ସବୁକୁ ପଥର ଭଳି ସହିଯାଆନ୍ତି । ଅମ୍ଳାନ ବଦନରେ ସବୁ ଜଞ୍ଜାଳକୁ ମାଉସୀଙ୍କର ବୁକୁ ପାତି ତୋଳି ନିଅନ୍ତି । ମୁଁ ଆସିବା ପରଠାରୁ ମଉସାଙ୍କର ମନରେ ସାମାନ୍ୟ ଶାନ୍ତି ଆଣିପାରିଲି । ତାଙ୍କର ଖାଇବା ପିଇବା, ଠିକ୍‌ ସମୟରେ କଚେରୀ ଯିବା ପ୍ରତି ମୋର ଦୃଷ୍ଟି ଥିଲା । ମୁଁ ଦେଖୁଥିଲି ମଉସାଙ୍କ ସେବା କରିବା ମୋର କର୍ତ୍ତବ୍ୟ । ରତ୍ନା ତ ମୋଠାରୁ ସାତ ସାନ । କ’ଣ ବା ସେ ଜାଣେ-? ବାପାଙ୍କ ସେବା ଯତ୍ନ କରିବାର ବୟସ ତା’ର ହୋଇନଥାଏ । ଚାକର ପୂଜାରୀ ସେ ତ କିଣାଜନା ତାଙ୍କଠାରୁ ଆଶା କରିବାଟା ନିର୍ବୋଧତା । ମୋର ସେବା ଫଳରେ ମଉସାଙ୍କର ମୁଁ ଗୋଟାଏ ଅନ୍ଧର ଲଉଡ଼ି ହୋଇଉଠିଲି । ଦାଣ୍ଡ ବାହାରୁ ଯେତେବେଳେ ଆସିବେ ଲତା ହିଁ ତାଙ୍କର ଦରକାର । ନିଜ ଝିଅଠାରୁ ସେ ମୋତେ ଅଧିକ ସ୍ନେହ କରୁଥିଲେ ।

 

ଅଧିକ ଜିନିଷଟା ସମୟ ସମୟରେ ଖରାପ ହୋଇଉଠେ । ସେଥିପାଇଁ ବୋଧହୁଏ କହନ୍ତି ଅତି ସର୍ବତ୍ର ବର୍ଜ୍ଜୟେତ୍‌ । ମଉସାଙ୍କର ମାତ୍ରାଧିକ ସ୍ନେହ ମାଉସୀଙ୍କ ମନରେ ସଂଦେହର କଳାଛାଇ ଆଣିଦେଲା । ମାଉସୀ ମୋତେ ଦେଖିଲେ, ବିରକ୍ତି ହୁଅନ୍ତି । ମୋର କୌଣସି ସେବାକୁ ସେ ଗ୍ରହଣ କରିନ୍ତି ନାହିଁ । ଆସିବାବେଳେ ଅବଶ୍ୟ ସେ ଏତେଟା ମାତ୍ରାରେ ମୋ ଉପରେ ରୁଷ୍ଟା ନଥିଲେ । ସାମୟିକ ମନ ନିହାତି ଭଲ ଥିଲେ ମୋର ସଙ୍ଗେ କଥା ହେଉଥିଲେ ନଚେତ୍‌ ନାହିଁ । ସଦାବେଳେ ସେ ତାଙ୍କ ଶୋଇବା ଘରେ ନୀରବ ହୋଇ ବସିଥାନ୍ତି । ମୁଁ ବି ଦେଖିଲି ପାଗେଳୀ ପକ୍ଷରେ ଭଲ ମନ୍ଦ ସବୁ ସମାନ । ତେଣୁ ମାଉସୀଙ୍କ କଥାକୁ ମୁଁ ମନରେ ଧରେନାହିଁ । ମୋର କର୍ତ୍ତବ୍ୟ ଭାବି ତାଙ୍କର ସେବା କରିଯାଏ । ସେବା କରିବା ପାଇଁ ଏ ଘରକୁ ମୁଁ ଆସିଛି । ଏ ଘରେ ମୋର ଅଧିକାର ନାହିଁ । ଚାକର ପୂଜାରୀଙ୍କ ଭଳି ଖାଉଛି । ଖଟିବି, କେବଳ ଅନ୍ଧକାର ଭବିଷ୍ୟତ ପାଇଁ ମୋର ବର୍ତ୍ତମାନ ଏ ତ୍ୟାଗ ।

 

ଦିନ ପରେ ଦିନ ଗଡ଼ି ଚାଲିଲା । ରାସ୍ତାକଡ଼ର ବାରବୁଲୀ, ଭିକାରିଣୀ ନ ହୋଇ ସିନା ଜଣଙ୍କ ଦୟାର ଆଶ୍ରା ନେଲି; କିନ୍ତୁ ଶାନ୍ତି ପାଇଲି ନାହିଁ । ମଉସାଙ୍କର ମୋ ପ୍ରତି ଅତ୍ୟଧିକ ବାତ୍ସଲ୍ୟ ଓ ମୋର ମଉସାଙ୍କ ପ୍ରତି ଅଟଳ ଭକ୍ତି ମାଉସୀଙ୍କ ବିକାର–ଗ୍ରସ୍ତ ମନରେ ବିରାଗ ଜାତ କରାଇଲା । ମୁଁ ତାଙ୍କ ଆଖିରେ ଚକ୍ଷୁଶୂଳ ହୋଇଉଠିଲି । ସେ ମୋତେ ନେଇ ମଉସାଙ୍କୁ ସନ୍ଦେହ କଲେ ବହୁ ସମୟରେ ତାଙ୍କ ଉପରେ ଅକଥନୀୟ ଗାଳି ଦେଲେ । ମୋତେ ମଧ୍ୟ ନାନାପ୍ରକାର ଉଲୁଗୁଣା ଦେଇ କଥା କହିବାକୁ ଆରମ୍ଭ କଲେ ।

 

ରକ୍ତ ମାଉଁସ ଦିହ ତ ମୋର ସହିବାର ସୀମା ଅଛି । ତଥାପି ମୁଁ ଅଧୈର୍ଯ୍ୟ ହେଉନଥିଲି-। ନିରବରେ ସବୁ ମଥାପାତି ସହିନେବା ବ୍ୟତୀତ ପାଟି ଫିଟାଇ ପ୍ରତିବାଦ କରିବାକୁ ମୋର ଶକ୍ତି ନଥାଏ । କାରଣ ଗର୍ଭରେ ସେତେବେଳକୁ ମୋର ଦଶ ମାସର ଶିଶୁ । ହୁଏତ ଆଉ କେତେଟା ଦିନପରେ ସେ ଶିଶୁ ଏ ଦୁନିଆର ଆଲୋକ ଦେଖିବ । ତାରି ପାଇଁ ସିନା ଏତେ କଷ୍ଟ-। କେବଳ ଗୋଟିଏ ଖିଆଲ, ଅନାଗତ ମାତୃତ୍ୱ ଆଗରେ ମୁଁ ସବୁ କଷ୍ଟ ଭୁଲି ଯାଉଥିଲି ।

 

ମାଉସୀଙ୍କ କଟୁକଥାରେ ବେଳେବେଳେ କାନ୍ଦେ, ଓଳିଏ ଉପାସ ରହେ; କିନ୍ତୁ ପରେ ମଉସାଙ୍କ ସ୍ନେହରେ ସବୁ ଭୁଲିଯାଏ । ପୁଣି ପଛ କଥାକୁ ପିଠିକୁ ପକାଇଦେଇ ସକାଳୁ କାମରେ ଲାଗିଯାଏ ।

 

ସେଦିନ ସେହି ଅଶୁଭ ଶୁକ୍ରବାର ରାତ୍ରି । ତା’ ପୂର୍ବରୁ ମଙ୍ଗଳବାର ଆଉ ବୁଧବାର ଦୁଇରାତି ମୁଁ କିଛି ଖାଇନଥିଲି । କେବଳ ଦୁଃଖରେ ଅଭିମାନରେ ନୁହେଁ । ଅଭିମାନ କାହା ଉପରେ ବା କରିବି ? ଏତେଗୁଡ଼ିଏ ଲୋକ ଭିତରେ ସବୁ ତ ପର କିଏ ବା ଆପଣାର ମୋର ? ଦିନକୁ ଦିନ ମୋ ଗର୍ଭକୋଷ ଭିତରେ ଅନାଗତ ଶିଶୁ ଯେମିତି ବଢ଼ୁଥାଏ, ମୋ ଉପରେ କଟୁ ମନ୍ତବ୍ୟ ଏବଂ ମୋ ଚରିତ୍ର ଉପରେ ତୀବ୍ର ଆକ୍ଷେପ ବଢ଼ି ଚାଲିଥାଏ । ମଉସା ମାଉସୀ ଏ ଦୁହିଁଙ୍କ ଭିତରେ ମୁଁ ଗୋଟାଏ ଦ୍ୱନ୍ଦ୍ୱର ପାଚେରୀ ହୋଇ ଠିଆହୋଇ ରହିଲା ପରି ରହିଥାଏ । ସବୁ କରି ପାରିଥାନ୍ତି ଯଦି କେତେଟା ଦିନ ଏ ଘରେ ସୁରୁଖୁରୁରେ ଚାଲି ଯାଇ ନଥାନ୍ତା । ବର୍ତ୍ତମାନ ମୋର ଏ ଅସହାୟ ଅବସ୍ଥାରେ କୁଆଡ଼େ ଚାଲିଯିବାକୁ ସାହସ ହେଉନଥାଏ ।

 

ମୋରି ଲାଗି ବୋଧହୁଏ ମଉସା ବି ଦୁଇଦିନ କିଛି ଖାଇ ନ ଥାନ୍ତି । ଦେବତା ସେ । ତାଙ୍କର ପାଦ ତଳକୁ ମୋର କୋଟି ଜୁହାର । ସେହି ଗୋଟିଏ ଲୋକ ମୋ ପାଇଁ ଭାବୁଥିଲେ । ନିହାତି ଦରକାର ନପଡ଼ିଲେ ସେ କଚେରୀ ଘରୁ ଘର ଭିତରକୁ ଆସୁ ନଥିଲେ । ମୋ ସହିତ ମିଳାମିଶା କରିବାକୁ ସାହସ କରୁନଥିଲେ ।

 

ସେଦିନ ଶୁକ୍ରବାର ମୋ ଜୀବନ ଇତିହାସର ଗୋଟାଏ ସ୍ମରଣୀୟ ଦିନ । ଗୁରୁବାର ଦିନଠାରୁ ପେଟରେ ମୋର ଯନ୍ତ୍ରଣା ଅନୁଭବ କରୁଥାଏ । କାମଦାମ କରିବାକୁ ସେତେ ଭଲ ବି ପାଉନଥାଏ । ଦୁଇଦିନ ହେବ ଖାଡ଼ା ଉପାସ । ପରିବାର ଭିତରେ ମୋ ପାଇଁ ଗୋଟାଏ ଝଡ଼ ଉଠିଛି । ସେଥିରେ କିପରି ମୋ ପେଟକୁ ଭାତ ଯିବ ? ମଉସା ଯେ ମୋ ପାଇଁ ଅଯଥାରେ କେତ କଥା ସହୁଛନ୍ତି । ସେ ତ ଉପାସ ଆଉ ମୁଁ ତାଙ୍କର ଆଶ୍ରିତା ହୋଇ ତାଙ୍କର ଅର୍ଜିତ ସଂପତ୍ତିକୁ ଖାଇ ଶାନ୍ତିରେ ହାକୁଟି ମାରିବି କିପରି ? ମନେମନେ । ଭାବିଲି, ଭଗବାନ ତୁମ ଗନ୍ତାଘରେ ଯେତେ ଦୁଃଖ ଥିଲା । ତୁମ ସଂସାରରେ ଯେତେ ଲୁହ ଥିଲା ସବୁ କ’ଣ ମୋରି ପାଇଁ ରଖିଥିଲ । ମୋରି କପାଳରେ ସବୁ ଦେଇଦେଲ !

 

ମଉସା ସେଦିନ ଘରକୁ ଆସିଥିଲେ । ରାତି ଗୋଟାଏ କି ଦୁଇଟା ହେବ ଯନ୍ତ୍ରଣାରେ ମୁଁ ତ ବିକଳ ହେଉଥାଏ । ମୋ ଆଖିକୁ ନିଦ ଆସୁନଥାଏ । ବାହାରେ ସେଦିନ ଭୀଷଣ ଝଡ଼ ଉଠିଥାଏ-। ସତେ କି ପୁରୀ ସହରର ସବୁ ନଡ଼ିଆଗଛ ଗୁଡ଼ାକ ଉପୁଡ଼ି ପଡ଼ିବ ? ବର୍ଷା ବି ହେବା ଉପରେ....ମଉସାଙ୍କୁ ଦେଖି ମୁଁ ମୋର ଶୋଇବା ଘରୁ ବାହାରି ଆସିଲି । ମଉସାଙ୍କ ପାଦ ଦୁଇଟା ଧରି ଜୋରରେ କାନ୍ଦିଉଠିଲି, ମଉସା ଯେପରି ମତେ ରାସ୍ତାକଡ଼ରୁ ସାଉଣ୍ଟି ଆଣିଥିଲେ ସେପରି ରାସ୍ତାଉପରକୁ ଫିଙ୍ଗିଦିଅ । ମୋ ଭାଗ୍ୟରେ ଲେଖାଅଛି, ମୁଁ ରାସ୍ତାକଡ଼ରେ ବସିବି । ପର ଦୁଆରେ ହାତପାତି ମାଗିବି । ମୋତେ ଦୟାକରି ତୁମେ ବହୁତ କଥା ସହିଲଣି । ବହୁତ ଦୁଃଖ ଭୋଗିଲଣି-। ତିନିଦିନ ହେବ ଉପାସ ରହିଲଣି । ଆଉ ଦେହକୁ ମୋ ପାଇଁ ଦୁଃଖ ଦିଅନ୍ତୁ ନାହିଁ ।

 

ସ୍ନେହରେ ସେ ମୋତେ ତଳୁ ଉଠାଇନେଲେ । ଛାତିକୁ ଆଉଜାଇ ନେଲେ ।

 

ମଉସାଙ୍କ ଛାତିରେ ପଡ଼ିରହି ଭାବୁଥିଲି ସତେକି ମୁଁ ମୋ ବାପାଙ୍କର ଅବୋଧ ଝିଅ ଲତୁ ।

 

ମୋ ମୁଣ୍ଡରେ ସେ ସ୍ନେହରେ ହାତ ବୁଲାଉ ବୁଲାଉ କହିଲେ, ଛି–ଅବୁଝା ହୁଅନି । ତୁ ଏପରି ଅବୁଝା ହେଲେ ଚଳିବ ? ସୀତା ରାମଙ୍କ ଦ୍ୱାରା ନିର୍ବାସିତା ହେଲାପରେ ବାଲ୍ମୀକିଙ୍କ ଆଶ୍ରମରେ ଆଶ୍ରା ନେଇଥିଲେ । ସେଠାରେ କ’ଣ ତାଙ୍କର ମାନସିକ ଶାନ୍ତି ଥିଲା ? ତୁ ତ ରାମାୟଣ ପଢ଼ିଛୁ, ପଢ଼ି ମତେ ଶୁଣାଇଛୁ । ମୋ କୋଳରେ ତୋ ଲବ କିମ୍ବା କୁଶକୁ ଟେକିଦେବା ପର୍ଯ୍ୟନ୍ତ ତୋତେ ଏପରି କେତେ କଥା ସହିବାକୁ ହେବ । ଦୁନିଆ ତୋତେ ବାରକଥା କହିପାରେ କିନ୍ତୁ ମୁଁ ଯେତେବେଳେ ତୋର ବାପା ସେତେବେଳେ.......

 

ପାଟିର କଥା ତାଙ୍କ ପାଟିରେ ଅଛି, ସରିନାହିଁ ଏହି ସମୟରେ ହଠାତ୍‌ ଗୋଟିଏ ଇଟା ଆସି ତାଙ୍କର ମୁଣ୍ଡରେ ବାଜିଲା । ସେ ବେହୋସ ହୋଇ ସେଠାରେ ଟଳିପଡ଼ିଲେ । ମୁଣ୍ଡରେ ତାଙ୍କର ଧାରେ ଧାରେ ରକ୍ତ ଛୁଟି ଚାଲିଲା ।

 

ମୁଁ ଭୟରେ ଚିତ୍କାର କରି କାନ୍ଦିଉଠିଲି । ମଉସାଙ୍କୁ ସାଉଣ୍ଟି ଆଣିବାକୁ ଯିବାବେଳକୁ ମୋ ପଠିରେ ବସିଲା ଗୋଟାଏ ଶକ୍ତ ପାହାର ।

 

ପଛକୁ ଫେରି ଚାହିଁ ଦେଖିଲି ମାଉସୀ ରଣଚଣ୍ଡି ସାଜିଛନ୍ତି । ହାତରେ ଧରିଥିବା ବାଉଁଶ ବାଡ଼ିଟା ମୋ ଦେହସାରା ବୁଲିଗଲା । ମୁଁ ବିକଳରେ ଭୂଇଁ ସାଉଣ୍ଟୁ ଥାଏ । ତାଙ୍କର ପ୍ରହାର କିନ୍ତୁ ବନ୍ଦ ହେଉ ନଥାଏ ।

 

କେତେବେଳକୁ ମୋତେ ଧକ୍‌କାମାରି ଦାଣ୍ଡକୁ ବାହାର କରିଦେଲେ । ମୁଁ ବେହୋସ ହୋଇ ରାସ୍ତାକଡ଼ରେ ପଡ଼ି ରହିଲି ।

 

ଆକାଶରେ ଇନ୍ଦ୍ରନୀଳ ମେଘରୁ ପାଣି ଢାଳୁଥାନ୍ତି । ବଜ୍ରରୁ ବିଦ୍ୟୁତ୍‌ର ସ୍ଫୁରଣ ହେଉଥାଏ-

 

X X X

 

ସଂଜ୍ଞାମୋର ଫେରିଆସିଲା । କ୍ଲାନ୍ତ ଆଖିପତା ତୋଳି ଦେଖିଲି, ମୁଁ ଶୋଇଛି ପ୍ରସୂତୀ ଭବନର ଖଟଉପରେ । ପୁରୀ ଡାକ୍ତରଖାନାର ପ୍ରସୂତୀ ଭବନର ମୁଁ ରୋଗିଣୀ ।

 

କେତୋଟି କଅଁଳା ଛୁଆଙ୍କର କୁଆଁ କୁଆଁ ଡାକରେ ମୋର ଯେପରି ସୁପ୍ତ ମାତୃତ୍ୱର ନିଦ୍ର ଭଙ୍ଗ ହେଲା । ଭୁଲିଗଲି ସବୁ କ୍ଲେଶ, କଷ୍ଟର ଯନ୍ତ୍ରଣା, ଅତ୍ୟାଚାର ଆଉ ଅନନ୍ଦର ଦୀର୍ଘଦିନର ତପସ୍ୟା ମୋର ପୂର୍ଣ୍ଣ ହେବ । ମୁଁ ମା’ ହେବି ।

 

କ୍ଲାନ୍ତ ଆଖିପତା ମୋର ସେଇ ଘରସାରା ବୁଲି ଆସୁଥିଲା । କେତେ ବେଳକୁ ନର୍ସ ଜଣେ ଆସିଲେ । ମୋ ନାମ ପଚାରିଲେ ।

 

ଥରିଲା ଥରିଲା କଣ୍ଠରେ ଓଠରୁ ବାହାରିଲା ଲତା ଦେବୀ ।

 

ମୋ ମୁଣ୍ଡରେ କରୁଣାର ସ୍ପର୍ଶ ଦେଇ ସେ ମୋତେ ଆଶ୍ୱାସନା ଦେଇ କହିଲେ–ଛିଃ–ଭଉଣୀ ଦୁଃଖ କରନା । ଭଗବାନଙ୍କ ଇଚ୍ଛାଥିଲେ ପୁଣି ଆରବର୍ଷକୁ କୋଳ ପୂର୍ଣ୍ଣ ହେବ ।

 

ଚମକିଉଠିଲି ମୁଁ । ମନେପଡ଼ିଲା ଏ ଯେଉଁ ଶିଶୁଗୁଡ଼ିକ କୁଆଁ କୁଆଁ ଡାକ ପକାଉଛନ୍ତି, ତା’ ଭିତରେ ମୋର କେହି ନାହିଁ ଏତେ ଦୁଃଖ କଷ୍ଟ ସହି ସହି ପଥର ପାଲଟି ଥିଲି, ଭଗବାନ କ’ଣ କିଛି ବୁଝିଲେ ନାହିଁ ।

 

ନର୍ସଟି ପଚାରିଲା, ଭଉଣୀ ତୁମର କେହି ଆତ୍ମୀୟ ଆସିବେ ନା ନାହିଁ । ମୁଁ ତ କାଲି ରାତି ଡିଉଟିରେ ନ ଥିଲି ସବିତା ଦିଦି କହିଛନ୍ତି ଯଦି କେହି ଲୋକ ତୁମର ନ ଆସନ୍ତି, ତେବେ ତୁମ ମଲା ପୁଅଟିକି ମେହନ୍ତରକୁ ଦେବି ଫିଙ୍ଗିଦେଇ ଆସିବ ।

 

କ୍ଲାନ୍ତ ଆଖିପତା ମୋର ନଇଁଆସିଲା । ଧନ ମୋର ମୋ ଉପରେ ଅଭିମାନ କରି ବାହୁଡ଼ି ଗଲା । କାନ୍ଦିବାକୁ ଆଉ ଆଖିରେ ଥିବା ଶେଷ ଲୁହ ଦୁଇବୁନ୍ଦା ନିମିଳିତ ଆଖିପତାରୁ ମୋର ବୋହିପଡ଼ିଲା ।

 

ମୁଣ୍ଡଟା ମୋର ଘୂରୁଥିଲା ।

 

ମୁଣ୍ଡଉପରେ ଇଲେକ୍‌ଟ୍ରିକ ପଙ୍ଖାଟା ମୋର ଚେତନା ଶକ୍ତି ଆଣିବା ପାଇଁ ଖୁବ୍‌ ଜୋର୍‌ରେ ଘୂରୁଥିଲା ।

Image